ପାଇବା ହରାଇବା ଭିତରେ ପ୍ରେମର ପରିଭାଷା

ତେଜସ୍ଵିନୀ ସାମଲ

ମୁଁ  ଶିଳ୍ପୀ ନୁହେଁ ତଥାପି ଶିଳ୍ପୀ ହେବାର ଅଭିଳାଷ ଉଙ୍କିମାରେ ମନର ମାନସ ପଟରେ । ଗାଳ୍ପିକ ନୁହେଁ ଗଳ୍ପ ଲେଖିବାର ଆଶା ଜାଗ୍ରତ ହୁଏ । କଳାକାର ନୁହେଁ କେଜାଣି କାହିଁକି କଳାଚାତୁର୍ଯ୍ୟରେ ମନ ମୋହିଯାଏ । ଦରଦୀ ନୁହେଁ ହେଲେ ଦୁଃଖରେ ମ୍ରିୟମାଣ ହୋଇଉଠେ । କେଉଁଠି ନା କେଉଁଠି ମନ ଭିତରେ ଛଳନାର ଚିତ୍ର କୁହୁଳି କୁହୁଳି ସୁନାହରିଣ ପରି ଝାଉଁଳି ପଡୁଛି ତ କେଵେ ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲର ମୁଖରୁ ମହୁ ଶୋଷି ନେବା ପରି ଲାଗୁଛି । ମୁଁ ପଥିକ ନୁହେଁ ତଥାପି ମୋ ଅଜ୍ଞାତ ପଥ ସରେ ନାହିଁ । ବାଲିଘରଟିଏ ତୋଳିବାକୁ ଯିବାଵେଳେ ହଠାତ ଝଡ ଆସି ସେ ଘରକୁ ଭାଙ୍ଗିରୁଜି ଛାରଖାର କରିଦିଏ । ତେବେ ଏସବୁ ଭିତରେ ନିଜକୁ ପ୍ରଶ୍ନ କରେ କିଏ ମୁଁ, କ’ଣ ମୋ ପରିଚୟ ? ସବୁକୁ ଚିନ୍ତା କରୁକରୁ ମନ ଭିତରଟା କେଜାଣି ମନ୍ଥି ହେଇପଡୁଥଲା । ଭାବି ବସୁଥିଲି ସେଇ ବିଗତ ସ୍ମୃତି ସବୁକୁ ।

ପିତାର ବୋଝକୁ ହାଲକା କରିବାକୁ ଓ ତାଙ୍କର ଅବଦମ୍ଵିତ ଇଛାକୁ ସାକାର କରିବାକୁ ଯାଇ ଆଖି ଆଷାଢ ଲୁହରେ ମିଶି ଯାଇଥିଲା । ଅୟୁତ ଯୁଗରୁ ବସା ବାନ୍ଧିଥିବା ଗର୍ଭବତୀ ଇଛାସବୁ ଉଡି ଚାଲିଗଲା ପରେ ଫଗୁର ଫୁଆରା ଫିକା ଫିକା ଲାଗିବାକୁ ଆରମ୍ଭ କରି ଦେଇଥିଲା । ଶତଚେଷ୍ଟା କଲାପରେ ବି ମୁକୁଳି ପାରି ନଥିଲି କଷଣର କଷ୍ଟରୁ । ସପନର ଢେଉରେ ଭଙ୍ଗା  ଛାଇ ନିଦରେ ଅସରନ୍ତି ଆଶା ସବୁ ଭସା ବାଦଲରେ ଉଭେଇ ଗଲାପରେ କର୍ତ୍ତବ୍ୟର ବୋଝକୁ ନିଜ ମଥାକୁ ନେଇ ବିନା ପ୍ରତିବାଦରେ ବାପାଙ୍କ ଛୋଟ ବ୍ୟବସାୟକୁ ଆପଣେଇ ନେଇଥିଲି । ହେଲେ ଏହାକୁ ପ୍ରୀତିଲଗ୍ନା  ଆଦୌ ପସନ୍ଦ କରୁନଥିଲା ।

