ମାନସ ରଞ୍ଜନ ସ୍ଵାଇଁ
କେମିତି କହିବି
ଅନାମ ଉଦାସରେ
ମୋ ପଟର ଇପ୍ସିତ ଦୃଶ୍ୟ
ଗୋଟେ କୃଷ୍ଣପକ୍ଷର ଲମ୍ବିଥିବା ରାସ୍ତା ବୋଲି
ଯେଉଁଠି କିଛି ଶୀର୍ଷକ ନରଖି
କେହି ତ ଛାଡ଼ିଲେନି ପଦଚିହ୍ନ
ଗୋଟେ ନିତାନ୍ତ ଖାଲି ଜାଗାରେ
ପ୍ରସ୍ତୁତ ଥାଇ ଗୋଟେ ହାତରେ ସାଦା କାଗଜ
ଆର ହାତରେ ଧରିଲେନି ପ୍ରଜାପତି
ନା ପ୍ରତି ପ୍ରକମ୍ପନକୁ ସ୍ଥଗିତ ରଖି
ଅଭିମାନରେ ଛାଡ଼ି ଦେଇଗଲେ ବାମପାଦର ଗାର
ଡାହାଣ ପାଦର ଅସହଜପଣ
ହସରେ ଅପାର ପ୍ରେମକୁ ଲୁଚାଇ
କେହି କମ୍ପିଲେନି ତ ହୃଦୟର ନିଭୃତରେ
ସାହସର ଅନିର୍ବାଯ୍ୟତାକୁ ବୁଝି
ଜାବୁଡି ଧରିଲେନି ସର୍ବାଙ୍ଗକୁ
ଆଖିକୁ ସାମ୍ନା ନକରି
ଆଖି ସାଜି ନେଇଗଲେ
ଝାଉଁବଣ.. ସମୁଦ୍ର ମୁହାଣ..
ମୋର କିନ୍ତୁ ମନେଅଛି
ଏକଲ୍ଲା ତାରାର ଖସିବାର ଦୃଶ୍ୟ
ଯାହାକୁ ମନାସି – ସହ ରଚିବାକୁ ଦୌଡ଼ି ଯାଇଥିଲି
କେମିତି ମିତ୍ରତାର ଗୋଲାପ ବଣ
ନିରାଦର କରି ନଥିଲି ଚେହେରାର ସଙ୍କୋଚନ
କି, ଶବ୍ଦର ସମ୍ବରଣ
ଅଘଟିତ ରହିଥିବା ସବୁକିଛି
କାଳେ ଘଟିଯିବ ବୋଲି
କେମିତି ସାରା ଆକାଶର
ବିସ୍ତାରରେ ଚାହିଁଥିଲି କେବଳ
ସବୁ ଭାବରୁ ନିର୍ଲିପ୍ତ ରହି
ପୁରୁଷ ହେବାର ଯାତନାରେ
ଦ୍ଵିପ୍ରହରର ରହସ୍ୟ ଖୋଲିବି ତ କେମିତି
ଅପରାହ୍ନରେ ତାଳଗଛର ଛାଇ ପରି ଲମ୍ବା
କାହାର କିଛି କହିବା ମୋର ମନେଅଛି
“ପୁରୁଷ ମାନେ କାନ୍ଦିଲେ ଭଲ ଲାଗନ୍ତିନି
ପାରୁଛ ଯଦି ଗାରୀମାମୟ କର ଏକାକିତ୍ୱକୁ
ଚଟାଣର ଭାଷାରେ ବଞ୍ଚାଇ ରଖ ସ୍ପର୍ଶ”
ଏବେ ସେ ଉତ୍ତରାୟଣର ପ୍ରଶ୍ନ
ମନଇଛା କାନ୍ଦିଲେ କାହାର କଣ ଯାଏ ଆସେ
ରାତି କାକର ପରି ଟପକି
ଉଜୁଡୁ ପଛେ ସ୍ଵପ୍ନ ସୌନ୍ଦର୍ଯ୍ୟର ଆଶ୍ଚର୍ଯ୍ୟଲୋକ କରିବିନି ଅବସୋସ
ମୋହମଗ୍ନ ଛାୟା ଭଳି
ନିଜକୁ ଆଲଙ୍ଗି ଏତିକି କେବଳ
ଗୋଟିଏ ଗୋଡ଼ରେ ଗୁଣୁଗୁଣାଉଥିବା ଗଛ
ଚଢେଇର ଏକାନ୍ତତା
ଫୁଲର ଭାରରେ ଯେମିତି
ମେମେଳ ଋତୁର ରଙ୍ଗ ପରି
ସଘନ ହେଉଥିବା ଇଚ୍ଛାକୁ ନେଇ
କେବେ ବି ଯାଇପାରନ୍ତିନି
ପୂର୍ଣ୍ଣତାକୁ ନେଇ ନିଜତାରେ
ବିସର୍ଜନ ହେଉଥିବା ଫଗୁଣ ଆଡକୁ..
ଅତୀତରୁ ନିଷ୍କାସିତ ହୋଇ
ଗୋଟେ ନିରଭ୍ର ରାତିର ତିତିକ୍ଷା ପରେ
ପାଉଁଶର ଚିହ୍ନ ପରି
କେବେ ନିରସ୍ତ୍ର ନହେଉଥିବା ଅନ୍ତରରେ
ଅଧାଭାଗ ବି ଯାଇପାରନ୍ତିନି
ହରିତାଛାଦିତ ସ୍ଥବ୍ଧତାରେ
ମୁଁ ସେମିତି ପ୍ରତିକ୍ଷାରେ ଶ୍ରାବଣ ଆଡକୁ ..
ତରଡା ଶାସନ, ସିଦ୍ଧେଶ୍ଵରପୁର, ଜଗତସିଂହପୁର, ମୋବାଇଲ ନଂ – ୦୬୩୭୦୬୫୧୧୨୮
ଲେଖକ ପରିଚୟ
ଭୀଷଣ ସହ ବନ୍ଧୁତା, ମୌନରେ ମୌନରେ ମୁଖର ଯାହାର ଜୀବନ ଜଞ୍ଜାଳ ସେ ହିଁ କବି ମlନସ ରଂଜନ ସ୍ୱାଇଁ । ସମସାମୟିକ ଓଡ଼ିଆ ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ନାମ “ପ୍ରେମିକା”-୧୯୯୯, “ସ୍ୱର୍ଗଦ୍ୱାର”-୨୦୦୨ , “କି ,ମୃଗ କି, ମୟୂର”-୨୦୦୪, “ମୁଝେ ଚାନ୍ଦ ଚାହିୟେ( ହିନ୍ଦୀ କବିତା ସଂକଳନ )”-୨୦୦୬ ଯାଏଁ ତାଙ୍କ କବିତା କେଉଁଠି ପ୍ରାଣର ଦୋସର ସାଜି କହିଛି – ହଇରେ ଫୁଲ ଗଛ ତୁ କାହିଁକି ମଲୁ ? ତ କେଉଁଠି ଜୁଡୁବୁଡୁ ଜହ୍ନ ରାତିରେ ଘୋଷଣା କରିଛି “ଏ ତ ବସନ୍ତ ଋତୁ ନୁହଁ” ।