ଜିନାତମାମ୍ ଦର୍ଜୀ
କିଏ କହିଥିଲା, ହାଣିଦେବି ହିନ୍ଦୁଙ୍କୁ
କିଏ କହିଥିଲା, ଦେଖିଲେ ଗୋଟିଗୋଟି ମାରିଦେବି ମୁସଲିମଙ୍କୁ
କିଏ କହିଥିଲା, ର’ ବୁଝିବି ଏ ଖ୍ରୀଷ୍ଟିଆନମାନଙ୍କ କଥା
କିଏ କହିଥିଲା, ବୁଦ୍ଧମାନଙ୍କୁ ତଡ଼ିଦେବି ଦେଶ ବାହାରକୁ
କିଏ ଗରିବ ଲୋକଙ୍କୁ ଦେଖି ଟେକୁଥିଲା ନାକ
କିଏ କହୁଥିଲା, ର’ ଦେଖିନେବି ଧନୀଙ୍କୁ, ଦେଖାନ୍ତି ଭାରି ଭେକ
କିଏ କହୁଥିଲା, ମୁଁ ତାଙ୍କୁ ଛୁଇଁବି ନାହିଁ, ସେ ହରିଜନ
କିଏ କହୁଥିଲା, ବଦଲା ନେବି, ସିଏ ଏକ ଦୁଷ୍ଟ ବ୍ରାହ୍ମଣ
କିଏ କହୁଥିଲା, ସିଏ ବିଜେଡ଼ି ଲୋକ, ମୁଁ କରେ ତାଙ୍କୁ ଘୃଣା
କିଏ କହୁଥିଲା, ସିଏ ବିଜେପି ଲୋକ
ତାକୁ ମାରିବା ପାଇଁ ଦେବି ଜଣକୁ ବଇନା,
କିଏ କହୁଥିଲା, ସିଏ କଂଗ୍ରେସ ଲୋକ
ମୋ ଆଗେ ତାର ନାଁ ଧରନା l
ସେମାନେ ଗୋଟେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ
ହାତ ଧରାଧରି ହୋଇ ମଲେ
ନିଜନିଜ ରକ୍ତ ଦେଇ ଗୋଟେ ନଦୀ ବୁହାଇଲେ….
ଘୁସୁରି… ଘୁସୁରି..ଯାଇ ଜଣେ ଅନ୍ୟ ଜଣଙ୍କୁ ପାଣି ପିଆଇଲେ l
ପରସ୍ପରର କଟା ଅଙ୍ଗକୁ ନିଜ ଦେହେ ବୋହି,
ବିଦାୟ ନେଲେ ଶେଷବିଦାୟ ସଂଗୀତ ଶୁଣାଇ….
ଏଥର ତୁମେମାନେ ସେଠାକୁ ଯାଅ,
ଗଣନା କର ।
ମୃତ, ଅଧମୃତ, ଆହତ ମଣିଷମାନଙ୍କ ଭିତରେ
କେତେ ହିନ୍ଦୁ ଅଛନ୍ତି ?
କେତେ ମୁସଲିମ ?
କେତେ ଖ୍ରୀଷ୍ଟିଆନ ?
କେତେ ଶିଖ ?
କେତେ ଧନୀ ?
କେତେ ମଧ୍ୟବିତ୍ତ ?
କେତେ ଗରିବ ?
କେତେ ଆଦିବାସୀ ?
କେତେ ହରିଜନ ?
କେତେ ବ୍ରାହ୍ମଣ ?
ଖୋଜ ସେ କେଉଁ ରାଜନୀତିକ ଦଳର ଥିଲା ?
କାହାକୁ ଭୋଟ ଦେଇଥିଲା ?
ଯାଅ ତୁମର ସବୁଯାକ ଘୃଣା ଆଜି ସୁଝାଅ,
ମୃତ, ଅଧମୃତ, ଆହତଙ୍କ ଛାତିରେ
ଭୁଜାଲି ଭୁସି ଦେଇ ଆସ
କାହିଁକିନା ସେମାନେ ବିକଳାଙ୍ଗ ହୋଇ ବଞ୍ଚିବାକୁ ଚାହାଁନ୍ତି ନାହିଁ
ଯାଅ, ତାଙ୍କୁ ମାରି ଦିଅ, ମୁକ୍ତି ଦିଅ,
ଶୁଣ, ସେମାନେ ମରିବା ଆଗରୁ କହିଥିଲେ,
“ଛେଳିମାନେ ନିଜ ଭିତରେ ମେ’… ମେ’… ହୋଇ
ଆମ୍ପୁଡା-ଚିପୁଡ଼ା ସିନା ହୁଅନ୍ତି,
ହେଲେ ଉପରେ କଂସେଇ ବସିଛି
କେତେବେଳେ ବେକ ଉପରେ ପକେଇବ ବ୍ରହ୍ମଚୋଟ ।”
ବରପାଲି, ବରଗଡ଼
ଲେଖକ ପରିଚୟ
ପାରିବାରିକ ପରିସ୍ଥିତି ଯୋଗୁଁ ମୋର ଆଦ୍ୟ ଯୌବନର ଅନେକ ବର୍ଷ ଏକ୍ଲା କାଟିବାକୁ ପଡ଼ିଥିଲା । ଜାଁ ପଲ୍ ସାର୍ତ୍ତ, କ୍ରିକେଗାଡ଼, କାପକ୍କା, କାମ୍ୟୁ ଆଦିଙ୍କଠୁ ଆରମ୍ଭ କରି ରାମଚନ୍ଦ୍ର ବେହେରା ,ବିଭୂତି ପଟ୍ଟନାୟକ, ଗାୟତ୍ରୀ ସରାଫ୍ ଆଦିଙ୍କୁ ପଢିବାର ସୁଯୋଗ ପାଇଛି । ଯୁକ୍ତ ତିନି ପଢିଲାବେଳେ ଓଡ଼ିଆ ବିଷୟ ବି ରଖିଥିଲି l ଯେମିତି ଭୋକ ଲାଗିଲେ ମଣିଷ ଖାଇବାକୁ ବାଧ୍ୟ୍ୟ ହୁଏ । ଶୋଷ ଲାଗିଲେ ପିଇବାକୁ ବାଧ୍ୟ୍ୟ ହୁଏ l ସେମିତି ଲେଖା ମାଡ଼ିଲେ ମୁଁ ଲେଖିବାକୁ ବାଧ୍ୟ୍ୟ ହୁଏ l ଲେଖିଦେଲା ପରେ ଯାଇ ଶାନ୍ତି ମିଳେ । ଅନ୍ୟ ଚାରା ନାହିଁ l ତେଣୁ ଲେଖିଲି l