ବିଭାଜନ ପ୍ରେକ୍ଷାପଟରେ ସାହିତ୍ୟ

ବହି: ବିଭାଜନର ଭୁକ୍ତଭୋଗୀ ( ୨୦୨୧), ବିଭାଜନ ଶିବରଂଜନୀ, (୨୦୨୨)
ଲେଖକ: ଦୀପକ ରଂଜନ ମିଶ୍ର
ପ୍ରକାଶକ: ପ୍ରତୀଚୀ ସାହିତ୍ୟ ପ୍ରତିଷ୍ଠାନ, ଧର୍ମଶାଳା, ସୋନ୍‍ପୁର
ମୂଲ୍ୟ: ୨୭୦/-, ୩୨୦/-

ଭାରତର ସ୍ଵାଧୀନତା ଅତ୍ୟନ୍ତ ବେଦନାଦାୟକ ସ୍ଥିତିରେ ହୋଇଥିଲା । ଧର୍ମ ଆଧାରରେ ଭାରତକୁ ଦୁଇ ଭାଗ କରାଯାଇଥିଲା । ୧୯୪୭ରେ ସୃଷ୍ଟି ହୋଇଥିଲା ନୂଆ ଦେଶ ପାକିସ୍ଥାନ । ୨୪ ବର୍ଷ ପରେ ମୁଖ୍ୟତଃ ଭାଷା ଭିତ୍ତିରେ ପାକିସ୍ଥାନ ବିଭାଜିତ ହୋଇ ସୃଷ୍ଟି ହେଲା ବାଂଲାଦେଶ । ବିଭାଜନର ବହୁ ବର୍ଷ ପୂର୍ବରୁ ଭାରତରେ ଧାର୍ମିକ ବିଭେଦର ମଂଜି ବୁଣାଯାଇଥିଲା । କ୍ରମଶଃ ତାହା ଅଙ୍କୁରିତ ହୋଇ ସାରା ଦେଶରେ ବ୍ୟପିବାକୁ ଲାଗିଲା । ୧୯୪୨ ଭାରତ ଛାଡ଼ ଆନ୍ଦୋଳନଠୁଁ ସାରା ଦେଶରେ ଆପାତ ଦୃଷ୍ଟିରୁ ଦୁଇଟି ପରସ୍ପର ବିରୋଧୀ କଥା  ଦେଖିବାକୁ ମିଳିଲା । ସାଧାରଣ ଲୋକେ ଏକଜୁଟ୍‍ ହୋଇ ବିଦେଶୀ ଶାସନର ବିରୋଧ କରିବାକୁ ଲାଗିଲେ । ଇଆଡ଼େ ହିନ୍ଦୁ ମୁସଲମାନ ଭିତରେ ବିବାଦ ଓ ବିଭେଦ ବଢ଼ିବାକୁ ଲାଗିଲା । ବିଭିନ୍ନ ଆଭ୍ୟନ୍ତରୀଣ ଏବଂ ବର୍ହି କାରଣ ପାଇଁ  ସମୟ ସହିତ ଏହା ଅତ୍ୟନ୍ତ ଦ୍ରୁତ ଭାବେ ବଢ଼ିବାକୁ ଲାଗିଲା ।

            ଦେଶ ବିଭାଜନ ଅତ୍ୟନ୍ତ ତରବରିଆ ଭାବରେ କରାଯାଇଥିଲା । ଉପଯୁକ୍ତ ପର୍ଯ୍ୟବେକ୍ଷଣ ଏବଂ ପରାମର୍ଶ ନ କରି ସୀମା ଟଣା ହୋଇଥିଲା । କ୍ରମବର୍ଦ୍ଧମାନ ହିଂସା ଯୋଗୁଁ କୋଟିଏରୁ ଦୁଇ କୋଟି ଲୋକ ନିଜ ଭିଟାମାଟି ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ । ବିଭାଜନ ବେଳେ ଭୟାନକ ହିଂସା ବ୍ୟାପିଥିଲା । ପାଖାପାଖି ୨୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା । ବହୁ ନାରୀ ଧର୍ଷତା ହୋଇଥିଲେ । ବହୁ ଶିଶୁ ହିଂସାକାଣ୍ଡର ଶିକାର ହୋଇଥିଲେ ।

