ବଳରାମ ପୂଜାରୀ
ଦୂରରୁ ଦିଶୁଥିଲା, ଜଙ୍ଗଲ ମଝିରେ
ମୋ ମାଟିଲେସା ସ୍ୱର୍ଗ
ମୋ ମାଆର, ଜଙ୍ଗଲ ଫେରନ୍ତା
ବୋଝେ କାଠଭାରରୁ
ଓହ୍ଲାଉଥିଲେ ଝାଳବୁହା ପାର୍ଶ୍ୱଦେବତା ମାନେ,
ଜଳ, ଜମି, ଜଙ୍ଗଲ ଓ ଜୀବିକାର
ସଂଜ୍ଞା ନିର୍ଦ୍ଧାରଣ କରୁଥିଲେ
ଆବାହନ ହୋଇଥିବା, ଶୁଖିଲାଶୁଖିଲା ଦାରୁବ୍ରହ୍ମ
ଖେଡ଼ଜନା, ମଣ୍ଡିଆ ଭଟ୍ଟାରେ ଜୀବନ ଭରୁଥିଲେ
ଦିଅଁ ଦେବତା, ଡୁମା ଡାହାଣୀ …
ମୋ ଫିରି ଛପର କୁଡ଼ିଆରୁ ଝରୁଥିଲେ
ତଟକାତଟକା ତଥାସ୍ତୁ …
ବାରିପଟ, ବାଉଁଶବୁଦା କରଡ଼ିରୁ
ଓହ୍ଲାଉଥିଲେ, ଦେବଦୂତ ମାନେ
ଗଢି ତୋଳିବାକୁ ଜୀବନମାନଙ୍କ
ଥାକଥାକ ନୂଆଁଣିଆ ନାଟ ମଣ୍ଡପ ।
କୁଡ଼ିଆର ପରିଧି, ସ୍ପଷ୍ଟ କରୁଥିଲେ
ମୋ ତମାମ ସ୍ୱର୍ଗର ହସଖୁସିର କ୍ଷେତ୍ରଫଳ
କାଲିର ଚିନ୍ତା ନାହିଁ
ଆଜି ଖଟିଲେ, ଖାଇବୁ
ଥାକଥାକ ପାହାଡ଼ ସନ୍ଧିରେ
ଲେଖା ହେଉଥିଲେ ଆମ ଭାଗ ଓ ଭାଗ୍ୟର ଭବିଷ୍ୟ
ଆମ ‘ବା’ ଆଣିଥିବା ଗଣ୍ଠିଲିରୁ
ମୁକ୍ତ ହେଉଥିଲେ ,
ଚାଖଣ୍ଡେଚାଖଣ୍ଡେ ଅବହେଳିତ,
ନିଷ୍ପେସିତ, ଭୋକ ।
ଏଇମିତି ତ ମେଘମାନଙ୍କୁ
ମୁଁ ନିଇତି ଗେଲ କରେ ,
ଏଇଠି !
ଶୀତକାକର ମାନେ ବି ଆମ ଦାଣ୍ଡପିଣ୍ଢାରେ
ବସାଉଠା କରନ୍ତି, ସବୁଦିନ
କେବେକେବେ, ଆସନ୍ନ ପ୍ରସବା, ମେଘବତୀ
ଠାଏଠାଏ ଓଦା କରିଦିଏ
ଆମ ଅଗଣାକୁ …
ବୋହି ଆଣିଥିବା ପବିତ୍ର ମହଣେମହଣେ, ଭସାଭସା ଆୟୁଷରେ ।
ଏବେ ବି ମୋ ମାଆର ପାଞ୍ଚ ଆଙ୍ଗୁଳିର ଚିହ୍ନ
ଲେସି ହୋଇ ରହିଛି,
ବାରିପଟ ମାଟି କାନ୍ଥର ଗୋବର ଘସିରେ,
ମୋ ଭାରବୁହା ଭାରୁଆ ପିଠିରେ,
ମୋ ତମାମ କପାଳର ଭାଗ୍ୟମାନଙ୍କ ପରମାୟୁରେ ।
ଏବେ ତ, ସେ ପାଲଟିଯାଇଛି
ଆମ ଗାଁ ସେପାରି ଡଙ୍ଗର ମୁଣ୍ଡିଆରେ
ଉଠୁଥିବା, ପାହାନ୍ତି ପହରର କୁଆଁତାରା !
ସେଉଠୁଁ ଥାଇ ଢାଳୁଛି
ଅସରାଅସରା ଅମାପ ତଥାସ୍ତୁ
ତା’ ଶିତଳିଆ ହାତଛୁଆଁରେ
ସ୍ୱର୍ଗ ପାଲଟୁଛି
ଏଇ ଡଙ୍ଗର ରାଜ୍ୟର ପାପୁଲିଏ ପିଠି ।
ମୋ ପିତୃପୁରୁଷଙ୍କ ଶେଷ ସନ୍ତକ
ଏ ମୁଠାଏ ରଙ୍ଗଡ଼ିଆ ମାଟି
ଏଇଠି ସକାଳୁସକାଳୁ ଅବତାର ନିଅନ୍ତି
ସୂରୁଜ ମାହାପୁରୁ,
ସଂଧ୍ୟା ନଇଁ ଆସିବା ପୂର୍ବରୁ ଆମ ସିଲି ଡଙ୍ଗରରୁ
ଫକ୍ କିନା ଡେଇଁପଡ଼ନ୍ତି ଜହ୍ନ ଦେବତା,
ଚାରିଆଡ଼େ ସୁଖ ଆଉ ସୁଖର ଜହ୍ନରାତି …
ପେଟକୁ ଭୋକ ଉହାଡରୁ ଲୁଚାଇ ରଖି
ଆମେ ଗଢିଛୁ
ଏଇ ଆୟୁଷ୍ମତୀ ଭୂସ୍ଵର୍ଗ “ଅରଣ୍ୟ : ଉଆସ ।”
କୁଡୁମୁଲୁଗୁମ୍ମା, ମାଲକାନଗିରି, ମୋ – ୯୬୬୮୬୮୮୪୭୪
ଲେଖକ ପରିଚୟ
ବୃତ୍ତିରେ ପ୍ରାଥମିକ ଶିକ୍ଷକ ହେଲେ ନିଶା କବିତା,ଗଳ୍ପ ଓ ସ୍ତମ୍ଭ ଲେଖିବା । ବର୍ତମାନ ସୁଦ୍ଧା ପାଞ୍ଚଟି କବିତା ସଂକଳନ ‘ଶବ୍ଦବ୍ରହ୍ମ’,’ମେଘଲଗ୍ନା’, ‘ମାଟିମଗ୍ନା’, ‘ଈଶ୍ୱରଙ୍କ ଭାଡ଼ି’ ଓ ‘ଶ୍ୱେତପତ୍ର’ ପ୍ରକାଶିତ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ । ମାଲକାନଗିରି ମାଟିର କଥା ବ୍ୟଥା ପରଷୁଥିବା ମାଟିମନସ୍କ କବି ଭାବରେ ବେଶ୍ ଜଣାଶୁଣା ।