ଫକୀରମୋହନ ସେନାପତି
ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ? ଗାଁମୁଣ୍ଡ ଦି’ମାଣ ଜମି ଛାଡି଼ ପଦା ଡିହରେ ଗୋଟିଏ ପଲାଘର । ଜାତିରେ ତ କଣ୍ଡରା- ଚୌକିଆ ବାପୁଡ଼ା ବୋଲି ପୁଞ୍ଜି ନାହିଁ । ହେଲେ, ଗାଁ ଲୋକେ ତାକୁ ମାନନ୍ତି । ସେ ଆଉ ଗାଁ ଚୌକିଆ ପରି ନୁହେଁ । ଚିତାଏ ଉଞ୍ଚା ମୂଳିବାଉଁଶ ଠେଙ୍ଗାଟାଏ କାନ୍ଧରେ ପକାଇ ‘ଏ ରାମ ପଇଡ଼େ- ଜାଗତା, ଏ ନାଇକ ଘର- ହୁସିଆର’, ଏହିପରି ଡାକି ଡାକି ଦୁଆର ଦୁଆର ରାତିସାରା ବୁଲୁଥିବ । ବିଦିଆ ପାତ୍ର ଚୌକିଦାରୀ କଲା ଦିନରୁ ଗାଁରେ କାହାରି ଘର ପିଢ଼ାରୁ ପୋଇଡଙ୍କଟାଏ ବି ଚୋରି ଯାଇନାହିଁ । କଥା କ’ଣ କି, ମଫସଲ ଗାଁରେ ଚୋରମାନେ ଚୌକିଆ ଓର ନ ଧରିଲେ ଗାଁ ଭିତରେ ପଶିପାରନ୍ତି ନାହିଁ । ଏଥିଲାଗି ଚୋରଯାକ ଭରସି ଭୁଷଣ୍ଡପୁର ଗାଁ ମୁହାଁ ହୋଇପାରନ୍ତି ନାହିଁ ।
ବିଦିଆର ବର୍ତ୍ତମାନ ମାଣେ ଦିଗବାରି ଜାଗିରି । ତା’ ବାଦ ଫସଲ ଅମଳ ବେଳେ ଗାଁର ସାନ ବଡ଼ ସମସ୍ତେ ବିଲମୁଣ୍ଡରେ ତାକୁ ଗୋଟାଏ ଗୋଟାଏ କଳେଇ ଦିଅନ୍ତି । ପାତ୍ର ପୁଅ ସବୁବେଳେ ମନ ଆନନ୍ଦରେ ଥାଏ, ସବୁବେଳେ ହରେକୃଷ୍ଣ ହରେକୃଷ୍ଣ ଭଜୁଥାଏ । ଥିଲା ନ ଥିଲାକୁ ତା’ର ଶୋଚନା ନାହିଁ । ଘରେ ଅଛି, ଖାଇଲା- ନାହିଁ, ଉପାସ ରହିଲା । ଜୀବନଟାଯାକ କାହାରିକୁ କିଛି ମାଗିନାହିଁ, କାହାରି ଦୁଆରେ ଆଦୁର୍ଯ୍ୟା ହୋଇନାହିଁ । କିଛି ଦୁଃଖରେ ପଡ଼ିଲେ ହାତ ଯୋଡି଼ ଉପରକୁ ଅନାଇ ଜଣାଏ, ‘ହରି ତୋ ମରଜି!’
ବୁଢ଼ୀଟି ମଲା ଦିନୁରୁ ବିଦିଆ ପାତ୍ର ସଞ୍ଜ ସଞ୍ଜ ଚାରିଟା ଖାଇଦେଇ ପୁଅଟିକୁ ଧରି ଘରୁ ବାହାରିଯାଏ । ଭାଗବତ ଘର ଆଗ ପିଣ୍ଡାତଳେ ଖଣ୍ଡେ ଛିଣ୍ଡା ତାଟ ପାରିଦେଇ ପୁଅଟିକୁ ଶୋଇଦିଏ । ଭାଗବତ ଘରେ ପୁରାଣ ଗାଦି ବିଜେ । ଗାଁର ପୁରୋହିତ ବିଷ୍ଣୁ ପଣ୍ଡାଏ ପୁରାଣପଣ୍ଡା । ତାଙ୍କର ସେଥିକି କିଛି ବର୍ତ୍ତନ ନାହିଁ । ପୁରାଣ ବଢ଼ାଦିନ ଗାଁର ସାନ ବଡ଼ ସମସ୍ତଙ୍କୁ ଶଙ୍ଖୁଳା ହୁଏ । ପୁରାଣ ଶୁଣ ନ ଶୁଣ, ଆପଣା ମଗଦୁର ଭରି କିଛି କିଛି ଦେବାକୁ ପଡି଼ବ । ପଇସା ନାହିଁ ତ କେହି ଦି’ ମାଣ ଧାନ କାନିରେ ବାନ୍ଧି ଆଣି ଢାଳି ଦେଇଗଲା । ସବୁଦିନେ ପୁରାଣ ହୁଏ- ଖାଲି ଉଆଁସ, ପୂନେଇଁ, ସଂକ୍ରାନ୍ତି, ଗୁରୁବାର ବନ୍ଦ । ପଣ୍ଡାଏ ଉଖୁଡ଼ା ପୁଞ୍ଜାଏ ନୋହିଲେ ଗୁଡ଼ ଟୋପାଏ ଭୋଗ ଦେଇ ହାତ ତାଳି ମାରି ଚାଲିଯାନ୍ତି । ସେସବୁ ଦିନରେ ଗାଁର ମୁଖିଆ ମୁଖିଆ ଲୋକେ ଅଧରାତି ଯାଏ ବସି ଗାଁର ଭଲମନ୍ଦ, ହାରିଗୁହାରି କଥା ବୁଝାବୁଝି କରନ୍ତି ।
ଗାଁର ବୁଢ଼ାଭଳିଆ ଲୋକେ ରୋଜ ରୋଜ ପୁରାଣ ଶୁଣିବାକୁ ଆସନ୍ତି । ଦେହ ବାଧିକା ଅବା ହାତରେ କିଛି ପାଇଟି ଥିଲେ, ଦିନେ ଅଧେ ଆସିପାରନ୍ତି ନାହିଁ । ମାତ୍ର ଭେଣ୍ଡିଆଟି ଦିନରୁ ଆଜିଯାଏ ଚାଳିଶ-ପଚାଶ ବର୍ଷ ମଧ୍ୟରେ ବିଦିଆ ପାତ୍ର ହାଜର ହେବାର ଦିନେ ବି ଛୁଟଣ ନାହିଁ, ବାଧିକି ପଡ଼ିଲେ କୁନ୍ଥେଇ କୁନ୍ଥେଇ ବେଳେ ଆସିବ । ପୁରାଣ ଆରମ୍ଭ ‘ଶ୍ରୀ ଶୁକ ଉବାଚ’ କତିରୁ ଶେଷ ‘ଭୀମସ୍ୟାପି’ ଯାଏ ହାତଯୋଡି଼ ବସି ମନଦେଇ ଶୁଣୁଥାଏ । ପୁରାଣ ପାଠ ବେଳେ କୌଣସି ସ୍ଥାନରେ ଅର୍ଥର କିଛି ଅଖଞ୍ଜ ହେଲେ ସମସ୍ତେ ଅନାଇ କହନ୍ତି, ‘ପାତ୍ରପୁଅ, ଏ ଜାଗାରେ ପାଠ କ’ଣ, ‘ପାତ୍ରପୁଅ, ଏ ଜାଗାରେ ପାଠ କ’ଣ ହେଲା?’ ପାତ୍ର ହାତଯୋଡି଼ ‘ଆଜ୍ଞା ସାନ୍ତମାନେ’ କହି ଗୀତର ଏମନ୍ତ ସୁନ୍ଦର ଅର୍ଥ କରିଦିଏ ଯେ, ସମସ୍ତଙ୍କ ମନ ଖୁସି । ପାତ୍ରକୁ ଭାଗବତର ଢେର ଜାଗା ପୈଟେ । ଅଧ୍ୟାକୁ ଅଧ୍ୟା ପାଠ ମୁହେଁ ମୁହେଁ କହିଯିବ । କଥା କହିବାବେଳେ ଭାଗବତରୁ ଢେର୍ ଢେର୍ ପଦ ଦାଇକା ଦେଇ କହେ । ସାନ୍ତମାନେ ତାକୁ ପ୍ରଶଂସା କଲେ, ଦୁଇ ହାତରେ ଧୀରେ ଧୀରେ ଗାଲରେ ଚାପୁଡ଼ା ମାରିହୋଇ କହେ, ‘ଆଜ୍ଞା ସାନ୍ତେ, ମୁଁ କଣ୍ଡରା ବାପୁଡ଼ା କ’ଣ ଜାଣେ, ସାନ୍ତମାନଙ୍କ ଚରଣରେଣୁ ସେବା କରି ଯା ଦି’ପଦ ଶିଖିଛି ।’
ବିଦିଆ ପାତ୍ରର ପୁଅ ସପ୍ନାର ବିଭାଲାଗି ଢେର୍ ଢେର୍ ଜାଗାରୁ କନ୍ୟାର ବାତିନି ଆସିଲାଣି । ଏଡ଼େ ବଡ଼ ଗାଁର ଚୌକିଆ, ତା’ ପୁଅ ଲାଗି କ’ଣ କନ୍ୟାର ଅଭାବ? ସପ୍ନା ପିଲାଟା ଯିମିତି ଦେଖିବାକୁ ଡଉନଡାଉଲ, ଗୁଣ ବି ସିମିତି, କାମ ପାଇଟିକୁ ରାହୁ । ବାପାକୁ ଖୁବ୍ ମାନେ, ବାପ କଥା ତଳେ ପଡ଼ିବ ନାହିଁ । ବାପ ବାଧିକା ପଡି଼ଲେ ଦିନ ରାତି ପାଖରେ ଜଗିବସି ସେବାରେ ଲାଗିଥିବ । ମକ୍ରାପୁର ଚୌକିଆ ଦଣ୍ଡିଆ ପାତ୍ର ଝିଅ ଚେମୀକୁ ଦେଖି ବୁଢ଼ାର ମନ ମାନିଗଲା । ତାହାରି ସାଙ୍ଗରେ ସପ୍ନାକୁ ବାହା କରିଦେବା କଥା ଠିକ୍ କଲା । ଯିମିତି ହେଉ ଏଇ ବର୍ଷ ବିଭାକଲେ ବନେ । ଉଛୁଣି ପୁଅର ସତର ବର୍ଷ ଚାଲିଛି, ଆଏନ୍ଦାକୁ ଯୋଡ଼ା ବୟସ ପଶିବ, ବିଭା ହେବନାହିଁ । ବିଭା କରାଇବି ହଁ- ବୋଇଲା, ରଙ୍କ ତିରିଶା । ଯେତେ ଟାଣିଟୁଣି ଖରଚ କର, ତିରିଶ ଟଙ୍କାରୁ ଊଣା ନୁହେଁ । ଜାତିଭାଇମାନେ କ’ଣ ଛାଡି଼ବେ? ଏଡ଼େ ବଡ଼ ଚାକିରିଟାରେ ଅଛି, ନାମଡାକ, ନାହିଁ ବୋଲିଲେ କିଏ ଶୁଣେ? ଅତି ନିକୁଛ ଦି’ବେଳ ତ ଜାତି ଗୋସେଇଁମାନଙ୍କୁ ମୁଖଦଉତ କରାଇବି । ହାତରେ ନାହିଁ ପଇସାଏ, ଯାହା କରିବେ, ଯାହା ଦେବେ ହରି । ଢେର୍ ବେଳ ଯାଏ ହାତଯୋଡି଼ ପ୍ରଭୁଙ୍କୁ ଡାକିଲା, ‘ପ୍ରଭୁ! ତୁମ ଇଚ୍ଛା ହେଲେ ପୁଅଟି ଦି’ ହାତକୁ ଚାରି ହାତ ହେବ ।’
ଦିନେ ରାତିରେ ପୁରାଣ ପାଠ ସରିଲା ବାଦ୍ ଗାଁର ମୁଖଣ୍ଡ ମୁଖଣ୍ଡ ସାନ୍ତମାନେ ବସିଥାନ୍ତି, ବିଦିଆ ପାତ୍ର ହାତଯୋଡି଼ ଜଣାଇଲା, ‘ଆଜ୍ଞା, ସାଆନ୍ତମାନଙ୍କ ହୁକୁମ ହେଲେ ପଦେ ଗୁହାରି ଜଣାଇବି । ଆଜ୍ଞା, ଆପଣମାନଙ୍କ ଚରଣଧୂଳି ଲାଗି ପୁଅଟି ପାରିଗଲାଣି । କନ୍ୟାଟିଏ ଠିକ୍ କରିଛି, ଆଜ୍ଞା ହେଲେ ହାତଛନ୍ଦା କରେଇ ଦେବି ।’
ସବୁ ସାନ୍ତ ବସି ମୁହଁ ଚାହାଁଚୁହିଁ ହେଉଛନ୍ତି, କାହାର ପାଟି ଫିଟୁନାହିଁ । ଜମିଦାର ବଳରାମ ନାୟକେ ଗୋଟାଏ କାମ ବାହାନ କରି ବିଦିଆ ପାତ୍ରକୁ ଆଉଆଡ଼େ ପଠାଇଦେଲେ । ତହିଁ ବାଦ୍ ସମସ୍ତଙ୍କ ମୁହଁକୁ ଚାହିଁ କହିଲେ, ‘ଦେଖନ୍ତୁ, ଗ୍ରାମର ସମସ୍ତ ମୁରବି ଲୋକେ ତ ଅଛନ୍ତି । ବିଦିଆ ଊଣା ପୂରା ପଚାଶ ବର୍ଷ ହେଲା ଗାଁଟାକୁ ଆଗୁଳିଛି । ତା’ ବାହାଦୌଲତରେ ଚୋରିଚପାଟି କିଛି ଶୁଣାନାହିଁ । କେବେ ସେ କିଛି ମାଗିନାହିଁ, ମାଗିବା ଲୋକ ନୁହେଁ । ଲୋକଟି ଯିମିତି ସତ୍ୟବାଦୀ, ସିମିତି ଧାର୍ମିକ । ତା’ ହାତରେ ପଇସାଏ ଥିବ ନାହିଁ ଜଣା । ଆସନ୍ତୁ ଆମେମାନେ ତା’ ପୁଅକୁ ବାହା କରେଇଦେବା ।’
ସମସ୍ତେ ଏକାବେଳକେ କହିପକାଇଲେ, ‘ଆଜ୍ଞା! ଆଜ୍ଞା! ସାନ୍ତ ଯାହା ଆଜ୍ଞା କଲେ ଠିକ୍ କଥା । ଆମେମାନେ ମନ ନ ଦେଲେ ସେ କିମିତି ଚଳିବ?’