            ଯେ କୌଣସି ବେଦନା ମହତ କଳାକୁ ଜନ୍ମ ଦିଏ । ଏ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା । ଦେଶ ବିଭାଜନ ପ୍ରେକ୍ଷାପଟରେ ଅନେକ ଗଳ୍ପ, ଉପନ୍ୟାସ, ନାଟକ, କବିତା ଲେଖାହୋଇଛି,  ଯେଉଁଥିରେ ଏ କାଳଖଣ୍ଡର ବେଦନା ଜର୍ଜରିତ ମାନବିକ ଇତିହାସ ରହିଛି । ମଣିଷ ଅମଣିଷପଣିଆ, ଦୁଃଖ କଷ୍ଟ, ବ୍ୟଥାବେଦନା ସହିତ ମାନବିକତାର କଥା ମଧ୍ୟ ରହିଛି । ସାମଗ୍ରିକ ଭାବେ ଏହାକୁ ପାର୍ଟିସନ୍‍ ଲିଟରେଚର୍‍ ବା ବିଭାଜନ-ସାହିତ୍ୟ ବୋଲି କୁହାଯାଏ । ଭାରତୀୟ ଉପମହାଦେଶରେ ବିଭାଜନକୁ ନେଇ ମୁଖ୍ୟତଃ ଇଂରାଜୀ, ହିନ୍ଦୀ, ବଙ୍ଗଳା, ପଂଜାବି, ଊର୍ଦ୍ଧୁ, ସିନ୍ଧି ଓ ଅସମିଆ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ, ନାଟକ ଲେଖାଯାଇଛି । ଅନ୍ୟାନ୍ୟ ଭାଷାରେ ମଧ୍ୟ କିଛି କିଛି ଲେଖାଯାଇଛି ।

            ନାନକ ସିଂ (ଖୁନ୍‍ କେ ସୋହିଲେ, ୧୯୪୮), ସାଦତ ହାସନ ମଣ୍ଟୋ (ତୋବା ଟେକ୍‍ ସିଂ, ୧୯୫୫), ଖୁସ୍‍ୱନ୍ତ ସିଂହ (ଏ ଟ୍ରେନ୍‍ ଟୁ ପାକିସ୍ଥାନ, ୧୯୫୬), ୟସ୍‍ପାଲ (ଝୁଟା ସଚ୍‍, ୧୯୬୦), ଅତୀନ ବନ୍ଦୋପାଧ୍ୟାୟ (ନୀଲକଣ୍ଠ ପାଖିର ଖୋଁଜେ), ଭୀଷ୍ମ ସାହାଣୀ (ତମସ୍‍, ୧୯୭୩), ଅନିତା ଦେଶାଇ (କ୍ଲିଅର ଲାଇଟ୍‍ ଅଫ୍‍ ଦି ଡେ, ୧୯୮୦), ସାଲ୍‍ମନ ରୁଷେଦି (ମିଡ୍‍ନାଇଟ୍‍ସ ଚିଲ୍‍ଡ୍ରେନ୍‍, ୧୯୮୦), ଇତ୍ୟାଦି ଭାରତୀୟ ବିଭାଜନ-ସାହିତ୍ୟର କାଳଜୟୀ ସୃଷ୍ଟି ।

            ବିଭାଜନକୁ ପ୍ରତ୍ୟକ୍ଷ କରିଥିବା, ଭୋଗିଥିବା ଅନେକ ଲୋକେ ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଲେଖିଛନ୍ତି ।  ଅମୃତସରରେ ସ୍ଥାପିତ ବିଭାଜନ ମ୍ୟୁଜିୟମ୍‍ ଏବଂ ଅନ୍‍ଲାଇନ୍‍ ମ୍ୟୁଜିୟମ୍‍ଗୁଡ଼ିକରେ ବିଭାଜନକୁ ଭୋଗିଥିବା ଲୋକମାନଙ୍କ କଥା ସେମାନଙ୍କ ସ୍ୱରରେ ରେକର୍ଡ କରାହୋଇ ରଖାଯାଇଛି ।

             ସୋନ୍‍ପୁରର ଦୀପକ ରଞ୍ଜନ ମିଶ୍ର ବିଭାଜନକୁ ନେଇ ତିନୋଟି ବହି ଲେଖିବାର ଯୋଜନା କରିଛନ୍ତି । ନାଁ ଦେଇଛନ୍ତି ବିଭାଜନ ତ୍ରୟୀ । ସେଥିରୁ ଦୁଇଟି ବହି ପ୍ରକାଶିତ ହୋଇଛି । ଗୋଟିକରେ (ବିଭାଜନ ଶିବରଂଜନୀ, ୨୦୨୨) ସେ ବିଭାଜନ ପ୍ରେକ୍ଷାପଟରେ ଲେଖାଯାଇଥିବା ଗଳ୍ପ ଓ କାହାଣୀରୁ ୫୦ଟିକୁ ଓଡ଼ିଆ ଭାଷାରେ ଅନୁସୃଜନ କରିଛନ୍ତି । ଆରଟିରେ (ବିଭାଜନର ଭୁକ୍ତଭୋଗୀ, ୨୦୨୧) ସେ ବିଭାଜନର ଦାରୁଣ ଦଶା ଭୋଗିଥିବା ଲୋକମାନଙ୍କ ଭିତରୁ ୨୯ ଜଣଙ୍କର କାହାଣୀ କହିଛନ୍ତି ।

