ଅଞ୍ଜଳି ପଟ୍ଟନାୟକ
ଏ ମାଇପି ଜୀବନଟା ନା
ସେ ଦରସୁଖା ମୁଡୁକୁ ପରି
ଉପରକୁ ସବୁ ଦିଶୁଥାଏ ଠିକ୍ ଠାକ୍
ଭିତରଟା
ହଜାରେ କଞ୍ଚାପଣର ଗନ୍ତାଘର…
ଯୋଉଠି ସେ ଭାବିନିଏ ସେ ପାକଳ
ହେଇଗଲାଣି
ଶୁଖି ପାଚି ମଜେଇ ଗଲାଣି
ମଞ୍ଜ ତା’ର ହେଇଗଲାଣି ମଜବୁତ୍
ସେଇଠି ଭାଙ୍ଗିଯାଏ ସେ
ଖଣ୍ଡଖଣ୍ଡ ହେଇ
ସେଇଠି ମରିଯାଏ…
ଏଇ କଞ୍ଚାପଣ ତ ଜୀଆଇଁ ରଖେ
ତାକୁ
ପ୍ରେମରେ ଛଳ ଛଳ କରି ହଉ କି
ଘର ସଂସାରରେ କଳକଳ ହେଇ
ବହିଯିବାକୁ…
ଏଇ କଞ୍ଚାପଣ ଥାଏ ବୋଲି ତ
ସେ ନିତି ଫୁଲ ହେଇ ଫୁଟେ,
ତର୍କାରୀ ଭଲ ନହେଲେ
ଆଉଥରେ ଶିଖେ
ନିତିନିତି ନୂଆ କିଶୋରୀ ପରି
ଶିଖୁଥାଏ ଘରକରଣା
କେବେ ବୋହୂ ହୋଇ ଶାଶୂଠୁ
କେବେ
ଶାଶୂ ହୋଇ ବୋହୂଠୁ…
ସେଇ କଞ୍ଚା ପଣର ଭରସାରେ
ସଜାଏ ସଂସାରକୁ ତା
ଇକବାନା ପରି,
ତା କଞ୍ଚାପଣକୁ ଭରି ପାରେନି
ଯୁଗ କି ସମୟ,
ତ୍ରେତା ଦ୍ୱାପର କ୍ଷତ ବି ତାର
ଦଲଦଲ କରୁଥାଏ କଳିରେ…
ସେଇ କଞ୍ଚା ପଣର ଦ୍ୱାହିରେ
ତାକୁ ଭୁଲେନି ଜୀବନ କି
ବରେନି ମରଣ ତାକୁ… ।
ଅଡିଟ ସୁପରିଟେଣ୍ଡଟ୍, ଦୁର୍ଗାବଜାର, ଢେଙ୍କାନାଳ
ଲେଖକ ପରିଚୟ
କଲେଜ ପଢିଲାବେଳୁ ଲେଖାଲେଖି କରୁଥିଲି ହେଲେ ଏଇ ୬ ବର୍ଷ ହେଲା କବିତା ଲେଖାକୁ ପ୍ରାଧାନ୍ୟ ଦେଇଛି । ପେଶାରେ ସରକାରଙ୍କ ଅର୍ଥ ବିଭାଗରେ ସମୀକ୍ଷା ଅଧିକ୍ଷକ ଭାବେ କାର୍ଯ୍ୟରତ ସିନା କିନ୍ତୁ କର୍ମ କ୍ଷେତ୍ରରେ ଥାଇ ବି କବିତାଠୁ ନିଜକୁ ମୁକୁଳାଇ ପାରେନି ମୁଁ । ନିକଟରେ ପ୍ରକାଶିତ ହୋଇଛି କବିତା ଦୁଇଟି କବିତା ସଂକଳନ ‘ସଫେଦ ଇଂଦ୍ରଧନୁ’ ଓ ‘ସରାଗାତରେ ସୁରଗୀତି’ ।