ନୀଳିମା ନିବେଦିତା
ପଶୁଙ୍କ ପ୍ରତି ଅତ୍ୟାଚାର ନିବାରଣ ଅଧିନିୟମ ୧୯୬୦ର ସେକ୍ସନ ୨୮ କୁହେ, କୌଣସି ବି ଧାର୍ମିକ କାର୍ଯ୍ୟ ପାଇଁ କୌଣସି ପ୍ରାଣୀକୁ କିଛି ବି ଉପାୟ ଦ୍ଵାରା ହତ୍ୟା କରାଯାଇପାରିବ, ଏହା ଅପରାଧ ନୁହେଁ । ତେବେ କିଛି ବର୍ଷ ହେବ ପଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା କେତୋଟି ସଂସ୍ଥା ଏବଂ ଅନୁଷ୍ଠାନ ଏହି ସେକ୍ସନକୁ ହଟେଇବା ପାଇଁ ଦାବି କରି ଆସୁଛନ୍ତି । ସେପଟେ ବଳି ପ୍ରଥା ଏବେ ବି ବଳବତ୍ତର ହେଇ ରହିଛି ଅନେକ ସମ୍ପ୍ରଦାୟରେ । ମାଂସ ଖାଇବାକୁ ଅସଂଖ୍ୟ ଲାଳାୟିତ ଜିଭ । ଯେକୌଣସି ଖୁସିର ମାହୋଲରେ ପଶୁ ହତ୍ୟା ହିଁ ବିଧେୟ ପାଲଟିଛି ଅଧୁନା ମଣିଷଙ୍କ ପାଇଁ ।
ତଥ୍ୟ କୁହେ, ଅହିଂସା ଓ କରୁଣାର ଦେଶ ଭାରତ ମଇଁଷି ମାଂସ ପାଇଁ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଛେଳି ମାଂସ ପାଇଁ ଦ୍ଵିତୀୟ ସ୍ଥାନରେ ରହିଛି । ୧୯୬୦ରେ ମାଂସର ପ୍ରସ୍ତୁତି ୧୦ ଲକ୍ଷ ଥିବାବେଳେ ଭାରତର ଜନସଂଖ୍ୟା ଥିଲା ୪୫ କୋଟି । ମାତ୍ର ବର୍ତ୍ତମାନ ଭାରତର ଜନସଂଖ୍ୟା ୧୪୦ କୋଟି ପାର କରିଯିବା ସହିତ ମାଂସ ଭକ୍ଷଣଙ୍କ ସଂଖ୍ୟା ୮୦ ଲକ୍ଷ ଟନରେ ପହଞ୍ଚିଛି । ଜନସଂଖ୍ୟା ୩ ଗୁଣା ବଢିଥିବା ବେଳେ ମାଂସାହାରୀ ଲୋକଙ୍କ ସଂଖ୍ୟା ବଢିଛି ୮ ଗୁଣା । ତେବେ ଗତ ୧୫ ବର୍ଷ ଭିତରେ ମାଂସ ଖାଉଥିବା ଲୋକଙ୍କ ସଂଖ୍ୟା ଖୁବ୍ ଅଧିକ ମାତ୍ରାରେ ବଢିଛି । କେବଳ ଆମ ଦେଶ କଥା କହିଲେ, ବର୍ଷକୁ ପ୍ରାୟ ୨୫ କୋଟି କୁକୁଡ଼ା କଟା ହେଉଛି । ଏହାଛଡ଼ା ୧୫ କୋଟି ଛେଳି ଏବଂ ପାଖାପାଖି ୪୦ ଲକ୍ଷ ଅନ୍ୟାନ୍ୟ ପଶୁଙ୍କ ହତ୍ୟା କରି ଆହାର ପାଇଁ ମାଂସ ପ୍ରସ୍ତୁତ କରାଯାଉଛି । ଯଦି ଆମେ ଏହାକୁ ଅନ୍ୟ ଦେଶଗୁଡ଼ିକ ସହିତ ତୁଳନା କରିବା ତେବେ ଭାରତ ବହୁତ ପଛରେ ପଡ଼ିଯିବ । ଏଥିରୁ ଅନ୍ଦାଜ ଲଗାଇହେବ ଯେ ଅନ୍ୟଦେଶ ଗୁଡ଼ିକରେ କେତେ ମାତ୍ରାରେ ମାଂସ ଭକ୍ଷଣ ହେଉଥିବ ।
