ସତ୍ୟନାରାୟଣ ଗନ୍ତାୟତ

ନା, ନା ଜମା କହନୁନି “ଇଏ ଅଇଲା ଆମକୁ ଅଙ୍କ ପଢାଇବାକୁ !” ବୋଲି । କାରଣ ଆଉ ଆଉ ଅନେକଙ୍କ ପରି ଆମକୁ ବି ଆମ ପଢାରମ୍ଭ ବେଳେ ଐକିକ ଧାରା, ସାଙ୍କେତିକ ଧାରା ଓ ସୁଧକଷାଦି ସମେତ ଯାବତ ଅଙ୍କଙ୍କ ଆଗରେ ଯେତେ “ସରଳ” ବୋଲି ଲେଖା ଯାଇଥିବା ସତ୍ତ୍ୱେ ସେସବୁ ଜଟିଳ ହିଁ ଲାଗୁଥିଲା ।

ତେବେ ଆମ ବେଳର ସାର୍ ମାନେ ଏଡ଼େ ଘାଏଁ କିମିଆ ଜାଣିଥିଲେ ଯେ ସେସବୁ ଜଟିଳ ଅଙ୍କଙ୍କୁ ସରଳ ତରଳ କରତଃ ବଡ଼ କାଇଦାରେ କଷିବା ନାଁରେ ଆମ ଦ୍ୱାରା ନିୟମିତ ଅଭ୍ୟାସ କରାଇ ଏକରକମ ଗୋଳାଇ ପିଆଇ ଆମ ମଗଜରେ ମିଳାଇ ଦେଉଥିଲେ । ଫଳତଃ ଆମେ ନିହାତି ଶହେରୁ ଶହେ ଆଣି ସେଇ ସଂଖ୍ୟା ନ୍ୟୂନ ଅଉଲ ନମ୍ବରିଆ ଛାତ୍ରଙ୍କ ପ୍ରାୟେ ହୋଇ ପାରିନଥିଲେ ହେଁ ସଚରାଚର ଆତଙ୍କ ସୃଷ୍ଟିକାରୀ ଏହି ଅଙ୍କ ବିଷୟଟିରେ ନିହାତି ଦୁର୍ବଳିଆ ଶ୍ରେଣୀୟ ବି ହୋଇନାହୁଁ ବୋଲି ସିନା ଆମ ଅତି ସିଆଣିଆ ପିଲାଙ୍କ ଆଗରେ ଆମର ଯତ୍ କିଞ୍ଚିତ ମହତ ରହିଅଛି ।

ପୁଣି ଏଠି ସଂଖ୍ୟା ଗଣନା କଥା ପଡ଼ିଛି । ଏକ ଦୁଇ ତିନି ପରେ ତ ଚାରି ଓ ଚାରି ପରେ ତ ନିଶ୍ଚେ ଆସେ ପାଞ୍ଚ । ଏତିକି ପୁଣି ଉଚ୍ଚାରି କ’ଣଟା ଆଲୁଅ କରି ପକାଇବୁ ଯେ ? ତେବେ ଏକରୁ ତେର ଯାଏ ଗଣିଗଣି ଏକ ବହୁ ଜନାଦୃତ ହିନ୍ଦୀ ସିନେମା ଗୀତଟିର ତାଳେ ତାଳେ ନିଜର ଅପୂର୍ବ ଅଙ୍ଗଭଙ୍ଗୀ ମାଧ୍ୟମରେ ନାଚିକୁଦି ସବୁରି ମନହରଣ କରି ନେଇଥିବା ସେଇ ମହୀୟସୀ ନୃତ୍ୟାଙ୍ଗନା ନାୟିକାଙ୍କ ଲାସ୍ୟମୟୀ ରୂପ ଏକ୍ଷଣି ଆମ ମନ ଆଇନାରେ ନାଚି ଉଠୁଛି । ଠିକ୍ ସେମିତି ଆମ ସଙ୍ଗୀତର ସଦା ସୁମହାନ ସମ୍ରାଟ ଅକ୍ଷୟ ମହାନ୍ତି ମହୋଦୟଙ୍କ ଗୋଟେ ବହୁ ଆଦୃତ ଗୀତରେ ବି ପାର୍କରେ ଅପେକ୍ଷା କାଳରେ ପ୍ରତି ଘଣ୍ଟା ପ୍ରେମୀ ଯୁଗଳ ସଂଖ୍ୟା ଗଣନା କ୍ରମେ ଜଣାଇଥିବା ମନେପଡ଼ି ଯାଉଛି ।

