ଲିପସା ପଟେଲ
ପାହାଡ଼ ତଳିଆ ଗାଁ ସର୍ଗିଜୋର୍। ଗାଁରେ ଅନେକ ଲୋକ ପାଠଶାଠ, ବହିପତ୍ରରୁ ବହୁତ ଦୂରରେ । ସେଇ ଭିତରେ ବିଜାରୁ ଯାହା ଦି ଅକ୍ଷର ଶିଖିଥିଲା କେଉଁ ବିଦେଶୀ ବେସରକାରୀ ସଂସ୍ଥାର ଦୟାରୁ । ତା’ ବି ସଫଳ ହୋଇପାରିଲାନି । ଆଖପାଖ ଅଞ୍ଚଳରେ ସେମାନଙ୍କୁ ଧର୍ମାନ୍ତରିକରଣ ସଂସ୍ଥା କହି ବିରୋଧ କଲେ, ଏପରିକି ମାର୍ ପିଟ୍ ବି କରିବାରୁ ରାତାରାତି ସେମାନେ ଗାଁ ଛାଡି ଚାଲିଗଲେ । ବିଜାରୁର ଦ୍ଵିତୀୟ ଶ୍ରେଣୀର ପାଠ ଆଉ ପୂରା ହୋଇପାରିଲାନି । ମା, ବାପା ତ ତା’ର କେବେଠୁ ହଇଜାରେ ମଲେଣି। ସେ ରୋଗର ନାଁ ବି ଗାଁଲୋକ ତୁଣ୍ଡରେ ଧରନ୍ତିନି । ଏବେ ତା’ର ଅନ୍ଧୁଣୀ ଜେଜେମା ମାଗିଯାଚି ଯାହା ତା’ର ପେଟକୁ ଯୋଗାଏ । ବୟସାଧିକ୍ୟ ଯୋଗୁଁ ବିଜାରୁ ଏବେ ତା’ର ଆଶ୍ରା ସାଜିଛି । ଏଇ ଗାଁରେ ପଥର ଫଟାଇବା ହିଁ ଅନେକଙ୍କର ପ୍ରଧାନ କାର୍ଯ୍ୟ । ଡିନାମାଇଟ୍ ଶବ୍ଦ ତ ସେମାନଙ୍କ ଦିନଚର୍ଯ୍ୟାର ପରିସରଭୁକ୍ତ । ଏହା ଏଇ ଗାଁ ଓ ପାହାଡ ଆରପଟ ଗାଁ ଲୋକଙ୍କର ମଧ୍ୟ ରୋଜଗାରର ପନ୍ଥା । ଦିନରାତି ଡିନାମାଇଟ୍ ଶବ୍ଦରେ ଆଉ ଭୟାତୁର ହେଉନାହାନ୍ତି ଗାଁ ଲୋକେ ।
ଏଇ ପାହାଡକୁ ଭାଙ୍ଗି କେତେଲୋକ ଅଣ୍ଟିରେ ଧନ ଭର୍ତ୍ତି କଲେ ସୁଦ୍ଧା ସର୍ଗିଜୋର୍ ଗାଁର କୌଣସି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ । ଯୁବପିଢି ବିଶ୍ୱାସ ରଖନ୍ତି ଏଇ ପାହାଡ ଭାଙ୍ଗିଲେ ସବୁ ଉନ୍ନତିର ବାଟ ଫିଟିଯିବ । କିନ୍ତୁ ପୁରୁଖା ଲୋକ ଏଇ ପାହାଡକୁ ଡଙ୍ଗର ରଜା କହି ଏବେ ବି ପୂଜା କରନ୍ତି, କୁକୁଡା ବଳି ଦିଅନ୍ତି, ଭୋଗରାଗ ଯାଚନ୍ତି । ଯେଉଁ ସଂସ୍ଥାର ଲୋକ ଏଇ ପାହାଡ ଭଙ୍ଗା ଠିକା କାମ ନେଇଛନ୍ତି ତାଙ୍କ ଶ୍ରମିକଙ୍କ ପାଇଁ ସେମାନେ ଏଇ ଗାଁ ଉପକଣ୍ଠରେ ଛୋଟ ଛୋଟ ଟିଣ କ୍ୟାବିନ ଆଉ କିଛି ତମ୍ବୁ ଟାଣି ଦେଇଛନ୍ତି । ସବୁବେଳେ ନିଜ ଆବଶ୍ୟକୀୟ ସାମଗ୍ରୀ ପାଇଁ ଗାଁ ଭିତରକୁ ଆସି ଯାଇ ସେମାନେ ଗାଁ ପିଲାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଏଇ କ୍ରମରେ ବିଜାରୁ ବି ଅନ୍ୟ ସାଙ୍ଗମାନଙ୍କ ସହ ସେମାନଙ୍କ କ୍ୟାମ୍ପକୁ ଯାଏ । ସେମାନଙ୍କ ସହ କେବେ ଜଳଖିଆ ଖାଉଥିଲା ତ କେବେ ସିନେମା ଦେଖୁଥିଲା ।
ସିନେମା ଦେଖି ବିଜାରୁ ଏତେ ମାତ୍ରାରେ ପ୍ରଭାବିତ ହୁଏ ଯେ ସବୁବେଳେ ଅନ୍ଧୁଣୀ ଜେଜେମାକୁ ସେସବୁ କଥା କହି କହି ନୟାନ୍ତ କରିଦିଏ । ହିନ୍ଦୀ ସିନେମା ଦେଖି ଦେଖି ସେ ଖଣ୍ଡି ହିନ୍ଦୀ କହିବା ବି ଶିଖି ସାରିଥିଲା । କ୍ୟାମ୍ପର ଅଣଓଡିଆ ଲୋକଙ୍କ ସହ ସେ ସେଇ ଦରଖଣ୍ଡିଆ ଭାଷାରେ କଥାବାର୍ତ୍ତା କରି କାମ ଚଳେଇ ଦିଏ । ଥରେ ବେତାବ୍ ହିନ୍ଦୀ ସିନେମା ଦେଖି ବିଜାରୁ ଦିନରାତି ଘୋଡା ପାଳିବା ଚିନ୍ତା କଲା । ବୁଢୀ ଯେତେ ବୁଝାଶୁଝା କଲେ ବି ଶୁଣିଲାନି । ଯେତେଥର ଛୁଟିଦିନମାନଙ୍କରେ କ୍ୟାମ୍ପକୁ ଯାଏ ସେ ରମେଶ ନାମକ ବିହାରୀ ଯୁବକକୁ ସେଇ ବେତାବ୍ ସିନେମାର କ୍ୟାସେଟ୍ ଚଲାଇବାକୁ କହେ। ସେଇ ସିନେମା ଗୀତକୁ ଗୁଣୁଗୁଣାଏ । ଘୋଡା ଚଢିବା ନିଶା ତା’ର ଦିନକୁ ଦିନ ବଢୁଥାଏ ।
ବିଜାରୁର ରଙ୍ଗଢଙ୍ଗକୁ ଦେଖି ବୁଢୀ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଥିଲା । ଦିନେ ଯଥାସାଧ୍ୟ କଷ୍ଟ କରି ଗାଁର ପିଲାଟିଏର ସହାୟତାରେ ବୁଢୀ କ୍ୟାମ୍ପକୁ ଗଲା ଓ ରମେଶ ସହ କଥାବାର୍ତ୍ତା କଲା । କେମିତି ବିଜାରୁକୁ ଏଇ ପାଗଳାମୀରୁ ମୁକୁଳେଇବେ ସେମାନେ ସେଇ ଚିନ୍ତା କରୁଥିଲେ । କାମ ପରିଦର୍ଶନ କରିବାକୁ ବଡ ସହରରୁ କିଏ ଆସିବେ ବୋଲି ଗାଁସାରା ଖବର ପହଞ୍ଚିସାରିଥିଲା । ଏଇଠି ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଇବେ ବୋଲି ମ୍ୟାନେଜର ବି କହୁଥିଲା । ତାଙ୍କ ଆସିବା ବାଟକୁ କର୍ମଚାରୀଙ୍କ ଅପେକ୍ଷା ଗାଁଲୋକ ଅଧିକ ଆତୁରତାର ସହ ଜଗିବସିଥିଲେ । ରମେଶଠାରୁ ବିଜାରୁ ଶୁଣିଥିଲା ବଡ ବଡ ସହରୀ ବାବୁ ଆଜ୍ଞାମାନେ ବେମଜାନରେ ଆସନ୍ତି । ସେଇ ବେମଜାନକୁ ଦେଖିବାର ଜିଜ୍ଞାସା ମଧ୍ୟ ଗାଁରେ ମହାମାରୀଠାରୁ ଆହୁରି ପ୍ରବଳତର ଥିଲା ।
ବେତାବ୍ ସିନେମା ନିଶାକୁ ଉତାରିବାର ଉପାୟ ରମେଶ ପାଇଗଲା । ସେ ଦିନରାତି ବିଜାରୁ ଓ ତା’ର ସାଙ୍ଗମାନଙ୍କୁ ସେଇ ବେମଜାନ୍ କଥା ହିଁ କହେ । ଏବେ ଆଉ ସିନେମା ଚର୍ଚ୍ଚା ସେମାନଙ୍କ ଭିତରେ ହେଉନଥିଲା । ତା’ ବଦଳରେ ବେମଜାନ୍ ହିଁ ଆଲୋଚ୍ୟ ବିଷୟବସ୍ତୁ ହୋଇସାରିଥିଲା । ବେମଜାନ୍ କେମିତି ଦେଖାଯାଏ, ପବନରେ କେମିତି ଉଡେ, ତାକୁ କିଏ ଚଲାଏ………… ଏମିତି ଅନେକ କଥା ଭିତରେ ସେମାନେ ଖିଆପିଆ ଭୁଲିଯାଉଥିଲେ । ଜେଜେମା ଖୁସି ଥିଲା, ଯା’ ହେଉ ବିଜାରୁର ମୁଣ୍ଡରୁ ଘୋଡା ପାଳିବା ଭୂତଟା ଉତୁରିଲା ।
