ଭୁବନେଶ୍ଵର : ଅତୀତରେ ସାହିତ୍ୟିକଙ୍କ ପାଇଁ ଆଜି ଭଳି ପୁରସ୍କାର କି ପ୍ରୋତ୍ସାହନ ନଥିଲା । ଜ୍ଞାନପୀଠ ଆରମ୍ଭ ହୋଇ ନଥିଲା କି ସାହିତ୍ୟିକଙ୍କୁ ନୋବେଲ ପୁରସ୍କାର ବି ମିଳୁନଥିଲା । ତଥାପି ଓଡ଼ିଶାରେ ଗଙ୍ଗାଧର ମେହେର, ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ମହାନ ସ୍ରଷ୍ଟା କାଳଜୟୀ ରଚନା କରିଥିଲେ । ପ୍ରତିକୂଳ ପରିସ୍ଥିତିରେ ଓଡ଼ିଶାରେ ଅନେକ ସାହିତ୍ୟର ସର୍ଜନା ହୋଇଥିଲା । ଏବେ ସୁଯୋଗ ଓ ସମ୍ଭାବନା ଯଥେଷ୍ଟ ରହିଛି । ମାତ୍ର ଆଉ ଜଣେ ଗଙ୍ଗାଧର କି ଫକୀରମୋହନଙ୍କୁ ଓଡ଼ିଶା ସୃଷ୍ଟି କରିପାରୁନି କାହିଁକି ? ସମ୍ବଲପୁର ତପସ୍ଵିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ସମ୍ବାଦ’ର ସହିତ୍ୟୋତ୍ସବ ‘ମହୁଲ ଝାରେ ବରଷିଲା ପାନି’ କୁ ଉଦଘାଟନ ଅବସରରେ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କିଛି ପ୍ରଶ୍ନ କରିବା ସହିତ ଏହା ଉପରେ ଗବେଷଣା ଜରୁରୀ ବୋଲି କହିଥିଲେ । ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କାଳିଦାସ ମିଶ୍ର ମୁଖ୍ୟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଚନ୍ଦ୍ରଶେଖର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଉଦଘାଟକ ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ସମ୍ବଲପୁରକୁ ଓଡ଼ିଶା ସାହିତ୍ୟର ଏନ୍ତୁଡ଼ିଶାଳ ବୋଲି ଅଭିହିତ କରିଥିଲେ । ଗଙ୍ଗାଧର ସାହିତ୍ୟ ହେଉ କି ଭୀମ ଭୋଇଙ୍କ କାବ୍ୟ, ସବୁ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛି । ଯାହାର ହୃଦୟ ନଥିବ ସେ ସାହିତ୍ୟିକ ହୋଇପାରିବ ନାହିଁ । ସାହିତ୍ୟର ଯାତ୍ରା କଣ୍ଟକମୟ । ଏ ରାସ୍ତାରେ ଚାଲି ପାଦ ରକ୍ତାକ୍ତ ହେଲେ ଯାଇ ଜଣେ ଉତ୍ତମ ସାହିତ୍ୟିକ ହୋଇପାରିବ ବୋଲି ଶ୍ରୀ ପୂଜାରୀ କହିଥିଲେ । ମୁଖ୍ୟ ଅତିଥି ପ୍ରଫେସର ମିଶ୍ର ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରି ଗଙ୍ଗାଧର ମେହେରଙ୍କ ଠାରୁ ନେଇ ୱିଲିୟମ୍ ୱାର୍ଡସୱର୍ଥଙ୍କ ଯାଏ ଉଦାହରଣ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ହୋତା ତାଙ୍କ ବକ୍ତବ୍ୟରେ ସାହିତ୍ୟର ସଂଜ୍ଞା ଓ ସ୍ଵରୂପ ବଦଳିଥିବାର ମତବ୍ୟକ୍ତ କରିଥିଲେ । AI ଯୁଗରେ ସାହିତ୍ୟ ସାଧନା କରୁଥିବା ଲୋକଙ୍କ ପାଇଁ ସାହିତ୍ୟ କେମିତି ହେବା ଆବଶ୍ୟକ ତା ଉପରେ ଆଲୋକପାତ କରିବା ସହିତ କହିଥିଲେ ଯେ ସୃଜନଶୀଳତାକୁ AI କେବେ ଟପି ଯାଇପାରିବ ନାହିଁ ।