ଜମିଦାରଙ୍କ ଆଜ୍ଞାରେ ଅବଧାନେ ରଙ୍ଗାଧର ମହାନ୍ତିଏ ଧାଇଁଯାଇ ଲେଖନପତ୍ର ଘେନି ଆସିଲେ । ବିଭାଘରକୁ ଯାହା ଲୋଡ଼ା- ବିରି, ଚାଉଳ, ତେଲ, ଲୁଣ, ସୋରିଷ, ଖଲିପତ୍ର ଖଣ୍ଡିକ ସୁଦ୍ଧା ତାଲିକା ହେଲା । ପୁରୋହିତ କଣ୍ଡରା ବୈଷ୍ଣବ, ତା’ ପାଇଁ ମୂର୍ତ୍ତିଏ ଲୁଗା, ଚାରିଅଣା ଦକ୍ଷିଣା ସବୁ ତାଲିକାରେ ବସିଲା । ମଣିଷ ଚିହ୍ନି ସବୁ ଗାଁଯାକେ ଭେଦା ହୋଇଗଲା ।
ଆଜି ଅଭଡ଼ା ମଙ୍ଗନ । ବିଭା ଆଉ ଦୁଇଦିନ ଅଛି । ସକାଳ ଦିନ ପହରକ ସମୟରେ ଜମିଦାରଙ୍କ ଦୁଆରୁ ଭାର ଯାଇ ପାତ୍ର ଦୁଆରେ ଜମା ହେଲା । ଜମିଦାର ଗାଁର ସମସ୍ତଙ୍କ ଘରୁ ରୁଣ୍ଡେଇ ଘରେ ଠୁଳକରି ରଖିଥିଲେ । ପାତ୍ରର ତ ସାତ-ପାଞ୍ଚ ଗୋଟିଏ ପଲାଘର, ପଦାର୍ଥ ସବୁ ରଖୁଛି କାହିଁ? ଦୂରାଦୂରାନ୍ତରୁ କୁଣିଆ କୁଟୁମ୍ବ ଆସି ରହିବାଲାଗି ବାପପୁଅ ଲାଗି ଖଜୁରୀ ପିଞ୍ଛରେ କେତେ ବଖରା ଛାମୁଣ୍ଡିଆ ପକାଇଥିଲେ, ସେଥିରୁ ଗୋଟାଏ ଘରେ ସବୁ ଜିନିଷ ରଖିଦେଲେ । କାଲି ବିଭା । ମଙ୍ଗନରାତିରେ ସବୁ କୁଣିଆ ପହଞ୍ଚିଗଲେ । ଖନ୍ଦା ଲାଗିଗଲା । ସେହି କୁଣିଆ ଭିତରୁ ଚାରିଜଣ ରାନ୍ଧୁଣୀ, ପରଷୁଣୀ ବାହାରି ପଡି଼ଲେ । ବୁଢ଼ା ପାତ୍ର ସାନ କତିରୁ ବଡ଼ଯାଏ ସବୁ ଜାତିପୁଅଙ୍କ ହାତଧରି, ଗୋଡ଼ଧରି କହୁଥାଏ, ‘ସାଆନ୍ତମାନେ! ଗୋସେଇଁମାନେ! ପଞ୍ଚୁ ଠାକୁରମନେ! ଏ କାମ ଆପଣମାନଙ୍କର, ପୁଅ ଆପଣମାନଙ୍କର, କାମ ତୁଲେଇ ନେଉନ୍ତୁ ।’ ସତକୁ ସତ ସମସ୍ତ କାମ ତୁଲେଇ ନେଲେ, ବିଭା ହୋଇଗଲା । ଜାତିପୁଅମାନେ ଖୁସିହୋଇ ବିଦା ହୋଇଗଲେ । ଯିବାବେଳେ ବାଟରେ କୁହାକୁହି ହୋଇ ଯାଉଥା’ନ୍ତି, ‘ଜାତି ଭିତରେ ଏଡ଼େ କାର୍ଯ୍ୟଟା କେହି କରିନାହିଁ । ସବୁ ଜାତିପୁଅଙ୍କୁ କିଏ ବରଣିଆଥାଏ? ଖୁଆଇ ପିଆଇ ଭୋର୍ କରିଦେଲା । ତାଟିଆକୁ ତାଟିଆ ବିରି ଡାଲି, ବାଛୁରୀ ପରି ବଡ଼ ବଡ଼ ପୁଞ୍ଜାଏ ଗାରଡ଼ ବାନ୍ଧିଦେଲା, ଚାରି ମାଠିଆ ତାଡି଼, କେତେ ପିଇବ ପିଅ! ଧନ୍ୟ ଧନ୍ୟ । ସିମିତିକା ସାନ୍ତମାନଙ୍କୁ ଖଟିଛି ଏକା ।’
ବହୂଟି ଘରକୁ ଆସିଲା, ଦେଖିବାକୁ ବେଶ୍ ଡଉଲଡାଉଲ, କିଏ କହିବ କଣ୍ଡରାଘର ଝିଅ? କରଣ ଖଣ୍ଡାଇତ ଘର ଝିଅ ପରି ଦିଶେ । ଗୁଣ ବି ସିମିତି, ତା’ ହାତରନ୍ଧା ମଦରଙ୍ଗା ଶାଗଖରଡ଼ା, ଚେଙ୍ଗ ମାଛ ଅଣ କଙ୍କଡ଼ା ସିଝା ଯିଏ ଖାଇଛି, ପାସୋରି ପାରିବ ନାହିଁ । ଏ କଥାଗୁଡ଼ାକ ଏକା ବୁଢ଼ା ପାତ୍ର ମୁହଁରୁ ଶୁଣି ଲେଖୁଛୁଁ । ଘଷି ସାଉଁଟିବା, ଗୁଣ୍ଡିକାଠ ଗୋଟେଇବା, ଗାତ ଭିତରୁ କଙ୍କଡ଼ା ଧରି ଆଣିବା, ସବୁ ଗୁଣରେ ପୂରା । ସଞ୍ଜବେଳେ ବୁଢ଼ା ଗାଁରୁ ବୁଲିଆସିଲେ ବହୂ ଠେକିଏ ପାଣିରେ ଗୋଡ଼ ଧୋଇଦିଏ । ସାଙ୍ଗେ ସାଙ୍ଗେ ତିନି ପୁରୁଷର ବାସନ ଭଙ୍ଗା ପଥୁରିରେ ଭାତ, ଚାକୁଣ୍ଡା ଶାଗ ଖରଡ଼ା, କଙ୍କଡ଼ା ପୋଡ଼ା, ଚେଙ୍ଗ କୁଟୁରୀ ଅଣ, ତିନି ତିଅଣ କରି ପରଷି ଦିଏ । ବୁଢ଼ା ଏତେ ତିଅଣ କେବେ ଖାଉଥିଲା? ତେନ୍ତୁଳି ଫୁଟେ ଲୁଣଟିକକୁ ଭାତ ନିଅଣ୍ଟ । ବୋହୂର ଏସବୁ ଗୁଣ ଦେଖି ବୁଢ଼ା ଦିନେ ନିରୋଳାରେ ବସି ଢେର୍ ‘ହାୟ! ହାୟ’ କରି କାନ୍ଦିଲା । ଏଡ଼େ ଭାଗ୍ୟଟା ହୀନକପାଳୀ ବୁଢ଼ୀ ଦେଖିପାରିଲା ନାହିଁ ।
ବିଭା ଚାରି-ଛ ମାସ ବାଦ । ଦିନ ପହରେ ହେଲାଣି, ବୁଢ଼ା ବିଛଣାରୁ ଉଠି ନାହିଁ! ସପ୍ନା ପଚାରିଲା, ‘କିଲୋ ବାପା, ଏତେବେଳ ଯାଏ ଶୋଇଛି?’ ବୁଢ଼ା ପୁଅ ବୋହୂଙ୍କୁ ପାଖରେ ବସାଇ କହିଲା, ‘ଆରେ ସପ୍ନା, ମୋ ସାଙ୍ଗରେ ଯାଇ ପିଲାଦିନୁ ପୁରାଣ ଶୁଣିଛୁ, ଢେର୍ କଥା ମୁଁ ବି ଶିଖେଇଛି, ମନରେ ରଖିବୁ-
ଚୋରି ନାରୀ ଖୁଣି- ନ କରି ଯହିଁ ଯା ପୁଣି ।
ଲୋଭ ନ କରିବୁ ପର ଧନେ-
ମିଛ ନ କହିବୁ କଦାଚନେ ।
ବହୂ ଲୋ, ଏହି ସପ୍ନି ହେଲା ତୋ ଖାଉନ୍ଦ- ତୋ ଠାକୁର ଦେବତା- ୟା କଥା ଏଡି଼ବୁ ନାହିଁ । ମୋ ଦେହଟା କିମିତିକା ଦେଖୁଛି, ଆଉ ବର୍ତ୍ତିବି ନାହିଁ ।’
ପୁଅ ବୋହୂ ଦୁହେଁ ଢେର୍ କାନ୍ଦିଲେ । ଚାରି-ପାଞ୍ଚ ଦିନ ଖିଆ ଶୁଣା ଛାଡି଼ ବୁଢ଼ାର ଢେର୍ ସେବା କଲେ । ବଡ଼ ବୁଢ଼ା ହୋଇଥିଲା, ଦିନ ଛଅଟା ଜରରେ ‘ହରି ହରି’ କହି ଚାଲିଗଲା । ପୁଅ ବୋହୂ ଢେର୍ କାନ୍ଦିଲେ । ଗାଁ ଲୋକେ ‘ହାୟ! ହାୟ!’ କହିଲେ, ନୀଚ କୁଳରେ ଇମିତିକା ସତ୍ୟବନ୍ତ ଧାର୍ମିକ ଦେଖାନାହିଁ ।
ବୁଢ଼ାର ଶୁଦ୍ଧବାଦ ଗଲାଣି । ଦିନେ ସପ୍ନା ଚେମୀ ବସି ବିଚାର କଲେ-
ସପ୍ନା- ହଇ ଲୋ ବଉ! ମୁଁ ଚାକରିରୁ ଇସ୍ତଫା ଦେବି । ତତେ ଏକୁଟିଆ ଘରେ ପକାଇ ରାତିରେ କିମିତି କରି ଗାଁ ବୁଲିଯିବି?
ସପ୍ନା ଯା କହେ, ସବୁ କଥାରେ ଚେମୀର ‘ହଁ’ । ହେଲେ ଚାକରି ଛାଡି଼ ଦେବାଟା ତା’ ମନକୁ ମାନିଲା ନାହିଁ । କହିଲା, ‘ଏ ଖାଉନ୍ଦ! ତୁମେ ତ ଚାକରି ଛାଡି଼ବ, କିମିତି ଖାଇବା ପିନ୍ଧିବା?’
ସପ୍ନା- ମୁଲକରେ ଏତେ ବିଲ- ଗାଁରେ ଏତେ ପୋଖରୀ ଗଡ଼ିଆ- ଭାତ ତୁଣ କ’ଣ ଊଣା ହେବ?
ଚେମୀ- ତମ ମନକୁ ଯା ଲାଗେ କର ।
ରାତିରେ ଗାଁର ସାନ୍ତମାନେ ଭାଗବତ ଘରେ ବସିଛନ୍ତି, ସପ୍ନା ବେକରେ ଗାମୁଛା ଖଣ୍ଡ ପଟକା ପକାଇ ହାତଯୋଡି଼ କହିଲା, ‘ଆଜ୍ଞା ସାନ୍ତମାନେ! ମୋ ସାତ ପୁରୁଷ ଆପଣମାନଙ୍କ ଚରଣରେଣୁ ଗୋଲାମ- ଚରଣରେଣୁ ନୁଣ ଖାଇଲେ- ମୁଁ ଏଣିକି ଚାକରି କରିପାରିବି ନାହିଁ । ଆପଣମାନଙ୍କର ଚରଣରେଣୁରେ ଇସ୍ତଫା ଦେଲି ।’ ସାନ୍ତମାନେ ଆପଣା ଆପଣା ମଧ୍ୟରେ ଢେର୍ ବେଳଯାଏ ବିଚାର କଲେ, ‘ନାହିଁରେ, ତୋ ଇସ୍ତଫା ନିଆଯିବ ନାହିଁ । ଯିମିତି ଚୌକିଆ ଥିଲୁ ସିମିତି ଥିବୁ । ହେତା ହଳା ସବୁ ପାଇବୁ । ଗାଁ ବୁଲି ନ ଆସିବୁ ପଛକେ ।’
ସପ୍ନା ଆସି ବୋହୂକୁ ସବୁ କଥା କହିଲା । ଚେମୀ ମନ ତ ଭାରି ଖୁସି; ‘ଏ ଖାଉନ୍ଦ! ଭଲ କଲ, ଚାକରି ଥାଉ, ମୁଁ ଇମିତି ସାନ ହେଲି- ଡରିଗଲି । ବଡ଼ ହେବି, ଡରିବି ନାହିଁ, ତମେ ଗାଁ ବୁଲିଯିବ । ମୁଁ ପଲାରେ ଶୋଇଛି, ଡର ମାଡ଼ିଲା, ପାଟିକଲି, ଧାଇଁଆସିଲ । ବାଘ ନା ଭାଲୁ, କିଆଁ ଡରିବି? ମୋ ମା କହିଲା-
ଡର କାହାକୁ ଭୟ କାହାକୁ,
ଠାକୁରେ ଅଛନ୍ତି ଚାରି ବାହାକୁ ।
ହଁ ଖାଉନ୍ଦ, ଆମ ଗାଁରେ ବୁଢ଼ୀମଙ୍ଗଳା ଠାକୁରାଣୀ ଅଛନ୍ତି, ସେ ମଣିଷ ଦୁଃଖ ଶୁଣନ୍ତି । ତମେ ଠାକୁର ହରି ହରି କୁହ, ବୁଢ଼ା ଶଶୁରେ ସବୁଦିନେ କହୁଥିଲେ, ହରି କାହିଁ? ଆଚ୍ଛା, ଗାଁରେ ବାଡି଼ ପଡି଼ଲେ ତାକୁ ପୂଜା ଦେଲେ ଯୋଗନୀ ପଳେଇବ ନା?
ସପ୍ନା- ନାହିଁ ଲୋ ବଉ -ହରି ଯେ ବଡ଼ ଠାକୁର, ସେ ଖାଇବାକୁ ପିଇବାକୁ ସବୁ ଦେଉଛନ୍ତି, ଆମର ସବୁ କାମ ଦେଖୁଛନ୍ତି, ମନକଥା ଜାଣୁଚନ୍ତି । ଆମେ ଭଲକାମ କରିବା, ତାଙ୍କୁ ଭଜିବା, ସେ ସୁଖଦେବେ । ମନ୍ଦକାମ କଲେ, ତାଙ୍କୁ ଅମାନ୍ୟ ହେଲେ, ସେ ଦୁଃଖ ଦେବେ ।
ଚେମୀ- ସବୁକଥା ତ ହରି ଦେଖିବ, ଅଳିଆ କାମ କଲେ ଦୁଃଖ ଦବ, ବାପ ଲୋ! ମୁଁ ସିମିତି କାମ କରିବି ନାହିଁ, ସବୁବେଳେ ତମପରି ହରିକୁ ଡାକିବି । ଏ ଖାଉନ୍ଦ! ମତେ ଭଲ ପାଇଟି ଶିକେଇ ଦିଅ । ମା କହିଛି, ତମ କଥା ମାନିବି- ତମେ ଯା କହିବ, ସବୁ ଶୁଣିବି ।
ଗେରସ୍ତ ଭାରିଯା ଦୁଇଟି ପ୍ରାଣୀ ସବୁବେଳେ ଏକ ସାଙ୍ଗରେ ଥାନ୍ତି, ଛାଡ଼ବାଡ଼ ଥାଏ ନାହିଁ, ଜଣକୁ ନ ପଚାରି ଆରଜଣ କିଛି ପାଇଟି କରେ ନାହିଁ । ଜଣକ ମନରେ ଦେହରେ ଦୁଃଖ ହେଲେ ଆଉ ଜାଣକ କାନ୍ଦିପକାଏ । ସପ୍ନା ସାନ୍ତ ଘର ପାଇଟିକୁ ଗଲେ ଚେମୀ ଟୋକେଇଟିଏ କାଖେଇ ପଛେ ପଛେ ଯାଏ । ସପ୍ନା ବିଲରେ କାମ କରୁଥିବାବେଳେ ଚେମୀ ଘାସ ସାଉଣ୍ଟେ । ହିଡ଼ ତଳୁ ପିତାଶାଗ, ମଦରଙ୍ଗା ଶାଗ ତୋଳେ, ଗାତରୁ କଙ୍କଡ଼ା ଧରେ ।
ସପ୍ନା ଏକୁଟିଆ ଅଲଗା ପାଇଟି କରେ, ପାଞ୍ଚଜଣ ମୂଲିଆଙ୍କ ସାଙ୍ଗରେ ଥାଏ ନାହିଁ । କେହି ଦୁଷ୍ଟ ଲୋକ ଟାପରା କରି କଥାପଦେ କହିଦେବ ପରା! ଆଉ ଦୁଇଜଣ ମନ ଫିଟେଇ କଥାଭାଷା ହୋଇପାରିବେ ନାହିଁ ।
ସପ୍ନା ପାଞ୍ଚମାଣ ଧାନ ମୂଲ ପାଏ । ବୁଢ଼ା ଅମଳରୁ ଘରେ ଗୋଟାଏ ଭଙ୍ଗା ମାଣ ଅଛି, ଚେମୀ ମାପିପକାଏ । ଆଗେ ମାଣେ ମାପି ବୁଢ଼ା ଅମଳର ଗୋଟାଏ ଭଙ୍ଗାମୁଣ୍ଡି ମାଠିଆରେ ପୂରାଇ ରଖିଦିଏ । ‘ଏ ଖାଉନ୍ଦ! ଦେହ ଅଛି, ପା ଅଛି, ଆଜି ପାଇଟି ନ ମିଳିଲେ- କିଆଁ କାହାକୁ ମାଗିବା, ଘରେ ବସି ଖାଇବା । ମାଣେ ଧାନ ଦେଇ ତେଲ ପାହୁଲାକର, ଲୁଣ ପାହୁଲାକର, ଧୂଆଁପତର ଅଧପାହୁଲାଏ, ହଳଦୀ ଅଧପାହୁଲାଏ ହିସାବ କରିଦେଇ ଶାମ ସାହୁ ତେଲୀ ମହାଜନ ଦୋକାନକୁ ସପ୍ନାକୁ ପଠାଇ ଦିଏ । ଆଉ ତିନି ମାଣ ଧାନ ହାତ ପାହୁରାଣିରେ କୁଟି ପକାଏ । ଚାଉଳ ବାହାର କରିନେଇ ତଷୁଗୁଡି଼କ ଗୋଟାଏ ଭଙ୍ଗା ଟୋକେଇରେ ଜମାକରି ରଖିଥାଏ, ଦୁଇ-ଚାରି ଦିନ ବାଦ୍ ସେହି ତଷୁ କୁଟି ସେଥିରୁ କୁଣ୍ଡା କାଢ଼ିନିଏ । ମୁଠାଏ ଚାଉଳ ପକାଇ ସେ କୁଣ୍ଡା ମିଶାଇ ପିଠଉ ବାଟିଦେଇ ଗୋଟାଏ ପୋଡ଼ପିଠା କରିଦିଏ । ତଷୁରେ ଗୋବର ଲଗାଇ ଘଷି ପାରେ । ସପ୍ନା କହେ, ‘ଚେମୀ ସବୁ ଗୁଣରେ ଫରାକତ୍ । ତା’ ପରି ଚାଉଳ କୁଟିବ କିଏ?’
ସପ୍ନା ଦୋକାନରୁ ବାହୁଡି଼ବା ବେଳକୁ ଚେମୀ ଭାତ ରାନ୍ଧି ରଖିଥାଏ । ଦୋକାନ ସଉଦା ଭଲକରି ଦେଖି ସାଇତି ରଖେ । ତାହା ବାଦ୍ ଟୋପାଏ ତେଲ ପକାଇ ଶାଗଟା ଖରଡ଼ି ପକାଏ, କଙ୍କଡ଼ା ଛେଚି ଦେଇ ଟୋପାଏ ତେଲ ଲୁଣ ଗୋଳାଇ ଦିଏ, ମାଛ ଥିଲେ ଟୋପାଏ ତେଲ ପକାଇ ଅଣ କରିଦିଏ । ବୁଢ଼ା ଭଙ୍ଗା ପଥୁରୀରେ ସପ୍ନାକୁ ଭାତ ପରଷିଦେଇ ପାଖରେ ବସେ । ରାଣ ନିୟମ ଦେଇ ବଳେଇ ବଳେଇ ଦୁଇଗୁଣ୍ଡା ଅଧିକ ଖୁଆଏ । ଚେମୀ ବଡ଼ ଘରଣୀ । ଝୋଟ ଅମଳ ବେଳେ ସାନ୍ତମାନଙ୍କ ଦୁଆରୁ ନଳିତା କାଠି ଆଣି ବିଡ଼ା ବାନ୍ଧି ରଖିଛି, ଖାଉନ୍ଦ ଭାତ ଖାଇବାବେଳେ ଗୋଟାଏ କାଠି ଜାଳି ଆଲୁଅ ଦେଖାଏ । ସପ୍ନାର ଖିଆହୋଇଗଲେ ସେ ଅଇଣ୍ଠାପଥୁରୀରେ ଆପଣା ଭାତ ବାଢ଼ି ଥାଏ । ଭଲମନ୍ଦ ଘରକୁ ଯେ ପଦାର୍ଥ ଆସୁ, ସପ୍ନା ଆଗେ ନ ଖାଇଲେ ଚେମୀ ଖାଇବ ନାହିଁ । ଦି’ଜଣଙ୍କ ଖିଆପିଆ ହୋଇଗଲେ ବାକି ଭାତଗୁଡ଼ାକ ପଖାଳି ତହିଁ ଆରଦିନକୁ ରଖିଦିଏ । ଓଳିଏ ରୋଷେଇ, ଦୁଇ ଓଳିକୁ ଜାଳ କାହିଁ? ଆହୁରି ଗୋଟାଏ କଥା, ସକାଳ ଓଳି ପାଇଟିରୁ ଆସିବାକୁ ଦିନ ଦିପହର, ଭୋକବେଳେ କ’ଣ ରନ୍ଧାକୁ ତର ସହିବ? ବର୍ଷାଦିନେ ଜାଳ ମିଳିବ ନାହିଁ ବୋଲି ଖରାଦିନେ ଘଷି ଓଳି ପନ୍ଦାଡ଼ରେ ଟାଙ୍ଗି ରଖିଦେଇଛି ।
ସପ୍ନା ଚେମୀ ଦୁଇଟି ପ୍ରାଣୀ ଖୁବ୍ ମନ ଆନନ୍ଦରେ ଅଛନ୍ତି । ସାହୁର ଦେଣା ନାହିଁ, କି ରଜାର ଖଜଣା ନାହିଁ । ଦିନେ ସୁଦ୍ଧା ଘରେ ଅନ୍ନ ଛୁଟଣ ନାହିଁ । ମନରେ କିଛି ଭାବନା ନାହିଁ, ଖାଇବା କଥା ପଡି଼ଲେ ଦି’ଜଣଯାକ କହନ୍ତି, ମୁଲକରେ ଏତେ ବିଲ ଗଡ଼ିଆ ପୋଖରୀ ଥାଉଁ ଥାଉଁ କ’ଣ ଦି’ଟା ପ୍ରାଣୀ ପେଟ ପୂରିବ ନାହିଁ? ଚେମୀ କହେ, ‘ଏ ଖାଉନ୍ଦ! ତେମେ କାହିଁକି ପର ପାଇଟିକି ଯିବ, ବାଳୁଙ୍ଗା ଝାଡି଼ଆଣିଲେ ତ ଆମର ଛ’ ମାସ ମେଣ୍ଟିଯିବ ।’ ବେଳ ଜାଣି ଚେମୀ କୁଲାଟାରେ କାଠିଖଣ୍ଡେ ବାନ୍ଧି ଢେର୍ ବାଳୁଙ୍ଗା ଝାଡି଼ ଆଣି ଘରେ ରଖେ । ଖାଉନ୍ଦକୁ ବାଧିବ ବୋଲି ଚେମୀ ରୋଜ ରୋଜ ତାକୁ ପାଇଟିକୁ ପଠାଏ ନାହିଁ, ବାଳୁଙ୍ଗାରେ ଅନ୍ନ ଚଳାଏ । ଯେଉଁଦିନ ସପ୍ନା ସାନ୍ତ ଘର ପାଇଟିକୁ ନ ଯାଏ, ସେଦିନ ଦୁଇଜଣ ପୋଖରୀ ବୁଲି ବୁଲି କଛିମ, କଙ୍କଡ଼ା, ମାଛ ଧରି ଆଣନ୍ତି, ସେଦିନ ଚେମୀ ଢେର୍ ରକମ ତିଅଣ ରାନ୍ଧେ, ଦୁଇଜଣଙ୍କର ଭାରି ଆନନ୍ଦ ।
ରାତିରେ ଚେମୀ ରନ୍ଧାବଢ଼ା କରୁଥିବାବେଳେ ସପ୍ନା ହରିଣୀସ୍ତୁତି, ଗଜସ୍ତୁତି ଗାଏ । ଭାଗବତ ବି ଢେର୍ ପଦ ଶିଖିଛି, ଏଠୁ ସେଠୁ ଢେର୍ ପଦ ଗାଏ । ଚେମୀ କାନ ଡେରି ଶୁଣୁଥାଏ । ପଢ଼ାପଢ଼ି ସରିଲେ, ‘ଠାକୁର-ହରି, ଦୟାକର’, କହି ହାତଯୋଡି଼ ଭୂଇଁରେ ଢପ ଢପ କରି ତିନିଥର ମୁଣ୍ଡିଆ ମାରେ, ତା’ ବାଦ୍ ସପ୍ନା ଗୋଡ଼ତଳେ ତିନିଥର ଜୁହାର ହୋଇ ତା’ ପାଦରୁ ଧୂଳି ନେଇ ମୁଣ୍ଡରେ ମାରେ । ପ୍ରତିଦିନ ସଞ୍ଜବେଳେ ଏହିପରି କରେ । ଯେଉଁଦିନ ହାତରେ କିଛି ପାଇଟି ନାହିଁ, ଦୁଇଜଣ ଦୁଇଜଣଙ୍କୁ ଅନାଇ ପିଣ୍ଡାଟିରେ ବସିଥାନ୍ତି ।
ବୁଢ଼ା ରାମ ପରିଡ଼ାକୁ ସପ୍ନା ଅଜା ସାଆନ୍ତ ବୋଲି ଡାକେ, ତାଙ୍କରି ଘରେ ଢେର୍ ଦିନ ପାଇଟି କରେ । ପରିଡ଼ା ବୁଢ଼ା ଦିନେ ଦିନେ ସପ୍ନାକୁ ଡାକିବାକୁ ଆସି ଦେଖେ, ଦୁଇଜଣ ଏକା ଜାଗାରେ ବସିଛନ୍ତି । ଟାପରା କରି କହେ, ‘କିରେ ସପ୍ନା, ତୁମେ ଦୁଇଟା ଯେ ବଗଲାବଗଲୀ ବୋଲି କହୁଁ କହୁଁ ପରିଡ଼ାର ଅଭ୍ୟାସ ହୋଇଗଲାଣି । ସବୁବେଳେ ଡାକେ, ‘ଆରେ ବଗଲା, ଆଲୋ ବଗଲୀ!’
ବର୍ଷାଦିନରେ ବଗଲାବଗଲୀଙ୍କର ଭାରି ଆନନ୍ଦ । ବିଲ ବଛାବେଳେ ଦୁଇଜଣଙ୍କୁ ପାଇଟି ମିଳେ । ସପ୍ନାର ମୂଲ ପାଞ୍ଚମାଣ, ଚେମୀର ଚାରିମାଣ; ଖାଇପିଇ ପାଞ୍ଚମାଣ ଧାନ ବଳିପଡ଼େ ।
ଏଇଟା ବଡ଼ ଭଲ ବର୍ଷା । ଅର୍ଜନ ଚାରିଆଡ଼େ । ପଛପାଣିଆ ଯୋଗୁଁ ସମସ୍ତଙ୍କ ବିଲବଛା ଏକ ସାଙ୍ଗରେ, ମୂଲିଆ ମିଳୁନାହାନ୍ତି । ମୂଲ ବଢ଼ିଯାଇଛି, ସପ୍ନାର ମୂଲ ଛ’ ମାଣ, ଚେମୀର ପାଞ୍ଚମାଣ । ଘରେ ଧାନ ଗୋଟାଏ ମାଠିଆ, ଯୋଡ଼ାଏ ତାଡି଼ଆ ଭର୍ତ୍ତି ହୋଇ ସପ୍ନା ଗୋଟାଏ ସାନ ଓଳିଆ ବାନ୍ଧିଦେଲାଣି । ଲକ୍ଷ୍ମୀ ଆଲିଙ୍ଗନ କଲାବେଳେ ଚାରିଆଡୁ ଅର୍ଜନ ମିଳେ । ବିଲ ବଛାବେଳେ ହାତରେ କଙ୍କଡ଼ା ଚେଙ୍ଗ ପଡି଼ଯାଏ, ହିଡ଼ମୂଳରେ ମଦରଙ୍ଗା କନିଶିରି ଶାଗ ବଲ୍ବଲ; କାମ ଉଠାଣି ହାତ ବୁଲେଇଦେଲେ ଦିନତମାମ ଚଳିଲା । ଏ ବାଦେ ଚେମୀ ବିଲ ଟିକରା ମୂଳରୁ କାଇଁଶ କାଟିଆଣି ଗୋଟାଏ ଖଇଞ୍ଚି ବୁଣିଛି । ଚେମୀକୁ ଢେର୍ ପାଇଟି ଆସେ । କାଇଁଶ ପାଛିଆ ବୁଣି ଗାଁ ବୋହୂ ଝିଅଙ୍କୁ ବିକି ଚାଉଳ ଧାନ ଆଣେ । ଦୁଇଜଣ ବିଲବଛା ପାଇଟିରେ ଲାଗିଥିବାବେଳେ ଖଇଞ୍ଚିଟି ପାଣିମାହାରା ହିଡ଼ମୂଳରେ ବସାଇ ଦେଇଥାନ୍ତି । ପାଇଟି ଉଠାଣି ବେଳକୁ ଚେଙ୍ଗ କୁଟରି, କଉ ଟିପିରି ଶେଉଳ ପହଣା ଖଇଞ୍ଚିରେ ଭର୍ତ୍ତି । ଦିନେ ଦିନେ ଦୁଇ-ତିନିଥର ଖଇଞ୍ଚିଟା ଝାଡି଼ପକାନ୍ତି ।
ଆଜିକାଲି ସଞ୍ଜବେଳେ ଦୋକାନୀ ଦୁଆରକୁ ଧାନ ଘେନି ଯିବାକୁ ହୁଏନାହିଁ, ମାଛ ଦି’ ହତା ଘେନିଗଲେ ତେଲ ଲୁଣ ଧୂଆଁପତ୍ର ସବୁ ମିଳିଗଲା । ଚେମୀ ଦି’ ନଉତି ସରିକି ପିତାଶୁଖୁଆ ଶୁଖାଇ ଚାରିମାସ ତିଅଣକୁ ଥାତି ବାନ୍ଧିସାରିଲାଣି । ଭଲକରି ଶୁଖାଇ ଶୁଖୁଆଗୁଡି଼କ ଗୋଟାଏ ପାଛିଆରେ ପୂରାଇ ଘର ଶେଣିରେ ଟଙ୍ଗା ଶିକାଟିରେ ଥୋଇଦେଇଛି । ଆଜିକାଲି ଦି’ପ୍ରାଣୀ ଭିତରେ ଆନନ୍ଦରେ ସୀମା ନାହିଁ ।
ଅଶିଣମାସିଆ ଦିନେ ରାତି ଘଡି଼କବେଳେ ଦି’ଜଣଙ୍କର ଖିଆପିଆ ସରିଲାଣି । ଚେମୀ ଗୁଡ଼ାଏ ବିଲ ମାଛ ବୁଢ଼ୀ ପରିଡ଼ାଣୀକୁ ଦେଇ ମାଟିକୁମ୍ପାରେ କୁମ୍ପାଏ କରଞ୍ଜ ତେଲ କିଣିଆଣି ଘରେ ଥୋଇଦେଇଛି । ମଫସଲ ଚାଷବନ୍ଦି ଘରେ ସମସ୍ତେ ଖରାଦିନେ ତେଲୀ ଦୁଆରୁ କରଞ୍ଜ ପେଡି଼ଆଣି ବର୍ଷାଦିନ ଲାଗି ତେଲ ସାଇତି ରଖିଥାନ୍ତି । ଦିନଯାକ ପାଣି କାଦୁଅରେ ବୁଲି ବୁଲି ଗୋଡ଼ଯୋଡ଼ାକ ପାଣି ଖାଇ ସିଠୁଆ ପଡ଼ିଯାଏ, ଆଙ୍ଗୁଳି ସନ୍ଧି ସବୁ ଘା’ ହୋଇଯାଏ । ରାତିରେ କରଞ୍ଜ ତେଲ ଲଗାଇଦେଲେ ତହିଁ ଆରଦିନ ସକାଳକୁ କିଛି ନ ଥାଏ । ଖଣ୍ଡେ ଛିଣ୍ଡା କତରା ପାରିଦେଇ ସପ୍ନା ଶୋଇପଡି଼ଛି । ଚେମୀ ଗୋଡ଼ର ପାଣିଖିଆ ଜାଗା ଆଙ୍ଗୁଳି ସନ୍ଧିମାନଙ୍କରେ କରଞ୍ଜ ତେଲ ଲଗାଇ ଦେଉଛି । ଚେମୀ କଥା ଆରମ୍ଭ କଲା- ‘ଏ ଖାଉନ୍ଦ! ତେମେ ଦେଖ, ଘରେ ଶୋଇପଡ଼ିବାକୁ ଆଉ ଜାଗା ନାହିଁ । ବାଳୁଙ୍ଗା ପାଚିଲାଣି, ମୁଁ କାଲି ସକାଳୁ ଝାଡି଼ଯିବି । ଆଉ କେଉଁଠି ରଖିବା? କ’ଣ କରିବା?’
