ସତ୍ୟନାରାୟଣ ଗନ୍ତାୟତ

କେହି ‘ଦେବି’ ବୋଇଲେ ତା’ ଶୁଣୁଶୁଣୁ କୁଆଡ଼େ ଆଶା ଉପୁଜି ଯାଏ ! ଏମିତି ଆଶା ରଖିବା ଅର୍ଥ ଆଶାୟୀ ହେବା । ତଦୁତ୍ତାରେ ସେହି ଆଶା ଚରିତାର୍ଥ ହେଲା ମାନେ ଆଶା ପୂରଣ ହେଲା ବୋଲି ବୁଝିବାକୁ ହୁଏ । ହେଲେ ଏଠି ସରି ଯାଏନି କଥା । ଫେର୍ ଉଠେ ଏକ ମହାର୍ଘ ଜିଜ୍ଞାସା : ଆଶା କେତେ ସରି ପୂରଣ ହୋଇଛି ? ପୂରା ନା ଅଧା ନା ନାମକୁ ମାତ୍ର ? ଏଥକୁ ଶଂସିତ ଆଶାୟୀକୁ ହୁଏ ପ୍ରଶ୍ନ କେତେ ମିଳିଲା ? ଏହି କ୍ରମରେ ଯାହା ଲୋକମୁଖରେ ସରସ ହୋଇ କୁହାଯାଇଥାଏ, ତାହା ଏମନ୍ତ : “ଆଶା ସିନା କରି ପକାଇଥିଲ, ହେଲେ ପାଇଲ କେତେ ? କେଞ୍ଚେ ନା ମେଞ୍ଚେ ??”
ଅତଃ ପ୍ରଚଳିତ ହୋଇଆସୁଛି ଦୁଇଟି ଶବ୍ଦ: କେଞ୍ଚେ ଓ ମେଞ୍ଚେ । ଉପର ଠାଉରିଆ ଭାବେ ଶୁଣିବା ଜନେ ଏହି ଦୁଇ ଶବ୍ଦଙ୍କ ସରସତା ଭିତରେ ପହିଲେ ହଜାଇ ଦେବେ ନିଜକୁ । ପରେ ନିମିଷେ ଭାବିବେ ତ’ ନିଶ୍ଚେ ଅନୁଭବି ପାରିବେ ଯେ ଏହି ଶବ୍ଦ ଦୁହିଁଙ୍କ ଭିତରେ କେମିତି ଆମ ଜୀବନଯାପନ, ଯାବତ ଜାଗତିକ ମାପଚୁପ ଏବଂ ଆମ ସାମଗ୍ରିକ ମାନସିକତା ଭିନ୍ନ ଭିନ୍ନ ରୂପେ ପ୍ରକାଶ ପାଇଥାଏ ।
କେଞ୍ଚେ କହିଲେ ବୁଝାଯାଏ ଯେ ଅତି ବା ସାମାନ୍ୟ ବା ଅଳ୍ପ ପରିମାଣର । ଆହୁରି ସରଳରେ କହିଲେ ଟିକିଏ । କେଞ୍ଚେ ମିଳିଛି ମାନେ ଅତି କମ୍ ମିଳିଛି । ତେଣୁ ଏମିତି ପାଇବା ନେଇ ଆପଣା ନାଖୁସ୍ ମନୋଭାବ ଜଣାଇବା କ୍ରମେ କୁହାଯାଏ “ହଁ ମିଳିଲା ଯେ ଆଉ ପଚାରନା, ମୋତେ ମାତ୍ର ମିଳିଛି କେଞ୍ଚେ !” ଏହା ଶୁଣିବା ମାତ୍ରେ ଜଣାଯାଏ ଯେ ଏହି ଲୋକଟି ହିଁ କେଞ୍ଚେ ପାଇଛି !
