ନେତ୍ରୋତ୍ସବରୁ ନୀଳାଦ୍ରି ବିଜେ

ସତ୍ୟନାରାୟଣ ଗନ୍ତାୟତ

ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ଶ୍ରୀଜଗନ୍ନାଥ ଅଷ୍ଟକମ୍ ର ପ୍ରତି ଶ୍ଳୋକ ଶେଷ ହୋଇଥାଏ “ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ” ରେ ! ଏଥିରୁ ସୁସ୍ପଷ୍ଟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଉଭୟ ଚର୍ମଚକ୍ଷୁ ଓ ମନଶ୍ଚକ୍ଷୁରେ ଦର୍ଶନ କରିବା ପାଇଁ ଭକ୍ତଜନଙ୍କ ପ୍ରାଣ କେମିତି ସତତ ବ୍ୟାକୁଳ !

ପ୍ରଭୁ ମଧ୍ୟ ଅନୁରୂପ ଭାବେ ସମୟର ନ୍ୟୁନତମ ପରିମାପକ ପ୍ରତିଟି ଲିତାରେ ସୁଦ୍ଧା ଆପଣାର ଚକାଚକା ଦୁଇ ଆଖି ଫେଇ ଦେଖୁଥାନ୍ତି ସାରା ଜଗତକୁ ! ହଁ, ତାଙ୍କ ଆଖିରେ ପଲକ ବି ନାଇଁ ଥରୁଟେ ତମ ଆମ ପରି ପଲକ ପାତ ପାଇଁ ବା ଆଖି ମିଟିକା ମାରି ଅବିରତ ଦର୍ଶନ ଜନିତ କ୍ଳାନ୍ତି କିଞ୍ଚିତ ଲାଘବ କରିବା ପାଇଁ । ସୁତରାଂ ସେ ରତ୍ନବେଦୀରେ ବସି ସଦା ନିମଗ୍ନ ଜଗତ ଦର୍ଶନରେ ଏବଂ ଏମିତି ଅନାଇ ରହିଥିବା ତାଙ୍କ ଚକାଚକା ଦୁଇ ଆଖିଙ୍କୁ ନିମିଷେ ଅନାଇ ଦେଲେ ଭକ୍ତପ୍ରାଣ ହୋଇଯାଉ ଥାଏ ଏକ ଦୁର୍ଲଭ ଦିବ୍ୟ ପୁଲକରେ ପ୍ଳାବିତ !

ତଥାପି ଏହି ପାରସ୍ପରିକ ଦର୍ଶନରେ ମନ ମାନେନା ଭକ୍ତ ଓ ଭଗବନ ଉଭୟଙ୍କର ! ତେଣୁ ତ ଭକ୍ତ ଆକୁଳ ବ୍ୟାକୁଳ ହୋଇ ଅନାଇ ରହିଥାଏ କେବେ ପ୍ରଭୁ ଆସିବେ ରଥ ଯାତ୍ରାରେ ଓ ଦର୍ଶନ ଦେବେ ବଡ଼ଦାଣ୍ଡରେ ! ହେଲେ ଏଣେ ପ୍ରଭୁଙ୍କ ମାନବ ଲୀଳାରେ ତ କେତେନା କେତେ ବୈଚିତ୍ର୍ୟ ! ଋତୁଚକ୍ରାନୁସାରେ ଗ୍ରୀଷ୍ମପ୍ରବାହ ଆମକୁ ଅସହ୍ୟ ହେଲେ ଆମେ ଥରକ ପାଖରେ ଦି’ଥର ଗାଧୋଇ ପକାଇ ଥାଉ ସିନା, ଠାକୁର କିନ୍ତୁ ତାପ ସହି ନପାରି ଆସିଯାଆନ୍ତି ଓ ସୁସଜ୍ଜିତ ବେଦୀରେ ଏକ ଶହ ଆଠ କଳସ ଜଳରେ ଚାପ ଖେଳ କରତଃ ମହାସ୍ନାନରେ ଏକାନଟେ ମଜ୍ଜି ଯାଆନ୍ତି । ଦେବଙ୍କ ଏହି ଅପୂର୍ବ ମାନବୀୟ ଲୀଳା ଦେବସ୍ନାନ ଭାବେ ଜନମନ ହରଣ କରେ ସିନା, ପ୍ରଭୁ ସୁଦ୍ଧା ଚାପ ଖେଳି ତାପକୁ ଲୋଡ଼ି ଆଣନ୍ତି । ଅର୍ଥାତ ପ୍ରଭୁଙ୍କୁ ଜର ହୁଏ, ଖରାଦିନେ ଆମ ଆଖି ଧରିବା ପ୍ରାୟେ ଚକାଆଖି ବି ଧରେ ! ବାସ୍ । ଆମ ଦିହ ଅସହଜ ହେଲେ ବିଶ୍ରାମ ନେବା ପରି ପ୍ରଭୁଙ୍କୁ ବି ଲୋଡ଼ା ହୁଏ ବିଶ୍ରାମ ଓ ସେ ସମୟରେ ଲୋଡ଼ା ହୁଏ ଦେବ ବିଧି ମତେ ଓଷୁଅ ସେବନାଦି ସମେତ ଯାବତ ସେବାଯତ୍ନ ! ଏଣିକି ଭକ୍ତ ପାଇଁ ଆଉ ଦର୍ଶନ ହୋଇଯାଏ ଅସମ୍ଭବ, କାରଣ ପ୍ରଭୁ ପରା ଅଣସର ଘରେ, ଆଖି ପରା ଧରିଅଛି !

