ଭୁବନେଶ୍ଵର : ଓଡ଼ିଏମ ଶିକ୍ଷାସମୂହ ଓ ହେଲଥଭିଲେର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଡ. ସତ୍ୟବ୍ରତ ମୀନକେତନଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଧୂଳିଗଙ୍ଗା’ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ପୁସ୍ତକ ମହୋତ୍ସବର ‘ସାହିତ୍ୟିକ ସତ୍ୟନାରାୟଣ ବହିଦାର’ ମଞ୍ଚରେ ଏହାକୁ ଓଡ଼ିଶାର ସୁପରିଚିତ ସାହିତ୍ୟ ସ୍ପ୍ରଷ୍ଟାମାନେ ପାଠକାର୍ପଣ କରିଛନ୍ତି । ବିଶିଷ୍ଟ ଅତିଥି ଭାବେ କବି ଓ ଚିନ୍ତକ ଡ. ହରପ୍ରସାଦ ଦାସ, ଡ. ମୀନକେତନଙ୍କୁ ଅନୁଷ୍ଠାନ ସହ ତୁଳନା କରି ତାଙ୍କ ସଫଳତାର ରହସ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ‘ଧୂଳିଗଙ୍ଗା’କୁ ମୀନକେତନଙ୍କର ଅନୁଭବ ଓ ଅନୁଭୂତି ବୋଲି କହିଥିଲେ ।
ସେହିପରି ବିଶିଷ୍ଟ ଶିକ୍ଷାବିତ ତଥା ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମଧ୍ୟ ପ୍ରକାଶିତ ୩୩ ଖଣ୍ଡ ଇଂରାଜୀ ଓ ଖଣ୍ଡେ ଓଡ଼ିଆ ବହି କାହାଣୀ ନୁହେଁ ବରଂ ମୀନକେତନଙ୍କ ଅଙ୍ଗେନିଭା କଥା ବୋଲି କହିଥିଲେ । ଡ. ମୀନକେତନ ଲେଖକୀୟ ଅଭିବ୍ୟକ୍ତିରେ ‘ଧୂଳିଗଙ୍ଗା’ ବାସ୍ତବ ଅନୁଭୂତିର ଛୋଟ ଛୋଟ ଘଟଣାମାନଙ୍କର ଗଳ୍ପ-ରୂପାନ୍ତରୀକରଣ ବୋଲି କହିଥିଲେ । ପ୍ରକାଶକ ତଥା ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀ ସ୍ଵାଗତ ଭାଷଣ ଓ ପ୍ରଫେସର ଏପି ମିଶ୍ର ଧନ୍ୟବାଦ ଦେଇଥିଲା ବେଳେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଏମ ଛାତ୍ରୀ ସଂଗୀତା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।