ସପ୍ନା- ହଁ ଲୋ ବଉ! ମୁଁ ସେଇକଥା ଉଛୁଣିକା ମନରେ ପକାଇଥିଲି । ଆଚ୍ଛା, ଧାନ ବିକିଦେଇ ଟଙ୍କା ପଇସା ଆଣି ଘରେ ରଖିବା ।
ଚେମୀ- ନାହିଁ, ଏ ଖାଉନ୍ଦ- ସେ ବଡ଼ ଅଳିଆ କଥା । କେତେ ଧାନକୁ କେତେ ପଇସା ଗଣି ଜାଣିବା ନାହିଁ, ଆଉ ଟଙ୍କା ପଇସା ଦେଖିଲେ ଚୋର ଟସ୍କର ଦୁଆରକୁ ଆସିବେ । କେଉଁଠି ପୋତିପକାଇବା, ଭୁଲିଗଲେ ଗଲା । ମୋ ମା ଥରେ ଚାରିଟା ପଇସା ପୋତିପକାଇଥିଲା- ପାଇଲା ନାହିଁ, ଢେର୍ କାନ୍ଦିଲା ।
ସପ୍ନା- ତେବେ ଧାନସବୁ ରାମ ସାମନ୍ତ ତନ୍ତୀକୁ ଦେବା, ସେ ତୋ ଲାଗି ଖଣ୍ଡେ ରଙ୍ଗ କସ୍ତା ଶାଢ଼ି ବୁଣିଦେବ ।
ଚେମୀ- ନାହିଁ, ଖାଉନ୍ଦ! ମୁଁ ପିନ୍ଧି ଜାଣିବି ନାହିଁ, ଚିରିଯିବ । ମୁଁ କହୁଛି, ଅଜା ପରିଡ଼ା ସାନ୍ତ ଶୀତଦିନେ ଯିମିତିକା କଳା ଅଙ୍ଗା ଲଗାନ୍ତି, ତେମେ ବାଲିସର ହାଟକୁ ଯାଇ ସିମିତିକା ଗୋଟାଏ କିଣିଆଣ । ଶୀତ ହେଲେ ଲଗାଇବ, ବଡ଼ ସୁନ୍ଦର ଦିଶିବ ।
ସପ୍ନା- ତୁ ନାଲି ରଙ୍ଗ ଶାଢ଼ି ପିନ୍ଧିଲେ ସୁନ୍ଦର ଦିଶିବ ।
ଚେମୀ- ତେମେ ଅଙ୍ଗା ଲଗାଇଲେ ସୁନ୍ଦର ଦିଶିବ ।
ଦୁଇଜଣଙ୍କ ଭିତରେ ଢେର୍ ବେଳଯାଏ କଥା ଚଳିଲା । ଶେଷରେ ସପ୍ନା ପ୍ରସ୍ତାବରେ କଥା ସ୍ଥିର ହେଲା, କାବୁଲି ପଠାଣ ଆସିଲେ ତାକୁ ସବୁ ଧାନଦେଇ ଗୋଟାଏ ରଙ୍ଗ କମ୍ବଳ କିଣିବେ, ଶୀତ ଦିନରେ ଖଡି଼କା ହେଁସ ଘୋଡି଼ହେବେ ନାହିଁ, ସେଇ କମ୍ବଳ ଘୋଡି଼ହେବେ । କଥାଭାଷା ହେଉ ହେଉ ଦୁଇଜଣଯାକ ଶୋଇପଡି଼ଲେଣି ।
ଦିନ ଘଡି଼ଏ ହେଲାଣି, ଦି’ଜଣ ଯାକ ଶୋଇଛନ୍ତି । ରୋଜ ରୋଜ ଚେମୀ ଆଗରେ ଉଠେ, ଆଜି ଉଠିନାହିଁ । ସପ୍ନା କହିଲା, ‘କି ଲୋ ବଉ, ତୋ ଦିହ ତାତିଲା ପରି ଲାଗୁଛି, ଜର ହେଲା କି ଲୋ?’