ଭକ୍ତ ଅନାଇ ରହେ କେବେ ପ୍ରଭୁଙ୍କ ଦିବ୍ୟଚକ୍ଷୁ ଠିକ୍ ହେବ ଓ ସେ ଦେଖା ଦେବେ ! ଭାବର ଠାକୁର ବୁଝିଯାଆନ୍ତି ଭକ୍ତଙ୍କ ମନସ୍କାମନା । ତେଣୁ ଅଣସର ପରେ ହିଁ ଆରମ୍ଭ କରନ୍ତି ଭକ୍ତଙ୍କ ସହ ମିଳି ଜଗତ ଦର୍ଶନର ମହାନନ୍ଦ ସାଉଁଟି ନେବାର୍ଥେ ଯାତ୍ରା । ତେବେ ପହିଲେ ହୁଏ ପ୍ରଭୁଙ୍କ ନେତ୍ରୋତ୍ସବ ! ବିରହର ବେଦନାନ୍ତେ ମିଳନର ମାଧୁର୍ଯ୍ୟରେ ବିମୋହିତ ହୁଏ ଭକ୍ତ, ପ୍ରଭୁଙ୍କୁ ମନ ଭରି ଦର୍ଶନ କରି ! ପ୍ରଭୁ ବି କଜ୍ଜଳ ପୂରିତ ନୟନ ଯୁଗଳ ସହ ନବଯୌବନରେ ଦିଶୁଥାନ୍ତି କି ମନୋରମ !

ଏଥୁତ୍ତାରେ ଆରମ୍ଭ ହୋଇଯାଏ ତତ୍ପରତା ରଥ ଯାତ୍ରା ପାଇଁ । ଭକ୍ତ ତ ଆକୁଳ, ଭଗବାନ ବି ବ୍ୟାକୁଳ ସେଥକୁ । ସୁତରାଂ ନେତ୍ରୋତ୍ସବ ଠାରୁ ନୀଳାଦ୍ରି ବିଜେ ଯାଏ ଲାଗେ ଗହଳ ଚହଳ, ମର୍ତ୍ତ୍ୟ ବୈକୁଣ୍ଠର ମହାଧୀଶ ମହାପ୍ରଭୁଙ୍କ ମାନବ ଲୀଳାର ଅନନ୍ୟ ମହାପର୍ବ ଘୋଷଯାତ୍ରା ପାଇଁ ! ସେ ଯେ ଭାବର ଠାକୁର, ଭକ୍ତ ଭାବଗ୍ରାହୀ ଏହା ହିଁ ଫି ମୂହୁର୍ତ୍ତରେ ଜଣାଇ ଦେଉଥିବା ପାଇଁ ପ୍ରଭୁଙ୍କ ଏହି ସାମ୍ବତ୍ସରିକ ପାବନ ଯାତ୍ରା ହୋଇ ଆସୁଛି । ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ବଡ଼ଠାକୁର । ମହୋଦଧିକୁ ଟପିଯାଏ ଜଗତ ଜନଙ୍କ ମହାସମୁଦ୍ର ! ଜଗତର ନାଥ ଗମ୍ଭୀରା ଭିତରୁ ମୁକୁଳି ଆସି ଦେଖାଦିଅନ୍ତି ସଭିଙ୍କୁ । ଦର୍ଶନ ବଞ୍ଚିତ ତଥାକଥିତ ପତିତ, ଅସ୍ପୃଶ୍ୟ ଏବଂ ଦୀନହୀନ ଭକ୍ତଙ୍କ ମନ ପ୍ରାଣ ପରିପୂର୍ଣ୍ଣ କରିଦିଅନ୍ତି ଦର୍ଶନ ଦେଇ ।

ଯାତ୍ରା ଆରମ୍ଭ ହୁଏ ପହଣ୍ଡି ବିଜେରୁ । ଯିବା ତ ଯିବା, ହଲିହଲି ଝୁଲିଝୁଲି ଯିବାନି କିଆଁ ଯେ ? ଏମିତିଆ ମନୋଭାବ ନେଇ ଆସି ଏକ ଅପୂର୍ବ ଢଙ୍ଗରେ ହୁଅନ୍ତି ରଥାରୂଢ । ଆମେ ଆସ୍ଥାନ ଜମାଇବା ଆଗୁ ସେ ଥାନକୁ ସଫାସଫି କରୁନା ନାହିଁ ? ଅବିକଳ ସେମିତି ସ୍ୱଚ୍ଛତା ବି ଲୋଡ଼ା ପ୍ରଭୁଙ୍କ ପାଇଁ । ଏହି ଦିବ୍ୟତାର ନିଦର୍ଶନ ସ୍ୱଚ୍ଛତାକୁ ସମ୍ପାଦନ କରିବାକୁ ଆଗେଇ ଆସନ୍ତି ବଡ଼ ଠାକୁରଙ୍କ ପ୍ରଧାନ ସେବକ ସାଜି ସ୍ୱୟଂ ଗଜପତି ମହାରାଜ ଓ ରଥ ଉପରେ ଛେରାପହଁରା କରି ଜଗତକୁ ଜଣାଇ ଦିଅନ୍ତି ଯେ କର୍ମ ହିଁ ଉପାସନା, ଯହିଁରେ ସାନବଡ଼ ଭେଦାଭେଦ ନଥାଏ । ପ୍ରଭୁଙ୍କ ଦରବାରରେ କେହି ଶାସକ ନୁହେଁ କି କେହି ନୁହଁନ୍ତି ଶାସିତ । ସାମ୍ୟ ଭଳି ମହତ୍ତର ଆଦର୍ଶର ଏମନ୍ତ ବାସ୍ତବାୟନ ଓ ସାର୍ବଜନୀନ ପ୍ରଦର୍ଶନ ସତରେ ବିରଳୋପମ ।

ରଥ ପଥ ଓ ଜଗନ୍ନାଥ ସବୁ ହୋଇଯାନ୍ତି ଏକାକାର । କହିବାକୁ ଗଲେ ଏକକୁ ଆରେକ ବଳି । ରଥ ଗଡ଼େ । ସଭିଏଁ ଦଉଡ଼ି ଧରିବାକୁ ଭିଡ଼ାଭିଡ଼ି । କେହି ତ ଅଣ୍ଟାରେ ବି ଦିଅନ୍ତି ଭିଡ଼ି । କେଉଁଠି କେଉଁଠି ତ ମହିଳାଏ ବି ସଶକ୍ତା, ମାଆ ସୁଭଦ୍ରାଙ୍କ ଦେବଦଳନ ଏକା ସେମାନେ ହିଁ ଟାଣି ନେଇଯିବେ ଶକ୍ତି ସ୍ୱରୂପିଣୀଙ୍କ ଶକ୍ତିରେ ଶକ୍ତିମୟୀ ହୋଇ । ତେବେ ହଁ, ଥକା ତ ଟିକେ ହେବ ନା ଏତେ ବିଶାଳ କର୍ମ ସମ୍ପାଦନା ବେଳେ ! ତଥାପି ମନ ଲୋଡୁଥିବା ଉତ୍ସାହ ଭାସି ଆସେ ଡାହୁକଙ୍କ ଖଟାମିଠା ବଚନରୁ । ପ୍ରଭୁ ବି ଆମ ପରି, ହାସ ପରିହାସ ପଦେ ନୋହିଲେ ତାଙ୍କ ଅଧା ଚାନ୍ଦ ଅଧରରେ ଅଧା ହସ କି ଖେଳିଥାଏ ? ତ ଠାକୁର ଆନନ୍ଦାଧୀର ହୋଇଉଠନ୍ତି ଡାହୁକଙ୍କ ଭଳିକିଭଳି କୁହାଟରେ ଓ ରଥ ଟଣାଳିଙ୍କ ବହୁଗୁଣିତ ଶକ୍ତିରେ ପୁଣି ରଥ ଗଡ଼େ । କାରଣ ଏଥି ମଧ୍ୟରେ ଆମକୁ ଆମ ବନ୍ଧୁ ଘର ମନେପଡ଼ିବା ପରି ପ୍ରଭୁଙ୍କୁ ବି ଆପେମନେ ପଡ଼ିଯାଆନ୍ତି ତାଙ୍କ ମାଉସୀ । ତ ମାଉସୀ ନୋହୁ ତୁ ମାଆ ଅଟୁଲୋ ମୋହର, କହି ଠିକ୍ ମାଉସୀମାଆ ଘରଠେଇଁ ପ୍ରଭୁ ରଥକୁ ଅଟକାଇ ଦିଅନ୍ତି ଓ ମାଉସୀମାଆଙ୍କ ଆଦରମିଶା ପୋଡ଼ପିଠା ଖାଇ ଜଣାଇ ଦିଅନ୍ତି ଯେ ମାନବୀୟ ଓ ପାରିବାରିକ ମମତାର ମହତ୍ତ୍ଵ ସତରେ କେତେ ମଧୁର !

ଯାତ୍ରାନ୍ତେ ଗୁଣ୍ଡିଚା ମନ୍ଦିରରେ ନାନା ଅବତାର ପ୍ରଦର୍ଶନ ମାଧ୍ୟମରେ ସକଳ ଘଟେ ନାରାୟଣ ବାର୍ତ୍ତା ପ୍ରଦାନ ମାଧ୍ୟମରେ ଜୀବ ହିଁ ଦେବ ଓ ମନ ହିଁ ମନ୍ଦିର ବୋଲି ବାରାନ୍ତରେ ସାବ୍ୟସ୍ତ କରନ୍ତି ପ୍ରଭୁ ,ଯାହା ପ୍ରଭୁଙ୍କୁ ସଖା ରୂପେ ଜାବୁଡି ଧରିଥିବା ଭକ୍ତ ହିଁ ସହଜରେ ବୁଝି ପାରେ । ଅନ୍ୟ ମାନଙ୍କ ପାଇଁ ତ ସେ ନବ ଦିନ ବ୍ୟାପୀ ଆନନ୍ଦ ହିଁ ଆନନ୍ଦର ପ୍ରତୀକ ଓ ତାଙ୍କ ଯାତ୍ରାର ପ୍ରତି ମୂହୁର୍ତ୍ତ ଆନନ୍ଦ ଦାୟୀ ହୋଇ ଥାଏ ।

ତେବେ ମିଳନ ସହ ବିରହ ଜଡିତ ବା ମାନ ସହ ଅଭିମାନ ବି ଯୋଡା ବୋଲି ଜଣାଇ ଦେବାକୁ କି କଣ ରଥଯାତ୍ରାର କିଛି ଦିନ ଭିତରେ ହେରା ପଞ୍ଚମୀ ଆସେ ,ଯେତେବେଳେ ମାଆ ଲକ୍ଷ୍ମୀ ସାଆନ୍ତାଣୀ ପ୍ରଭୁ ଭାଇ ଭଉଣୀଙ୍କୁ ଧରି ଭ୍ରମଣ କରିବା ଭିତରେ ତାଙ୍କୁ ବିସ୍ମରି ଯିବାରୁ ବିରହ ଜାତ କ୍ରୋଧ ପ୍ରଦର୍ଶନ କରିବା ପାଇଁ ଆସିଯାନ୍ତି ଓ ସକଳ ଗୃହିଣୀଙ୍କ ପରି ରାଗ ତମତମ ହୋଇ ନନ୍ଦିଘୋଷ ରଥର କାଠଟିଏ ଭାଙ୍ଗି ଦେଇ ପଳାନ୍ତି । ଗାର୍ହ୍ୟସ୍ଥ ଧର୍ମ ପାଳନ ବେଳେ ଆବଶ୍ୟକୀୟ ପାରିବାରିକ ଭାରସାମ୍ୟ ରକ୍ଷା ସହ ଗୃହଲକ୍ଷ୍ମୀଙ୍କ ମହନୀୟତାଧାରିତ ଏହି ମାନବୀୟ ଲୀଳା ପ୍ରତିପାଦନ କରେ ଯେ ସ୍ୱୟଂ ଭଗବାନ ମଧ୍ୟ କେତେ ଆତ୍ମୀୟୋପମ ଏବଂ ତାଙ୍କ ସଂସାର ବି ଆମ ସଂସାରର କେତେ ନିକଟତର!

