ସତ୍ୟନାରାୟଣ ଗନ୍ତାୟତ

‘ଯା’ଆସ’ ଶବ୍ଦଟି ବାହାରକୁ ଗୋଟାଏ ଦିଶେ ସିନା ତା ‘ଭିତରେ କିନ୍ତୁ ସାଇତା ହୋଇ ରହିଛନ୍ତି ଯୋଡ଼ିଏ ଶବ୍ଦ : ଯାଅ ଓ ଆସ ! ଅର୍ଥ : ଯିବା ଓ ଆସିବା । ପହିଲେ ଆସିବା କଥା ଭାବିଲେ ମନ ଭିତରକୁ ସ୍ୱତଃ ଆସିଯିବ ଆମ ଆଖପାଖରେ ନିକଟରେ ଜନମି ଥିବା ଏକ ଶିଶୁ, ଯିଏ ଆସିଥାଏ ସିଧା ମାତୃଗର୍ଭରୁ ମାଟିମାଆ କୋଳକୁ । ସେଇ ଶିଶୁ ଧୀରେ ବଢେ, ବଡ଼ଙ୍କ ହାତ ଧରି ଚାଲିବା ଶିଖେ । ଏମିତି ଯାବତ ସାଂସାରିକତା ଶିଖିଶିଖି ମଣିଷ ହୋଇ ଏ ସଂସାରରେ ଥିବା ଯାଏ ଅତ୍ର ତତ୍ର ସର୍ବତ୍ର ଯାଉଥାଏ । ଚାଲିଥାଏ ଜୀବନ ପଥରେ । ଆଉ ବି ଦୌଡୁଥାଏ ନାନା କାରଣରୁ ନାନାଦି ପାର୍ଥିବ ଓ ଅପାର୍ଥିବ ପ୍ରାପ୍ତି ହାସଲ ପାଇଁ ! ଏସଵୁ ଯା’ଆସ ଧାଁଦୌଡ଼ ଅନବରତ ଏମିତି ଚାଲିଥିବା ବେଳେ କେତେବେଳେ କୋଉ ଖଞ୍ଜରେ ଯିବାବେଳ ଆସି ହାଜିର ହୋଇଯାଏ ଯେ ଯିବାକୁ ହୁଏ ଓ ପୁଣି ସେଇ ମାଟିରେ ହିଁ ମିଶିଯିବାକୁ ହୁଏ ।

ଯା’ଆସ ସମ୍ପର୍କିତ ଏହି ସତ୍ୟ ଜାଣି ବି ଅଜଣା ସଭିଏଁ । ଯା’ଆସ ନେଇ ବ୍ୟସ୍ତତା ଲାଗି ରହିଥାଏ । ଆଗେ ଜଣେ ଆଉ ଜଣକ ଘରକୁ ନକହି ନପୁଚ୍ଛି ବି ଯା’ଆସ କରି ପାରୁଥିଲା । ଯଦି କେହି ଆଗରୁ ଆସିବା ଜଣାଇ ଆସୁଥିଲେ ତ ତାଙ୍କ ଆସିବା ବାଟକୁ ଅନାଇ ରହି ଉଲ୍ଲସିତ ହୋଇ ପାଛୋଟି ନିଆ ଯାଉଥିଲା ଓ ସେ ଆସି ମନ ଭରି ରହି ପାରୁଥିଲେ । ପରେ ଯିବା କଥା ଉଠାଇଲେ ବଳାଇ ବଳାଇ ପୁଣି କିଛିଦିନ ରଖାଇ ବି ହେଉଥିଲା । ଆସିବାବେଳେ ସେ ଆଣିଥିବା ଭାରବେଭାର ପରି ଯିବାବେଳେ ବି ଅନୁରୂପ ଭାରବେଭାର ଦେଇ ଚର୍ଚ୍ଚା କରାଯାଉଥିଲା ।

