ହିମାଂଶୁ ଆଚାରୀ

ଗୋଟେ ମୁଠା ତୁମ ଆକାଶରେ ଭରା ଆର ହାତ ମୁଠେ ମାଟି
ହସେ ଲୁଚିଥିଲା ରାତିର ଅନ୍ଧାର, ଆଖିରେ ଭୟର ପଟି
ଚୁପିଚୁପି ଯେବେ କଥା କହୁଥିଲ, ସେ କଥା ନଥିଲା କଥା
ଦୂରେ ଯିବା ପାଇଁ ମସୁଧା ତୁମର ଦିଏ ଖାଲି ଏବେ ବ୍ୟଥା ।

ନିଃଶ୍ବାସରେ ତୁମ ଶବ୍ଦର ଆବେଗ ପ୍ରଶ୍ବାସରେ ପ୍ରେମ ଛୁଆଁ
କି ମନ୍ତ୍ର କେଜାଣି ଆବୋରି ଥିଲା ଯେ, କବିତା ବି ନୂଆନୂଆ
ମଣିଷ ରୂପରେ ଦେବଦୂତ ଥିଲ କେହି ପାରିଲେନି ଜାଣି
ଏକାନ୍ତରେ ଏବେ ଭାବିଲାବେଳକୁ ହୃଦୟୁ ଝରୁଛି ପାଣି ।

ଫେରିବା ଆଗରୁ ଫେରେଇଲ ନାଇଁ କଥା ଦେଇଥିଲ ଯାହା
ମାଟିକୁ ନିଜର କାହିଁ କରୁଥିଲ ସେ ମାଟି ବି ଦେଉଛି ରାହା,
ତୁମେ ଆଉ ନାହଁ ଭାବିଲାବେଳକୁ ଥରେଇ ଦେଉଛି ଛାତି
ଅଭାବ ତୁମର ଲାଗେ ଆଜି ସତେ ରଙ୍ଗହୀନ ପ୍ରଜାପତି ।

ଫେରିବ କି ତୁମେ ? ଅଳସ ଠାଣିରେ ଆଖିର ନିଦକୁ ତଡ଼ି
ଅଧାଗଢା ହେଇ ପଡ଼ିଛି ଏବେ ବି କିଛି କବିତାର ଧାଡ଼ି ।

ସଂପାଦକ- ଚନ୍ଦନଧାରା, ଉମରକୋଟ, ନବରଙ୍ଗପୁର, ମୋବାଇଲ : ୯୭୭୭୧୫୫୫୦୮

ଲେଖକ ପରିଚୟ

ଦୀର୍ଘ ତିନି ଦଶନ୍ଧି ଧରି ଲେଖନୀ ଚାଳନା ଜାରି ରଖିଥିବା ହିମାଂଶୁ ଆଚାରୀ ଏକାଧାରରେ ଜଣେ କବି, ଗାଳ୍ପିକ ଏବଂ ସଫଳ ସଂପାଦକ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ଓ ସଂବର୍ଦ୍ଧିତ । କବିଙ୍କର ଏଯାବତ୍ ତିନୋଟି କବିତା ସଙ୍କଳନ “ଆଲୋକିତ ଅନ୍ଧାର”, “ପାପୁଲି” ଏବଂ “ତଥାସ୍ତୁ କର ଈଶ୍ୱର” ବିପୁଳ ପାଠକୀୟ ଆଦୃତି ଲାଭ କରିଛି  ତାଙ୍କ ସଂପାତିତ ସାହିତ୍ୟ ପତ୍ରିକା “ଚନ୍ଦନଧାରା” ସାଂପ୍ରତିକ ସମୟର ସାହିତ୍ୟ ସେବା ଯୋଗାଇଦେବାର ପ୍ରୟାସ ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *