ଏକ ଐତିହାସିକ ବିଡ଼ମ୍ବନାର କରୁଣ କାହାଣୀ

ବହି: ବର୍ଣ୍ଣ ଇନ୍‍ ବ୍ଲାକ୍‍ନେସ୍‍: ଆଫ୍ରିକା, ଆଫ୍ରିକାନ୍ସ ଆଣ୍ଡ ଦି ମେକିଂ ଅଫ୍‍ ମଡର୍ଣ୍ଣ ୱାର୍ଲ୍ଡ, ୧୪୭୧ ଟୁ ଦି ସେକେଣ୍ଡ ୱାର୍ଲ୍ଡ ୱାର୍‍
ଲେଖକ: ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍
ପ୍ରକାଶକ: ଲିଭରାଇଟ୍‍, ପୃଷ୍ଠା: ୪୯୯

ବର୍ତ୍ତମାନ ଆଫ୍ରିକା ମହାଦେଶର ଅନେକ ଦେଶ ଉନ୍ନତ ଦେଶମାନଙ୍କ ତାଲିକାରେ ସବା ପଛ ଧାଡ଼ିରେ ଅଛନ୍ତି । ସେଠି କ୍ଷୁଧା ଅଧିକ, କ୍ଷୁଧାରେ ଆଉଟୁପାଉଟୁ ହେଉଥିବା ଲୋକ ଅଧିକ, ଦାରିଦ୍ର୍ଯରେ ଶଢୁଥିବା ଲୋକ ଅଧିକ ଏବଂ ବିଡ଼ମ୍ବନା ହେଲା, ଗୃହ ଯୁଦ୍ଧ, ହିଂସାକାଣ୍ଡ, ଧାର୍ମିକ କାରଣରୁ ହିଂସାକାଣ୍ଡ, ଜାତିଗତ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ଏସବୁ ଅଧିକ ।
ବର୍ତ୍ତମାନ ଅବସ୍ଥାରେ ଏକଥା ହୁଏତ ଆଦୌ ବିଶ୍ୱାସ କରିହେବ ନାହିଁ ଯେ, ପୃଥିବୀରେ ଆଧୁନିକତାର ଉନ୍ମେଷରେ ଆଫ୍ରିକାର ସବୁଠାରୁ ବଡ଼ ଭୂମିକା ଥିଲା । ଏ ପୁସ୍ତକରେ ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍ ସେଇ କଥା ହିଁ ବିଭିନ୍ନ ଯୁକ୍ତି, ତଥ୍ୟ ଓ ପ୍ରମାଣ ସହିତ କହିବା ପାଇଁ ଚେଷ୍ଟା କରିଛନ୍ତି ।

ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍ ଦୀର୍ଘବର୍ଷ ଧରି ‘ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ଆଫ୍ରିକାରେ ସାମ୍ବାଦିକ ଥିଲେ । ତାଙ୍କର ଏ ପୁସ୍ତକଟି ବାସ୍ତବରେ ପୃଥିବୀରେ ଆଧୁନିକତାର ଉନ୍ମେଷକୁ ଏକ ନୂଆ ପରିପ୍ରେକ୍ଷୀରେ ଦେଖାଏ ।

ଅନେକେ ନୂତନ ଆଧୁନିକ ପୃଥିବୀର ପଥିକୃତ ଭାବରେ ମାନ୍ୟତା ଦିଅନ୍ତି ସ୍ପେନ୍‍କୁ, କେତେକେ ଇଂଲଣ୍ଡ କିମ୍ବା ଜର୍ମାନୀକୁ ମାନ୍ୟତା ଦିଅନ୍ତି; କିନ୍ତୁ ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍ ଏ ମାନ୍ୟତା ଦିଅନ୍ତି ପର୍ତ୍ତୁଗାଲ୍‍କୁ । ଏବଂ ଏ ଆଧୁନିକତାର ଉନ୍ମେଷର ପ୍ରଧାନ କାରଣ ବୋଲି ଭାବନ୍ତି ଆଫ୍ରିକାରୁ ଅଣାଯାଉଥିବା ହଜାର ହଜାର କ୍ରୀତବାସମାନଙ୍କୁ । ଯେଉଁମାନଙ୍କୁ ଆଫ୍ରିକାରୁ ଜୋର୍‍ ଜବରଦସ୍ତି ଅଣାଯାଉଥିଲା ଆଉ ଅତ୍ୟନ୍ତ ଅମାନବିକ ଭାବେ ସେମାନଙ୍‍କ ଦ୍ୱାରା ଚାଷବାସଠୁଁ, ବୃକ୍ଷରୋପଣ (ପ୍ଲାଣ୍ଟେସନ୍‍)ଠୁଁ ଅନ୍ୟାନ୍ୟ ଯେତେ କାୟିକ ଶ୍ରମ ତାକୁ କରାଯାଉଥିଲା । ବିନିମୟରେ ତାଙ୍କୁ ଦିଆଯାଉଥିଲା କେବଳ ବଞ୍ଚିରହିବା ପାଇଁ ଦି’ ଓଳିର ଖାଦ୍ୟ ଏବଂ ମୃତ୍ୟୁ ପରେ ସ୍ଵର୍ଗଧାମରେ ଏକ ସୁନ୍ଦର ଜାଗାର ପ୍ରତିଶ୍ରୁତି ।

ଏ ସମ୍ପୂର୍ଣ୍ଣ ପ୍ରକ୍ରିୟା ଆରମ୍ଭ ହୁଏ ୧୪୪୪ରେ । ଯେତେବେଳେ ଦକ୍ଷିଣ ପର୍ତ୍ତୁଗାଲ୍‍ର ଲାଗୋସ୍‍ର ଲୋକମାନେ ସମୁଦ୍ର କୂଳରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ପ୍ରାୟ ୨୩୫ ଜଣ ଆଫ୍ରିକାର କଳା ଲୋକଙ୍କୁ ବନ୍ଦୀ କରି ଘୋଷାଡ଼ି ଘୋଷାଡ଼ି ଜାହାଜରୁ ତଳକୁ ଓହ୍ଲାଗଲା । ମା’ଠୁଁ ଛୁଆକୁ ଅଲଗା କରାଗଲା, ବଡ଼ମାନଙ୍କୁ ଅଲଗା କରାଗଲା । କ୍ରୀତଦାସମାନଙ୍କର କିଣାବିକାର ବଜାର ଖୋଲିଲା । ଆଉ ତା’ର ତଦାରଖ କରୁଥିଲେ ପର୍ତ୍ତୁଗାଲ୍‍ର ପ୍ରିନ୍ସ ହେନେରୀ । ତାଙ୍କୁ ଇତିହାସ ଦି ନେଭିଗେଟର ଭାବେ ଜାଣେ ।

ପର୍ତ୍ତୁଗାଲ୍‍ ଯେଉଁ କାର୍ଯ୍ୟ ଆରମ୍ଭ କଲା ଖୁବ୍‍ ଅଳ୍ପ ସମୟ ଭିତରେ ୟୁରୋପର ଅନ୍ୟାନ୍ୟ ଦେଶଗୁଡ଼ିକ ମଧ୍ୟ ସେଇ କାର୍ଯ୍ୟ କରିବା ପାଇଁ ଲାଗିଲେ । ତେବେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ କ୍ରୀତଦାସଙ୍କୁ ଆଣିବା ନଥିଲା । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଫ୍ରିକାର ଧନସମ୍ପଦକୁ ଲୁଣ୍ଠନ କରି ଆଣିବା । ସେଥିପାଇଁ ସେମାନେ ବାରମ୍ବାର ଆଫ୍ରିକାର ଦେଶଗୁଡ଼ିକୁ ଆକ୍ରମଣ କରିଛନ୍ତି, ସେଠି ଉପନିବେଶ ସ୍ଥାପନ କରିଛନ୍ତି । ତେବେ ପର୍ତ୍ତୁଗାଲ୍‍ ଯେଉଁ କ୍ରୀତଦାସ ପ୍ରଥାର ଆରମ୍ଭ କଲା, ଦୀର୍ଘ ବର୍ଷ ଧରି ସେ ପ୍ରଥା ଚାଲୁରହିଲା । ସେ ପ୍ରଥା ଦ୍ଵାରା ୟୁରୋପୀୟ ଦେଶଗୁଡ଼ିକ ଅତ୍ୟନ୍ତ ଲାଭବାନ ହେଲେ, କାରଣ କାୟିକ ଶ୍ରମ ପାଇଁ ସେମାନଙ୍କୁ କିଛି ଅର୍ଥ ବ୍ୟୟ କରିବା ପାଇଁ ପଡ଼ିଲା ନାହିଁ । ଏ କ୍ରୀତଦାସମାନେ ସାରା ଜୀବନ ଖଟିଚାଲିଲେ ତାଙ୍କ ପାଇଁ ।

ଆଫ୍ରିକାକୁ ତା’ର ଧନସମ୍ପତ୍ତି ପାଇଁ ଆକ୍ରମଣ କରିବାର ଆଇଡିଆ ଆସିଲା ୧୩୨୪ରେ ଯେତେବେଳେ ଆଫ୍ରିକାର ମାଲିର ସମ୍ରାଟ ମନ୍‍ସା ମୁସା ୧୩୨୪ରେ ମକ୍କା ଯିବା ପାଇଁ ବାହାରିଲେ । ତାଙ୍କ ସହିତ ଥିଲେ ୬୦ ହଜାର ଲୋକ । ଏବଂ ତାଙ୍କ ପାଖରେ ଥିଲା ଅମାପ ଧନସମ୍ପତ୍ତି । ପ୍ରଚୁର ସୁନା ଥିଲା ତାଙ୍କ ପାଖରେ । ବିଶେଷକରି ଏଇ ସୁନା ଲୋଭରେ ୟୁରୋପୀୟ ଦେଶଗୁଡ଼ିକ ଆଫ୍ରିକାକୁ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ପର୍ତ୍ତୁଗାଲ୍‍ ସୁନାଠୁଁ ବି ମୂଲ୍ୟବାନ ଦ୍ରବ୍ୟକୁ ଆବିଷ୍କାର କରିପକେଇଥିଲା । ଆଉ ତାହା ହେଲା ମାଗଣାରେ କାୟିକ ଶ୍ରମ । ଏବଂ ତାହା ପର୍ତ୍ତୁଗାଲ୍‍, ସ୍ପେନ୍‍, ବ୍ରାଜିଲ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କରେ ବି କ୍ରମଶଃ ସେମାନେ ଆଣିବା ପାଇଁ ଲାଗିଲେ । ଉପନିବେଶ ଯେଉଁମାନେ ସ୍ଥାପନ କଲେ ତାଙ୍କ ପାଇଁ ଏ ଥିଲା ଦୋହରା ଲାଭ । ଆଫ୍ରିକାର ଖଣିଜ ସମ୍ପତ୍ତି, ସୁନା ଏବଂ ତାଛଡ଼ା କ୍ରୀତଦାସ ।

ଗୋଟେ ହିସାବରେ ଜଣାଯାଏ ଯେ, ଏଇ କାଳଖଣ୍ଡ ଭିତରେ ପ୍ରାୟ କୋଟିଏ ୨୫ ଲକ୍ଷ କଳା ଲୋକଙ୍କୁ କ୍ରୀତଦାସ ଭାବରେ ୟୁରୋପୀୟ ଏବଂ ଆମେରିକୀୟ ଦେଶମାନଙ୍କୁ ଅଣାଯାଇଥିଲା ।

ଭାସ୍କୋଡ଼ାଗାମା ୧୪୯୮ରେ ଆଫ୍ରିକା କଡ଼ ଦେଇ ଭାରତ ପହଞ୍ଚିଥିଲେ । ତାଙ୍କର ଭାରତ ଆଗମନର ଉଦ୍ଦେଶ୍ୟ ମଧ୍ୟ ଥିଲା ଅର୍ଥ ଉପାର୍ଜନ । ସେତେବେଳେ ଚୀନ୍‍ ଏବଂ ଭାରତ ଅତ୍ୟନ୍ତ ଧନୀ ଦେଶ ବୋଲି ସେମାନଙ୍କର ବିଶ୍ୱାସ ଥିଲା । ବିଶେଷକରି ଭାରତରେ ମସଲା ବହୁତ ମିଳେ । ଏ ଖବର ୟୁରୋପୀୟ ଦେଶମାନଙ୍କରେ ପହଞ୍ଚିଥିଲା ଏବଂ ବିଶେଷକରି ଏଇଥିପାଇଁ ସେମାନେ ଏଠିକି ଆସିବାର ଚେଷ୍ଟା କରିଥିଲେ ।

ଲେଖକ ହାୱାର୍ଡ ଫ୍ରେଞ୍ଚ୍‍ଙ୍କ ମତରେ ପାଶ୍ଚାତ୍ୟ ଦୁନିଆକୁ ଅର୍ଥନୈତିକ ଭାବରେ ଆଗୁଆ କରିବା ପାଇଁ ଆଫ୍ରିକାର ଅବଦାନ ବହୁତ । ପ୍ଲାଣ୍ଟେସନ ଏଗ୍ରିକଲଚର୍‍ରୁ ଯଦି ଏହି ଲାଭ ଆରମ୍ଭ ହୁଏ ପରବର୍ତ୍ତୀ ସମୟରେ ଏହା ଡିଭିଜନ୍‍ ଅଫ୍‍ ଲେବର, ପ୍ରଡକ୍ଟିଭିଟି ମେଟ୍ରିକ୍ସ, ବଡ଼ ବଡ଼ କର୍ପୋରେଶନର ଆରମ୍ଭ, କମର୍ସିଆଲ କ୍ରେଡିଟ୍‍, ପୁଞ୍ଜିବାଦ, କଫି ହାଉସ୍‍ କଲଚର୍‍, ପଲିଟିକାଲ ଏନ୍‍ଗେଜ୍‍ମେଣ୍ଟ ଆଣ୍ଡ ପ୍ଲୁରାଲିଜିମ ଏବଂ ପରବର୍ତ୍ତୀ ସମୟରେ ଶିଳ୍ପ ବିପ୍ଳବକୁ ମଧ୍ୟ ବାଟ କଡ଼େଇ ନେଇଥିଲା । ଏ ହେଉଛି ହାୱାର୍ଡ ଫ୍ରେଞ୍ଚ୍‍ଙ୍କର ଯୁକ୍ତି ।

ଏ କାଳଖଣ୍ଡ ଭିତରେ ବେଶ୍‍ କେଇ ଥର ଆଫ୍ରିକାର କ୍ରୀତଦାସମାନେ ବିଦ୍ରୋହ କରିବାର ଚେଷ୍ଟା କରିଛନ୍ତି । ହାଇତିରେ ବିପ୍ଳବ ବି ହେଇଛି ।

ଉନବିଂଶ ଶତାବ୍ଦୀ ଆରମ୍ଭରେ ରାଜନୀତିଜ୍ଞମାନଙ୍କ ବିବେକ ବୋଧରୁ ହେଉ ବା ଜନଚାପରୁ ହେଉ ଏ କ୍ରୀତଦାସ ପ୍ରଥା କ୍ରମଶଃ ବନ୍ଦ ହେଲା । ବ୍ରିଟେନ୍‍ରେ ଏହା ବନ୍ଦ ହେଲା ୧୮୦୭ରେ । ଆମେରିକାରେ ୧୮୦୮ରେ । ସେ ସମୟରେ ବି ଆଫ୍ରିକା ପୂରାପୂରି ତମସାଚ୍ଛନ୍ନ ବନ୍ୟ ଲୋକମାନଙ୍କର ମହାଦେଶ ହେଇ ନଥିଲା । ହାୱାର୍ଡ ଫ୍ରେଞ୍ଚ୍‍ କହନ୍ତି ଯେ, ସେଠିକାର ଅନେକ ଦେଶରେ ବେଶ୍‍ ଉନ୍ନତ ସଭ୍ୟତା ଥିଲା; ଯେଉଁଠି ଉନ୍ନତ କଳା, ସଂସ୍କୃତି ବି ଥିଲା । ପ୍ରଶାସନିକ ଏବଂ ବିଚାର ବ୍ୟବସ୍ଥା ଥିଲା । କିନ୍ତୁ ଇଉରୋପୀୟ ଦେଶଗୁଡ଼ିକ ନିଜ ସ୍ଵାର୍ଥ ପାଇଁ ଆଫ୍ରିକାର ଦେଶଗୁଡ଼ିକ ଅଧିକାର କରିବାକୁ ଲାଗିଲେ । ୧୮୮୪-୮୫ରେ ବର୍ଲିନ୍‍ କନ୍‍ଫରେନ୍ସ୍‍ରେ ଏଇ ଉପନିବେଶବାଦୀମାନେ ସାରା ଆଫ୍ରିକାକୁ ତାଙ୍କ ମନଇଚ୍ଛାରେ ଭାଗ ଭାଗ କରିଦେଲେ । ୧୪ ଟି ଦେଶ ଏଥିରେ ଭାଗ ନେଇଥିଲେ । ହେଲେ ଏଥିରେ ଆଗୁଆ ଭୂମିକା ନେଇଥିଲେ ଫ୍ରାନ୍ସ, ବିଟେନ୍‍, ଜର୍ମାନୀ ଆଉ ପର୍ତ୍ତୁଗାଲ୍‍ । ଏମିତି ଯଥେଚ୍ଛ ଭାଗବାଣ୍ଟ ଫଳରେ ଏମିତି ସବୁ ଦେଶ ସୃଷ୍ଟି ହେଲା ଯାହା ଭିତରେ ଅନେକ ବିଭେଦ ଓ ବିବାଦ । ସେ ବିବାଦ ଏବେ ବି ଚାଲୁରହିଛି ।

ହାୱାର୍ଡ ଡବ୍ଲ୍ୟୁ ଫ୍ରେଞ୍ଚ୍‍ ଆଫ୍ରିକାର ଦେଶମାନଙ୍କ ଭିତରେ ଯେଉଁ ଶାସକମାନେ ଥିଲେ ସେମାନଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେମାନଙ୍କ ଭିତରେ ଅନେକ ଲୋଭୀ ଏବଂ ଖଳ ପ୍ରକୃତିର ଶାସକ ମଧ୍ୟ ଥିଲେ । ଯେଉଁମାନେ ବ୍ୟକ୍ତିଗତ ସ୍ଵାର୍ଥରେ ବୃହତ୍ତର ସ୍ଵାର୍ଥକୁ ବଳି ପକେଇ ଦେଉଥିଲେ । ଯେଉଁମାନେ କ୍ରୀତଦାସ ପ୍ରଥାକୁ ପ୍ରକାରାନ୍ତରେ ପ୍ରୋତ୍ସାହନ ଦେଉଥିଲେ ନିଜର ସ୍ଵାର୍ଥ ପାଇଁ । କାରଣ ସେମାନେ ବାହାରେ ତିଆରି ହେଉଥିବା ସିଲ୍କ, ପାଲିଙ୍କି, ବନ୍ଧୁକ ଏବଂ ବ୍ରାଜିଲରେ ତିଆରି ହେଉଥିବା ରମ୍‍କୁ ଅତ୍ୟଧିକ ଭଲ ପାଉଥିଲେ ।

ଆଫ୍ରିକାର ବିଡ଼ମ୍ବନା ହେଲା ଯେଉଁ ମହାଦେଶ ଗୋଟେ ସମୟରେ ନୂତନ ସଭ୍ୟତାର ସୃଷ୍ଟିରେ ଏକ ବିରାଟ ଭୂମିକା ଗ୍ରହଣ କରିଛି ସେ ମହାଦେଶଟିର ଅଧିକାଂଶ ଦେଶର ଅବସ୍ଥା ଏବେ ଭଲ ନୁହଁ । ହିଂସା, କ୍ଷୁଧା, ଦାରିଦ୍ର୍ଯ ସେମାନଙ୍କର ଚିରସାଥୀ ହେଇଯାଇଛନ୍ତି । ଏ ପୁସ୍ତକରେ ସେ ବିଡ଼ମ୍ବନାର କରୁଣ ଚିତ୍ର ପାଠକ ପାଇପାରିବେ ।

+++

Related Posts

Leave a Reply

Your email address will not be published. Required fields are marked *