ପ୍ରଦୀପ କୁମାର ପଣ୍ଡା
ମୁଁ ଏକ ଦେହ
ଭିନ୍ନାଭିନ୍ନ ଅବୟବାଂଶରେ
ସୁଖଞ୍ଜିତ ଏକ ଚଳମାନ ପଦାର୍ଥ ।
ଆକାଶ ପରି ମୁଁ ଢିଲା ନୁହେଁ
ନୁହେଁ ସମୁଦ୍ର ପରି ହୁଗୁଳା
ବରଂ ମୋର କବଜାରେ ସେମାନେ ଛନ୍ଦା,
ଯେମିତି ମାଟି !
ଏ ଯେଉଁ ବେଦନା ସମ୍ବେଦନା
ଏ ଯେଉଁ ଭାବ ଦିଆନିଆ
ଯେଉଁ ଭୋଗ ଭୋକ ମୈଥୁନ ଓ ମୃତ୍ୟୁ
ଯେଉଁ ରଜ ବୀର୍ଯ୍ୟ ରକ୍ତ ସ୍ବେଦ
ଯେଉଁ କଳ୍ପନା ଚେତନା
ଯେଉଁ ଆବେଗ ସମ୍ବେଗ
ଯେଉଁ ଅଶ୍ରୁ ତୃଷା ତୃଷ୍ଣା
ଯେଉଁ ପ୍ରାଣ ଆତ୍ମା କଥା କହୁଛ,
ସେସବୁ ମୋର କାରସାଦି, ମୋରି ଖେଳ
ଯା’ଦେଇ ମୁଁ ମତେ ଚଳାଏ ବୁଲାଏ ।
ହଁ ସେଇ ଦେହ, ଯିଏ ସ୍ବପ୍ନ ଦେଖେ
ସେ ମୁଁ ।
ମୁଁ ରଚେ ପୁରାଣ ସ୍ବର୍ଗ ନର୍କ
ମୁଁ ନିର୍ମାଣ କରେ ପାପ ପୁଣ୍ୟର କାରୁକାର୍ଯ୍ୟ
ଓ ତା’କୁ ପ୍ରତ୍ନ ବନାଏ ଉପହାସ କରିବାକୁ କାଳକୁ ।
ମୁଁ ଭିଆଏ ହିଂସା ଜଳାଏ ପୋଡ଼ାଏ ମତେ
ବ୍ରତ ପାଳିବାକୁ ଅହିଂସାର,
ପ୍ରେମର ଅମରତ୍ବ ବଖାଣିବାକୁ ମୁଁ ହଣାକଟା କରେ
ମୋ ପରି ଦେହମାନଙ୍କୁ ।
ମୁଁ ଈଶ୍ବରକୁ ବି ଗଢ଼େ
ଅବିକଳ ମୋରି ଠାମରେ,
ହେଲେ ଯୋଗାଏ ନାହିଁ ତାକୁ ଲୁହ ଲହୁ
ଯୋଗାଏ ନାହିଁ ବିଷାଦ ଆନନ୍ଦ
ଯୋଗାଏ ନାହିଁ ସ୍ବପ୍ନ ଦେଖିବାର ଓ
ଚଳପ୍ରଚଳ ହେବାର ଗୁପ୍ତ ସୂତ୍ର,
କାଳେ ଦୌଡ଼ି ପଳାଇବ କେତେବେଳେ
ମନ୍ଦିର କି ଗୀର୍ଜାରୁ !
ମୋର ପୋଷାକ କଥା ପଚାରୁଛ ?
ତେବେ ଶୁଣ – ‘ଧର୍ମ’ ।
ବୃନ୍ଦାବନ ବିହାର, ସମ୍ବଲପୁର
ଲେଖକ ପରିଚୟ
ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।