ପ୍ରସନ୍ନ କୁମାର ସ୍ୱାଇଁ
କେତେ ତପସ୍ୟାରେ ପାଇଥାଏ ଏ ନାଁ …
ଅଥଚ ନିଜ ଘରେ ନିଜେ ଶତ୍ରୁତା କରେ
ରୋଗ ପରି ଦେହ ଦେଇପିଣ୍ଡି ପାଖେ ।
ନିଜ ଅଙ୍ଗ, ନିଜର ଉପାଙ୍ଗକୁ ନିଜେ
ଫୋପାଡ଼ିବା ପାଇଁ ଆଗଭର ହୁଏ
ଯେତେଥର ମାଟି ତାକୁ ଆଉଁସି ଦେଉଥାଏ
ସେତେଥର ତା ହାତରେ ନିଜକୁ
ପରାସ୍ତ କରିବାର ମୋହ ।
ସେ ବୁଝେନାହିଁ ଉର୍ଦ୍ଧ୍ୱଗତି, ଆବାହନ
ସେ ବୁଝେନାହିଁ ସମାନ୍ତରାଳ ପବନରେ ବି
ଥାଏ କେତେ ମିଠା ଆରୋହଣ !
ସେ ବୁଝେନାହିଁ ଶବ୍ଦଙ୍କର ଅର୍ଥ
ମାଟିର ଐଶ୍ୱର୍ଯ୍ୟ
ନିସର୍ତ୍ତରେ କେମିତି ଭଲ ପାଇହୁଏ
ଧାଡ଼ିଧାଡ଼ି କୃଷ୍ଣଚୂଡ଼ା ଗଛ
ଯିଏ ରାସ୍ତା କଡ଼େ ବାଣ୍ଟୁଥାନ୍ତି
ଦେଶର ସୌଭାଗ୍ୟ ।
କେବେକେବେ ହୁଲି ଡଙ୍ଗା
ନିଜକୁ ଭାବେ ସମ୍ରାଟ ।
ସେ ଭାଙ୍ଗେ ମନ
ଭାଙ୍ଗେ ମାନଚିତ୍ର
ଭାଙ୍ଗେ ମଧୁବନ
ଭାଙ୍ଗେ ମଟାଳ ମର୍ଯ୍ୟାଦା
ଆହୁରି ଅନେକ କିଛି ।
ସେ ଗୋଟେ ପ୍ରିୟ ଯନ୍ତ୍ରଣା …
ଚିରେ ଚିତ୍ର
ଛିଣ୍ଡାଏ ଫୁଲ
ଯୋଗାଡ଼ କରେ ଉତ୍କୃଷ୍ଠ ପାପ
କୋଉଠୁ କୋଉଠୁ ଧାର ଆଣେ ଲୋଭ
କବଚକୁ କଣା କରୁଥାଏ କାପୁରୁଷତାର କଇଁଚିରେ ।
କେମିତି ସେ ବୁଝେନାହିଁ କେଜାଣି
କେବଳ ମୁଣ୍ଡ ଥିଲେ ଜୀଇଁ ହୁଏ ନାହିଁ
ହୃଦୟକୁ ପାଇବାକୁ ହେଲେ
ନିଜକୁ ଶତଧୌତ କରିବାକୁ ପଡ଼େ
ନିଜଠୁ ଆରମ୍ଭ କରିବାକୁ ପଡ଼େ
ସ୍ୱାର୍ଥମେଧ ଯଜ୍ଞ ?
ଓଡ଼ିଆ ଭlଷା ଓ ସାହିତ୍ୟ ବିଭାଗ, ଶ୍ରୀ ଅରବିନ୍ଦ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର, ମାତୃଭବନ, କଟକ, ମୋ – ୯୪୩୯୨୫୪୪୭୦
ଲେଖକ ପରିଚୟ
‘ଓଠ’, ‘ନିଜ ସହ ପାନିପଥ’, ‘ପୁରୁଷ : ଈଶ୍ୱର’ ଓ ‘ପ୍ରଣାମ କବି ପ୍ରଣାମ’ ଶୀର୍ଷକରେ ୪ ଟି କବିତା ସଂକଳନ ପ୍ରକାଶିତ ହୋଇସାରିଥିବା ବେଳେ ପ୍ରତ୍ୟେକଟି କବିତାରେ ପ୍ରେମ, ରାଷ୍ଟ୍ରପ୍ରେମ ଆଉ ମାନବ ପ୍ରୀତି ହିଁ ପ୍ରତିଫଳିତ ହୋଇଥାଏ । ନୂଆ ଶବ୍ଦ ଖୋଜିବାରେ, ଗଢିବାରେ ଓ ନୂଆନୂଆ ଚରିତ୍ରକୁ ଖୋଜି କବିତା ଲେଖିବାରେ ଆଗ୍ରହ । ତାଙ୍କର ପ୍ରତିଟି କବିତା ଭିତରେ ଥାଏ ଆବେଗ ସହିତ ବାସ୍ତବାବିମୁଖୀ ଧାଡ଼ି ଯାହା ପାଠକଙ୍କୁ କବିତାରେ ବାନ୍ଧି ରଖେ ।