ଭାରତରେ ପ୍ରାୟ ୭୦ ପ୍ରତିଶତ ଭାରତୀୟ ମାଂସ ଆହାର କରିଥାନ୍ତି । ବଳକା ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତି ଅଣ୍ଡା ଖାଆନ୍ତି ଅଥବା ପରୋକ୍ଷରେ ପଶୁ ପ୍ରତି ହିଂସା ଏବଂ ଅତ୍ୟାଚାର ଦ୍ଵାରା ଉତ୍ପାଦ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ଉପରେ ନିର୍ଭରଶୀଳ ଥାଆନ୍ତି ।
ଭାରତୀୟ ପରମ୍ପରାଗତ ମୂଲ୍ୟ ଯଥା : ଅହିଂସା ଏବଂ କରୁଣା ତଥା ଚେତନାକୁ ସମ୍ମାନ ଦେବା ଇତ୍ୟାଦି କ୍ରମେ ନିଜର ଅସ୍ତିତ୍ଵ ହରାଇ ଚାଲିଛି । ଲୋକଙ୍କ ଜୀବନରୁ ସତେଯେମିତି ଆଧ୍ୟାତ୍ମିକତା ଲୋପ ପାଇଚାଲିଛି । ଆଜିକାଲି ସମସ୍ତଙ୍କର ଗୋଟାଏ ଲକ୍ଷ : ଜୀବନକୁ ଭରପୁର ଉପଭୋଗ କରିବା, ଯେକୌଣସି ଉପାୟରେ ହେଉନା କାହିଁକି ଖୁସି ସାଉଁଟିବା । ସେ ଖୁସି ହୁଏତ ନିଜର ତଥା ଦୁନିଆକୁ ଧ୍ଵଂସ କରି ପଛେ, ପରବାୟ ନାହିଁ । ଆପଣ ଯେକୌଣସି ରେସ୍ତୋରାଂକୁ ଯାଆନ୍ତୁ, ଦେଖିବେ ମେନ୍ୟୁରେ ଶାକାହାରୀ ଭୋଜନ ସଂଖ୍ୟା ତୁଳନାରେ ମାଂସାହାରୀ ଖାଦ୍ୟ ଆଇଟମ୍ ବହୁତ ଅଧିକ ସଂଖ୍ୟାରେ ଥିବ । ଏଣୁ କେବଳ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ନୁହେଁ ବରଂ ସାରା ଦେଶ ପଶୁଙ୍କ ରକ୍ତ ପିଇବାକୁ ବ୍ୟାକୁଳ । ଅଧିକାଂଶ ଶିକ୍ଷିତ କିନ୍ତୁ ଅଜ୍ଞ ସତ୍ୟ କ’ଣ । ଆଜିର ଅସନ୍ତୁଳିତ ପରିବେଶ ପାଇଁ ମାଂସାହାର ହିଁ ଅଧିକାଂଶ ମାତ୍ରାରେ ଦାୟୀ ବୋଲି ସେମାନଙ୍କୁ ଅଗୋଚର । ଲାଇଭ ଷ୍ଟକ୍ ଇଣ୍ଡଷ୍ଟ୍ରି ଯେ ସାରା ଦୁନିଆକୁ ଧ୍ଵଂସ ଆଡ଼କୁ ନେଇଯାଉଛି ସେକଥା ସେମାନେ ଜାଣନ୍ତି ନାହିଁ । ପରିବେଶ ବିଗାଡୁଥିବା କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ ଭଳି ବିଷାକ୍ତ ଗ୍ୟାସ ଅଧିକନ୍ତୁ ମାଂସ ପ୍ରସ୍ତୁତ ଇଣ୍ଡଷ୍ଟ୍ରିରୁ, ଲାଇଭ ଷ୍ଟକ୍ ଇଣ୍ଡଷ୍ଟ୍ରିରୁ, ଡ୍ୟାରି ଇଣ୍ଡଷ୍ଟ୍ରିରୁ ହେଉଛି ବୋଲି ଆମ ଭିତରୁ ଅନେକେ ଶୁଣିଲେ ଆଁ କରି ଚାହିଁବେ । ପରିତାପର ବିଷୟ କିନ୍ତୁ ଆଜିର ମାନବ ପିଢି ମାଂସକୁ ଭାତ-ଡାଲି ଭଳି ଖାଇଚାଲିଛି । ଯଦି ଏହା ଏଇମିତି ଚାଲିବ, ତେବେ କଣ ହେବ ଭବିଷ୍ୟତ ପରିବେଶର, ମାନବିକତାର ? କେମିତି ହେବାକୁ ଯାଉଛି ଆମ ଆଗାମୀ ସମାଜ, ଦେଶ ଆଉ ବିଶ୍ଵ ?
ଧର୍ମ କେବେ କାହାର ରକ୍ତପାତ ଶିଖାଏନା । ଧର୍ମ ଅର୍ଥ କରୁଣା : ଜୀବେ ଦୟା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ପଶୁଙ୍କ ପ୍ରତି ଏ ହିଂସା ଓ ଅତ୍ୟାଚାର ସପକ୍ଷରେ ସେମାନେ ବି ନାହାନ୍ତି ଯିଏ ପ୍ରତ୍ୟେକ୍ଷରେ କିମ୍ବା ପରୋକ୍ଷରେ ପଶୁ ପ୍ରତି ଅତ୍ୟାଚାର କିମ୍ବା ମାଂସ ପ୍ରସ୍ତୁତି କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥାଆନ୍ତି । କାରଣ ଦେଖିବାକୁ ଗଲେ ଭାରତୀୟମାନେ ପ୍ରବଳ ଆସ୍ତିକ ଓ ଧର୍ମପରାୟଣ । ସେମାନେ ତ କେବଳ ଅତୀତରୁ ଚାଲିଆସୁଥିବା ଏକ ପ୍ରବାହର ଅଂଶୀଦାର ମାତ୍ର । ସତ ତ ଏଇଆ ଯେ ଆମେ ଭୁଲିଯାଉଛେ ଆମ ଭିତରେ ବାସ କରୁଥିବା ପଶୁକୁ, ଗୋଟାଏ ବିରାଟ ଜଙ୍ଗଲକୁ । ଗୋଟିଏ ପଶୁ କେବଳ ଖାଇବା, ପିଇବା, ସେକ୍ସ କରିବା ଏବଂ ଶୋଇବାରେ ମସ୍ତ ରୁହେ । ତାକୁ ନୈତିକତା ଦରକାର ନାହିଁ କି ମୁକ୍ତି ଖୋଜେନା ସେ । ବୋଧର ଆବଶ୍ୟକତା ପଡ଼େନି ପଶୁକୁ ତା ଜୀବନରେ । ପଶୁ କେବେ ବି ନିଜର ଉନ୍ନତି ଚାହେଁନା, ପ୍ରଗତିର