ପ୍ରଣୟ ସୁଧା

ସମସ୍ତେ ନିଜ ନିଜ ଝରକାର ଜହ୍ନ ଦେଖି ପାରନ୍ତି
ମୋତେ କିନ୍ତୁ ଛୁଇଁ ନାହିଁ
ଅନ୍ଧାର, ଆଲୁଅ କି କୌଣସି ଆଇନା,
ବୋଧେ କେବେଠୁ
ଦୁର୍ଭାଗ୍ୟ ଭୋଗୁଥିବା ପୃଥିବୀଟା ମୋର
ଯେଉଁଠି ଜିଂଜ୍ଞାସା ହିଁ
ଏକ ବଳିଷ୍ଠ ପରିଚୟ ଅନ୍ଧ ମଣିଷର ।

ସମସ୍ତେ ନିଜ ଭାଗର ଜହ୍ନ ପାଇଁ
ଶୋଷି ନିଅନ୍ତି ନିଦ, ସଜେଇ ଦିଅନ୍ତି ସ୍ଵପ୍ନ,
ମୁଁ କିନ୍ତୁ ନିଦ୍ରା ଯାଇ ପାରେନା କେଉଁବେଳେ
ମୁଁ ବୋଧେ ନିଦ୍ରାହୀନତା ଭୋଗୁଥିବା
ଶେଷ ହତଭାଗାଟାଏ
ଯିଏ ସ୍ଵପ୍ନକୁ ମିଛ ବୋଲି କହିପାରିନି
କି, ଏ ଜୀବନ ସତ ବୋଲି
ପ୍ରମାଣ ପାଇନି ଏଯାଏଁ ।

ସମସ୍ତେ ଭୋଗନ୍ତି ଚା’, ଫୁଲ,
ସକାଳର ଖବର
ନିଜ ନିଜ ବଗିଚାରେ,
ମୋତେ ଯିଏ ପକେଇଥାଏ ସିଏ
ଉଠେଇବାକୁ ହାତ ବଢ଼ାଏନା କେବେ ବି
ଗଡ଼ିଯାଏ ମାସ-ବର୍ଷ-ଆୟୁଷ
ମୁଁ ଉଠିପାରେନା, ପଡ଼ିଥାଏ ଚିରକାଳ
ଜଣାଣର ଏକ ମୂକ ଗର୍ତ୍ତରେ ।

ହଁ, ସମସ୍ତେ ନିଜ ନିଜ ଭାଗର ଝରକା ଖୋଲନ୍ତି
ଦେଖନ୍ତି ନିଜ ଢଙ୍ଗର ଆକାଶ
ମୁଁ ଯମା ଟେକିପାରେନି ମୁଣ୍ଡ ଉପରକୁ
ତୋଳି ପାରେନା ଆକାଶ କଇଁଆ
ବୁଡ଼ି ପାରେନା ମେଘରେ
କି ଧରି ବି ପାରେନା ମାଛ ବିଜୁଳୀର,
କ’ଣ କରିବା ?
ଅତି ଭୟାତୁର ଭୀରୁ ମଣିଷଟେ ମୁଁ
ଓ ନିଜ ଛାଇକୁ ଡେଇଁପାରୁ ନଥିବା
ପାଦ ହଳକ କେବଳ ମୋର, ବିଶ୍ୱାସ କର ।

ଜାରକା, ଯାଜପୁର

ଲେଖକ ପରିଚୟ

ପ୍ରେମ ଓ ସମ୍ବେଦଶୀଳତାର କଥା କହୁଥିବା କବି ୨୦୧୦ ମସିହାରୁ ଅନବରତ ଲେଖିନୀ ଚାଳନା କରିଚାଲିଛନ୍ତି । ଏଯାବତ୍ ତାଙ୍କର ୬ ଗୋଟି କବିତା ସଂକଳନ ପ୍ରକାଶିତ ହୋଇସାଇଛି । ନବକଳେବର ସମ୍ମାନ ଓ ମାୟାଧର ମାନସିଂ ସମ୍ମାନ ଭଳି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି କବି ମହୋଦୟ ।

Related Posts

Leave a Reply

Your email address will not be published. Required fields are marked *