ଚେମୀ- ହଁ, ଦିହଟା କିମିତିକା କସମସ କରୁଛି । ଏ ଖାଉନ୍ଦ, ତମ ଦିହଟା ତାତି ଲାଗୁଛି, ଜଲ ହେଲା କି? ଆଲୋ ମା’ଲୋ ! ଆଲୋ ବାପାଲୋ! କ’ଣ କରିବି ଲୋ! ଠାକୁର ହରି! ମୋ ବାପ ଗାଁ ମଙ୍ଗଳା! ମୋ ଖାଉନ୍ଦକୁ ଭଲକରିଦେ ।
ସପ୍ନା- ନାହିଁ ଲୋ ବଉ, ଡର ନା, ଠାକୁରେ ଭଲ କରିଦେବେ । ତୁ ଯା ପଥି ରାନ୍ଧ, ମତେ ମାଣେ ଧାନ ଦେ, ସାଉ ଦୁଆରୁ ରସୁଣ ଘେନିଆସେ ।
ଗରମ ଗରମ ପେଜମିଶା ଭାତରେ ପାଣି ଢାଳି ରସୁଣ ଦେଇ ଦୁଇଜଣ ପଥି କଲେ ।
ଚାରିଦିନ ଗଲା, ପାଞ୍ଚଦିନ ଦିନ ସପ୍ନାର ଜର ବଳିପଡି଼ଲା, ପଥି ଛାଡି଼ଲା । ଚେମୀର ଜର ଟିକିଏ ଭଲ ହେଲାଣି । ଚେମୀର ଖାଇବାର ନାହିଁ, ଶୋଇବାର ନାହିଁ । ସପ୍ନାର ତ ବଳେ ନିଦ ନାହିଁ, ଚେମୀ ଗୋଡ଼ତଳେ ବସି ଦିନରାତି ଖାଲି ଠାକୁର ହରି ଆଉ ବାପ ଗାଁ ମଙ୍ଗଳାକୁ ଡାକୁଛି । ଚେମୀ ଆଉ ଧୈର୍ଯ୍ୟଧରି ରହିପାରିଲା ନାହିଁ । ଖାଉନ୍ଦକୁ କହି ଗାଁ ବୈଦ୍ୟରାଜ ନକୁଳି ନାୟକ ଦ୍ୱାରକୁ ଧାଇଁଲା । ସେ ଏକୁଟିଆ କେବେ ଘରୁ ବାହାରି ନାହିଁ । ଆଜି ଗାଁ ଗୋହିରି ମଝିବାଟେ ଚାଲିଛି । ଗୋଡ଼ ପୋତିପଡୁଛି, ଆଖିରେ ପାଣି ଭର୍ତ୍ତି, ବାଟ ଦିଶୁନାହିଁ- ବୈଦ୍ୟଘରକୁ ଧାଇଁଛି । ଚେମୀ ପାଞ୍ଚ-ଛ ବର୍ଷ ହେଲା ଶଶୁର ଗାଁକୁ ଆସିଲାଣି, କାହାରି ମୁହଁ ଦେଖିନାହିଁ, କାହାରିକୁ ଅନାଏ ନାହିଁ, ଖାଉନ୍ଦ ଛଡ଼ା ଆଉ କାହାରି ସାଙ୍ଗରେ କଥା ନାହିଁ । ଠାକୁର ଦେବତାଙ୍କୁ ମନ ମଧ୍ୟରେ ଡାକି ଡାକି ଖୁବ୍ ହେମତ ଧରି ଗଲା । ହେମତ ଧରି ବୈଦ୍ୟରାଜକୁ ସପ୍ନା ଜର କଥା କହିଲା । ବୈଦ୍ୟ ନକୁଳି ନାୟକେ ବଟୁଆ ଫିଟାଇ ଗୋଟାଏ ତସର କୁଆ ଭିତରୁ ଚାରିଟା ଜ୍ୱରରାଘବ ବଟିକା କାଢ଼ି ଦେଲେ; କହିଲେ, ‘ତୁ ତ ମହୁ ପାଇବୁ ନାହିଁ, ତୁଳସୀ ରସ ଜରପାପଡ଼ା ରସ ଗୋଳିଦେଇ ଚାରି ପହରରେ ଚାରି ପାନ ଦେବୁ, ଜ୍ୱର ନ ଛାଡି଼ଲେ ପାଣି ଧରି ଆସିବୁ ।’ ଛ’ଦିନ ଜ୍ୱର ବଳିପଡି଼ଲାଣି । ଚେମୀ ସାଙ୍ଗରେ କଥା ନାହିଁ- କେତେବେଳେ ଗୀତ ଗାଉଛି, ଭାଗବତ ପଦ ପଢ଼ୁଛି, ବିଲ କଥା କହୁଛି, ଆଖିଯୋଡ଼ାକ କୋଚିଆ ରକ୍ତ ପରି ଲାଲ । ଚେମୀ ସାରୁପତ୍ରଟାରେ ପାଣି(ଛୁତ) ଧରି ଖାଉନ୍ଦକୁ କିଛି ନ କହି ବୈଦ୍ୟ ଦୁଆରକୁ ଧାଇଁଲା । ବୈଦ୍ୟରାଜ ଦୂବ ଘାସ କେରାକରେ ପାଣିରେ ଟୋପାଏ ତେଲ ପକାଇଲେ, ତେଲ ବୁନ୍ଦା ଧରି ରହିଲା- ମେଲିଲା ନାହିଁ । ରୋଗୀର ବୃତ୍ତାନ୍ତ ସବୁ ଶୁଣି କହିଲେ, ‘ଘୋର ସନ୍ନିପାତ, କସ୍ତୁରୀଭୈରବ ବଟିକା ଲୋଡ଼ା, ଚାରି ଟଙ୍କା ଦାମ୍ ଆଣ ।’ ଚେମୀର ପାଟି ପ୍ରାୟ ପଡି଼ଗଲାଣି; ଖୁବ୍ କଷ୍ଟରେ କହିଲା, ‘ମୁଁ ଟଙ୍କା କାହୁଁ ପାଇବି, ଘରେ ଧାନ ଅଛି, ସବୁ ଆଣି ଦେବି ।’ ଚେମୀ ଘରକୁ ଧାଇଁ ଧାଇଁ ଆସିଲା, ଖାଉନ୍ଦକୁ ଅନାଇଲା, କିଛି କଥା କହିଲା ନାହିଁ । କହିବ କଅଣ- ଖାଉନ୍ଦ କଥା ଶୁଣୁଛି, ନା କହୁଛି- ଖାଲି ଉଠବସ ହେଉଛି, ପାଟି କରୁଛି । ଚେମୀ ପାଛିଆଟିରେ ପାଛିଆଏ ଅମପା ଧାନ ପୂରାଇ କାଖେଇ ବୈଦ୍ୟ ଦୁଆରକୁ ଧାଇଁଲା । ବୈଦ୍ୟ ଆଗରେ ଧାନ କୁଢ଼େଇ ଦେଲା- ଚେମୀମା, ବିଭାବେଳେ ଅଢ଼େଇ ମସା ରୁପାର ଗୋଟାଏ ମୁଦି ଦେଇଥିଲା, ଘୋରି ଯିବ ବୋଲି ଚେମୀ ସବୁଦିନେ ଲଗାଏ ନାହିଁ, ସେହି ମୁଦିଟା ବୈଦ୍ୟଙ୍କୁ ଦେଲା । ତାଙ୍କ ପାଖରୁ ଔଷଧ ଘେନି ଧାଇଁଛି । ଚେମୀ ଚାରିଦିନ ହେଲା ଟୋପାଏ ପାଣି ମୁହଁରେ ଦେଇନାହିଁ, ତା’ଜ୍ୱର ବି ଭଲ ଛାଡି଼ନାହିଁ, ଭିତରେ ଭିତରେ ଜ୍ୱର ଅଛି । ସକାଳୁ ଦିନ ଦିପହର ଯାଏ ଧାଇଁଛି । ଚେମୀ ଘରକୁ ଯାଇ ଦେଖିଲା, ସପ୍ନା ପାଟି ଆଁ କରି ପଡି଼ଯାଇଛି । ଚେମୀ ‘ଏ ଠାକୁର! ମଙ୍ଗଳା!’ କହି ସପ୍ନା ଗୋଡ଼ତଳେ ଦୁଲ୍କରି ପଡି଼ଗଲା । ସପ୍ନାର ଟିକିଏ ଟିକିଏ ଜ୍ଞାନ ଥିଲା । ଚେମୀ ମୁହଁକୁ ଏକ ଧ୍ୟାନରେ ଅନାଇଛି । ଦୁହେଁ ଦୁହିଙ୍କୁ ଦେଖୁଛନ୍ତି ।
ତହିଁ ଆରଦିନ ଗାଁରେ ଚହଳ ପଡି଼ଗଲା- ବଗଲା ବଗଲୀର ଜ୍ୱର ହୋଇଥିଲା ଦୁଇଦିନ ହେଲା ତାଟି ଫିଟିନାହିଁ । ଗାଁ ଲୋକେ ଧାଇଁଲେ । ସମସ୍ତେ ହାୟ ହାୟ କରୁଛନ୍ତି । ଜମିଦାର ବାବୁ ସପ୍ନା ଶଶୁର ଗାଁକୁ ଧାଉଡ଼ିଆ ପାଇକ ପଠାଇଦେଲେ ।
ଗାଁର ସମସ୍ତ ସ୍ତ୍ରୀ ଚେମୀ ଲାଗି ହାୟ ହାୟ କଲେ, ଯିବାବେଳେ ସମସ୍ତେ ହୁଳହୁଳି ପକାଇଲେ । ଗାଁର ସମସ୍ତଙ୍କ ମୁହଁରେ ଏକ କଥା- ଧନ୍ୟ ଧନ୍ୟ ସ୍ୱାମୀ ସ୍ତ୍ରୀ ପ୍ରେମ! ନୀଚ କୁଳରେ ବି ଏମନ୍ତ ଧର୍ମ, ଏମନ୍ତ ପ୍ରେମ ଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାରୁ ତାଙ୍କୁ ବ୍ୟାସକବିର ଆଖ୍ୟା ଦିଆଯାଇଛି । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।