ସତ୍ୟନାରାୟଣ ଗନ୍ତାୟତ

ଇତି ମଧ୍ୟରେ ଗୋଟେ ଭାଇରାଲ ଭିଡ଼ିଓରେ ସାରା ଅଫିସର ଶୂନ୍ୟ ଚୌକିମାନଙ୍କୁ ଦେଖାଇ ସାରି ଅଫିସ ବାରଣ୍ଡାରେ ଷ୍ଟୁଲ ଉପରେ ନିଦାବିଷ୍ଣୁ ପ୍ରାୟେ ବସିଥିବା ବୟସ୍କ ବ୍ୟକ୍ତି ଜଣକୁ ବାରମ୍ବାର ଅଫିସ ସମୟ ହୋଇ ସାରିଥିଲେ ବି କାହିଁକି କେହି ଆସି ନାହାଁନ୍ତି ବୋଲି ପୁନଃପୁନଃ ପଚରା ଯାଉଥିଲେ ହେଁ ସେଥକୁ ତାଙ୍କ ସଂକ୍ଷିପ୍ତ ଉତ୍ତର ଥିଲା : କହି ପାରିବିନି ! ତମ ଅଫିସ କଥା ତମେ ନକହିଲେ ଆଉ କିଏ କହିବ ? ବୋଲନ୍ତେ ସେ “ମୁଁ ତଳତଳିଆ ଲୋକ ଆଜ୍ଞା” ବୋଲି ସେ କିଞ୍ଚିତ ବେପରୁଆ ଢଙ୍ଗରେ କହିବା ଶୁଣାଗଲା ।

ତାଙ୍କର ଏଭଳି ପ୍ରତିକ୍ରିୟା କିନ୍ତୁ ପ୍ରକାରାନ୍ତରେ ଅତି ପ୍ରାଞ୍ଜଳ ଭାବେ ଏଇଆ ସୂଚାଇ ଦେଉଥିଲା ଯେ ତଥାକଥିତ ତଳତଳିଆ ଲୋକମାନେ ହିଁ ଅଫିସ ସମୟ ଯାହା ହୋଇଥାଉନା କାହିଁକି ପହିଲେ ନିର୍ଦ୍ଧାରିତ ସମୟ ସୁଦ୍ଧା ଆସି ପହଞ୍ଚି ଯାଇଥାନ୍ତି । ଆଉ ପରେପରେ ଧୀରସୁସ୍ଥେ ନିଜନିଜ ମର୍ଜି ମୁତାବକ ଆସି ଏକ ଗତାନୁଗତିକ ଧାରା ସୃଷ୍ଟି କରି ପାରିଥିବା ଲୋକେ ନିଶ୍ଚେ ପାରିବାର ପର୍ଯ୍ୟାୟର । କାରଣ ସେମାନେ ବଡ଼ବଡ଼ିଆ ଲୋକ ! ଏପରିକି ଦପ୍ରରାଧିପତିଙ୍କ ଦାପ୍ତରିକ ବହୁ ସମୟରେ ଅନୁପସ୍ଥିତିକୁ ବି ଘୋଡ଼ାଇବାକୁ ଯାଇ ଦାପ୍ତରିକ ଦାୟିତ୍ୱ କ୍ରମରେ ଅନ୍ୟତ୍ର ସେ କାଳ୍ପନିକ ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଗୌରବମୟ ଭାବେ ଉପସ୍ଥାପନ କରାଯାଇଥାଏ ବୋଲି ଶୁଣିଛୁ । କାରଣ ସିଏ ବଡ଼ବଡ଼ିଆ !

ତେବେ କେବଳ ଅଫିସ ହିଁ ନୁହେଁ, ସମାଜର ବହୁ କ୍ଷେତ୍ର ତଳତଳିଆ ଅଧ୍ୟୁଷିତ ଅଟଇ । ଏ ପ୍ରସଙ୍ଗରେ କଥାଏ ମନକୁ ଏକ୍ଷଣି ଆସିଯାଉଛି । ଏହି ପଖାଳ ଖାଇବା କଥା ଆଜ୍ଞା । ପଖାଳ ଖାଇବାକୁ ନେଇ କେଇ ବର୍ଷ ହେଲା ଯେଉଁ ତଥାଚର୍ଚ୍ଚିତ ‘ପଖାଳ ଦିବସ’ ସଗର୍ବ ପାଳନ ହେଉଛି, ତାହା ତ ତଳତଳିଆଏ ନିତି ପାଳି ଆସୁଛନ୍ତି ବୋଲି କହିହେବ । କହନ୍ତୁ ତ ଆମ ମୁହଁରେ ଅନ୍ନ ଯୋଗାଉଥିବା ଚାଷୀ ଭାଇ, ଦିହର ରକତକୁ ପାଣି କରି, ନିତି ଦି’ ପହରର ଖରାରେ ଲୁଣ ଲଙ୍କା ପାଗ ଚାଖି ବା ବାରି ବଗିଚାରୁ ତୋଳା ଶାଗ ଖରଡ଼ା ଲଗାଇ କଂସାଏ ପଖାଳ ଖାଇ ପେଟେ ତୋରାଣି ପିଏ ନା ନାଇଁ ? ତଳତଳିଆ ସୁଲଭ ଏ ନିତ୍ୟ ନୈମିତ୍ତିକ ସନ୍ତୁଷ୍ଟ ଭୋଜନ ଆଗରେ ଭଳିକିଭଳି ବ୍ୟଞ୍ଜନର ଆଖି ଦୃଶିଆ ପ୍ରଦର୍ଶନ ମାଧ୍ୟମରେ ଆମ ଭଳି ବଡ଼ବଡ଼ିଆଙ୍କ ବର୍ଷକେ ଦିନକର ପଖାଳ ଦିବସ ପାଳନ ତୁଚ୍ଛା ପ୍ରହସନ ମନେହୁଏ ସିନା ! ଅବିକଳ ଚାଷୀ ପରି କେଉଟ ବାପୁଡ଼ା ବି ଧରେ ମାଛ, ଖାଏ କଙ୍କଡ଼ା !!

ଥରେ ଆମର ବିଲ୍ଡିଂ ତୋଳିଥିବା ମିସ୍ତ୍ରୀ ନିମନ୍ତ୍ରଣ କରିଥିଲା ତା’ ପରିବାରର ଏକ ମାଙ୍ଗଳିକ କାର୍ଯ୍ୟରେ । ଆମେ ସପରିବାର ଯାଇ ପହଞ୍ଚିବା ପରେ ସେ ତା’ ଆଜବେଷ୍ଟସ୍ ଘରୁ ବାହାରି ଆମକୁ ପାଛୋଟି ନେବା ଦେଖି ଆମ ପବ୍ଲିକ ସ୍କୁଲ ପଢୁଆ ସାନ ଝିଅ ଏକାନଟେ ତାଜୁବ୍ ହୋଇ କହି ଉଠିଲା : ଏଁ , ମିସ୍ତ୍ରୀ ଅଙ୍କଲ ଛାତ ଘରେ ରହୁଥିବେ ବୋଲି ଭାବିଥିଲି ! ତ’ ତା’ କଥା ଶୁଣି ପକାଇଥିବା ମିସ୍ତ୍ରୀ ହସିହସି କହିଲା : ଆମେ ତଳତଳିଆ , ଖଟିଖିଆ ଲୋକ, ମାଆ ! ମାନେ ଖଟିବୁ ଓ ଖଟିଲେ ହିଁ ଖାଇବା ଲୋକ ଆମେ ମାଆ । ଏହି ଘର, ୟାକୁ ଲାଗି ପନିପରିବା ପାଚୁଥିବା ବାଡ଼ିବଗିଚା, ଛେଳି ମଇଁଷି ଗୁହାଳ ଓ ଦେଶୀ କୁକୁଡ଼ା ବତକଙ୍କ ଭାଡ଼ି ଭଲ ତ’ ଆମେ ଭଲ । ଏହା ଶୁଣି ଝିଅର ମୁହଁ ପ୍ରସନ୍ନ ଦିଶିଲା ।

ଆମର ଏସବୁ ଆଲୋଚନା ପରେ ଆପଣ ଜମା ଭାବି ନିଅନ୍ତୁ ନାହିଁ ଯେ ଏ ସମାଜରେ ବଡ଼ବଡ଼ିଆଏ ହିଁ ସବଜାନତା ଓ ତଳତଳିଆଏ କେବଳ ତଳ ପାହାଚରେ ସେଇମିତି ନିୟତିକୁ ନିନ୍ଦି ରହିବାକୁ ବାଧ୍ୟ । ଥରୁଟେ ଗାଁ ହାଟକୁ ବା ସହରର ଚା’ ଷ୍ଟଲ ଓ ପାନ ଦୋକାନାଦି ଘୂରି ଆସିଲେ ଆପଣ ଅଚିରେ ଜାଣି ଯିବେ ଯେ ତଳତଳିଆଏ କଣ ନଜାଣନ୍ତି ସତରେ ! ତେଣୁ ତ ଆମ ଦାନ ଆମକୁ ବିତରିବାରେ ନିୟୋଜିତ ନେତା ଜାତୀୟ ଦାତାଏ ବଡ଼ବଡ଼ିଆଙ୍କୁ ମେଞ୍ଚେ ଦେଲେ ହେଁ ତଳତଳିଆଙ୍କୁ ଅତି ନିକୁଛରେ କେଞ୍ଚେ ଜରୁର୍ ଦେବାକୁ ବାଧ୍ୟ ହୁଅନ୍ତି । କାରଣ ସେମାନେ ଠିକ୍ ଜାଣନ୍ତି ତଲତଳିଆଙ୍କ ବ୍ରହ୍ମ ତାତି ଗଲେ ସେମାନେ କେମିତି କାହାର ବି ନୁହଁନ୍ତି, ଏପରିକି ନିଜର ବି !

ଏମିତିରେ ଉଚ୍ଚାସୀନ ବଡ଼ବଡ଼ିଆଙ୍କ ସିନା ଦୈବାତ ଭୂପତିତ ହୋଇ ପଡ଼ିବା ଏଡ଼ାଇ ଦିଆ ଯାଇପାରେନା, ହେଲେ ମୂଳରୁ ମାଟିର ମଣିଷ ହୋଇ ଆକାଶ ତଳେ ଏବଂ ମାଟି ଉପରେ ହିଁ ମାଟି ସହ ରହି ଆସିଥିବା ତଳତଳିଆଙ୍କର ଏନେଇ କି ପରବାୟ ଯେ ?

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *