ଭାରତର ସ୍ଵାଧୀନତା ସଂଗ୍ରାମର ଶେଷ ଯୁଦ୍ଧର କାହାଣୀ

ବହି – ୧୯୪୬: ଲାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନସ: ରୟାଲ ଇଣ୍ଡିଆନ ନେଭି ମ୍ୟୁଟିନି
ଲେଖକ – ପ୍ରମୋଦ କପୁର
ପ୍ରକାଶକ – ରୋଲି ବୁକସ
ପୃଷ୍ଠା – ୩୫୦, ମୂଲ୍ୟ – ୪୯୮ ଟଙ୍କା

ଫେବୃଆରି ୧୮, ୧୯୪୬ରେ ଭାରତର ସ୍ଵାଧୀନତା ସଂଗ୍ରାମର ଶେଷ ଯୁଦ୍ଧ ଲଢ଼ାଯାଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫେବୃଆରି ୧୮ରେ ଏହା ଆରମ୍ଭ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଆଧୁନିକ ଭାରତୀୟ ଇତିହାସରେ ଏହା ବିଶେଷ ଉଲ୍ଲେଖ ନାହିଁ । ଏ ବିଦ୍ରୋହରେ ସାମିଲ ନୌସେନାମାନଙ୍କ ଗାଥା ବିଶେଷ ଶୁଣାଯାଏ ନାହିଁ ।

ତେବେ କିଛି ବର୍ଷ ହେବ ଆଜାଦ ହିନ୍ଦ ଫୌଜ (ଆଇ. ଏନ.ଏ) ବିଷୟରେ ଯେମିତି ପୁଣିଥରେ ଶୁଣାଯାଉଛି, ଭାରତର ସ୍ୱାଧୀନତାରେ ସେମାନଙ୍କ ଭୂମିକାକୁ ସ୍ୱୀକାର କରାଯାଉଛି ସେମିତି ରୟାଲ ଇଣ୍ଡିଆନ ନେଭି (ଆର ଆଇ ଏନ)ରେ କାମ କରୁଥିବା ଭାରତୀୟ ସେନାମାନଙ୍କର ବିଦ୍ରୋହକୁ ମଧ୍ୟ କ୍ରମଶଃ ସ୍ୱାଧୀନତା ସଂଗ୍ରାମ ଭାବରେ ସ୍ୱୀକୃତି ଦିଆଯାଉଛି ।

ଭାରତରେ ୧୯୨୦ରେ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ ଏବଂ ୧୯୪୨ର ଭାରତଛାଡ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି । ଏ ବିଷୟରେ ବହୁତ ଚର୍ଚ୍ଚା ହେଇଛି । କିନ୍ତୁ ୧୯୪୬ର ବ୍ରିଟିଶ୍‍ ନୌବାହିନୀରେ ଥିବା ଭାରତୀୟ ମାନଙ୍କର ବିଦ୍ରୋହକୁ ଇତିହାସରେ ବିଶେଷ ସ୍ଥାନ ମିଳିନାହିଁ । ଏହି ପୁସ୍ତକରେ ପ୍ରମୋଦ କପୁର ଇତିହାସର ପାଦଟୀକାରେ କେଉଁଠି ରହିଯାଇଥିବା ଏଇ ବିଷୟଟି ଉପରେ ଆଲୋକପାତ କରିଛନ୍ତି ।

ରୟାଲ ଇଣ୍ଡିଆନ ନେଭି (ଆର ଆଇଏନ)ରେ ଯେଉଁ ଭାରତୀୟ ସେନାମାନେ ଥିଲେ ସେମାନଙ୍କ ଭିତରୁ ଅତ୍ୟନ୍ତ କମ୍‍ ବୟସର ଏପରିକି ୧୬ ବର୍ଷ ବୟସର ପିଲା ମଧ୍ୟ ସାମିଲ ଥିଲେ । ସେମାନଙ୍କୁ ଚାକିରି ଦେଲାବେଳେ ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହା ବ୍ରିଟିସ୍‍ ପ୍ରଶାସନ ପୂରଣ କରି ନଥିବାରୁ ସେମାନେ ବିଦ୍ରୋହ କରିଥିଲେ । ସେମାନଙ୍କୁ ଅମାନୁଷିକ ଅବସ୍ଥାରେ ରଖା ଯାଉଥିଲା, ନିକୃଷ୍ଟ ଧରଣର ଖାଦ୍ୟ ଦିଆ ଯାଉଥିଲା ଏବଂ ତା ସହିତ ଥିଲା ଉତ୍କଟ ରେସିଆଲ ଡିସକ୍ରିମିନେସନ ବା ବର୍ଣ୍ଣ ବୈଷମ୍ୟ । ଏ ସବୁ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ଏଥିରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଆଙ୍ଗିକ ମଧ୍ୟ ରହିଛି । ତାହା ହେଲା ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କ ସ୍ଥିତି ଓ ସାମାଜିକ ମାନ୍ୟତା । ସେମାନେ ବ୍ରିଟିଶ ସେନାବାହିନୀରେ ଥିଲେ, ଯୁଦ୍ଧବନ୍ଦୀ ଭାବରେ ଥିଲେ ଏବଂ ସେଠି ସୁବାଷ ଚନ୍ଦ୍ର ବୋଷ ସେମାନଙ୍କୁ ଆଜାଦ ହିନ୍ଦ ଫୌଜରେ ଯୋଗଦାନ ପ୍ରୋତ୍ସାହିତ କଲେ । ସେମାନଙ୍କୁ ସାରା ଦେଶ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦେଲା । ଏଥିରେ ନୌସେନାରେ ସାମିଲ ଭାରତୀୟମାନେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ ।