ଦିନେ ଖରାବେଳେ ଏକ ଅଜଣା ଗର୍ଜନରେ ସମସ୍ତଙ୍କ କାନମୁଣ୍ଡା ଭାଁ ଭାଁ କଲା । ଡିନାମାଇଟ୍ ଶବ୍ଦରେ ଅଭ୍ୟସ୍ତ କାନସବୁରେ ଅନ୍ୟ କିଛି ଶବ୍ଦ ଶୁଭିଲାରୁ ସମସ୍ତେ କାମଧନ୍ଦା ଛାଡି ଗାଁ ଦାଣ୍ଡକୁ ଧାଇଁଲେ । କିଛି ଗୋଟାଏ ଯନ୍ତ୍ର ଘୂରିବୁଲୁଥିଲା ତାଙ୍କ ଗାଁ ଉପରେ । କଙ୍କି ପରି ନୁହେଁ, ଚଢେଇ ପରି ନୁହେଁ, ପ୍ରଜାପତି ପରି ନୁହେଁ। ତେବେ ଇଏ କଣ ? ଅନେକ ସମୟ ଆକାଶରେ ଘୂରିଲା ପରେ ଯନ୍ତ୍ରଟି କ୍ୟାମ୍ପ ପାଖ ସମତଳ ଜମିରେ ଓହ୍ଲାଇଲା । ବିଜାରୁ ଯାହା ଯେତିକି ରମେଶଠାରୁ ଶୁଣିଥିଲା ସେହି ଅନୁମାନରେ ଚିଲ୍ଲାଇଲା…………….. ବେମଜାନ୍……. ବେମଜାନ୍ ! ତା’ ପଛକୁ ପଛ ଗାଁ ପିଲାଏ ପାଳିଆ ଧରିଲେ……… ବେଜାନ୍……….. ବେଜାନ୍! ସମସ୍ତେ ଧାଇଁଲେ କ୍ୟାମ୍ପ ପଟେ । କିଛି ସଭା ସମିତିର ଆୟୋଜନ ପାଇଁ ବାଉଁଶ ବନ୍ଧା ଚାଲିଥିଲା ତ ! ତେବେ ଏଇ ବେମଜାନ୍ ପାଇଁ ଏତେସବୁ ଆୟୋଜନ ? ବିଜାରୁ ମନେ ମନେ ଆଶ୍ଚର୍ଯ୍ୟ ହେଲା । ରମେଶ ତ କହିଥିଲା, ବଡ ବଡ ସହରୀ ବାବୁମାନେ ଏମିତି ବେମଜାନରେ କାମ ଦେଖିବାକୁ ଆସିବେ । ପାଖରୁ ଟିକିଏ ବେମଜାନକୁ ଛୁଇଁବାର ଇଚ୍ଛା ଯଦିଓ ତା’ର ଥିଲା ତଥାପି ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇ ଦେଲେ ।
ସେଦିନ ଯେଉଁ ସଭା ଆୟୋଜନ ହୋଇଥିଲା ସେଇଠି କିଛି ବଡବଡ ବାବୁମାନେ କହିଲେ,ଏଇଠି ବେମଜାନ୍ କାରଖାନା ହେବ । ଏମିତି ହଜାର ହଜାର ବେମଜାନ୍ ଏଇଠି ତିଆରି ହେବ। ତାଙ୍କ ଗାଁଲୋକ ପଥର ଫଟାଇବାଠାରୁ ବହୁଗୁଣରେ ରୋଜଗାର କରିପାରିବେ । ସମସ୍ତଙ୍କ ମୁହଁରେ ଆଶାର କିରଣ ଝଲସୁଥିଲା । ବିଜାରୁ ମନରେ କେବଳ ଗୋଟିଏ ଆଶା, ଏଇଠି ବେମଜାନ୍ କାରଖାନା ହେଲେ କେବେ ନା କେବେ ସେମାନଙ୍କୁ ଏଇ ବେମଜାନରେ ବସିବାର ସୁଯୋଗ ମିଳିବ । ନିର୍ଜୀବ ଯନ୍ତ୍ରକୁ ଦେଖି ସାରିଲା ପରେ ସେ ସବୁକଥା ତା’ର ଅନ୍ଧୁଣୀ ଜେଜେମାକୁ ବର୍ଣ୍ଣନା କରୁଥିଲା । ବୁଢୀ ମନରେ ପୁଣି ଭୟ ବସା ବାନ୍ଧିଲା । ତାକୁ ଛାଡ଼ି ଏଇ ବେମଜାନରେ ତା’ ବିଜାରୁ ଚାଲିଯିବନି ତ ?
ବେମଜାନ୍ ଅପଭ୍ରଂଶ ହୋଇ ଗାଁଟାସାରା ଲୋକଙ୍କ ତୁଣ୍ଡରେ ବେଜାନ୍ ହୋଇ ଉଚ୍ଚାରିତ ହେଉଥିଲା । ଗାଁ ସାରା ଲୋକ କହୁଥିଲେ ଏଇଠି ବେଜାନ୍ କାରଖାନା ହେବ । ସମସ୍ତଙ୍କ ଜୀବନ ସୁଧୁରିଯିବ । କାରଖାନା ତିଆରି କାର୍ଯ୍ୟରେ ସମସ୍ତେ ଶ୍ରମ ଦାନ କଲେ । ପୁରୁଖା ଲୋକ କିନ୍ତୁ ଆଗ ଭଳି କହୁଥିଲେ, ଏଇ ବେଜାନ୍ କାରଖାନା ତୁମ ସମସ୍ତଙ୍କୁ ବୁଡେଇ ଦେବ । ଲୋକଙ୍କ ଆଗ୍ରହ ଦେଖି ମ୍ୟାନେଜର ବି ଭଲ ଠକି ଚାଲିଥିଲା । ଏବେ ଯେଉଁମାନେ ବେଶୀ ପରିଶ୍ରମ କରୁଛନ୍ତି କାରଖାନା ଆରମ୍ଭ ହେଲେ ସେମାନଙ୍କୁ ପ୍ରଥମେ ଚାକିରି ମିଳିବ ଓ ଅଧିକ ଦରମା ମିଳିବ ବୋଲି ଫୁସୁଲାଉଥିଲା । ତାଙ୍କ ମଜୁରୀରୁ କାଟି ନିଜ ପକେଟ୍ ଭର୍ତ୍ତି କରୁଥିଲା । କିଛି ଲୋକ ତା’ କଥା ମଧ୍ୟ ଶୁଣୁଥିଲେ । ଏଇ ଭିତରେ ବିତିସାରିଥିଲା ତିନି ବର୍ଷ । ବିଜାରୁକୁ ଏବେ ଏଗାର ବର୍ଷ ବୟସ । ଜେଜେମା ଆଉ କାମକୁ ପାରୁନି। ଏଇ କ୍ୟାମ୍ପରୁ ହିଁ ବିଜାରୁ କିଛି କିଛି ମାଗିନିଏ ତା’ ପାଇଁ ଓ ଜେଜେମା ପାଇଁ । ରମେଶ ସହରକୁ ଗଲେ ତା’ ପାଇଁ ସାର୍ଟ ପ୍ୟାଣ୍ଟ ବି ଆଣିଦିଏ ।
ସମସ୍ତଙ୍କ ଆଶା ପୁଞ୍ଜି ଏବେ କେବଳ ଏଇ ବେଜାନ୍ କାରଖାନା । ଦିନରାତି କାମ ଜାରି ରଖି କାରଖାନା ସ୍ଥାପନା ହୋଇସାରିଥିଲା । ପୁଣି ଆସିବେ ସହରୀ ବାବୁ ଆଜ୍ଞାମାନେ ବେମଜାନରେ। ଗାଁରେ ଭୋଜିଭାତ ହେବ । ହସର ଲହରୀ ଖେଳିବ । ଏଇ ଉଲ୍ଲାସରେ କେତେ ଲୋକ କେତେ ସ୍ବପ୍ନ ବୁଣି ଚାଲିଥିଲେ । କିଏ ଭଲ ଘର ଖଣ୍ଡିଏ କରିବ, କିଏ ମା’ର ଚିକିତ୍ସା କରାଇବ, ଗାଁ ପିଲାମାନେ କମ୍ପାନୀ ସ୍କୁଲରେ ପାଠ ପଢିବେ । ଏମିତି ସ୍ଵପ୍ନସବୁ ଭାସୁଥିଲା ଗାଁସା ରା। କମ୍ପାନୀ ପ୍ରତିଷ୍ଠା