ସୁତରାଂ ସଂଖ୍ୟା ବିଷୟକ ଏ ବଖାଣ ସେତେଟା ନାକରା ଲାଗିବନି ଭାବି ଏନେଇ ଆମ ନାକ ପୁରାଉଛୁ ।

ହଁ ଏଠାରେ “ଚାରି ପରେ ପାଞ୍ଚ’ ବୋଲା ଯାଇଥିଲେ ଓ ଆପଣମାନେ ମଧ୍ୟାହ୍ନ ଭୋଜନଖିଆ ଛୋଟପିଲା ହୋଇଥିଲେ ଅବଶ୍ୟ “ଚାରି ପରେ ପାଞ୍ଚ, ହାତୀ କରୁଚି ନାଚ” ଜାତୀୟ ଗାଉଣାରେ ମାମଲା ଫତେ ହୋଇ ଯାଇଥାନ୍ତା । ହେଲେ ନା, ଶଂସିତ କ୍ଷେତ୍ରରେ ଉଭୟ ଅଳ୍ପ ଗଭୀର ଓ କିଞ୍ଚିତ ଗମ୍ଭୀର କଥାମାନ ଯେବେ ଆମ ମନରେ ଡିଆଁନଚା କଲେଣି, ସେସବୁ ଫିଟାଇ କହି ପକାଇବାକୁ ମନ ବଳୁଅଛି ।

ଏଥକୁ ଢେର୍ ଗୌରଚନ୍ଦ୍ରିକା ହୋଇଗଲାଣି !

ତ’ ଜାଣିବା ଯେ ଚାରିଜଣ ଆଗରୁ ମହଜୁଦ ଅଛନ୍ତି । ଏବେ ଆଉ ଜଣେ ଅଇଲେ । ଅତଃ ସେ ପଞ୍ଚମ ଲୋକ । ସେ ତାଙ୍କ ବାଟେ ଆସି ତୁନି ରହିଥିଲେ ଆଗର “ଚାରି” ଆଗପରି “ଚାରି’ ହୋଇ ହିଁ ରହିଥାନ୍ତା । କିନ୍ତୁ ସେ କଣ କଲେ ନା, ଏ ଚାରି ଜଣକ ସହ ମିଶି ଯାଇ ଚାରିକୁ ପାଞ୍ଚ କରି ଦେଲେ । ଏମିତି ଚାରି ପାଞ୍ଚ ପାଲଟି ଯିବା ବି ମାମୁଲି ମନେ ହୋଇଥାନ୍ତା ଯଦି ପାଞ୍ଚ ହେବା ପରେ ଚାରି ହେବା ବେଳଠୁ କିଛି ଭିନ୍ନ ଲାଗି ନଥାନ୍ତା । କିନ୍ତୁ କଣ ହେଲା ନା, ଏଇ ପଞ୍ଚମ ବ୍ୟକ୍ତି ଆସିବା ପରେ ଆରମ୍ଭ ହୋଇଗଲା “ମୂଳରୁ ଗା’ ” !