ନୀରିହ ଆଖିରେ ବାସ୍ତବତାକୁ  ସାଉଁଟି ରଖିବାକୁ ଚେଷ୍ଟା କଲାବେଳେ କାଳ ବୈଶାଖୀ ଜୀଵନ ପରିଧି ମଧ୍ୟକୁ ମାଡି ଆସିଲା । ପ୍ରେମର ରଙ୍ଗରେ ରଙ୍ଗାୟିତ ହୋଇ ଦୁନିଆକୁ ପ୍ରେମାପ୍ଲୁତ ଆଖିରେ ଦେଖିବାବେଳେ ଅଦିନ ଶ୍ରାବଣ ସାଜି ପଥ ଲେଉଟାଇ  ଚାଲି ଗଲା । ଆଶ୍ଵାସନା ଓ ଆଶାର ସୁଗନ୍ଧ ବୁଣି ପବିତ୍ର ପରିପୂର୍ଣ୍ଣତା ଜୀବନକୁ ଟାଣି ହୋଇଯାଇଥିବା ମନ କେଇଟା ମୁହୁର୍ତ୍ତରେ ବତାସର ବହ୍ନି ଓ ଝଡର ଇଗଲ ସହ ଧକ୍କା ଖାଇ ଧିମେଇ ଯାଇଥିଲା ସମସ୍ତ ଆତ୍ମୀୟତା । ଦିନେ ମା’ର ଟିକକ ସ୍ନେହ ପାଇଁ ଆଉଟପାଉଟୁ ହେଉଥିବା ଏ ହତଭାଗ୍ୟ ପିଲାଟିକୁ ସ୍ନେହ-ପ୍ରେମ ଶିଖାଇ ନିଜର କରି ନେଇଥିଲା ପ୍ରୀତିଲଗ୍ନା । ମନକୁ ଆଶ୍ଵାସନା ଦେଇ ତୁନି ତୁନି ହୋଇ କହୁଥିଲା ମା’ ନରହିଲେ କ’ଣ ହେଲା ତୁମ ପାଖେ ମୁଁ ପରା ଅଛି । ତମକୁ ମୋ ଭଲପାଇବାର ଶିକୁଳି ଏମିତି ବାନ୍ଧି ରଖିବି ଯେ ତମେ ସବୁ ଅବଶୋଷକୁ ଭୁଲିଯିବ । ଏଇ ପଦକ କଥା ପ୍ରାଣରେ ଜିଇଁବାର ଆଶା ସଞ୍ଚାର କରିଥିଲା । ନଦୀଟିଏ ସାଜି ଧାରେ ଧାରେ ମୋ ସାଥେ ବହିଯିବାକୁ ପଣ କରି ଆଜି ଆଖିରେ ନଦୀର ବନ୍ୟା କରି ସବୁଦିନ ପାଇଁ ସେ ଚାଲି ଯାଇଥିଲା ।

ସବୁ ପ୍ରତିଶ୍ରୁତିକୁ ଖିନଭିନ କରି ଛଳନାର କାଚକେନ୍ଦୁ ପୋଖରୀରେ ଚାଲାକ ମିଛ ସାଜି ଚିରଦିନ ପାଇଁ ଦୂରେଇ ଯାଇଥିଲା ଜୀବନର ପରିଧିରୁ । ଏ .ସି ଲାଗିଥିବା ଫିଏଟ କାରରେ ଜୀବନ ବିତାଇବାକୁ ଚାହୁଁଥିବା ପ୍ରୀତିଲଗ୍ନା କାହିଁକି ବା ଏ ବେକାର ଗ୍ରାଜୁଏଟକୁ ପସନ୍ଦ କରିଥାନ୍ତା ? ସେ ତ ତା ମନକୁ ଚିତ୍ରିତ କରିସାରିଥିଲା ରଙ୍ଗର ତୂଳୀରେ । ସମ୍ପର୍କର ତରାଜୁରେ ମୁହୁର୍ତ୍ତ ପରେ ମୁହୁର୍ତ୍ତ ପାଦ ସହ ପାଦ ମିଶାଇ ଆଗକୁ ଚାଲିବାର ମିଥ୍ୟା ପ୍ରତିଶ୍ରୁତି ଦେଇ କେଇଟା ଟଙ୍କା ପାଇଁ  ମୁହଁ ଏଡାଇ ଚାଲିଗଲା । ପାଞ୍ଚ ମିନିଟରେ ପାଞ୍ଚ ବର୍ଷ ପ୍ରେମକୁ ପ୍ରତ୍ୟାଖାନ କରି ସହରକୁ ମନଯାନ ମଧ୍ୟରେ ବୁଲି ଆସିଥିଲା ।

ସମୟର ପାଲିଙ୍କିରେ କ୍ରୀତଦାସ ସାଜି ଚୋରାବାଲିରେ ଦରାଣ୍ଡି ଚାଲୁଥିଲି ଦୁହିଁଙ୍କ ପାଦଚିହ୍ନ । ଲୁହର ଦୀପାଳିରେ ଭିଜିଯାଉଥିଲା ମୋ ଅଧା ଫୁଙ୍ଗୁଳା ସର୍ବାଙ୍ଗ ଶରୀର । ସେଇଦିନ ହିଁ ବୁଝିଥିଲି ଏ ଦୁନିଆ ଟଙ୍କାର ପିଆଲା । ଏଠି ସ୍ନେହ ଭଲପାଇଵା ସବୁ ତୁଛ ଅଭିନୟ । ଅନେକ ସ୍ଵପ୍ନକୁ ଆକଟ କରିନପାରି ବ୍ୟତିବ୍ୟସ୍ତ ହୋଇ ଇଛା ସଵୁ ଲମ୍ଵିଯାଉଥିଲା ଦିଗନ୍ତ ପ୍ରସାରି । ତତଲା ଦୀର୍ଘ-ଶ୍ଵାସରେ ବାରବାର ମୋହଭଙ୍ଗ ହେବାକୁ ଲାଗୁଥିଲା । ରାତ୍ରି ଅବା ଦିନ ପ୍ରତ୍ୟେକ ମୁହୁର୍ତ୍ତରେ ସ୍ମୃତି ହୋଇ ନାଚି ଉଠୁଥିଲା ସମ୍ମୁଖରେ । ନିଜଠାରୁ ବଳି ଭଲପାଉଥିବା ଚେହେରାଟି ମନର କାନଭାସରୁ ପାଶୋରି ପାରୁନଥିଲି । ମନ ମାନସରେ ଜାଗି ଉଠୁଥିବା ଅନ୍ତସ୍ଵର ସର୍ବଦା ପ୍ରୀତିଲଗ୍ନାର ନାମ ଜପୁଥିଲା । ଉଜୁଡା ଉଚ୍ଛ୍ଵାସ ଅତୀତର ଭାଷା ଯେମିତି ନଷ୍ଟଭ୍ରଷ୍ଟ କରିଦେଇ ଗଲା ସବୁ ଆକାଂକ୍ଷା । ନିଷ୍ଠୁରତାର କ୍ରୁର ଆଲିଙ୍ଗନର ଚକ୍ରବ୍ୟୁହରେ ଅଭେଦ୍ୟ ଅଜସ୍ର ପରାକ୍ରମକୁ ଅସ୍ଵୀକାର କରି  ଅବଶିଷ୍ଟ ଜୀବନ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥିଲା । ସେଦିନ ବୁଝି ସାରିଥିଲି

ବାତ୍ସଲ୍ୟର ନରମ ମୁହୂର୍ତ୍ତଗୁଡ଼ା ମାୟା ଓ ଲୋଭରେ ଅମଣିଷ ପାଲଟି ଯାଇ ହୃଦୟର ତନ୍ତ୍ରୀକୁ ବିଦାରିତ କରିବାର କୌଶଳ ଏଠି ସଭିଙ୍କୁ ଜଣା । ଆସକ୍ତିରେ ଆଶାରେ ଏକା ଏକା  ଝୁଣ୍ଟି ପଡି ଅଧା ରାସ୍ତାରାରେ କ୍ଷତାକ୍ତ ହୋଇଥିଲି ସତ; ହେଲେ ସାଧାରଣ ପରିସ୍ଥିତିରେ ଅସାଧାରଣ ଘଟଣାକୁ ନେଇ ମନକୁ ଦୃଢ କରିଥିଲି ।

ଦେଖୁଥିଲି ସେଇ ଗାଁ ବରଗଛଟିକୁ । ନିଃସଙ୍ଗତାର ଦ୍ଵାର ଭିତରେ ସଂଘର୍ଷ କରି ଚାଲିଛି । ସେ ଜାଣିଛି ହାରିବା ସୁନିଶ୍ଚିତ  ତଥାପି ସେ କର୍ମ ଓ ଧର୍ମର ଦ୍ଵାହି ଦେଇ ସଳଖି  ମଥାଟେକି ପଡିରହିଛି । ଦେହରେ ନା ଅଛି ପତ୍ର ନା

ଫୁଲ । ଫଳ ଫଳିବାର ନିଶା କି ଆଶା ମଧ୍ୟ ନାହିଁ । ସମୟର ଋତୁଚକ୍ରର ଆବର୍ତ୍ତନରେ ପତ୍ରଝଡା ଦେଇଥିବା ବୃକ୍ଷ ମୂଳରେ କେହି ଆଶ୍ରୟ ନେଉ ନଥିଲେ କିନ୍ତୁ ତାର ବିଶ୍ୱାସ ଥିଲା ନୂତନ ପତ୍ର ପୁଷ୍ପରେ ସେ ସୌନ୍ଦର୍ଯ୍ୟମୟୀ ନବବଧୂ ସାଜିବ ।  ତୋଳି ଧରିବ ସଭିଙ୍କୁ ପ୍ରେମର ଆବଦ୍ଧରେ । ପକ୍ଷୀଙ୍କ କାକଳିରେ ବିଭୋର ହୋଇଯିବ ସତେ ଜନ୍ମ ଜନ୍ମାନ୍ତର ତପସ୍ୟାର ଫଳକୁ ପାଇପାରିବ କିଛିଟା ମୁହୂର୍ତ୍ତରେ ।

କିନ୍ତୁ ମୋର ବିଶ୍ୱାସ ନଥିଲା  ଗାଉଁଲି ବେସାହାରା ପିଲାକୁ ଭଲପାଇବାର ସ୍ଵାଦ ଶିଖାଇ ହୀନମନା କରି ଚାଲିଯାଇଥିବା ପ୍ରେମ ପୁଣି ତା ମନରେ ରଙ୍ଗ ବୋଳିଦେବ । ଅତୀତର ଅଳିଆ ଗଦାକୁ ଖେଳାଇ ତାକୁ ଦୁର୍ଗନ୍ଧ ନକରି ବର୍ତ୍ତମାନ ସମ୍ପର୍କକୁ ତାଜା କରିବାର ପରାମର୍ଶ ଦେଇ ତୁଟାଇଦେଲା ସବୁ ମୋହ । ଚିହ୍ନା ପ୍ରେମଠୁ ଚେନ୍ନାଏ ସ୍ନେହ ମାଗିଥିବା ମୁହଁକୁ ଅଚିହ୍ନା ସାଜି ବୈଶାଖର ଧାରା ଶ୍ରାବଣ  ଭିଜାଇଦେଇ ଗଲା । ନୀଳ ଜହ୍ନର ମିଛ ସ୍ଵପ୍ନ ସାଜି ଅନ୍ତରରୁ ଅନ୍ତରୀକ୍ଷ ଯାଏଁ ଚେତନାରେ ମୁଠାମୁଠା ସ୍ଵପ୍ନ ସାଜିଗଲା । ଘଡିଏରେ ଘୋଡା ଛୁଟିବା ପରି ସମୟ ସବୁକିଛି  କରାୟତ କରି ଚାଲିଗଲା । ଆଜିକୁ  ୪ ବର୍ଷ ବିତି ସାରିଲାଣି । କେତେ ଘଡିସନ୍ଧି ମୁହୂର୍ତ୍ତରେ କଠିନ ପରିଶ୍ରମ ଓ ଜୀବନର ସଂଘର୍ଷରେ ପରିଶେଷରେ ନିଜକୁ ବିଜୟୀ  କରିବାରେ ସକ୍ଷମ ହୋଇଛି । ବର୍ତ୍ତମାନ ଅସୁମାରୀ ସ୍ଵପ୍ନକୁ ସାକାର କରି ପାରିଛି ଆଖିର କୋଣରୁ ଲୁହର ପ୍ଲାବନ ଝରିଆସୁଛି ଦୁଃଖରେ ନୁହେଁ ତାହା ଆନନ୍ଦ ର ଲୁହ ! ସମସ୍ତ ଭାବନାକୁ ପଛରେ ପକାଇ ଏକ ସାହାସମୟ ଜୀଵନ ବଞ୍ଚିବାକୁ ପଣ କରି ସମସ୍ତ କାହାଣୀ ଓ ସ୍ମୃତିକୁ ଭୁଲି ଗମ୍ଭୀର ଓ ରୁକ୍ଷ ନସାଜି ଲକ୍ଷ୍ୟ ହାସଲରେ ବ୍ରତୀ ହୋଇ ଶେଷରେ ଜଣେ ବଡ଼ ସଫଳ ଆଇ.ଏ.ଏସ  ରୂପେ ନିଜର ପରିଚୟ ସୃଷ୍ଟି କରିପାରିଛି । ଏବେବି ଅବୁଝା ହେଉଛି ତୁମକୁ ଚିହ୍ନିବାକୁ ….. ତମେ ପ୍ରଶ୍ନର ପାଟିଗଣିତ ନା ଅସଂଖ୍ୟ ଅବଶୋଷ । କେତେବେଳେ ତୁମେ ଅଧାଗଢା ଉପପାଦ୍ୟ ତ ଆଉ କେବେ ହାମଲେଟର ଭଗ୍ନାଂଶ । ସତରେ ତମକୁ ବୁଝିବା ମୁସ୍କିଲ ଥିଲା ମୋ ପକ୍ଷେ । ଚାରିଆଡେ ପ୍ରଦିକ୍ଷଣ କଲାବେଳେ ହତାଶ ମୋହ ପଙ୍କରେ ଘାଣ୍ଟି ହୋଇଯାଉଥିବା ସମୟରେ ତମେ ତ ସାହାସ ଦେଇଥିଲ । ମୋ ଶୋଇବା ଘର ଝର୍କା ଦେଇ ତମେ ନିଇତି ଆସୁଥିଲ । ମୋ ମଥା ପାଖେ ମଥା ରଖି ତମ କଜ୍ଜଳ ଲଗା ଆଖିରେ ଲାଜ ମିଶା ଚାହାଣୀରେ ଚାହୁଁଥିଲ ।  ତୁମ ଓଠର ଗାଢ ଲାଲ ଲିପିଷ୍ଟିକ ରଙ୍ଗରେ ଖିଲିଖିଲି ହସି ଅକୁହା କଥା ସଵୁକୁ ବଖାଣି ବସୁଥିଲ ।  ସ୍ଵପ୍ନର ରଙ୍ଗରେ ରଙ୍ଗୀନ କରି ଦେଇ ପୁଣି ଚାଲିଯାଉଥିଲ । ନିଦୁଆ ଆଖିରେ ଆଖି ମଳି ମଳି ଅନେକଥର ଖୋଜିଛି ତମକୁ କିନ୍ତୁ ସବୁଠି ନିଶବ୍ଦ ନୀରବ ।

ସତକୁ ହୃଦୟରେ ଜୀବନ୍ତ କରି କିଛିକ୍ଷଣ ପଛକୁ ଫେରି ଚାହିଁଥିଲି ହେଲେ ସେଠି ଦିଶୁଥିଲା ସ୍ମୃତିର ଶୋଭାଯାତ୍ରା ।ସତରେ ତମ ଉପସ୍ଥିତିକୁ ତୋଳି ଧରି ବୃତ୍ତି ପ୍ରବୃତ୍ତି ପଛରେ ଧାଇଁ ଧାଇଁ  ଶେଷରେ ଆଜି ଦୋକାନରେ କାମ କରୁଥିବା ମୁଁ ସାଧାରଣ ଅନିକେତ ନୁହେଁ, ଆଇ.ଏ.ଏସ ଅନିକେତ ଛୋଟରାୟ ପାଲଟିଯାଇଛି । ମିଥ୍ୟାର ପ୍ରେମକୁ ସତ୍ୟ ଭାବି ଦିନେ ତାଜମହଲ ଗଢିବାକୁ ସ୍ଵପ୍ନ ଦେଖିଥିଲି । ସେଇ ସ୍ଵପ୍ନ  ଆଜି ସମାଜ ସାମ୍ନାରେ ପରିଚୟ ଦେଲା । ଭାବି ନେଇଥିଲି ଦୁଃଖ କପାଳ ଲିଖନ । ହେଲେ ଆଜି ବୁଝିଲି ପ୍ରତ୍ୟେକଟି ମଣିଷର ଦୁଃଖ ଆସେ ଏବଂ ସେଇ ପରିସ୍ଥିତିକୁ ସାମ୍ନା କରିପାରିଲେ ହିଁ ଲକ୍ଷ୍ୟରେ ପହଞ୍ଚି ହୁଏ । ଘାତ ପ୍ରତିଘାତକୁ ଭ୍ରୁକ୍ଷେପ ନକରି ଆଗକୁ ପଥ ମାଡି ଚାଲିଲେ ହିଁ ସଫଳତା ଆସେ ।

ମରୁଭୂମିରେ ଓଟ କଣ୍ଟା ଗଛକୁ ଖାଦ୍ୟ ରୂପେ ଗ୍ରହଣ କଲାବେଳେ କଣ୍ଟା ଆଘାତରେ ପାଟିରୁ ରକ୍ତ ବାହାରେ ସତ, ହେଲେ ଖାଇବାର ସ୍ଵାଦ ଓଟ ଜାଣେ । ଠିକ ସେପରି ଦୁଃଖ କଣ୍ଟା ଭଳି ବାରମ୍ଵାର କ୍ଷତାକ୍ତ କରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ । କଳ୍ପନାର କାରାବରଣରେ ଚିତ୍କାର ତାତ୍ସଲ୍ୟକୁ ବେଖାତିର କରି କର୍ମ ପଥରେ ଅଗ୍ରସର ହେଲେ ସୁଖ ରୂପକ ପକ୍ଷୀର ସନ୍ଧାନ ମିଳିପାରେ । ସେଇ ଦିନ ବୁଝିଥିଲି –

“ଜୀବନର ଧର୍ମ ଅଟେ ସିନା କର୍ମ
ଯା ଲାଗି ଜୀଵନ ଆମ ଧନ୍ୟ
କର୍ମ ହିଁ କରଇ କାରଣ
ମୁକ୍ତିପଥ ଜ୍ୟୋତି ପୂର୍ଣ୍ଣ ।“

ପ୍ରତାରଣାର ମୁହୁର୍ତ୍ତ ପ୍ରବଞ୍ଚନାକୁ ପାଶୋରି ସୁଖକୁ ଖୋଜିବାକୁ ଯାଇ ଭୁଲି ପାରିନାହିଁ ଅତୀତକୁ । ଜୀଵନରେ ସବୁକିଛି ଭୁଲି ହୁଏ ହେଲେ କେହି କ’ଣ ଭୁଲିପାରେ ତା ପ୍ରଥମ ପ୍ରେମକୁ ?  ପ୍ରେମ କାହା ପାଇଁ ପାରିଜାତ ତ ଆଉ କାହା ପାଇଁ ଝଡି ପଡିଥିବା ଗଙ୍ଗଶିଉଳି । ବଡ଼ ଅଭୁତ ଏ ପ୍ରେମ ! ପ୍ରେମକୁ ସାମ୍ନାରେ ଦେଖି ଖୁସି ହୋଇ ପାଇବାକୁ ମଣିଷ ଉଦ୍ୟମ କରେ ହେଲେ ଜାଣିନଥାଏ ସେ ତାକୁ ଲାଭ କରିପାରିବ କି ନାଇଁ । ସବୁ ପରେ ବି ଆଜି ନିଜର ଅସ୍ତିତ୍ଵକୁ ପ୍ରେମର ପରିଭାଷାକୁ ଖୋଜିବୁଲେ ଘନ ଅନ୍ଧାରର ତମସାଛନ୍ନର କଳା କାଳିମାର ବାଦଲ ତଳେ । ଅଫିସର ହୋଇ ପଦମର୍ଯାଦା ପାଇଗଲା ପରେ ବି  ଆଜି ଖୋଜୁଛି ମୋର ସେଇ ପ୍ରେମିକର ପରିଚୟ । ଏବେବି ବେଳାଭୂମିରେ ବାଲିଘର ତୋଳିଲାବେଳେ ସମୁଦ୍ରର ଢେଉ ଭାଙ୍ଗି  ଦେଇ କାନେ କହିଦିଏ ଅତୀତକୁ ଭୁଲିବାକୁ ହେବ ।  ଚେତନାର ଆଭା ପ୍ରଶ୍ନରେ ନିରବତା ଉଙ୍କି ମାରେ । ଆଜିବି ଅଭେଦ୍ୟ  ଅଜସ୍ର ପାଖଣ୍ଡିର ପରାକ୍ରମର ଆସ୍ଥାରେ ଜର୍ଜରିତ ଏ ପ୍ରାଣ । ତମକୁ ଅପେକ୍ଷା କରି ସାରା ଜୀଵନ କାଟିଦେଇଛି, ଏମିତି ଏକାକୀ । ବିଶ୍ଵାସ ଅଛି ଏ ଜନ୍ମ ନହେଲା ନାହିଁ, ଆରଜନ୍ମକୁ ତମେ ଫେରିବ ମୋ ମଉଳା ଆଶାକୁ ପୂର୍ଣ୍ଣ କରିଵା ପାଇଁ …

ଅଧ୍ୟାପିକା, ତୁଳସୀ ମହିଳା ମହାବିଦ୍ୟାଳୟ, ରାଜକନିକା, କେନ୍ଦ୍ରାପଡ଼ା, ମୋବାଇଲ : ୭୯୯୨୯୧୨୫୩୩

ଲେଖକ ପରିଚୟ

ପେଶାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟରତ କିନ୍ତୁ ମୁଁ ନିଜକୁ ସବୁବେଳେ ଜଣେ ପାଠକ ଭାବେ । କବି କି ଗଳ୍ପକା ନୁହେଁ ତଥାପି ଜଣେ ପାଠିକା ହିସାବରେ ମନକୁ ଯାହା ଆସେ ତାହା ଲେଖେ । ଏଯାବତ୍ ଗଳ୍ପ ସଂକଳନ “ମହକ”, “କବିତା-୨୦୨୦” ପୁସ୍ତକ ପ୍ରକାଶିତ ହୋଇଛି । କଲେଜ ସମୟରୁ ସାଙ୍ଗସାଥି, ପରିବାର ଏମିତିକି ପ୍ରକୃତି ମୋତେ ଲେଖିବାକୁ ପ୍ରେରଣା ଯୋଗାନ୍ତି ।

Related Posts

Leave a Reply

Your email address will not be published. Required fields are marked *