ପୂଜାର ଦିନ ଧାର୍ଯ୍ୟ ହେଲା । ଗାଁର ପୁରୁଖା ଲୋକମାନେ କିନ୍ତୁ ଏଇ ପାପର ଭାଗୀଦାର ହେବୁନି କହି କାରଖାନା ପୂଜା ପାଇଁ ଗଲେନି । ବାକି ଗାଁଟା ଉଠିଯାଇଥିଲା କାରଖାନା ପରିସରକୁ । ମନଖୁସି ଖିଆପିଆ ସରିଲା ।
ସେପଟେ ପ୍ରତିଷ୍ଠା ପୂଜା ପରେ କମ୍ପାନୀ ଅଧିକାରୀମାନେ ଯାନ୍ତ୍ରିକ ବିଭାଗ ପଟେ ଗଲେ । ହଠାତ୍ ଏକ ବଡଧରଣର ବିସ୍ଫୋରଣରେ ସର୍ଗିଜୋର୍ ଗାଁର ଅସ୍ତିତ୍ୱ ହଜିଗଲା । ଆଉ ନ ଥିଲା କ୍ୟାମ୍ପ, କାରଖାନା, ବିଜାରୁ, ରମେଶ, ଜେଜେମା। କାହାର ଚିହ୍ନ ବର୍ଣ୍ଣ ନଥିଲା । କେବଳ କିଛିଦିନ ପାଇଁ ଖବରଟିଏ ହୋଇ ଆସିଲା ସର୍ଗିଜୋର୍ । ତା’ପରେ ସର୍ଗିଜୋର୍ ହୋଇଗଲା ବେନାମ୍ ।
ଭବାନୀପାଟଣା, କଳାହାଣ୍ଡି, ମୋବାଇଲ – ୯୪୩୯୪୦୦୩୪୮, ଇମେଲ- tinytots.lipsa@gmail.com
ଲେଖକ ପରିଚୟ
ମୁଁ ଏମିତିରେ ଗପ, କବିତା, ଉପନ୍ୟାସ, ପ୍ରବନ୍ଧ ସବୁ ଲେଖେ । କିନ୍ତୁ କବିତା ହିଁ ସମସ୍ତ ଲେଖକ ଲେଖିକାଙ୍କର ପ୍ରଥମ ପ୍ରେମ ବୋଲି ମୁଁ ବିଚାର କରେ । ଗପଟିଏ ପ୍ରକାଶିତ ହେଲେ ଅନେକ ଟେଲିଫୋନ ଓ ବାର୍ତ୍ତା ମୁଁ ଗ୍ରହଣ କରେ । ଏତିକି ହିଁ ମୋ ଲେଖିବାର ସ୍ଵୀକୃତି । ନିଜ ଚାରିପଟେ ଘଟୁଥିବା ଚିତ୍ର ଓ ଚରିତ୍ରକୁ କାଗଜରେ ଉତାରି ପାରିଲେ ହିଁ ମୁଁ ଆଶ୍ଵସ୍ତ ହୁଏ । କଲମଠାରୁ ଶକ୍ତିଶାଳୀ ଅସ୍ତ୍ର ପାଇନି ବୋଲି ମୁଁ ଲେଖୁଛି । ଏଯାବତ ୧୦ ଖଣ୍ଡ ପୁସ୍ତକ ପ୍ରକାଶିତ ହେଲାଣି । ଟାଇମପାସ୍ ପ୍ରଥମା, କଥା କଳିକା ଗଳ୍ପ ସମ୍ମାନ, ସାହିତ୍ୟ ଦର୍ପଣ ଗଳ୍ପ ସମ୍ମାନ, ସୁନ୍ଦରଗଡ଼ ଜିଲ୍ଲା ଲେଖକ ପରିଷଦ ଯୁବ ସମ୍ମାନ, କଳିଙ୍ଗ ସାହିତ୍ୟ ମହୋତ୍ସବ ଯୁବ ସମ୍ମାନ ଆଦି ଅନେକ ସମ୍ମାନ ମିଳିଛି ।