            ବିଭାଜନ ଶିବରଂଜନୀରେ କୃଷ୍ଣ ଚନ୍ଦର, ରାଜିନ୍ଦର ବେଦୀ, ବିଷ୍ଣୁ ପ୍ରଭାକର, ସାଦତ ହାସନ ମଣ୍ଟୋ, ପ୍ରଫୁଲ୍ଲ ରାୟ,  ସମରେଶ ବସୁ, କର୍‍ତାର ସିଂହ ଦୁଗ୍‍ଗଲ, ଗୁଲ୍‍ଜାର, କ୍ରିଷ୍ଣା ସୋବତି, ସର୍ଦ୍ଦାର  ନଭତେଜ ସିଂହ, ଭୀଷ୍ମ ସାହାଣୀ, ଖ୍ୱାଜା ଅହମଦ ଅବ୍‍ବାସ, ଅଜେ୍ଞୟ ପ୍ରମୁଖଙ୍କ ଗଳ୍ପ । ମୁଖ୍ୟତଃ ପଂଜାବି, ଊର୍ଦ୍ଧୁ, ହିନ୍ଦୀ ଓ ବଙ୍ଗଳା ଭାଷାର ଗଳ୍ପ ସ୍ଥାନିତ ହୋଇଛି ଏଥିରେ । ଗୋଟିଏ କନ୍ନଡ଼ (ଏଚ୍‍ ଭି. ସଭିଥରଆମ୍ମା), ଗୋଟିଏ ମାଲାୟଲମ୍‍ (ଲଲିଥାମ୍ବିକା ଅନ୍ଥର୍ଜନମ୍‍) ଏବଂ ଗୋଟିଏ ଇଂରାଜୀ (ଏଡିଥ୍‍ ପର୍ଜେଟର) ଗଳ୍ପ ମଧ୍ୟ ରହିଛି । ଭାରତ, ପାକିସ୍ଥାନ ଏବଂ ବ୍ରିଟେନ୍‍ର ଲେଖକମାନଙ୍କ କୃତି ଏଥିରେ ସ୍ଥାନିତ ହୋଇଛି ।

            ଦୀପକରଂଜନ ବାବୁ ଗଳ୍ପ ଓ କାହାଣୀଗୁଡ଼ିକୁ ଅନୁବାଦ  ବା ଭାଷାନ୍ତର କରିବା ବଦଳରେ ଅନୁସୃଜନ କରିଛନ୍ତି । ଅନେକ ସମୟରେ ସେ ମୂଳ ଲେଖାକୁ ନିଜ ବାଗରେ ସରଳ କରି ଲେଖିଛନ୍ତି । କେତେକ କ୍ଷେତ୍ରରେ ନିଜର ମନ୍ତବ୍ୟ ବି ଦେଇଛନ୍ତି । ଏହା ଠିକ୍‍ କି ଭୁଲ ତାକୁ ନେଇ ବିତର୍କର ଅବକାଶ ଥାଇପାରେ, ହେଲେ ମୂଳ ଲେଖାର ଭାବକୁ ସେ ଅଧିକାଂଶ କ୍ଷେତ୍ରରେ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି ।

