ସ୍ଵଭାବ କବିଙ୍କ ଜୀବନର ଏକ ସୁନ୍ଦର ରେଖାଚିତ୍ର

ବହି : ପିତୃ ପ୍ରସଙ୍ଗ – ଏ ବାଇଓଗ୍ରାଫିକାଲ ସ୍କେଚ୍‍ ଅଫ ଗଙ୍ଗାଧର ମେହେର
ମୂଳ ଓଡ଼ିଆ: ଭଗବାନ ବେହେରା
ମୁଳ ଓଡିଆରୁ ଇଂରାଜୀ ଅନୁବାଦ: ମାଲବିକା ପଟେଲ
ପ୍ରକାଶକ: ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ, ଭୁବନେଶ୍ଵର
ମୂଲ୍ୟ: ୨୦୦/- ପ୍ରଥମ ସଂସ୍କରଣ: ୨୦୨୦

‘ସ୍ଵଭାବ କବି’ ଗଙ୍ଗାଧର ମେହେର (୧୮୬୨-୧୯୨୪) ଓଡିଆ ସାହିତ୍ୟର ଇତିହାସରେ ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅବସ୍ଥାପିତ । ତାଙ୍କର କାବ୍ୟ କବିତା କିଚକ ବଧ, ତପସ୍ୱୀନି, ଓଡିଆ ସାହିତ୍ୟ ଏବଂ ସଂସ୍କୃତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରି ରହିଛି । ଓଡିଆ ଜାତୀୟତାବାଦର ସ୍ଫୁରଣରେ ମଧ୍ୟ ଗଙ୍ଗାଧର ମେହେରଙ୍କର ଏକ ବଡ ଅବଦାନ ଏବଂ ଭୂମିକା ରହିଛି ।
ଗଙ୍ଗାଧର ମେହେରଙ୍କ ସାନପୁଅ ଭଗବାନ ମେହେର ପିତୃ ପ୍ରସଙ୍ଗ ଶୀର୍ଷକରେ ସ୍ଵଭାବ କବିଙ୍କ ଜୀବନୀ ଲେଖିଛନ୍ତି । ମୂଳ ଓଡିଆରୁ ତାହାକୁ ଇଂରାଜୀକୁ ଅନୁବାଦ କରିଛନ୍ତି ମାଳବିକା ପଟେଲ ।

ଗଙ୍ଗାଧର ମେହେରଙ୍କର ବଡପୁଅ ଅର୍ଜୁନ ମେହେରଙ୍କର କମ ବୟସରେ ଦେହାନ୍ତ ହୋଇଥିଲା । ମାତ୍ର ବାର ତେର ବର୍ଷ ବୟସର ହୋଇଥିଲେ ସେ ସେତେବେଳେ । ଭଗବାନ ମେହେର ତାଙ୍କ ମାକୁ ବି ବହୁତ କମ୍‍ ବୟସରେ ହରେଇଛନ୍ତି । ମା ଚାଲିଗଲାବେଳେ ତାଙ୍କ ବୟସ ଛ ବର୍ଷ । ତେଣୁ ବାପାଙ୍କ ସହିତ ତାଙ୍କର ସାନିଧ୍ୟ ଅଧିକ । ରହଣି ବି ଦୀର୍ଘ ବର୍ଷର । ବାପାଙ୍କ ସହିତ ତାଙ୍କର ସଂପର୍କ ବନ୍ଧୁ ଭଳିଆ ଥିଲା । ବାପାଙ୍କର ଲେଖା କାବ୍ୟ କବିତାକୁ ଭଗବାନ ମେହେର ଖୁବ୍‍ ପସନ୍ଦ କରୁଥିଲେ । ଭଲ ପାଉଥିଲେ । ଗଙ୍ଗାଧର ମେହେରଙ୍କର ଲେଖାର ଅନେକ ଲେଖାର ପ୍ରଥମ ପାଠକ ମଧ୍ୟ ସିଏ ଥିଲେ । ଆଉ ଗଙ୍ଗାଧର ମେହେର ଯାହା ଲେଖୁଥିଲେ କାଗଜରେ ଲେଖନ୍ତୁ ବା ସିଲଟରେ ଲେଖନ୍ତୁ – ତାକୁ ଭଗବାନ ମେହେର କପିକରି ସଂରକ୍ଷଣ କରିରଖୁଥିଲେ ।

ତେଣୁ ପରବର୍ତ୍ତୀ ସମୟରେ ଭଗବାନ ମେହେର ଯେ ଲେଖିବେ ଗଙ୍ଗାଧର ମେହେରଙ୍କ ଜୀବନୀ ଲେଖିବେ- ଏହା ଥିଲା ସ୍ୱାଭାବିକ। ଓଡିଆ ଭାଷାରେ ପିତୃ ପ୍ରସଙ୍ଗ ନାଁରେ ଏ ପୁସ୍ତକଟି ପ୍ରକାଶିତ ହୋଇଥିଲା ୭୦ ଦଶକର ଶେଷ ଭାଗରେ।

ଏହା ଯେତେବେଳେ ଛପା ହେଉଥିଲା ସେତେବେଳେ ଭଗବାନ ମେହେରଙ୍କର ଦେହାନ୍ତ ହୁଏ । ତାଙ୍କ ଦେହାନ୍ତ ହୋଇଥିଲା ୧୯୭୭ ଡିସେମ୍ବର ୨୦ ତାରିଖରେ । ତେଣୁ ପିତୃ ପ୍ରସଙ୍ଗ ବହିଟିକୁ ସମ୍ପୂର୍ଣ୍ଣ ଛାପା ଅବସ୍ଥାରେ ସେ ଦେଖିକି ଯାଇ ପାରି ନାହାନ୍ତି । ତାଙ୍କ ଦେହାନ୍ତ ପରେ ଏ ପୁସ୍ତକ ପ୍ରକାଶିତ ହେଇଥିଲା । ତାର ବେଶ କିଛି ବର୍ଷ ପରେ ମାଳବିକା ପଟେଲ ତା ଇଂରାଜୀ ଅନୁବାଦ କଲେ । ଅନୁବାଦିକା ଭାବରେ ମାଳବିକା ପଟେଲ ଓଡିଶାରେ ବେଶ ପରିଚିତ । ୨୦୨୦ରେ କୃପାସାଗର ସାହୁଙ୍କର ଉପନ୍ୟାସ ‘ଶେଷ ଶରତ’ର ଇଂରାଜୀ ଅନୁବାଦ ‘ଚିଲିକା- ଏ ଲଭଷ୍ଟୋରୀ’ ପାଇଁ ସେ ଓଡିଶା ସାହିତ୍ୟ ଆକାଡେମି ପୁରଷ୍କାର ଲାଭ କରନ୍ତି । ତା ପରେ ମଧ୍ୟ ସେ ବେଶ୍‍ କେତେଗୁଡିଏ ଓଡିଆ ପୁସ୍ତକ ଗଳ୍ପ ସଂକଳନକୁ ଇଂରାଜୀରେ ଅନୁବାଦ କରିଛନ୍ତି ।

‘ପିତୃ ପ୍ରସଙ୍ଗ’ ବହିଟି ଆରମ୍ଭ ହୋଇଛି ବରାଇପାଲିର ସଂକ୍ଷିପ୍ତ ଇତିହାସରୁ । ବ୍ରିଫ ହିଷ୍ଟ୍ରି ଆଣ୍ଡ କଣ୍ଡିସନ ଅଫ ବରାଇପାଲି । ବରେଇପାଲିର ତତ୍‍କାଳିନ ଅର୍ଥନୈତିକ ଏବଂ ସାମାଜିକ ସ୍ଥିତି କଥା ଏଥିରେ ବର୍ଣ୍ଣନା କରାଯାଇଛି । ପରବର୍ତ୍ତୀ ଅଧ୍ୟାୟରେ ସେ ଅଞ୍ଚଳର ତନ୍ତୀ ଜାତିର ଇତିହାସ କିଛିଟା ବର୍ଣ୍ଣନା କରାଯାଇଛି । ତାପରେ ଗଙ୍ଗାଧର ମେହେରଙ୍କର ବଂଶକଥା ତାର ଇତିହାସ ବର୍ଣ୍ଣନା ରହିଛି । ତାଙ୍କର ଜନ୍ମ, ଶିକ୍ଷା, ଚାକିରୀ ବାକିରୀ ଇତ୍ୟାଦି ବିଷୟରେ ବର୍ଣ୍ଣନା ରହିଛି । ଏ ବର୍ଣ୍ଣନା ରେ ବିଶଦ ଭାବରେ ରହିଛି । ତାପରେ ଗଙ୍ଗାଧରଙ୍କ ଜୀବନୋ ଆସିଥିବା ସେ ସମୟର ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ତାଙ୍କ ଜୀବନର ପ୍ରବହରକୁ ଲିପିବଦ୍ଧ କରାଯାଇଛି । ଉତ୍କଳ ସମ୍ମିଳନୀ ସହିତ ତାଙ୍କର ସମ୍ପର୍କ, ପାରିବାରିକ ବିପର୍ଯ୍ୟୟ, ଘନିଷ୍ଠ ଜନଙ୍କର ମୃତ୍ୟୁ, ସେ ସମୟରେ କେତେକ ବିଶେଷ ଘଟଣାରେ ତାଙ୍କର ସମ୍ପୃୃକ୍ତି ଏ ସବୁ ବିଷୟରେ ଉଲ୍ଲେଖ ରହିଛି ।