ଏବେ ଯା’ଆସ ଆଗଠୁ ବେଶ୍ ସହଜ ସୁଗମ । ଆଗଭଳି ପଦ ଯାତ୍ରା, ଶଗଡ଼ ଯାତ୍ରା, କାଁ ଭାଁ ବସ ଟ୍ରେନ ଯାତ୍ରା ଆଉ ନାହିଁ । ଏବେ ଯା’ଆସ ପାଇଁ ଲକଜରି ବସ, ଭଳିକିଭଳି ଦ୍ରୁତଗାମୀ ବିଳାସଯୁକ୍ତ ଟ୍ରେନ ସାଙ୍ଗକୁ ଫ୍ଲାଇଟ କେତେ ନା କେତେ ସଜିଲ୍ । ଲୋଡ଼ା ଯାହା ଜଣେ ଜଣକୁ ଭେଟିବା ନେଇ ତୀବ୍ର ଇଚ୍ଛା । ସେତିକିର ବି କିନ୍ତୁ ଘୋର ଅଭାବ । ଆଜିକାଲି ବିବାହ ବ୍ରତ ଆଦି କତିପୟ ଶୁଭକାର୍ଯ୍ୟ ବେଳେ ହିଁ ଯାହା କିଛି ଜନ ସମାଗମ ହୁଏ କେଇ ଘଣ୍ଟା ବା କେଇ ଦିନ ପାଇଁ । ଏହି ଯା’ଆସ କିନ୍ତୁ ମିଳନର ମାଧୁର୍ଯ୍ୟ ଅନୁଭବିବା ଅପେକ୍ଷା ହୋଇଥାଏ ଖୁବ୍ ବେଶୀ ଆପଣାଇ ଥିବା ଯାବତ ଥିବାପଣର ପାରସ୍ପରିକ ପ୍ରଦର୍ଶନ ପାଇଁ ! ନୋହିଲେ ତ ପାଠ ପଢିବା ନାଁରେ ଘରୁ ଯାଇ ବାହାରେ ରହିଥିବା ପିଲାଏ ଆଉ ଆସିବା ସନ୍ଦିହାନ ହୋଇଗଲାଣି । କାରଣ ପଢା ପରେ ଚାକିରି, ତା’ପରେ ନିଜମତେ ଘର ସଂସାର ସବୁ ସେପଟେ ହୋଇଯାଉଛି । ଏପଟେ ଏତେ ବଡ଼ ଘରେ ଦି’ ପ୍ରାଣୀ ବରିଷ୍ଠ ନାଗରିକ ବୋଲାଇ ନିଃସଙ୍ଗତା ନେଇ ରହିଥାନ୍ତି ତଥା ବିଦିତ ବାପମାଙ୍କ ସଂସାରରେ ।

