ଦୁଇ ଟୋପା ଲୁହ ଓ ସମୁଦ୍ରେ କୋହର କବିତା

ଶୁଭ ନାରାୟଣ ସ୍ଵାଇଁ

କିଛି ଦିନ ତଳେ ଭାବୁଥିଲି ନୀଲୁ ପାଇଁ କବିତାଟେ ଲେଖିବି ବୋଲି, ହେଲେ ପାରିଲିନି । ଯିଏ ନିଜେ ଗୋଟାଏ ଅବୁଝା କବିତା ତା’ପାଇଁ କେମିତି ଲେଖି ହେବ କବିତାଟିଏ ! ପୁଣି ଭାବିଲି ହୁଏତ ନୀଲୁ ପାଇଁ ଗପଟିଏ କୁହା ଯାଇପାରେ । ହେଲେ କହି ପାରିଲିନି । ଯିଏ ନିଜେ ଗୋଟିଏ ଗପର ଖରସ୍ରୋତା ନଈ, ତା’ପାଇଁ କିଏ କେମିତି ବା ଗପଟେ ପାରିବ କହି ! ବୋଧହୁଏ ସେଥିପାଇଁ ଆଜିଯାଏ ତାକୁ ବୁଝି ପାରିଲେନି କେହି । ହେଲେ ନୀଲୁ ହାରିବା ଲୋକ ନୁହେଁ । ସେ ବିନା ଡେଣାରେ ଉଡ଼ିବା ଜାଣେ, ବିନା ପାଦରେ ଚାଲିବା ଜାଣେ । ସେ ମରୁଭୂମିରେ ଲଢିବା ଜାଣେ, ଶୃଙ୍ଗାରକୁ ଫୁ’ କରି ପବନରେ ଉଡ଼ାଇବା ଜାଣେ । ସେ ପ୍ରେମରେ ନିଜକୁ ଭିଜାଇବା ଜାଣେ ଓ ପ୍ରତାରଣାରେ ନିଜକୁ ହଜାଇବା ବଦଳରେ ନିଜେ ନିଜକୁ ଖୋଜିବା ଜାଣେ । ସମ୍ଭବତଃ ସେଇଥିପାଇଁ ସେ ନିଜ ପାଇଁ ନିଜେ ଗପ ଲେଖେ ଏବଂ ନିଜ ପାଇଁ ନିଜେ ଲେଖେ କବିତା ‘ନୀଳ ନିରବତା’ର ।

ଏବେ ଆପଣ କହିବେ ନୀଲୁ କିଏ ? ମୁଁ କହିବି ନୀଲୁ ଗୋଟିଏ ଛାଇ, ଯାହାକୁ ଆଜିଯାଏ ମୁଁ ଦେଖି ନାହିଁ । ତଥାପି ଜାଣିଛ, ସେ ମୋ’ଠୁ ଭିନ୍ନ ନୁହଁଇ । ସେ’ବି ମୋ ପରି କାନ୍ଦେ, ଯେତେବେଳେ ମରି ଯାଉଥାଏ ମାଆର ମମତା, ସରି ଯାଉଥାଏ ମଣିଷର ମାନବିକତା ଓ ସମାଜରୁ ସାମାଜିକତା । ଅବଶ୍ୟ ଆଜିଯାଏ ମୁଁ କେଉଁଠି ଠିଆ ହୋଇ କଥା ପଦେ କହି ପାରିଲିନି । ସେ କିନ୍ତୁ କହି ଶିଖିଛି, କଣ୍ଟାରେ ପାଦ ଥାପି ଚାଲିବା ଜାଣିଛି, କୋହର ସମୁଦ୍ରରେ ଭାସି ନଯାଇ ପହଁରିବା ଜାଣିଛି । ନିଜ ଶିଂଘରେ ନିଜେ ମାଟି ଖୋଳିବା ଶିଖିଛି ।

ହଁ, ତୁମେ ପଛେ ତାକୁ ଭୁଲି ଯାଇପାର, ସେ କିନ୍ତୁ ତୁମକୁ ଭୁଲିବା ଶିଖିନି । ତୁମେ ହୁଏତ ତାକୁ ତଉଲି ପାର କଳା ଗୋରା, ଉଚ୍ଚ ନୀଚ୍ଚ, ଧନୀ ଗରିବ ଆଦି କେତେଯେ କଥା ଭିତରେ ଏବଂ ଭୁଲି ଯାଇପାର ତାକୁ । ସେ କିନ୍ତୁ ଜମାରୁ ଭୁଲେନି ତୁମକୁ । ଭୁଲେନି ସେହିଦିନ ସବୁକୁ ଯେଉଁ ଦିନ ‘ତୁମେ’….ତୁମେ ହୋଇ ନଥିଲ କି ‘ସେ’..ସେ ହୋଇ ନଥିଲା । ସମ୍ପର୍କର ଗାଢ଼ ପଣରେ ରଙ୍ଗ ଲାଗି ସାରିଥିଲା । ଅଥଚ, ସେ ରଙ୍ଗକୁ ବେରଙ୍ଗ କରି ତୁମେ ଚାଲିଗଲ ଆଉ କେଉଁ ଦିଗକୁ । ସେଦିନର କଥା ଆଜିବି ମନେ ପଡ଼େ ତାଆର । ଲୁହରେ ଲେଖେ ସେ କବିତା ଏବଂ କୁହେ,

“ରଙ୍ଗ ତ ଲାଗିଥିଲା
ଓଠରେ ଫଗୁଣର
ଛାତିରେ ବସନ୍ତର
ଆଖିରେ ପ୍ରେମର
‘ତୁମେ ‘ .. ତୁମେ ହୋଇ ନଥିଲ
‘ମୁଁ ‘ … ମୁଁ ହୋଇ ନଥିଲି
‘ଆମେ’…ଆମେ ହୋଇ ଖେଳିଥିଲେ ସମ୍ପର୍କର ଅବିର ।
** **
ରଙ୍ଗତ ଆଜି ବି ଲାଗିଛି
ଦେହରେ, ମନରେ …
** **
ସ୍ଵାର୍ଥରେ ମାତାଲ ତୁମେ
ନୂଆ ଏକ ଦୁନିଆରେ !
ଖୋଜି ଚାଲିଛି ନିଜକୁ ମୁଁ
ଏଇ ଶବ୍ଦମାନଙ୍କ ଭିଡ଼ରେ”
(ପୃଷ୍ଠା ସଂଖ୍ୟା ୯ ଓ ୧୦)

ହଁ, ଏମିତି ହିଁ ଏବେ ମନେ ପଡୁଛି ସେହି ସବୁ ଦିନ ମାନଙ୍କର କଥା । ମନେ ପଡୁଛି ସାଥି ହୋଇ ଚାଲିବା ପାଇଁ କଥା ଦେଇ ଅଧା ରାସ୍ତାରେ ଧୋକା ଦେଇ ଚାଲି ଯାଇଥିବା ସେଇ ପ୍ରିୟତମର କଥା । ମନେ ପଡୁଛି ମେଘ ପରି ବାଟବଣା ହେଉଥିବା ତାଆ ଗୋଲାପି ମନର କଥା ।

ହଁ, ନୀଲୁ ଛାତିରେ ଏବେ ସମୁଦ୍ରେ କୋହ ଏବଂ ଆଖିରେ ଝରିବ ଝରିବ ହୋଇ ଝରି ପାରୁନଥିବା ଦୁଇ ଟୋପା ଲୁହ । ସେଇ ଲୁହକୁ ବରଫର ରାସ୍ତା କରି ତାଆରି ଉପରେ ଏବେ ଚାଲିବା ଶିଖିଗଲାଣି ନୀଲୁ । ଚାଳିଷିଆ ଚଷମା ପିନ୍ଧିବା ଦିନଠୁ ସାହାସ ପାଇଲାଣି ଖୋଲିବାକୁ ହଳଦିଆ ପଡ଼ି ଯାଇଥିବା ସେଇ ନୀଳ ରଙ୍ଗର ଲଫାପା ଏବଂ ତାହା ଭିତରେ ଥିବା ସେଇ ପ୍ରେମ ଚିଠିକୁ ଯାହା ଦିନେ ଜଳିଥିଲା ସିଗାରେଟ୍ ର ଚୋରା ନିଆଁ ପରି ।