ଏ ପୁସ୍ତକରେ ଗଙ୍ଗାଧର ମେହେରଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଯେଉଁ ଚିଠି ପତ୍ର ଲେଖିଥିଲେ ସେଥିରୁ କିଛି ଚିଠି ମଧ୍ୟ ରଖାଯାଇଛି । ଯେମିତି ରାଧାନାଥ ରାୟ, ଫକୀର ମୋହନ ସେନାପତ. ନନ୍ଦ କିଶୋର ବଳ, ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ବ୍ୟକ୍ତିତ୍ୱମାନେ ତାଙ୍କୁ ଯେଉଁ ଚିଠି ଲେଖିଥିଲେ ସେ ଗୁଡିକ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି । ତାଙ୍କ ଜୀବନର ବେଶ୍‍ କିଛି ଘଟଣା ଯାହା ସାଧାରଣଲୋକ ଜାଣିବା ସମ୍ଭବ ନୁହେଁ ସେକଥା ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି ।
ମାଳବିକା ପଟେଲଙ୍କର ଅନୁବାଦ ଚମତ୍କାର । ବେଶ ସାବଲୀଳ ଏବଂ ସୁଖପାଠ୍ୟଭାବେ ବହିଟି ଅନୁଦିତ ହୋଇଛି । ଅତ୍ୟନ୍ତ ସୁଖପାଠ୍ୟ ବହି ।

ଗଙ୍ଗାଧର ମେହେରଙ୍କ ଜୀବନ, କୃତୀ ଓ ତାଙ୍କ ସମସାମୟିକ ଲେଖକ କବିମାନଙ୍କ ସହିତ ତାଙ୍କର ସଂପର୍କ ବିଷୟରେ ଜାଣିବାରେ ଏବଂ ଓଡିଆ ଜାତୀୟତାବାଦର ଉନ୍ମେଷରେ ସେ କେମିତି ଭାଗ ନେଇଥିଲେ ସେ ବିଷୟରେ ଜାଣିବାରେ ଏ ପୁସ୍ତକଟି ବେଶ ସହାୟକ ହେବ । ସର୍ବଭାରତୀୟ ସ୍ତରରେ ଗଙ୍ଗାଧର ମେହେର ବିଦ୍‍ଗଧ ମଣ୍ଡଳୀରେ ପରିଚିତ । କିନ୍ତୁ ତାଙ୍କୁ ଆହୁରି ପରିଚିତ କରେଇବା ପାଇଁ ଇଂରାଜୀ ଭାଷାରେ ଏଭଳି ଏକ ପୁସ୍ତକର ଆବଶ୍ୟକତା ଥିଲା । ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ଏ ଆବଶ୍ୟକୀୟ କାର୍ଯ୍ୟଟି କରିଥିବାରୁ ସେମାନେ ଭାବରେ ଧନ୍ୟବାଦର ପାତ୍ର ।

+++

Related Posts

Leave a Reply

Your email address will not be published. Required fields are marked *