ପଞ୍ଚାନନ ବେହେରା
ପାରୁଛ ତ ଫେରେଇଦିଅ
ମୋ ଅବଶିଷ୍ଟ ଭୂଖଣ୍ଡ
ନିଷ୍ପେସିତ ମୋ ଚତୁର୍ଦିଗ
ଅସହ୍ୟ ତୁମର ଜୁଲୁମ, ଫାଶୀ ଦଣ୍ଡ ।
ବଂଚିଯିବି ଅନାୟାସରେ
ବାକିତକ ଆୟୁଷକୁ ନେଇ
ମୋ ସାମ୍ରାଜ୍ୟରେ ମୁଁ ରାଜା
ନିଜକୁ ପ୍ରଜାର ଦ୍ୱାହି ଦେଇ
ଦ୍ୱାରସ୍ଥ ହେବିନି ତୁମ ଦ୍ୱାରେ
ସାଉଁଟିବିନି ଫିଙ୍ଗା ଭାତ ମୁଠାକୁ
ଏବେ ଠିକ ଅଛି
ମୋ ପାଇଁ ପାଣି ପବନ ।
ବେଡ଼ି ଶୃଙ୍ଖଳର ଭାରରେ
ଅଣନିଶ୍ୱାସୀ ମୁଁ
ପାଟିରେ ତୁଣ୍ଡି
କେମିତି ଯେ …
କେମିତି ଅଭିବ୍ୟକ୍ତିବି
ନ୍ୟାର୍ଯ୍ୟ ଅଧିକାର
ଦାବି କରିବି ଆବଶ୍ୟକତାର ହକ୍ ??
ମୋ ସବୁ ଇଚ୍ଛାକୁ
କବର ଦେଇ ସାରିବା ପରେ
ଅପେକ୍ଷିଛି ସେଇ ସ୍ଵର୍ଣ୍ଣିମ ବେଳାକୁ
ଯେଉଁଦିନ ଆଞ୍ଜୁଳାଏ ସ୍ଵାଧୀନତା
ଧରି କଣ୍ଠ ଫଟେଇ
ହସୁଥିବୁ ମୁଁ’ଠାରୁ ଆମ୍ଭେ …
ଦଶପଲ୍ଲା, ମୋବାଇଲ – ୯୯୩୭୯୧୪୪୬୭
ଲେଖକ ପରିଚୟ
ରଙ୍ଗ ତୁଳୀର ଗଣ୍ଠିଲି ବୋହି ବାଟ ଚାଲୁଥିବା ବେଳେ କେତେବେଳେ ସାହିତ୍ୟ ଜଗତ ଭିତରେ ପଶିଯାଇଛି ସେକଥା ମୁଁ ନିଜେ ଜାଣେନା । ପେଣ୍ଟିଙ୍ଗ ମୋର ପେଶା । କବିତା ମୋର ନିଶା । ସେଦିନ, ଜୁନ ୨୧, ୨୦୧୫, ଅଚାନକ ଲେଖୁଲେଖୁ ଦୁଇ ପଦ ଲେଖି ଦେଇଥିଲି ଫେସବୁକରେ । ବାଃ ବାଃ ଶବ୍ଦରେ ଜୁଡୁବୁଡୁ ହୋଇଯାଇଥିଲି ଯାହା ମୋତେ ଅସରନ୍ତି ପ୍ରେରଣା ଯୋଗାଇଦେଲା ତୁଳୀ ସହ କଲମ ଧରିବାକୁ । ଅକବିଟିଏ ମୁଁ କବିଟିଏ ହେବା ଚେଷ୍ଟାରେ ଅହରହକିଛି ଶବ୍ଦଙ୍କୁ ଯୋଖାଯୋଖି କରେ । ପାଠକ, ସମାଲୋଚକ ଏବଂ ପ୍ରଶଂସକଙ୍କ ସହଯୋଗରୁ ଏଯାବତ୍ “ଚିତ୍ରଲେଖା” ନାମରେ ଛୋଟିଆ କବିତା ସଂକଳନଟିଏ ଉନ୍ମୋଚିତ ହୋଇପାରିଛି ।