ଶୁଭ ନାରାୟଣ ସ୍ଵାଇଁ

ଯୁବ ଗାଳ୍ପିକ ଶିବାଶିଷ ପାଢୀଙ୍କ ନମ୍ର ଭାବ ଓ ମୁହଁର ହସ ପରି ତାଙ୍କର ଗପଗୁଡ଼ିକ ମଧ୍ୟ ଖୁବ୍ ନମ୍ର ଓ ପୁଲକିତ । କଥାକୁହା ଢଙ୍ଗରେ ଖୁବ୍ ସାଧାରଣ ଭାବରେ କଥା କୁହନ୍ତି ତାଙ୍କ ଗପର ପ୍ରତିଟି ଚରିତ୍ର ଏବଂ ତାହା ଭିତରେ ଦୃଶ୍ୟମାନ ହୁଏ ସେମିତି କିଛି ଘଟଣା, ଯାହାକୁ ଆମେ ନିତିଦିନ ଭେଟିଥାଉ କେଉଁଠିନା କେଉଁଠି । ସେହି ଦୃଶ୍ୟକୁ, ଛୋଟ ଛୋଟ କଥାକୁ ଗପ କରି ଗଢନ୍ତି ଗାଳ୍ପିକ ଏବଂ ପାଠକ ହାତରୁ କପେ ଚା’ ଶେଷ ହେବା ଆଗରୁ ପଢି ଶେଷ ହୋଇଯାଏ ଗୋଟିଏ ଗପ । ଖୁବ୍ ଭଲ ଲାଗେ ତାଙ୍କର ଏହି ଛୋଟ ଛୋଟ ଗପ । ଏ ମଧ୍ୟରେ ମୁଁ ପଢିବାକୁ ପାଇଛି ଗାଳ୍ପିକଙ୍କ ପଞ୍ଚମ ଗଳ୍ପ ସଂକଳନ “ମାଟି କାନ୍ଥ” । ଏହି ଗଳ୍ପ ସଂକଳନଟି ବି ସେମିତି ହିଁ କହିଛି କଥା । ଏଠି ପ୍ରତ୍ୟେକଟି ଗପରେ ଅଛି ଗୋଟିଏ ଲେଖାଏଁ ସାମାଜିକ ବାର୍ତ୍ତା ।
“ଘର ନମ୍ବର ଦଶ” ଗପରେ, ଗାଁ ଦାମୋଦର ହୋଟେଲ୍ ର ନଡ଼ାଛପର ଘରର ଦୃଶ୍ୟ ହେଉ କି ଲୋକଙ୍କ ଯାବତୀୟ ତାତ୍ସଲ୍ୟ ପରେ ବି ବାପଛେଉଣ୍ଡ ଝିଅ ସୁରଭିର ପାଠ ପଢି ବ୍ୟାଙ୍କରେ ଚାକିରି କରିବା ଏବଂ ଘର ତୋଳି ନାମ ଫଳକରେ “ଘର ନମ୍ବର ଦଶ” ଲେଖିବା ପଛରେ ରହିଛି ଏକ ସାମାଜିକ ବାର୍ତ୍ତା ।
“ଅଲଗା ବାଟ” ଗପରେ ଗାଳ୍ପିକ କହିବାକୁ ଚେଷ୍ଟା କରିଛନ୍ତି, ଜଣକ ମନରେ ଅନ୍ୟ ଜଣକୁ ସାହାଯ୍ୟ କରିବାର ଇଛା ଥିଲେ ସେ ନିଜ ବାଟ ବଦଳାଇ ଅନ୍ୟ ବାଟରେ ଯାଇ ବି ସାହାଯ୍ୟ କରିପାରିବ ତାକୁ ।
ଅନ୍ୟ ଏକ ଗଳ୍ପ “ଷ୍ଟାଣ୍ଡାର୍ଡ” ରେ କୁହାଯାଇଛି ଯେଉଁ ମିଛ ଷ୍ଟାଣ୍ଡାର୍ଡ ବା ଷ୍ଟାଟସ୍ କୁ ଜାବୁଡ଼ି ଧରି ମଣିଷ ଆଜି ଭୁଲିଯାଇଛି ନିଜ ମଣିଷପଣିଆ, ସେହି ଷ୍ଟାଣ୍ଡାର୍ଡକୁ ଭୁଲିଗଲେ ମଣିଷଟେ ପୁଣିଥରେ ମଣିଷ ହୋଇପାରେ । ନିଜର ଉତ୍ତରପିଢି ହାତରେ ନିଜକୁ ଠିକ୍ ରେ ଦେଖିବାକୁ ହେଲେ ନିଜେ ନିଜ ବୁଢ଼ା ବାପମାଆଙ୍କ ଯତ୍ନ ନେବା ସହ ନିଜ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ପଡ଼େ । ସ୍ତ୍ରୀଟିଏକୁ ନିଜର ସ୍ଥିତି ଜାହିର କରିବାକୁ ହେଲେ ନିଜେ “ଦେବୀ” ପାଲଟିବାକୁ ପଡ଼େ ।
ଏଠି ସଂକଳନଟିରେ ଭଲ ହୋଇଛି ବେସ୍ କିଛି ଗପ । “ଆଶାର ଜୀବନ” , “ମାମୁଁ ” ପରି ଗପରେ ଦିଶିଛି ଇମୋସନ୍ । “ମଝି କାନ୍ଥ” ଗପରେ ଦିଶିଛି ବାପାଙ୍କ ଛବି ଓ ପାରିବାରିକ ମୁଲ୍ୟବୋଧ । ଭଲ ଲାଗିଛି “ଆଇ ମାଆ”, “ଚୌକି” ଓ ” ରିଟର୍ଣ୍ଣ ଗିଫ୍ଟ” ପରି କିଛି ଗପ । ଅବଶ୍ୟ “ବଦମାସ୍” ଗପଟି ଟିକିଏ ଖାପଛଡ଼ା ଲାଗିଛି । ସେଠି ଫ୍ଲାସ୍ ବ୍ୟାକ୍ ରେ ଯେଉଁ ଇମୋସନ୍ ଆସିବା କଥା, ସେ ଇମୋସନଟି ଆସି ପାରିନି ଗପରେ । କିଛି ଧାଡ଼ିରେ ପୂର୍ବ ଧାଡ଼ି ସହ ପର ଧାଡ଼ିର ସମ୍ପର୍କ ରହିନି । ଅନେକ ଯାଗାରେ ଦୁଇଟି ବାକ୍ୟ ମଧ୍ୟରେ ପୂଣ୍ଣଛେଦଟିଏ ନଥିବାରୁ ଧଇଁସଇଁ ହୋଇଯାଇଛି ପାଠକ। । ବୋଧହୁଏ ପ୍ରୂଫ୍ କରେକ୍ସନ ହୋଇନି ଅନେକ ଯାଗାରେ ।
ସଂକଳନରେ ପ୍ରାୟ ସମସ୍ତ ଗପ ଖୁବ୍ ସୁନ୍ଦର ହୋଇଥିଲେ ହେଁ ଅନେକ ଗପରେ ଅସମ୍ପୂର୍ଣ୍ଣ ଓ ତ୍ରୁଟିପୂର୍ଣ୍ଣ ବାକ୍ୟ ଥିବାରୁ ସେଠି ବାନ୍ଧି ହୋଇ ରହି ପାରିନି ପାଠକ । ପାଠକର ହୋଇଛି ଧ୍ୟାନ ଭଗ୍ନ ।
ଯୁବ ଗାଳ୍ପିକ ଶିବାଶିଷ ପାଢୀଙ୍କୁ ମୋର ବିନମ୍ର ଅନୁରୋଧ ରହିଲା ଯେ ସେ ନିଜ ଗପକୁ ବଞ୍ଚାଇ ରଖିବାକୁ ହେଲେ ପାଞ୍ଚ ବର୍ଷରେ ପାଞ୍ଚଟି ବହି କରିବା ପରିବର୍ତ୍ତେ ପାଞ୍ଚ ବର୍ଷରେ ବରଂ ଗୋଟିଏ ବହି କରନ୍ତୁ ମାତ୍ର ବହିଟିରେ ମୁଦ୍ରଣଗତ ତ୍ରୁଟି ନରହୁ । ଗୋଟିଏ ବହିର ପ୍ରୁଫ୍ କରେକ୍ସନ ପାଇଁ ବରଂ ପାଞ୍ଚ ବର୍ଷ ସମୟ ଲାଗୁ, କିନ୍ତୁ ବଜାରକୁ ଗୋଟିଏ ନିର୍ଭୁଲ ବହିଟିଏ ଆସୁ । ଯଦି ସେମିତି ନହୁଏ ଗପଗୁଡ଼ିକ ଅକାଳରେ ଚାଲିଯିବାଟା ଥୟ । ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ଉଭୟ ଗାଳ୍ପିକ ଓ ପ୍ରକାଶକଙ୍କୁ । କାରଣ ମୁଁ ଅନେକ ସମୟରେ ଦେଖୁଛି ଯେ ଏହି ଗପଗୁଡ଼ିକ ଅନ୍ୟାନ୍ୟ ପତ୍ରପତ୍ରିକାରେ ଛପିଲାବେଳକୁ ଠିକ୍ ରହୁଛି, କିନ୍ତୁ ବହି ହେଲାବେଳକୁ ପ୍ରାୟତଃ ଅଧିକାଂଶ ବାକ୍ୟ ମଝିରୁ ପୂର୍ଣ୍ଣଛେଦ ଗାଏବ୍ ହୋଇ ଯାଉଛି । ନହେଲେ ନାହିଁ କୈଣସି ଏକ ଅନୁଛେଦରେ କିଛି ଖଣ୍ଡ ବାକ୍ୟ ରହିଯାଉଛି। ଆଶା କରୁଛି ଗାଳ୍ପିକ ଓ ପ୍ରକାଶକ ମୋତେ ଭୁଲ୍ ନବୁଝି ଏଥିପ୍ରତି ଧ୍ୟାନ ଦେବେ ଓ ଏହି ଭଲ ଗଳ୍ପ ଗୁଡ଼ିକର ଆୟୁଷ ବଢାଇବାରେ ସାହାଯ୍ୟ କରିବେ ।
ବହି : ମଝି କାନ୍ଥ
ଗାଳ୍ପିକ : ଶିବାଶିଷ ପାଢୀ
ପ୍ରକାଶକ : ଶାନ୍ତିସେନା
ପ୍ରଥମ ପ୍ରକାଶ : ୨୦୨୪
ପୃଷ୍ଠା ସଂଖ୍ୟା : ୧୦୭
କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨
ଲେଖକ ପରିଚୟ
କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ, ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।