ଯାବତ ବୈଷମ୍ୟ ଅନ୍ତର୍ହିତ କରି ସାମ୍ୟ , ସକଳ ବୈସାଦୃଶ୍ୟକୁ ସାଦୃଶ୍ୟ ରୂପେ ସଜାଇ ସଭିଙ୍କୁ ଏକ ମନ ଏକ ପ୍ରାଣରେ ଜଗତ କଲ୍ୟାଣ ମାଧ୍ୟମରେ ଆନନ୍ଦକାମୀ କରାଇବା ଉଦ୍ଦେଶ୍ୟ ନେଇ ନବଦିନ ବ୍ୟାପୀ ଯାତ୍ରା ଅବଶେଷେ ସରି ଯିବାକୁ ବାଧ୍ୟ । ଆସେ ପ୍ରଭୁଙ୍କ ବାହୁଡି ଯିବାର ବେଳ । ଏତେ ବେଳେ ବି ପୁଣି ଗହଳ ଜମି ଯାଏ ଅବିକଳ ଆମ ଘରକୁ ଆସି ହୋଇଥିବା କିଛି ଦିନର ଅତିଥିଙ୍କୁ ବିଦାୟ ଦେବା ବେଳ ପରି ଆବେଗ ଭରା ଅନୁଭବ ହୁଏ । ହେଲେ ଇଏ ପରା ଆମ ପ୍ରାଣ ପ୍ରିୟ ଠାକୁର ! ଯେମିତି ସେମିତି କଣ ଛାଡି ଦେଇ ହେବ ? ବାହୁଡା ଯାତ୍ରା ବି ଜମାଣିଆ ହୋଇ ସେଇ ସେଇ ପହଣ୍ଡି ସେଇ ସେଇ ରଥଟଣା ଓ ଡାହୁକ ଗୀତ ଆଦି ହୁଏ ।

ଆଉ ପ୍ରଭୁ ବି କଣ କମ୍ ? ଏମିତି ଚୁପଚାପ ଚାଲିଯିବେ ଏତେ ଏତେ ଲୀଳା ଭିଆଇ ସାରି ? ସୁତରାଂ ସେ ବି ଏହି ମଉକାରେ ଧାରଣ କରନ୍ତି ଭାବ ସହ ତାଙ୍କ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରତଃ ସୁବର୍ଣ୍ଣାଳଙ୍କାରରେ ଆପଣାକୁ ମଣ୍ଡି ପ୍ରକଟ ହୁଅନ୍ତି ସୁନାବେଶ ଧରି !! ଭକ୍ତ ବୁଝି ଯାଏ ଯେ ଏହା ତା ପ୍ରଭୁଙ୍କ ରାଜେଶ୍ୱର ବେଶ ! ରଥରେ ପ୍ରଭୁ ରାଜରାଜେଶ୍ୱର ଏଥର ଆପଣା କର୍ତ୍ତବ୍ୟ ପାଳନ କରନ୍ତି ଅଧରପଣା ପ୍ରଦାନ ମାଧ୍ୟମରେ ,ଯାହା ରଥର ଚତୁଃପାର୍ଶ୍ୱସ୍ଥ ଦେବାଦେବୀଙ୍କ ସମେତ ସାରା ଜଗତର ଅଶରୀରୀ ଆତ୍ମାଏ ବି ସେବନ କରି ତୃପ୍ତ ହୁଅନ୍ତି । ଏଥିରୁ ସର୍ବ ମାଙ୍ଗଲ୍ୟର ବାର୍ତ୍ତା ସୁସ୍ପଷ୍ଟ।

ଠାକୁରଙ୍କ ବାହୁଡା ଯାତ୍ରାନ୍ତେ ନୀଳାଦ୍ରି ବିଜେ କିନ୍ତୁ ସହଜରେ ହୋଇ ଯାଏନା । ଅଫିସରୁ ଘରକୁ ବିଳମ୍ବିତ ପ୍ରବେଶ ଜନିତ କାରଣରୁ ଆମ ମାନଙ୍କ ଘର ସଂସାରରେ ପତି ପତ୍ନୀ ମଧ୍ୟସ୍ଥ ରାଗ ରୁଷା ମାନ ଅଭିମାନ ପରି ହେରା ପଞ୍ଚମୀ ପରେ ସୁଦ୍ଧା ମାଆ ଲକ୍ଷ୍ମୀଙ୍କ ମନର ଅଭିମାନ ତଥାପି ସେମିତି ରହିଥାଏ । ତ ସେ ଦେବଦାସୀଙ୍କୁ ଲଗାଇ ସିଂହଦ୍ଵାର ବନ୍ଦ କରି ଦିଅନ୍ତି ଓ ତଜ୍ଜନିତ କାରଣରୁ ପ୍ରଭୁଙ୍କ ଦଇତାପତି ସେବକଙ୍କ ସହ ବଚସା ହୁଏ ।
ଲୀଳାମୟ ଅବିଳମ୍ବେ ଜାଣିଯାନ୍ତି ଏଥକୁ କଣ କର୍ତ୍ତବ୍ୟ । ଅଭିମାନିନୀ ମାଆ ଲକ୍ଷ୍ମୀଙ୍କ ମାନ ଭଞ୍ଜନାର୍ଥେ ମହୁବୋଳା କଥା ମାନ କହି ତାଙ୍କ ମନ ମୋହିନେଇ ସାରି ରସ ଜରଜର ରସଗୋଲାଟିଏ ଖୁଆଇ ଦିଅନ୍ତି ପତ୍ନୀଙ୍କୁ ! ଏଥର ଶାନ୍ତିରେ ରତ୍ନ ସିଂହାସନରେ ଆସୀନ ହେବା ସହ ମଧୁରେଣ ସମାପନ ହୁଏ ନୀଳାଦ୍ରି ବିଜେ ନାମେ ଖ୍ୟାତ ପ୍ରଭୁଙ୍କ ରଥଯାତ୍ରାର ଏହି ଅନ୍ତିମ ଆନନ୍ଦ ଦାୟୀ ଲୀଳା !

ସତରେ ଦେବ ହୋଇ ମାନବୋପମ ହେବା ମହାପ୍ରଭୁ ଜଗନ୍ନାଥଙ୍କ ଏକ ଅପୂର୍ବ କଳା । ଅକ୍ଷୟ ତୃତୀୟା ଠାରୁ ରଥ କାଠ ଅନୁକୂଳ ହେଉଥିଲେ ହେଁ ଠାକୁରଙ୍କୁ ଆଖି ପୁରାଇ ଦେଖିବା ହିଁ ଯେହେତୁ ସଦାକାଳେ ସଭିଙ୍କ ପରମ ଈପସିତ ଆନନ୍ଦ ହୋଇ ଆସିଛି , ତେଣୁ ନେତ୍ରୋତ୍ସବରୁ ହିଁ ରଥଯାତ୍ରାରେ ପ୍ରଭୁଙ୍କ ଦିବ୍ୟ ସାନ୍ନିଧ୍ୟ ଲାଭ ପାଇଁ ସବୁରି ମନ ବ୍ୟାକୁଳ ହୋଇଥାଏ । ନୀଳାଦ୍ରି
ବିଜେରେ ମଧୁରେଣ ସମାପ୍ତ ଏହି ପାବନ ଯାତ୍ରା ପ୍ରତିଟି ଦୃଷ୍ଟି କୋଣରୁ ଏହି ଅପୂର୍ବ ମନାବୀୟ ଲୀଳା ପ୍ରକାରାନ୍ତରେ ଏ କଥା ଉଦଘୋଷଣା କରେ ଯେ ଆମେ ମାନବ ଗଣ ବି କଣ ସମାନୁପାତରେ ଦେବୋପମ ହୋଇ ପାରିବାନି ?

Related Posts

Leave a Reply

Your email address will not be published. Required fields are marked *