ଆଇ ଏନ ଏ ପରାଜିତ ହେବାପରେ ସେମାନଙ୍କର ଅଧିକାରୀ ଏବଂ ସେନା ବାହିନୀ ଯେଉଁମାନେ ଧରାପଡିଲେ ସେମାନଙ୍କର ଲାଲକିଲ୍ଲାରେ ବିଚାର ହେଲା ଏବଂ ସେ ବିଚାର ମଧ୍ୟ ଆର ଆଇ ଏନ ରେ ବିଦ୍ରୋହର ଇନ୍ଧନ ଯୋଗାଇଥିଲା । ଏଠି ଆଉ ଗୋଟିଏ କଥା ହେଉଛିଯେ ରୟାଲ ଇଣ୍ଡିଆନ ନେଭିରେ ତଳତଳିଆ କର୍ମଚାରୀମାନେ ଏ ବିଦ୍ରୋହରେ ଅଧିକ ଅଂଶ ଗ୍ରହଣ କରିଥିଲେ । ଅଧିକାରୀମାନେ ଏ ବିଦ୍ରୋହରେ ଅଂଶ ଗ୍ରହଣ କରିନଥିଲେ । ସେମାନେ ନୌସେନା ପ୍ରତି ପ୍ରତିବଦ୍ଧ ଥିଲେ । ପରବର୍ତ୍ତୀ ସମୟରେ ବିଦ୍ରୋହକୁ ସଂପୁର୍ଣ୍ଣ ଭାବରେ ତଳିଆ ସେନାମାନେହିଁ ପରିଚାଳନା କରୁଥିଲେ ।

ଏ ବିଦ୍ରୋହ ବଡ ଦୃତ ବେଗରେ ବ୍ୟାପିଥିଲା । ବିଦ୍ରୋହ ଆରମ୍ଭର ୪୮ଘଣ୍ଟା ଭିତରେ ୨୦୦୦୦ ସେନା ୨୦ରୁ ଉର୍ଦ୍ଧ ନୌସେନାର ଜାହାଜ ଏବଂ ଉପକୂଳରେ ଥିବା ତାଙ୍କର ଏଷ୍ଟାବ୍ଲିସମେଣ୍ଟକୁ ଅଧିକାର କରିନେଇଥିଲେ ଏବଂ ଦାବୀପତ୍ର ମଧ୍ୟ ଦେଇଥିଲେ । ସ୍ଥଳ ବାହିନୀ ଏବଂ ବାୟୁସେନାରେ ଥିବା ତାଙ୍କର ସହକର୍ମୀମାନେ ମଧ୍ୟ ଏଥିରେ ଯୋଗଦେବାପାଇଁ ଆଗଭର ହୋଇଥିଲେ । ଏମାନଙ୍କ ପ୍ରତି ସାଧାରଣରେ ସହାନୁଭୂତି ମଧ୍ୟ ଥିଲା ।

ତେବେ ସେ ସମୟର ଅଧିକାଂଶ ବରିଷ୍ଠ ରାଜନୈତିକ ନେତାମାନେ ଏ ବିଦ୍ରୋହ ଏବଂ ବିଦ୍ରୋହୀଙ୍କୁ ବିରୋଧ କରିଥିଲେ, ସମାଲୋଚନା କରିଥିଲେ ତାଙ୍କର କାର୍ଯ୍ୟକଳାପକୁ ନାପସନ୍ଦ କରିଥିଲେ । ତେବେ ସେ ସମୟର ତରୁଣ କଂଗ୍ରେସ ନେତା ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଆଚାର୍ଯ୍ୟ ନଦେନ୍ଦ୍ର ଦେବ୍‍, ଅରୁଣା ଆସଫ ଅଲ୍ଲୀ ଏମାନେ ବିଦ୍ରୋହକୁ ସମର୍ଥନ କରିଥିଲେ । କିନ୍ତୁ କଂଗ୍ରେସ ଓ ମୁସଲିମ ଲିଗ୍‍ର ତୁଙ୍ଗନେତାମାନେ ଏ ବିଦ୍ରୋହକୁ ଆଦୌ ସମର୍ଥନ କରିନଥିଲେ । ବ୍ରିଟିଶ ସରକାରଙ୍କ ଭଳି ସର୍ଦ୍ଦାର ପଟେଲ ଏବଂ ଜବାହାରଲାଲ ନେହେରୁ ମଧ୍ୟ ଏ ବିଦ୍ରୋହୀ ମାନଙ୍କର କାର୍ଯ୍ୟକଳାପକୁ ପସନ୍ଦ କରିନଥିଲେ । ପଟେଲ ତ ଗୋଟେ ସମୟରେ ଏଇ ସେନାମାନଙ୍କର ବିଦ୍ରୋହ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ: ନଥିଙ୍ଗ୍‍ ବଟ୍‍ ହୁଲିଗାନାଜିମ୍‍ ବା ଇଏ କେବଳ ଗୁଣ୍ଡାମି । ମହାତ୍ମା ଗାନ୍ଧୀ ତାଙ୍କର ଅହିଂସା ନୀତିରେ ସ୍ଥିରଥିଲେ ଏବଂ ପ୍ରକାଶ୍ୟରେ ବିଦ୍ରୋହୀ ସେନାମାନଙ୍କର ସମାଲୋଚନା କରିଥିଲେ । ଏହାକୁ ନେଇ ଅରୁଣା ଆସଫ ଅଲ୍ଲୀଙ୍କ ସହିତ ସାଧାରଣରେ ତାଙ୍କର ବଡ ବିତର୍କ ହୋଇଥିଲା ।

ଏ ବିଦ୍ରୋହ ବେଶୀଦିନ ଚାଲିନଥିଲା । ତେବେ ସେଇ ଅଳ୍ପ ସମୟର ବିଦ୍ରୋହ ଭିତରେ ବମ୍ବେ, କରାଚୀରେ ରାସ୍ତାରେ ଯୁଦ୍ଧ ହେଇଥିଲା । ଆଉ ସେ ସମୟରେ ଗୋରା ବାହିନୀକୁ ଏ ବିଦ୍ରୋହକୁ ଦମନ କରିବା ପାଇଁ ଡକା ହୋଇଥିଲା । କାରଣ ସେତେବେଳେ ଭାରତୀୟ ସେନାମାନେ ତାଙ୍କର ସହକର୍ମୀ ମାନଙ୍କ ଉପରେ ଗୁଳି ଚଳେଇବାପାଇଁ ଅନିଛା ପ୍ରକାଶ କରିଥିଲେ ।
ବିଦ୍ରୋହ ବେଶିଦିନ ଚାଲି ନଥିଲା କିନ୍ତୁ ଏହାପରେ ବ୍ରିଟିଶ୍‍ ପ୍ରଶାସନ ବୁଝି ପାରିଥିଲେଯେ ଭାରତୀୟ ସେନାମାନଙ୍କୁ ଯେମିତି ଭାବରେ ୧୦୦ ବର୍ଷ ଧରି କାମରେ ଲଗାଯାଉଥିଲା ତାହା ଆଉ କରିହେବ ନାହିଁ । ସାରା ପୃଥିବୀରେ ବ୍ରିଟିଶ୍‍ ସାମ୍ରାଜ୍ୟବାଦ ସ୍ଥାପନ ବିସ୍ତାର ଏବଂ ତାର ରକ୍ଷଣରେ ଭାରତୀୟ ସେନାର ଗୋଟେ ବଡ ଭୂମିକା ରହିଛି । କିନ୍ତୁ ଏଇ ନୋø ବିଦ୍ରୋହ ସମୟରେ ଜଣାପଡିଲା ଯେ ଇଏ ଆଉ ହେଇପାରିବନି । ତେଣୁ ଭାରତକୁ ଏବେ ସ୍ୱାଧୀନ କରିବାକୁ ପଡିବ ।

ଭାରତକୁ ସ୍ଵାଧୀନ କରିବାର ପ୍ରକ୍ରିୟାଟିକୁ ଦୃତ କରିବାରେ ଏହି ନୌ-ବିଦ୍ରୋହ ଏକ ବଡ ଭୂମିକା ଗ୍ରହଣ କରିଥିଲା । ଏ ବିଦ୍ରୋହର ଦେଢ଼ବର୍ଷ ଭିତରେ ଭାରତ ସ୍ୱାଧୀନତା ପାଇଥିଲା ।

ଭାରତର ସ୍ଵାଧୀନତା ସଂଗ୍ରାମରେ ଏକ ଅଳ୍ପ ଆଲୋଚିତ ଏ ଅଧ୍ୟାୟ ବିଷୟରେ ଜାଣିବା ପାଇଁ ଏ ବହିଟିକୁ ନିଶ୍ଚୟ ପଢ଼ନ୍ତୁ।

Related Posts

Leave a Reply

Your email address will not be published. Required fields are marked *