ସେଇ ପ୍ରେମ ଆଜି ସିଗାରେଟ୍ ଧୂଆଁ ପରି ମିଶି ଗଲାଣି ପବନରେ । ସେଇ ପ୍ରେମ ଆଜି ମେସୋପଟାମିଆର ସଭ୍ୟତା ପରି ମିଶି ଗଲାଣି ମାଟିରେ । ସିଏ ଯାଇ ଆଉ କେଉଁଠି ସଂସାର ଗଢ଼ିଲା ପରେ ଏପଟେ ଆଉ ତାତି ଆସୁନି ଛାତିରେ । ହେଲେ ଆଖିର ଲୁହକୁ ଆଖିରେ ମାରି ଓଠରେ ଝୁଲାଇଲେ ଶାଗୁଆ ରଙ୍ଗର ହସ, ସତରେ କଣ ଶୁଖିଯାଏ ହୃଦୟର କ୍ଷତ ? ନା, ଜମାରୁ ନୁହଁ । ସେଇଥିପାଇଁତ ନୀଲୁ କୁହେ,

“ଋତୁ ବଦଳେ, ମନ ବଦଳେ
ବଦଳି ବି ଯାଏ ରଙ୍ଗ ହଳଦୀର
ବଦଳେନା କେବେ କିନ୍ତୁ
ଶୋଷ ଆଉ ଭୋକ
ବଦଳି ପାରେନା ବି
ପ୍ରେମ କଲା ଲୋକ “
(ପୃଷ୍ଠା ସଂଖ୍ୟା – ୧୪)

ଏମିତି ନୁହେଁ ଯେ ସେ ବଦଳିବାକୁ ଚେଷ୍ଟା କରିନି । ଚେଷ୍ଟା କରିନି ମୁହଁରେ ବୋଳିବାକୁ ସ୍ନୋ ପାଉଡ଼ର । ହେଲେ ସେ ଧୋକା ଦେଇପାରିନି ନିଜକୁ କି ଅନ୍ୟ କାହାକୁ । କେଜାଣି କେମିତି ସତେ ଆପେଆପେ କହି ଦେଉଛି ତା’ ନିଜ କଥା । ଏମିତି ନୁହେଁ ଯେ ସେ ପଛ କଥାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଚାହିଁନି । ଚାହିଁଛି । ଏମିତି ନୁହେଁ ଯେ ସେ କାହା ପାଇଁ ଟିପୟ ଉପରେ ଚା’ କି ବିସ୍କୁଟ ସଜେଇନି । ସଜେଇଛି । ହେଲେ ଅକ୍ଷତ ହୋଇ ରହିଯାଇଛି ସେସବୁ । କାରଣ ସେ କେବେବି ଚାହିଁନି ପରଦାର ଅଢୁଆଳରେ ରହିବାକୁ । ସେ କେବେବି ଚାହିଁନି ମୁହଁରେ ଛଳନାର ପ୍ରଲେପଟେ ବୋଳିବାକୁ । ଯେଉଁ ବୁଢୀ ମାଆ ଏବେବି ଡାକୁଛି ତାକୁ “ଲୋ ରେବୀ, ଲୋ ନିଆଁ, ଲୋ ଚୁଲି” ବୋଲି ସେଇ ବୁଢୀମାଆର ଦାୟିତ୍ଵକୁ ନିଜ କାନ୍ଧରୁ ଓହ୍ଲାଇବାକୁ ସେ କେବେବି ଚାହିଁନି । ଚାହିଁନି ମୁହଁରେ ମୁଖାଟେ ପିନ୍ଧି ମିଛିମିଛିକା ହସି ସତସତିକା ଖସି ଯିବାକୁ ନିଜ ଦାୟିତ୍ଵବୋଧରୁ । ସେଇଥିପାଇଁ ତ ସେ ଭଲପାଇଛି ଅତୀତକୁ । ଭଲପାଇଛି ବାପ, ମାଆ, ଭାଇ, ଭଉଣୀ, ସାଙ୍ଗସାଥିଙ୍କୁ । ହେଲେ ସତ କଥା ହେଉଛି ସେ କେବେବି ଭଲପାଇନି ନିଜକୁ ।

ନିଜକୁ ଭଲ ପାଇବା ମାନେ କଣ ? ଏଇ ଟିକିଏ ସ୍ଵାର୍ଥପର ହୋଇଯିବା ଓ ନିଜକୁ ସବୁଠାରୁ ଅଧିକ ଗୁରୁତ୍ଵ ଦେବା । ଏଇୟା ତ ? ନା, ସେ ପାରିନି । ସେ ଠକି ପାରିନି କାହାକୁ । ସେଇଥିପାଇଁ ତ ସମସ୍ତେ ବିନ୍ଦାସ ଠକିଛନ୍ତି ତାକୁ । ତଥାପି ସେ ହସିଛି ଗୋଟିଏ ଆତ୍ମତୃପ୍ତିର ହସ । ହେଲେ କାନ୍ଦିଛି ସେତେବେଳେ, ଯେତେବେଳେ ନିଜ ଲୋକମାନେ କାଟିଛନ୍ତି ତାଆର ପାଦ ଆଉ ହ୍ୟାଙ୍ଗରରେ ପୋଷାକ ଝୁଲାଇଲା ପରି ତା’ ଉପରେ ଟାଙ୍ଗିଛନ୍ତି ହଜାରେ ଆରୋପ । ବୁଢୀ ମାଆ ଏବେବି କହୁଛି “ଲୋ ରେବୀ, ଲୋ ନିଆଁ, ଲୋ ଚୁଲି ।” ହେଲେ ନୀଲୁ କହୁଛି ଏ ରେବୀ, ସେ ରେବୀ ନୁହେଁଲୋ ମାଆ । ଏ ରେବୀ ନିଜ ପାଇଁ ନିଜେ ପୃଥିବୀଟେ ଗଢ଼ିବା ଜାଣିଛି । ଏ ରେବୀ ରେଡ଼ିଓ ଜ୍ୟାକି ସାଜି ଲୋକଙ୍କ ସହିତ କଥା ହେବା ଜାଣିଛି । ନିଜକୁ କାର୍ଟୁନ୍ କରି ଲୋକଙ୍କ ମୁହଁରେ ହସ ଫୁଟାଇବା ଜାଣିଛି ଏବଂ ଜାଣିଛି ଘରୁ ଗୋଡ଼ କାଢ଼ିଲେ ବାହାରେ କେଉଁଠି କେମିତି ପକାଇବାକୁ ହୁଏ ପାଦ ।