ତ’ ଏଠି ସ୍ୱାଭାବିକ ଭାବେ ଉଠେ ଏହାଙ୍କ ଭିନ୍ନ ଅନ୍ୟ ଆଶାୟୀଙ୍କ କଥା । କହିବାକୁ ଗଲେ ସେମାନେ ହିଁ ମେଞ୍ଚେ ପାଇଥାନ୍ତି । ଅର୍ଥାତ ସେମାନେ ଅଳ୍ପ ନୁହେଁ ବେଶୀ ପାଇଥାନ୍ତି । ଏତେ ସରି ପାଇଥାନ୍ତି ଯେ ତାହା ବହୁତ, ଗଦାଏ ଜାତୀୟ ।
ସୁତରାଂ କେଞ୍ଚେ ଓ ମେଞ୍ଚେ ମଧ୍ୟସ୍ଥ ପାର୍ଥକ୍ୟ ପରିମାଣର ତାରତମ୍ୟ ସୂଚକ ହିଁ ନୁହେଁ, ବରଂ ପ୍ରକାରାନ୍ତରେ ଏଥିସହ ମଣିଷର ଆଶା, ନିରାଶା ତଥା ପ୍ରାପ୍ତି ଅପ୍ରାପ୍ତି ଜଡ଼ିତ । ପୁନଶ୍ଚ ସାମଗ୍ରିକ ଭାବେ ସମାଜରେ ମଣିଷ ଜୀବନର ବହୁବିଧ ଦିଗକୁ ଛୁଇଁଥାଏ ଏହି କେଞ୍ଚେ ଓ ମେଞ୍ଚେ । କାରଣ ଯେଉଁଠି ଆଶା ସେଠି ଏହା ଯେମିତି ଥାଏ, ସେମିତି ଯେଉଁ ଯେଉଁ କ୍ଷେତ୍ରରେ ତୁଳନା ସନ୍ନିହିତ, ସେଠି କେଞ୍ଚେ ଓ ମେଞ୍ଚେ ରହିବା ଏକରକମ ଅବଧାରିତ ବୋଲିବାକୁ ହେବ ।
ତେଣୁ ପରା କୁହାଯାଏ : “ଖାଇବା ବେଳକୁ ତ’ ଲୋଡ଼ା ପଡୁଛି ମେଞ୍ଚେ, ହେଲେ କାମ କଲାବେଳକୁ କରୁଛୁ କେଞ୍ଚେ ?” ଅପରପକ୍ଷରେ ଉଚ୍ଚାଟିତ ହୋଇପଡ଼ି ଯଦି ମେଞ୍ଚେ ହେବ କାମ ସାରିଦେବ,ହେଲେ ପାରିଶ୍ରମିକ ମିଳିବାବେଳେ ସମାନୁପାତରେ ମେଞ୍ଚେ ନମିଳି କେଞ୍ଚେ ମିଳିଲା ତ’ ମାମଲା ଛାଏଁ ବିଗିଡ଼ି ଯାଏ ।
“ରାତି ବରଷା, ମାଆ ପରଷା’ ବୋଲି କୁହାଯାଇଥାଏ ଜରୁର୍ । ହେଲେ ସେଇ ମାଆପିଲାର ଥାଳି ଗିନା ଭର୍ତ୍ତି କରି ପରଷି ଦେଲେ ସତେ ଅବା ଅସୁବିଧା ହୋଇଯାଏ । “ମେଞ୍ଚେ ବାଢି ଦେଲୁ ଯେ ମୁଁ ଖାଇ ପାରିବିନି” କହି ପିଲାଏ ନାନା ନଖରାମି କାଢନ୍ତି ।
ଲୋକେ ସାଧାରଣତଃ କେଞ୍ଚେରେ କଦାଚିତ ସନ୍ତୁଷ୍ଟ ହୋଇଥାନ୍ତି । ବେପାରୀ ହୁଅନ୍ତୁ ବା ଗରାଖ ସଭିଏଁ ଏହି କେଞ୍ଚେ ମେଞ୍ଚେ ନେଇ ଟଣାଓଟରା ଅବଶ୍ୟ ହେଉଥାନ୍ତି । ଗରାଖ ଚାହୁଁଥାଏ କେଞ୍ଚେ ଦେଇ କେମିତି ମେଞ୍ଚେ ଯୋଗାଡ଼ି ନେବ । ସେମିତି ବେପାରୀଏ ଗରାଖଙ୍କୁ କଅଁଳ କହି କେଞ୍ଚେ ଧରାଇ ଦେଇ ତାଠୁ ମେଞ୍ଚେ ମାଲ ଝଡ଼ାଇ ନେବେ ଯେ ସେନେଇ ରହିଥାନ୍ତି ସଦା ତତ୍ପର ।
ନେତାଙ୍କ କଥା ପୁଣି ଆହୁରି ନିଆରା । ସେମାନେ ସବୁବେଳେ ଯେନ ତେନ ପ୍ରକାରେଣ ମେଞ୍ଚେ ପାଇବାକୁ ହିଁ ଆପଣାକୁ ହକଦାର ମଣିଥାନ୍ତି । ତେଣିକି ସେମାନଙ୍କ ନେତୃତ୍ୱ ଅଧୀନସ୍ଥ ଜନେ କେଞ୍ଚେ ସୁଦ୍ଧା ପାଉଛନ୍ତି କି ନା’ ସେଥକୁ ସେମାନଙ୍କ ହେଜ ନଥାଏ । ଏହି ପ୍ରଜାତିର ଜନେ ପ୍ରତିଶ୍ରୁତି ମେଞ୍ଚେ ଦିଅନ୍ତି ସିନା ସେସବୁରୁ କେଞ୍ଚେ ବି ପୂରଣ କରନ୍ତି ନାହିଁ ।
ଏମିତି ମେଞ୍ଚେ’ ପାଇବା ପାଇଁ ସବୁବେଳେ ଦୌଡୁଥିବା ମଣିଷ ଅବଶେଷେ ବିବିଧ ବୈଷମ୍ୟର ବ୍ୟୂହ ମଧ୍ୟରେ ସନ୍ତାପିତ ହୋଇରହେ ଏହି କେଞ୍ଚେ ଓ ମେଞ୍ଚେ ଆଧାରିତ ଖେଳ ଭିତରେ ହଜିଯାଏ । ଅଗତ୍ୟା ଏହାକୁ ସେ “ଭାଗ୍ୟରେ ଯାହା ଲେଖା ହୋଇଛି” ବୋଲି କହି ଶେଷରେ ନିରବି ଯାଏ ।
କିଛି ଲୋକ ସଫଳତା ପରେ ସଫଳତା ପାଇ ଚାଲିଥିବାବେଳେ କେତେକଙ୍କ କ୍ଷେତ୍ରରେ ଯତ୍ କିଞ୍ଚିତ ସଫଳତା ବି ଅତ୍ୟନ୍ତ ଆୟାସ ସାଧ୍ୟ ହୋଇ ରହିଥାଏ । ଏମିତିରେ ସଭିଏଁ ପ୍ରାୟତଃ ଚାହାଁନ୍ତି ଯେ ସେମାନଙ୍କ ସାଫଲ୍ୟ ଓ ପ୍ରତିଷ୍ଠା ‘ମେଞ୍ଚେ’ ହେଉ ଏବଂ ଆପଦ ଅସୁବିଧାଦି କେଞ୍ଚେ ହୋଇ ଆସୁ, ଯେମିତି ସେମାନେ ଫୁଟକି ମାରି ସେସବୁ ଉଡ଼ାଇ ଦେଇ ପାରିବେ । ହେଲେ ଅନେକଙ୍କ ପାଇଁ ଏହାର ବିପରୀତ ହୋଇ ମେଞ୍ଚେ ଦୁଃଖ ସାମନା କରିବାକୁ ହୁଏ ଏବଂ କେଞ୍ଚେ ସୁଖ ସ୍ୱାଛନ୍ଦ୍ୟ ଲାଭ ସ୍ୱପ୍ନ ପ୍ରାୟ ହୋଇଯାଏ । ଏମିତି କେଞ୍ଚେ ଓ ମେଞ୍ଚେ ବହୁ ମାତ୍ରାରେ ବିଡ଼ମ୍ବନାର ସୂଚକ ହୋଇଥାନ୍ତି ।
ଆଶା ଓ ତୁଳନା ଆଦିରୁ ସୃଷ୍ଟ ଏହି କେଞ୍ଚେ ମେଞ୍ଚେର ତାରତମ୍ୟର ସ୍ଵାତନ୍ତ୍ର୍ୟ କିନ୍ତୁ ସବୁବେଳେ ରହି ଆସିଛି । ଯେମିତି ମାଆର ସ୍ନେହ ସତତ ମେଞ୍ଚେ, କଦାଚିତ କେଞ୍ଚେ ନୁହଁଇ । ହେଲେ ଆଜିର ସମୟରେ ସର୍ବଦା ସର୍ବତ୍ର ପ୍ରେମ ପ୍ରତ୍ୟୟ ରହିତ ସମ୍ପର୍କ କିନ୍ତୁ ମେଞ୍ଚେ ମେଞ୍ଚେ, ଯାହାକୁ ଯେତେ !
ତଥାପି ଏ ଦୁନିଆରେ ରହି କେତେବେଳେ ମେଞ୍ଚେ ଖୋଜିବାବେଳେ କେଞ୍ଚେ ପାଇ ଓ କେଞ୍ଚେ ପାଇ ନଆସୁଥିବା ବେଳେ ଅଚାନକ ଚମକପ୍ରଦ ଭାବେ ମେଞ୍ଚେ ପାଇଯିବାର ଅନୁଭବ ମାନଙ୍କରେ ଏକରକମ ସିଦ୍ଧ ହୋଇଯିବା ପରେ ଅବଶେଷରେ ଏଇଆ ଲାଗେ ଯେ, ଜୀବନର ସକଳ ଦୁଃଖ ଓ ଯାତନା ‘ମେଞ୍ଚେ’ ହୋଇଥିଲେ ହେଁ ସେସଵୁକୁ ‘କେଞ୍ଚେ’ ଭାବି ଭୁଲିଯିବା ଏବଂ ପାଇଥିବା ନାମକୁ ମାତ୍ର ବା କେଞ୍ଚେ ଖୁସିକୁ ହିଁ ‘ମେଞ୍ଚେ’ ମଣି ଉଦାରତା ଭରେ ବିତରି ଦେଇ ସୁଖୀ ହେବାରେ ହିଁ ଆମ ଏହି ଜୀବନର ମହତ୍ତର କଳା ସନ୍ନିହିତ ।
ସୁତରାଂ ‘ମେଞ୍ଚେ’ ପାଇ ଅହଙ୍କାରୀ ଓ ‘କେଞ୍ଚେ’ ପାଇ ଅଧୈର୍ଯ୍ୟ ନ ହେବା ହିଁ ବାସ୍ତବ ମଣିଷ ମଣିଆ ବୋଲିବାକୁ ହେବ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

