ଏ ମୋର ଅଶାନ୍ତ ରାତି

କେଦାର ମିଶ୍ର

ଆକାଶରେ ମିଳେଇ ଯାଇଥିବା ଶେଷ ବିନ୍ଦୁ ପକ୍ଷୀ
ପବନରେ ନିଖୋଜ ମଲ୍ଲିକାର ଶେଷ ପାଖୁଡ଼ା ବାସ୍ନା
ଛାତିରେ ପଥର ହୋଇଯାଇଥିବା ସର୍ବ ପୁରାତନ ଛାନ୍ଦ
ଶେଷ ଡଙ୍ଗାରେ ସମୁଦ୍ର ଟପିଥିବା ଆମର ବିଷାଦ
ଖାଲି କାଗଜରେ କେହି ବି ଆଉ କବିତା ହେବେ ନାହିଁ ।

କବିତାରେ ଆଉ ଆସିବ ନାହିଁ
ଅଶାନ୍ତ ଢେଉର ଶଙ୍ଖ ଓ ଶାମୁକା
ଭୁଲି ହୋଇଯାଇଥିବା ପ୍ରେମ ଓ ବିଶ୍ଵାସଘାତକତା
କବିତାରେ ତମର ଦେଖା ଅଦେଖା କିଛି ରହିବ ନାହିଁ
ରହିବ ନାହିଁ ଆମ ସମୟର ଚତୁର ଷଡ଼ଯନ୍ତ୍ର
ରାଜନୀତିର ଖେଳ ଓ ବିଷକନ୍ୟାର ଚୁମ୍ବନ
କବିତାରେ ରହିବ ନାହିଁ
ଆମେ ଦୁହେଁ ଏକାକୀ ମାପିଥିବା
ଶେଷ ଜଙ୍ଗଲ, ଶେଷ ଆକାଶ ଓ ଶେଷ ଛାୟାପଥ ।

କବିତାରେ ରହିବ ନାହିଁ ଆମ ସମୟର କୋୖଣସି ଅକ୍ଷର
ମଲା ହଂସ ଓ ଡାଇନୋସରଙ୍କୁ ନେଇ
ପୁରାଣ ସମୟକୁ ନୂଆ କରି ଲେଖିବ କବିତା
କବିତା, ଆମ ସମୟର କୁମ୍ଭମେଳାରେ
ଦଳିଚକଟି ଖତମ ହୋଇଯାଇଥିବା
ମାଟିର ହୃଦୟ ।

କବିତା ରହିବ ନାହିଁ
କବିତା ରହିବ ନାହିଁ
ଖାଲି ବାକି ରହିବ ତମର ପୃଥିବୀ
ତମର ଇନ୍ଦ୍ରଜାଲ
ତମର ଚିତ୍ତାକର୍ଷକ ମାୟା
କେବଳ ତମେ
ତମେ ହୃଦୟେଶ୍ଵରୀ
ତମେ କବିତା ।

ଶାସ୍ତ୍ରୀନଗର, ଭୁବନେଶ୍ଵର, ମୋ – ୯୪୩୭୧ ୫୪୪୪୫

ଲେଖକ ପରିଚୟ

ଏକାଧାରରେ ଜଣେ ସାହିତ୍ୟିକ, ସାମ୍ବାଦିକ, ଆଲୋଚକ କେଦାର ମିଶ୍ରଙ୍କର ୧୯୮୭ ମସିହାରେ ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୨୦୦୦ରେ ତାଙ୍କର ପ୍ରଥମ କବିତା ସଂକଳନ ‘ଆଶା ସୂକ୍ତ” ପ୍ରକାଶିତ ହୋଇଥିଲା । ଏଯାବତ୍ ତାଙ୍କର ୯ଟି କବିତା ସଂକଳନ ଓ ୩ଟି ଗଦ୍ୟ ପୁସ୍ତକ ପ୍ରକାଶିତ ।

Related Posts

Leave a Reply

Your email address will not be published. Required fields are marked *