ତଥାପି ଘର ଲୋକଙ୍କ ଅଭିଯୋଗ କେବେବି ସରେନି । ସରେନି ବୁଢୀ ମାଆ ମୁହଁର ଗାଳି । ଯେଉଁମାନଙ୍କ ପାଇଁ ନିଜେ ଜଳିଜଳି ସେ ଆଜି ସରିବାକୁ ବସିଲାଣି ସେଇମାନେ ଜମାରୁ ବୁଝିଲେନି ତାକୁ । ବରଂ ସେଇମାନେ ତାକୁ ହିଁ ଦୋଷୀ କରି ଠିଆ କରେଇଦେଲେ ଦାଣ୍ଡ ଦୁଆରେ । ସେଇଟା ହିଁ ସବୁଠାରୁ ବଡ଼ ଦୁଃଖ । ସେଇଠି ହିଁ କୋହ ଫୁଟେ, ଲୁହ ଛୁଟେ । ଶୀତ ଋତୁ ଆସିଲେ ଲୁହମାନେ ସବୁ ଲୁଚି ଯାଆନ୍ତି କାକରର ଛାତ ତଳେ ଏବଂ ଗ୍ରୀଷ୍ମରେ ଲୁଚି ଯାଆନ୍ତି କୃଷ୍ଣଚୂଡ଼ାର ଲାଲ୍ ଓଠ ଭିତରେ । ତଥାପି ସେ ଚାଲୁଥାଏ ତାଆରି ରାସ୍ତାରେ । ସେ ଖୋଜୁଥାଏ ନିଜ ପାଇଁ ଟିକିଏ ପ୍ରେମ, ହେଲେ ପ୍ରେମ ଥାଏ ନିରୁଦ୍ଦିଷ୍ଟ । ସେଇଥିପାଇଁ ତ ନୀଲୁ କୁହେ,

“ସବୁଦିନ ପରି ଆଜି ବି ଅପେକ୍ଷା
ଫୋନ୍ ରିଙ୍ଗ୍ କୁ
ଆର୍କଡ଼ି ଫୁଲ, ଉଚ୍ଚା ପିଣ୍ଡା
ଆଉ ଦରଜାର ପରଦା ବି
ଚାହିଁ ରହିଛନ୍ତି
ତୁମ ଆସିବା ବାଟକୁ ।
ଭଲ କରି ଜାଣେ
ତୁମେ ଆସିବନି ବୋଲି * “
(ପୃଷ୍ଠା ସଂଖ୍ୟା – ୩୩)

ତଥାପି ସରି ନାହିଁ ରାସ୍ତା, ମରି ନାହିଁ ଅପେକ୍ଷା । ଏବେବି ଅଛି ଗୋଟିଏ ନୀଳ ପ୍ରତୀକ୍ଷା । ସେଇଥିପାଇଁ ତ ନୀଲୁ କୁହେ,

“ତଥାପି…
ନିଶୀଥର ନିଶାକୁ
ଦ୍ଵନ୍ଦ୍ଵର ଦିଶାକୁ
ନୀଳୋତ୍ପଳା ନୀଳିମାକୁ
ମୁଁ କେବେ ମରିବାକୁ ଦେଇନି “
(ପୃଷ୍ଠା ସଂଖ୍ୟା – ୩୬)

ପରେ ଏଇ ପ୍ରେମ, ପ୍ରତାରଣା, ବିରହ ଓ ବେଦନାକୁ ଫୁ’ କରି ଫୁଙ୍କି ଦିଏ ସେ ପବନରେ । ସେ ଚାହେଁ ନୀଳ ଆକାଶକୁ । ଦେଖେ ତଥାକଥିତ ଜୀବନକୁ । ଧିରେଧିରେ ଗୋଟିଏ ନୀଳ ନିରବତା ଆବୋରି ବସେ ତାକୁ । ଏବଂ ସେଇ ନୀଳ ନିରବତାକୁ ସାଥି କରି, ସ୍ମୃତି ସବୁକୁ ପଛ କରି ଆଗକୁ ବଢ଼େ ସେ, ଏଇଯେମିତି ବୟସ ଆଉ ଫେରେନା ପଛକୁ !

ଆରେ ! କଣ ଭାବୁଛନ୍ତି ଆପଣ ? କଣ ଭାବୁଛନ୍ତି ନୀଲୁ କିଏ ? ହଁ, ସେଇ କଥା ଭାବୁଥିବେ ନିଶ୍ଚୟ । ଏ ସମ୍ପର୍କରେ ନୀଲୁକୁ ପଚାରିଲେ ନୀଲୁ କୁହେ,

“ମାଟି ମୁଁ ହିଁ ମଟାଳର
ନୀଳ ରଙ୍ଗ ନୀଳିମାର

* * *
ଖରା ଦିନେ ତାତିର
ମୁଁ ଶୀତ ଦିନେ ଜାଡ଼ର ,
କେବେ ଶ୍ରାବଣର ଧାରା
କେବେ ବସନ୍ତର ମହ୍ଲାର …
ପାପୀ ନୁହେଁ ତପୀ ନୁହେଁ
ନୁହେଁ ବି ଏକ *
ଘୁଣଖିଆ ସଂସ୍କାର !
ଛୁଇଁ ଦେଲେ ହଜିଯାଏ
ଚୁମି ଦେଲେ ଭିଜିଯାଏ
ଏକାକାର ହେବା
ପ୍ରୀତିର ଯେ ଶେଷ ଶୃଙ୍ଗାର “
(ପୃଷ୍ଠା ସଂଖ୍ୟା – ୪୫)

କଣ ହେଲା ? କଣ ଏବେବି ଆପଣ ଭାବୁଛନ୍ତି ନୀଲୁ କିଏ ! ହେଉ, ଭାବୁ ଥାଆନ୍ତୁ । ନୀଲୁ କିଏ କହିବା ପାଇଁ ଏବେ ମୋ ପାଖରେ ବେଳ ନାହିଁ । ମୋତେ ତ କହିବାର ଥିଲା କବି ନୀଳିମା ନିବେଦିତାଙ୍କ କବିତା ସଂକଳନ “ନୀଳ ନିରବତା” ର କଥା । ମୁଁ ଏ ଯାଏଁ ସେଇ କବିତାର କଥା ହିଁ କହୁଥିଲି । କେଜାଣି କେମିତି ତାଆ ଭିତରକୁ ଏଇ ନୀଲୁ ଚାଲି ଆସିଲା !

ଏଠି ପୁରାଟା କବିତା ସଂକଳନରେ ସମୁଦାୟ ୪୨ଟି କ୍ଷୁଦ୍ର କବିତା ରହିଛି । ତାଆ ଭିତରେ “ଅଲିଭା ସଂଳାପ” ଠାରୁ ଆରମ୍ଭ କରି “ଶେଷ ଶୃଙ୍ଗାର”
ଯାଏ ପ୍ରଥମ ୨୬ଟି କବିତା ଅତି ସୁନ୍ଦର ଭାବରେ ଗଢି ଉଠିଛି ଗୋଟିଏ ଫ୍ଲୋ ଲାଇନ୍ ରେ । ସେଠି ପ୍ରେମ ଅଛି । ପ୍ରତାରଣା ବି ଅଛି । ସେଠି ସବୁତକ କବିତା ଭିତରେ ଗୋଟିଏ ଦୃଶ୍ୟ ଅଛି, ଗୋଟିଏ ଅନୁଭବ ଅଛି ଏବଂ ଅଛି କିଛି ସୁନ୍ଦର ଶବ୍ଦ ଗୁମ୍ଫନ। ଏଣୁ ଭଲ ଲାଗିଛି ସେହି କବିତାଗୁଡ଼ିକ ।
ଅନୁଭବ ହୋଇଛି କବିତାଗୁଡ଼ିକ ଗୋଟିଏ ପାକଳ ହାତର କବିତା ବୋଲି । ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଶେଷ ୧୬ଟି କବିତାରୁ “ଜୀବନଟା ଏଇମିତି” ଓ ” ଈଶ୍ଵରୀକରଣ” ପରି ଦୁଇଟି କବିତାକୁ ଛାଡ଼ିଦେଲେ ଅନ୍ୟ ୧୪ଟି ଯାକ କବିତାରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ଗୋଟିଏ କଞ୍ଚା ହାତର କାମ । ସେଗୁଡ଼ିକ ପ୍ରତି ଆଉଟିକେ ଯତ୍ନଶୀଳ ହେବାର ଥିଲା । ଯେହେତୁ ସେମାନେ କୌଣସି ବନ୍ଧନ ଭିତରେ ନାହାନ୍ତି ଓ ଜୀବନବାଦର କଥା କହିବାକୁ ଚେଷ୍ଟା କରିଛନ୍ତି ତେଣୁ ସେମାନଙ୍କୁ ଆଉଟିକେ ପାକଳ ହେବାଯାଏ ଅପେକ୍ଷା କରିବାର ଥିଲା । ନିଜ ଦ୍ଵାରା ଲେଖାଯାଇଥିବା ସବୁଯାକ କବିତା ଯେ ବହିଟି ଭିତରେ ରହିବିକୁ ବାଧ୍ୟ ସେମିତି କିଛି ମାନେ ନାହିଁ । ଏଣୁ ସେଥିରୁ କିଛି କବିତାକୁ ବହି ଭିତରେ ଯାଗା ଦେବା ଆଗରୁ ନିଜ ଦ୍ଵାରା ଆଉଟିକେ ନଜର ପକାଇବାର ଥିଲା । ବହିଟିଏ ପାଇଁ ଯଦି ଆଉ କିଛି କବିତା ନିହାତି ଜରୁରୀ ଥିଲା ତାହେଲେ ଆଉ କିଛି ନୂଆ କବିତା ଆସିବା ଯାଏ ଅପେକ୍ଷା କରିବାର ଥିଲା ।