ଆଗରୁ ଯେଉଁ କଥା ନେଇ ଚାରି ଜଣ ଆଲୋଚନା କରି ସାରିଥିଲେ ଓ ଏକ ନିଷ୍ପତ୍ତି ବି ନେଇ ସାରିଥିଲେ ଇଏ ପୁଣି ସେ ପ୍ରସଙ୍ଗ ଉଠାଇ ସେନେଇ ଆପଣା ମୁହଁରୁ ଗୋଟେ “ଉହୁଁ” ଏମନ୍ତ ଉଗାଳିଲେ ଯେ ମାମଲା ଯଥା ପୂର୍ଵଂ ତଥା ପରଂ ହୋଇ ଅଛିଣ୍ଡା ହୋଇଗଲା ! ଏଣିକି ଏଇ ପଞ୍ଚମ ବ୍ୟକ୍ତି ପ୍ରତିଦିନ ଆସିବା ଆରମ୍ଭ କରିଦେଲେ । ଅତଃ ଚାରିରେ ପାଞ୍ଚ ହେବା ନିୟମିତ ହୋଇଗଲା । ସେ ଆସି ମଧୁର ଭାଷି କୋଉ ଛଟକରେ ଏମାନଙ୍କ ଗହଣରେ ଆସ୍ଥାନ ଜମାଇ ଏତେ ଭିତରକୁ ପଶି ଯାଉଥିଲେ ଯେ ଏମାନେ ଜାଣିବା ବେଳକୁ ଧୀରେ ପ୍ରବେଶ ହୋଇଥିବା ତାଙ୍କ ଅଙ୍ଗୁଳି ବାହୁ ଯାଏ ପ୍ରଲମ୍ବିତ ହୋଇ ସାରିଥିଲା । କେବେ ସମସ୍ୟା ଥିଲେ ସେ ତାକୁ ଆହୁରି ଜଟିଳ କରି ଅସମାହିତ କରି ଦେଉଥିଲେ ତ ଆଉକେବେ ସମସ୍ୟା ନଥିଲେ ଯଥାକୁ ଅଯଥା ଦର୍ଶାଇ ଛାଏଁ ସମସ୍ୟା ସୃଷ୍ଟି କରି ଦେଉଥିଲେ । ତ’ ପୁଣିକେବେ ଦୈବାତ୍ ଏ ଚାରିଜଣ କୌଣସି ଅଡୁଆରେ ପଡ଼ିଥିଲେ ହେଁ ତାଙ୍କୁ ସେ ନେଇ କିଛି ନଜଣାଇ ଚୁପ ରହିଥିଲେ ବି ସେ ସତେଅବା ମୁହଁରୁ କଥା ଠଉରାଇ ପାରୁଥିଲେ କି କଣ “ନିଜ ଲୋକକୁ ବି କହିବନି ?’ କହି ସାକୁଲାସାକୁଲି କରି କଥା ଆଦାୟ କରି ନେଇ ତାପରେ ବଡ଼ କୌଶଳରେ ସେ ଅଡୁଆ ଭିତରେ ତାଙ୍କ ଆଡୁ ମୁସ୍କିଲ ପୈଦା କରି ଦେଉଥିଲେ ଯେମିତି ଏ ଚାରିଜଣ ତାଙ୍କ ବିନା କିଛି ବି କରି ପାରିବେନି ।

ଏମିତି କରିବା ଭିତରେ ଦିନେ ସେ ବିଡ଼ାଏ ତଟକା ଶାଗ ଧରି ଆସି କହିଲେ ଯେ ଆଜି ବଜାରରେ ତଟକା ଶାଗ ବିଡ଼ା ଶସ୍ତା ହୋଇ ଭାସୁଛି । ଯାଅ, ଆଣ, ଖାଅ ଯେ ଭିଟାମିନ ଖିଆ ଆଉ ଲୋଡ଼ା ପଡ଼ିବନି । ତ’ ଏ ଚାରି ଜଣ ତାଙ୍କ କଥାରେ ପଡ଼ି ବଜାର ଯାଇ ଦେଖନ୍ତେ ସବୁଦିନେ କେବଳ ଶାଗ ବିକିବାକୁ ବସିଥିବା ସେଇ ଚିହ୍ନା ବେପାରୀଟି ବି ଶାଗ ନଥିବାରୁ କଞ୍ଚା ଲଙ୍କା, ଧନିଆ, ପୋଦିନା ଓ ଭୃସଙ୍ଗ ପତ୍ର ଧରି ବିକୁଛି । ବଜାରରେ କୁତ୍ରାପି ଶାଗ ହିଁ ଦିଶୁନାହିଁ ।