ଆଶା ରଖେନା ନିଜ ପ୍ରତି । ସେ ତାର ପ୍ରକୃତିରେ, ପ୍ରବୃତ୍ତିରେ ସଦା ସନ୍ତୁଷ୍ଟ ଥାଏ । ହେଲେ ମଣିଷ ପଶୁ ହେଇ ବି ସେମାନଙ୍କ ଠାରୁ ଭିନ୍ନ । ମଣିଷ ଭିତରେ ପଶୁତ୍ଵ ସହିତ ରହିଛି ‘ଚେତନା’ ଯାହା ବାରମ୍ବାର ନିଜକୁ ଉନ୍ନତ କରିବାକୁ ପ୍ରୟାସରତ । ଉଚ୍ଚ ଉଦ୍ଦେଶ୍ୟ ପାଇଁ ସେ ନିଦ, ଭୋକ, ମୈଥୁନର ତ୍ୟାଗ କରେ । ଉଚିତ, ଅନୁଚିତ, ଭୁଲ, ଠିକକୁ ତଉଲି ପାରିବାର ସାମର୍ଥ୍ୟ ରଖି ଭୋଗକୁ ଭାଗ କରିଦେଇପାରେ ନିଜଠାରୁ ଏବଂ ପ୍ରଜ୍ଞାକୁ ପ୍ରାପ୍ତ ହେବାର ଚେଷ୍ଟା କରେ । ଅର୍ଥାତ୍ ଚେତନାର ଉଚ୍ଚତାକୁ ଛୁଇଁବାକୁ ହେଲେ ଭିତରର ପାଶବିକତାକୁ ବଳି ଦେବାକୁ ହୁଏ, ହତ୍ୟା କରିବାକୁ ହୁଏ । ନୁହେଁ କି ବାହାରେ କୌଣସି ପଶୁକୁ ମାରିବା । ଏଣୁ ମାଂସ ଖାଇବା କିମ୍ବା ପରୋକ୍ଷରେ ପଶୁ ପ୍ରତି ଅତ୍ୟାଚାରର ଅଂଶୀଦାର ହେବା ପାପ ନୁହେଁ ବରଂ ବିବେକ ଓ ଚେତନା ରହିତ ଶୁଦ୍ଧ ପଶୁତ୍ଵକୁ ଦର୍ଶାଏ ।
କଳିଙ୍ଗ ବିହାର, ଭୁବନେଶ୍ୱର-୦୩, ମୋବାଇଲ୍ ନଂ- ୯୬୬୮୯୯୬୩୮୯
ଲେଖକ ପରିଚୟ
ନିଜକୁ ଯେତେବେଳେ ଖୁବ୍ ଅସହାୟ ମଣେ ଏବଂ ଶବ୍ଦମାନେ ଛାଟିପିଟି ହୁଅନ୍ତି ଛାତି ତଳେ, ଠିକ୍ ସେଇବେଳେ ଉତ୍ତାରି ହୁଏ ଭାବ, ଅନ୍ତର୍ନିହିତ କୋହ, କିଛି ଅସ୍ପଷ୍ଟ ଅବ୍ୟକ୍ତ ସ୍ଵର । ସେଗୁଡ଼ିକୁ ବିଭାଗୀକରଣ କଲେ ଗଢି ହୁଏ କବିତା, ଗଳ୍ପ, ପ୍ରବନ୍ଧ ଅବା ସମୀକ୍ଷା । ପ୍ରାୟ ୭ ବର୍ଷ ହେବ ଲେଖାଲେଖି କ୍ଷେତ୍ରରେ ମୁଁ । ‘ସୃଜନ ଇଣ୍ଡିଆ’ ପ୍ରକାଶନୀରେ ଏଯାବତ୍ ଦୁଇ ଖଣ୍ଡ ବହି (ଖଣ୍ଡେ କବିତା ବହି “ନୀଳ ନିରବତା” ଏବଂ ଖଣ୍ଡିଏ ଗଳ୍ପ ବହି “ବାକିଟା ବ୍ୟକ୍ତିଗତ”) ପ୍ରକାଶିତ ହୋଇଛି । ଶିକ୍ଷାଗତ ଯୋଗ୍ୟତା Masters in Computers ଏବଂ Mass Communication.