ଏବେ ଗାଁ ସହର, ସହର ନଗର, ଓ ନଗର ମହାନଗର ବନି ଚାଲିଛି । ତା ଭିତରେ ଭିଡ଼ ତନ୍ତ୍ରର ନାହିଁ ନଥିବା ରାଜୁତି । ଜଳବାୟୁ ସବୁ ପ୍ରଦୂଷିତ । ସ୍ଥଳ ବିପଦଯୁକ୍ତ । କେହି କାହା ପାଇଁ ନହୋଇ ସଭିଏଁ ଏକମୁହାଁ ନିଜ ପାଇଁ । ନିରାପଦ ଯାତ୍ରାର ଆନନ୍ଦ କାହିଁ ? ଏବକାଳର ସମ୍ପର୍କ ଏତେ ସରି ବିଡ଼ମ୍ବିତ ଯେ ଖରାରେ ସିଝୁଥିଲେ ବି ଛାଇକୁ ଡାକିବା ପାଇଁ କେହି ନଥାନ୍ତି । ଯେତେ ନିଜର ହେଲେ ବି ଦୂରେଦୂରେ ଇ’ । ପାଖେଇ ଆସ ବୋଲିବେନି କେହି ।
ତଥାପି ବାଟ ଚାଲିବା ବନ୍ଦ ହୁଏ ନାହିଁ । ଯା’ଆସ ଲାଗିଥାଏ । କିନ୍ତୁ ବାଟରେ ଚାଲୁଚାଲୁ କେତେ କଣ ଦିଶିଲେ ବି ନଦେଖି, ଚିହ୍ନା ମୁହଁଙ୍କୁ ଅଚିହ୍ନା ପ୍ରାୟେ ମଣି ଆଡ଼େଇ ଦେଇ ଆଗେଇ ଯିବା ଓ କାମ ସରିଲା ସଙ୍ଗେସଙ୍ଗେ ସମ ଶୈଳୀରେ ନିର୍ବେଦ ହୋଇ ଏକମୁହାଁ ଆସିବା ନିତ୍ୟ ନୈମିତ୍ତିକ ଏବ କାଳରେ ।
ଜାଣୁ, ଆପଣ କହି ପାରନ୍ତି ଯେ ଏବେ ଭିନ୍ନ ଏକ ଦୁନିଆ ସୃଷ୍ଟି ହୋଇଯାଇଛି । ଆମେ ଏଯାବତ କଳ୍ପଲୋକ ମଣି ଆସିଥିବା ସେ ଦୁନିଆ ଏବେ ବାସ୍ତବାୟିତ । ତାକୁ ଅନଲାଇନ କୁହନ୍ତୁ ଆଭାସୀ କୁହନ୍ତୁ ବା କହନ୍ତୁ ଭର୍ଚୁଆଲ ଦୁନିଆ, ଏଠି ଆଖି ପିଛୁଳାକେ ଜଣେ ଆରଜଣକ ପାଖରେ ପହଞ୍ଚି ପାରିବ । ସେ କୋଉଠି ଅଛି କଣ କରୁଛି ସବୁ କିଛି ଜାଣି ପାରିବ । ସୁତରାଂ ଶୂନ୍ୟେ ଶୂନ୍ୟେ ସମ୍ଭବ ହୋଇ ପାରୁଥିବା ଏସବୁ ବ୍ୟାପାରମାନଙ୍କୁ ସମାହିତ କରୁଥିବା ଫେସବୁକ, ହ୍ଶାଟସ ଆପ, ଇନଷ୍ଟା ତାତୀୟ ଭଳିକି ଭଳି ସାଧ୍ୟ ସାଧନ ବି ଏକଏକ ଭିନ୍ନ ପ୍ରଜାତିର ଯାତ୍ରା ପଥ, ଯେଉଁମାନଙ୍କ ଦେଇ ଅନାୟାସେ କରିହେଉଛି ଏହି ମହାର୍ଘ ଯା’ଆସ ।

ହଁ ଆଜ୍ଞା, ଆମର ଏତେ ସବୁ ବକବାସାନ୍ମେ କିନ୍ତୁ ଏକଥା ନିଶ୍ଚେ କହିହେବ ଯେ ଏ ଧରାଧାମରେ ଥିବା ଯାଏ ଯା’ଆସ ଲାଗିଥିବ । ଦେଖୁଥିବେ ତ କେମିତି ସକାଳ ହେଉ ନହେଉଣୁ ବୁଲାଚଲାରମ୍ଭ ହୋଇଯାଉଛି । ପୁଣି ଘେରାଏ ସଞ୍ଜ ହେଉହେଉ । ତେବେ ଅସଲ କଥା ହେଲା ଜୀବନ ପଥରେ ସଭିଏଁ ଯା’ଆସ କରୁଥିବା ପଥିକ । ଏହି ଯା’ଆସ ଭିତର ଦେଇ ପରସ୍ପରକୁ ଆପଣାଇବା ପାଇଁ ଜଣେ ଆରଜଣକୁ ଅନାଇ ଅଳପ ହସି ଟିକେ ହାତ ହଲାଇ ମଥା ଟୁଙ୍ଗାରି ଦେଲେ ଯା’ଆସ ଆହୁରି ଆନନ୍ଦଦାୟୀ ହେବ, ସ୍ୱତଃ !!

କାରଣ ମିଛରେ କହନ୍ତିନି “ହସି ଦେଲେ ସବୁ ନିଜର” ବୋଲି । ତ’ କଣ ଆମେ ଇଚ୍ଛିଲେ ହସମୟ ହୋଇ ସୁଖଦ ହୁଅନ୍ତାନି ଚାଲି ଆସୁଥିବା ଆମର ଏ ଯା’ଆସ ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *