ଶ୍ରୀମାନ ସର୍ବଗିଳା
ହେ ଅତି ପଣ୍ଡିତ ଆଧୂନିକ ଶିକ୍ଷିତ ଜନ;
ବହୁ ଗବେଷଣା ପରେ
ଉତ୍କଟ ଭକ୍ତି ଯେଣୁ ହୋଇଛି ଉତ୍ପନ୍ନ
ତୁମ ଚତୁର୍ଖୁରାକୁ ପ୍ରଣାମ
ଉକୁଟୁଛି ଅନ୍ତରରୁ ପ୍ରବଳ ସମ୍ମାନ ।
ତୁମ ଚଲାପଥେ ଯେଉଁ କାର୍ପେଟ ବିଛାଯାଏ
ତା’ ଉପରେ ପ୍ରଭୁଙ୍କ ଛବି
ଜୋତାରେ ତାଙ୍କ ଚିତ୍ର ଜଳଜଳ ଦିଶୁଥାଏ
ବସିବାକୁ ଆଦରରେ ଯେଉଁ ଆସନ ଦେଉଛ
ତା’ ଉପରେ ପ୍ରଭୁଙ୍କର ଚିତ୍ରକୁ ଆଙ୍କୁଛ
ବନ୍ଧୁଙ୍କୁ ବସିବାକୁ କହି
ଜଗବନ୍ଧୁଙ୍କୁ ପିଚା ତଳେ ରଖୁଛ
ଆହାଃ ! କି ଭକ୍ତି ନିଗାଡୁଛ !!
ଖାଇବାକୁ ବାଢିଦିଅ ସୁଆଦିଆ ଆମିଷଭୋଜନ
ଥାଳି ପ୍ଳେଟରେ ଅଙ୍କାଥାଏ ପ୍ରଭୁଙ୍କ ରୂପ ସହ ଶଙ୍ଖ, ଚକ୍ର ଚିହ୍ନ
ବନ୍ଧୁ ଆପ୍ୟାୟିତ ହେଲେ ଜଗବନ୍ଧୁଙ୍କୁ
ଆହାଃ କି ସମ୍ମାନ !!
ନିଜ ପାଚେରୀରେ ସୁସୁ କେହି କରିବେନି ବୋଲି
ଦେବତାଙ୍କ ଛବି ଆଙ୍କୁ ଥାଅ
କୁକୁରଙ୍କ ଦ୍ଵାରା କାମ କରିବାକୁ
ମଉକା ତ ଦିଅ
ଭାବୁ ଥାଅ ଭାରି ବୁଦ୍ଧିମାନ
ପ୍ରଭୁଙ୍କୁ ଆହାଃ କି ସମ୍ମାନ !!
ବଡ଼ ବଡ଼ ହୋଟେଲ ମଅଲ ସାମନାରେ
ପ୍ରଭୁଙ୍କର ମୂର୍ତ୍ତି ହୋଇଥାନ୍ତି ଠିଆ
ନିତିଦିନ ଖରା,ବର୍ଷା ଖିଆ
ସିଏ ପ୍ରଭୁ ନିଜେ ସିନା ଦାସ ବୋଲି କୁହ
ହେଲେ ଏସି ଘରେ ଆପେ ରହି
ପ୍ରଭୁଙ୍କୁ ଭାବୁଛ ବେଠିଆ
ଏମିତି ଉତ୍କଟିଆ ଭକ୍ତି ଦେଖି
କରୋନା ଭଳି ସବୁ ବିପଦକୁ
ହଟେଇବାକୁ
ନିଶ୍ଚେ ହେବେ ତୁମ ଆଗେ ଠିଆ ।।
ଧନ୍ୟ ଧନ୍ୟ ତୁମ ମନ
ଆହାଃ ! ପ୍ରଭୁଙ୍କୁ କି ସମ୍ମାନ !
ଲେଖକ ପରିଚୟ
ଶିକ୍ଷକଙ୍କ ବାଧ୍ୟବାଧକତାରେ କବିତାରେ ଭାଗ ନେଇ ଅଷ୍ଟମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରନ୍ତି । ସେଦିନ ପରଠାରୁ ଆଉ କେବେ ପଛକୁ ଫେରି ଚାହିଁନାହାନ୍ତି । କବିତା ପ୍ରତି ଥିବା ନିଶା ଏବଂ ଫତୁରାନନ୍ଦଙ୍କ ଶିଷ୍ୟ ହୋଇଥିବାବେଳେ ବନ୍ଧୁତା ହୁଏ ଶ୍ରୀମାନ ସତ୍ୟାନାଶ ଓ କ୍ରମେ ରତ୍ନାକରରୁ ଶ୍ରୀମାନ ସର୍ବଗିଳା ନାମରେ ଜଣେ ବ୍ୟଙ୍ଗ କବି ହିସାବରେ ଓଡ଼ିଶାର ଘରେ ଘରେ ପରିଚିତ ହୁଅନ୍ତି ସେ । ଚଳିତ ବର୍ଷ ଏକ ମର୍ମଦୁନ୍ତ ଦୁର୍ଘଟଣାରେ ତାଙ୍କର ଦୁଇଟି ଗୋଡ଼ ହରାଇଥିଲେ ବି ହାରିନାହିଁ ଅନ୍ୟକୁ ହସେଇବାର ତାଙ୍କ ପ୍ରୟାସ ।