ତେବେ ମୁଁ ଏଠି ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ । ଯଦି ଗୋଟିଏ ବହିର ୪୨ଟି କବିତାରୁ ୨୮ଟି କବିତା ମନକୁ ଛୁଇଁ ସାରିଛି ସେଠି ଟିକେ କମଜୋର୍ ପଡ଼ିଥିବା ବାକି ୧୪ଟି କବିତାର କଥା ନକହିଥିଲେ ବି ଚଳି ଥାଆନ୍ତା । ହେଲେ କଣ କରିବା ! ମୁଁ ଆରମ୍ଭରୁ କହିଛି ନୀଲୁ ଗୋଟିଏ ଛାଇ ଏବଂ ସିଏ ମୋଠାରୁ ଭିନ୍ନ ନୁହେଁ । ନୀଲୁ ପରି ମୁଁ ବି ମୁହଁରେ ମୁଖା ପିନ୍ଧି କଥା କହି ପାରେନା, ଭଲକୁ ଖରାପ ଓ ଖରାପକୁ ଭଲ ବୋଲି କହି ପାରେନା । ଏଣୁ ଜଣେ ସମାଲୋଚକର ଦୃଷ୍ଟିକୋଣରୁ ଏଠି ମୋତେ ଅନୁଭବ ହେଲା କିଛି କଥା କହିବା ନିହାତି ଜରୁରୀ ଥିଲା, ଏଣୁ କୁହାଗଲା ।

ଏବେ ଆପଣ ପୁଣି ଭାବିଲେଣି ସେଇ ନୀଲୁ କଥା । ମନେମନେ ଖୋଜିଲେଣି ତାକୁ । ହଁ, ଖୋଜନ୍ତୁ ତାକୁ ଏଇ “ନୀଳ ନିରବତା” ଭିତରେ । ସେ ନିଶ୍ଚିନ୍ତ ଭାବରେ ଥିବ ତାଆ ଭିତରେ ।

ବହି : ନୀଳ ନିରବତା
କବି : ନୀଳିମା ନିବେଦିତା
ପ୍ରକାଶକ : ସୃଜନ ଇଣ୍ଡିଆ
ପ୍ରଥମ ପ୍ରକାଶ : ୨୦୧୯
ପୃଷ୍ଠା ସଂଖ୍ୟା : ୭୨
ମୂଲ୍ୟ : ୧୦୧ ଟଙ୍କା ମାତ୍ର

କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨

ଲେଖକ ପରିଚୟ

କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ,  ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।


Related Posts

Leave a Reply

Your email address will not be published. Required fields are marked *