ତହୁଁ ଏମାନେ ତାଙ୍କ ପଞ୍ଚମ ବନ୍ଧୁ ବରଙ୍କ ପରିଚୟ ଦେଇ ସେ ବଜାରରେ ତଟକା ଶାଗ ଶସ୍ତା ହୋଇ ଭାସୁଥିବା କଥା କହନ୍ତେ ସେ ଶାଗ ବିକାଳୀ କହିଲା :

ଓଃ ! ସିଏ କି ଆଜ୍ଞାମାନେ ! ତାକୁ ଆମେ ସବୁ ଜାଣୁ । କାହା ଘରେ ବିନା ଡାକରାରେ ଯାଇ ତାଙ୍କୁ ନେହୁରା ହୋଇ ତାଙ୍କ ବାଡ଼ିରେ ହୋଇଥିବା ଶାଗ ଆଣିଥିବ । ସୂଦ୍ଦୁ ମାଗଣାଖିଆଟାଏ । ସବୁରି ଭିତରେ ସବୁ କଥାରେ ପଶି ଯାଉଥିବ । ବଜାରରେ କିଛି କିଣିବନି ସିନା ବଜାର ସାରା ବୁଲିବୁଲି କିଣିବା ଓ ବିକିବା ଲୋକଙ୍କ ସଙ୍ଗେ କଥା ହୋଇ ମୁଣ୍ଡ ଖାଉଥିବ । ତେଣୁ ଆମେ ତାକୁ ଦେଖିଲେ ନଦେଖିଲା ପରି ରହୁ । ଆପଣମାନଙ୍କ ଭିତରେ ପଶି ଯାଇଛି ନା କଣ ? ଶୀଘ୍ର ଆପଣ ମାନଙ୍କ ବସାଉଠା ଥାନ ବଦଳାଇ ଦିଅନ୍ତୁ । ତା ଫୋନ ନମ୍ବର ଥିଲେ ତାକୁ ବ୍ଲକ କରି ତାଠୁ ଦୂରରେ ରହନ୍ତୁ ।

ଦୋକାନୀ କଥା ମାନି ସେମାନେ ବାବୁଙ୍କୁ ଦୂରେଇ ରଖି ନିଜେ ପୂର୍ବବତ୍ ଚାରି ହୋଇ ରହିବାର ଦୃଢ ସଂକଳ୍ପ ନେବା ଭିତରେ ଭାବୁଥିଲେ ଏମିତି ଲୋକଙ୍କ ପାଇଁ ବିଚରା ‘ପାଞ୍ଚ’ ଅଙ୍କଟି ମିଛେମିଛେ ନାକରା ହୋଉଛି । ନୋହିଲେ ତ “ଚାରିରେ ପାଞ୍ଚ” ହୋଇ ପାଞ୍ଚଜଣ ଯାକର ମଙ୍ଗଳ କାମନା ପାଇଁ ଏକ ମନ, ଏକ ପ୍ରାଣ ହେଲେ ତ ତାହା ହିଁ ହୋଇଥାଏ ସଵୁରି ଗ୍ରହଣୀୟ ସହମତି ଭିତ୍ତିକ ପଞ୍ଚାୟତ !!

ହଁ , ଏମିତି “ଚାରିରେ ପାଞ୍ଚ” ହେବା ଠଉଁ ସବୁରି ଶୁଭାକାଂକ୍ଷୀ ଭାବେ ପରିଚିତ ହୋଇ “ଚାରି ଜଣରେ ଜଣେ” ହୋଇ ପାରିବା ଅର୍ଥ ପ୍ରକାରାନ୍ତରେ ଗଣ୍ୟମାନ୍ୟ ବୋଲାଇବା ବୋଲି ଆମେ ନିଶ୍ଚେ କହିବୁ ।

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।

Related Posts

One thought on “ଚାରିରେ ପାଞ୍ଚ

Leave a Reply

Your email address will not be published. Required fields are marked *