            ‘ବିଭାଜନର ଭୁକ୍ତଭୋଗୀ’ ବହିରେ ସେ ବିଭାଜନକୁ ଭୋଗିଥିବା ୨୯ ଜଣଙ୍କ କଥା ଲେଖିଛନ୍ତି । ସେମାନଙ୍କ ଭିତରୁ ଅନେକେ ପରବର୍ତ୍ତୀ ସମୟରେ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି । ଉଦାହରଣ ଭାବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜରାଲ, ଲେଖକ ଖୁସ୍‍ୱନ୍ତ ସିଂହ, ଚିତ୍ରଶିଳ୍ପୀ ସତୀଶ ଗୁଜରାଲ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମାନନ୍ଦ ସାଗର, ଏମ୍‍.ଡି.ଏଚ୍‍ (ମହାଶୟାଁ ଦି ହଟ୍ଟି) ମସଲା କମ୍ପାନିର ପ୍ରତିଷ୍ଠାତା ଚୁନୀ ଲାଲ ପ୍ରମୁଖଙ୍କ  ନାଁ ଉଲ୍ଲେଖ କରାଯାଇପାରେ । ଏହାଛଡ଼ା ସେ ଶଫୀ ଅହମଦ କିଦ୍‍ୱାଇଙ୍କ ଭଳି ଏମିତି ଅନେକଙ୍କ କଥା ଲେଖିଛନ୍ତି, ଯେଉଁମାନେ ଭାରତରେ ଥାଇ ବିଭାଜନର ବିଭୀଷିକା ଭୋଗିଛନ୍ତି । ଏ ବହିରେ ସେ ଢେଙ୍କାନାଳର ଲକ୍ଷ୍ମଣ ମିଶ୍ରଙ୍କ କଥା ମଧ୍ୟ ଲେଖିଛନ୍ତି । ଲକ୍ଷ୍ମଣ ମିଶ୍ର ପିଲାବେଳେ  ଘର ଛାଡ଼ି ଚାଲିଯାଇଥିଲେ, ପହଞ୍ଚିଥିଲେ ବଂଗ ପ୍ରଦେଶର ଯଶୋର ଜିଲ୍ଲାର ଆଦିଲପୁର ଗାଁରେ । ବିଭାଜନ ବେଳେ ତାହା ପୂର୍ବ ପାକିସ୍ଥାନ ହୋଇଯାଏ । ତାଙ୍କୁ ଭାରତ ପଳେଇଆସିବାକୁ ପଡ଼େ । ଲକ୍ଷ୍ମଣ ମିଶ୍ରଙ୍କ ଆତ୍ମଜୀବନୀ ‘ଯାତ୍ରାପଥେ‘କୁ ଆଧାର କରି ତାଙ୍କ କଥା ଲେଖିଛନ୍ତି ଦୀପକ ରଂଜନ ବାବୁ ।

            ଏ ଲେଖାଗୁଡ଼ିକୁ ଅନେକ ଗଳ୍ପ କହିବା ଶୈଳୀରେ ରହିଛି । କେତେକ ଲେଖା ସାମ୍ବାଦିକତାର ବିଭବ ଲକ୍ଷ୍ୟ କରି ପାରିବେ । କେତେକଙ୍କ ସହିତ ସେ ନିଜେ କଥାବର୍ତ୍ତା କରି ଲେଖିଛନ୍ତି । କେତେକଙ୍କ ବିଷୟରେ ସେ ତଥ୍ୟ ସଂଗ୍ରହ କରିଛନ୍ତି ବିଭିନ୍ନ ବହି ଏବଂ ଲୋକମାନଙ୍କଠାରୁ । ବେଶ ସାବଳୀଳ ଓ ସୁଖପାଠ୍ୟ ତାଙ୍କ ଲେଖା ।

            ବିଭାଜନକୁ ନେଇ ମୌଳିକ ଲେଖା ଓଡ଼ିଆ ଭାଷାରେ ଖୁବ ବେଶୀ ନାହିଁ । ଅନ୍ୟାନ୍ୟ ଭାଷାରେ ଲିଖିତ କେତେକ ଚର୍ଚ୍ଚିତ କାହାଣୀ ଓ ଉପନ୍ୟାସର ଅନୁବାଦ ହୋଇଛି । ମୋର ବନ୍ଧୁ ଏବଂ ପୂର୍ବତନ ସହକର୍ମୀ ସୁଭାସ ଶତପଥୀ ବିଭାଜନ ପ୍ରେକ୍ଷାପଟରେ ବିଭିନ୍ନ ଭାଷାରେ ଲେଖା କିଛି ଗଳ୍ପର ଓଡ଼ିଆ ଅନୁବାଦ ସଙ୍କଳନ (ଦୋସମାଳି, ୨୦୨୨) ପ୍ରକାଶ କରିଛନ୍ତି । ସାଦତ ହାସନ ମଣ୍ଟୋଙ୍କ ତୋବା ଟେକ୍‍ ସିଂହ ସମେତ ଆଉ କେତେକ ଚର୍ଚ୍ଚିତ ବହି ଅନୁବାଦ ହୋଇଛି । ସେ ଦୃଷ୍ଟିରୁ ଦେଖିଲେ ଏ ବହି ଦୁଇଟି ଏ କ୍ଷେତ୍ରରେ ପ୍ରଶଂସନୀୟ ଉଦ୍ୟମ । ଦୀପକ ରଂଜନ ବାବୁଙ୍କ ଏ ସିରିଜ୍‍ରେ ତୃତୀୟ ବହିଟିକୁ ଅପେକ୍ଷା ରହିଲା ।

++

Related Posts

Leave a Reply

Your email address will not be published. Required fields are marked *