ସୁଧାଂଶୁ ଶେଖର ବେହେରା
ତୁମକୁ ତ ତୁମ ଜୀବନ ମାଗି ନଥିଲି …
ମାଗିଥିଲି ଜୀବନର କିଛି ସମୟ,
ତମେ ତାକୁ ବି ଦେଇ ପାରିଲନି …
ଯିଏ ସବୁବେଳେ କହୁଥିଲା;
ତୁମ ପାଇଁ ମୋ ଜୀବନ ଦେବାକୁ ପଡ଼ିଲେ ବି ମୁଁ ହସି ହସି ଦେଇଦେବି ବୋଲି !
ତୁମକୁ ତୁମ ଖୁସି ତ ମାଗି ନଥିଲି …
ମାଗିଥିଲି ତୁମ ଖୁସିରେ ମୋ ଉପସ୍ଥିତି,
ତୁମେ କିନ୍ତୁ ତାକୁ ବି ଦେଇ ପାରିଲନି …
ଯିଏ ସବୁବେଳେ କହୁଥିଲା;
ତୁମର ଖୁସିରେ ହିଁ ମୋର ସବୁ ଖୁସି ଲୁଚି ରହିଛି ବୋଲି !
ତୁମକୁ ମୁଁ ଜୀବନ ସାରା ସାଥିରେ ରହିବାକୁ କହି ତ ନଥିଲି …
ବାସ୍ ସାଉଁଟି ନେବାକୁ ଚାହୁଁଥିଲି ତୁମ ସହ କିଛି ସ୍ମୃତି,
ତୁମେ କଣ ତାକୁ ବି ଦେଇ ପାରିଲ !
ଯିଏ ସବୁବେଳେ କହୁଥିଲା;
ତୁମ କଥା ମୋର ଭାବିବାର ନାହିଁ, କଣ ଭାବୁଛ ମୁଁ ତୁମକୁ କେବେ ଭୁଲିପାରିବି ବୋଲି !
ତୁମକୁ ବି କେବେ ତୁମ ସମ୍ପତ୍ତିର ଅଂଶ ମାଗି ନଥିଲି …
ବାସ୍ ତୁମର କିଛି ସମୟ ଆଉ
ଭଲପାଇବା ଲୋଡ଼ିଥିଲି ନିଜ ଶାଶ୍ଵତ ପ୍ରେମ ବଦଳେ …
କିନ୍ତୁ ତୁମେ ତାକୁ ବି ଦେଇ ପାରିଲନି …
ଯିଏ ସବୁବେଳେ କହୁଥିଲା;
ତୁମ ପାଇଁ ମୁଁ ଆକାଶରୁ ଜହ୍ନ ଆଉ ତାରା ତୋଳି ଆଣିଦେବି ବୋଲି !
ପୋପରଡ଼ା, ନୂଆବଜାର, କଟକ, ମୋ – ୯୪୩୭୧୨୪୯୪୮
ଲେଖକ ପରିଚୟ
ପ୍ରାୟତଃ ୨୩ ବର୍ଷ ହେଲାଣି ଲେଖାଲେଖି କରୁଛି, ହେଲେ ଛୋଟଛୋଟ ପ୍ରେମ କବିତା ଏବଂ ସାମାଜିକ ପରିବର୍ତ୍ତନ ଉପରେ ଗପ ସଂଖ୍ୟା ବେଶୀ । ଯୁକ୍ତ ତିନି ଶେଷ ବର୍ଷ ପଢୁଥିଲାବେଳେ ୧୯୯୯ ମସିହାରେ ପ୍ରଥମ ଗପ “ପ୍ରେମର ପ୍ରତୀକ୍ଷାରେ” ପ୍ରକାଶିତ ହୋଇଥିଲା । ଅନେକ ଗପ ଆଉ କବିତା ବିଭିନ୍ନ ମାଗାଜିନରେ ସ୍ଥାନିତ ହୋଇଛି ମାତ୍ର ଅଧିକ ପାଠକାଦୃତ ଗପ ଥିଲା କନ୍ୟା ଭ୍ରୁଣ ହତ୍ୟାକୁ ନେଇ ଆଧାରିତ “ହତ୍ୟା ନୁହେଁ ସୁରକ୍ଷା” ।