ସଭିଏଁ ସବୁ ଜାଣନ୍ତି !

ସତ୍ୟନାରାୟଣ ଗନ୍ତାୟତ

ପିଲାଦିନେ ପଢିଥିବା “ପିଲାଙ୍କ କାହିଁକି ?” ଶୀର୍ଷକ ସେଇ ବହିଟି ଏକ୍ଷଣି ଆମ ମନକୁ ଆସି ଯାଉଛି ! ସେତେବେଳେ ପିଲାଙ୍କୁ ପାଠ ବହି ଛଡା ଅନ୍ୟ ବହିମାନ ପଢିବାକୁ ମିଳୁଥିଲା । କାରଣ ସ୍କୁଲ ମାନଙ୍କରେ ଲାଇବ୍ରେରୀ ରହିଥିଲା । ସେଠି ପଢା ଜ୍ଞାନ ବାଦ୍ ଅନ୍ୟ ବହୁ କଥା ଜଣାଇ ପିଲାଙ୍କ ଜ୍ଞାନ ଆହୁରି ବଢାଇବା ସହ ସେମାନଙ୍କୁ ଆନନ୍ଦ ଦେବା ଭଳି ନାନା କିସମର ମନଲାଖି ବହିମାନ ରହୁଥିଲା । ସ୍ୱତନ୍ତ୍ର ଭାବରେ ଲାଇବ୍ରେରୀ କ୍ଲାସ ହେଉଥିଲା ଓ ପିଲାଙ୍କୁ ସେହି କ୍ଲାସରେ ସେମାନଙ୍କ ମନ ପସନ୍ଦର ବହି ଦେଇ ପଢି ସାରି ଫେରାଇବା ପାଇଁ କୁହା ଯାଉଥିଲା । ଫଳତଃ ଆମ ଭଳି ପିଲାଏ “ବିରାଡ଼ି ଚାଲିଲେ ଶବ୍ଦ ହୁଏ ନାହିଁ କାହିଁକି ?”ଠୁ ଆରମ୍ଭ କରି “ସାମାନ୍ୟ ଲୁହା ଖଣ୍ଡେ ପାଣିରେ ପକାଇଲେ ବୁଡ଼ି ଯାଉଥିବାବେଳେ ଶହଶହ ମହଣ ଓଜନର ଜାହାଜ ପାଣିରେ ଭାସି ପାରେ କାହିଁକି ?” ଜାତୀୟ ଅନେକ କ’ଣ ଓ କାହିଁକି ସମ୍ବନ୍ଧୀୟ ଜ୍ଞାନ ସେଇ “ପିଲାଙ୍କ କାହିଁକି ? ” ଭଳି ସରଳ ଓ ସୁଖପାଠ୍ୟ ବହି ପଢି ଜାଣି ପାରୁଥିଲୁ ।

କାଳକ୍ରମେ ପିଲାଙ୍କ ଜାଣିବା ଏଡ଼େ ସରି ବିବର୍ତ୍ତିତ ହୋଇଗଲା ଯେ ବୋଇଲା ପରି “ଜାତିର ଜନକଙ୍କ ଏକମାତ୍ର ଧର୍ମପତ୍ନୀଙ୍କ ନାମ” ଜାଣନ୍ତୁ କି ନଜାଣନ୍ତୁ କୋଉ ନାମୀ ଫିଲ୍ମ ଷ୍ଟାର୍ ଓ କ୍ରିକେଟରଙ୍କ ପ୍ରଥମା ବାଦ୍ ଦ୍ୱିତୀୟା ପତ୍ନୀଙ୍କ ନାମ ସୁଦ୍ଧା କଣ୍ଠସ୍ଥ ହୋଇଗଲା । ଏପରିକି କେହିକେହି ତ’ ରବୀନ୍ଦ୍ରନାଥ ଟାଗୋରଙ୍କୁ କବିଗୁରୁ ପରିବର୍ତ୍ତେ ଶର୍ମିଳା ଟାଗୋରଙ୍କ ସମ୍ପର୍କୀୟ ମଣି ନେଉଥିଲେ । ଏଭଳି ବିଡ଼ମ୍ବିତ ବିବର୍ତ୍ତନ ମଧ୍ୟ ଦେଇ ଏବେ ତ’ କି’ ପିଲା କି’ ବଡ଼ ସଭିଙ୍କ ହାତମୁଠାରେ ଯେଉଁ ମୋବାଇଲ ନାମଧେୟ ଏଡ଼ିକି ବକଟେ ଯନ୍ତ୍ରଟେ ଶୋଭା ପାଉଛି, ସିଏ ସକଳ ବିଶ୍ୱ ବ୍ରହ୍ମାଣ୍ଡକୁ ଆଣି ପାପୁଲିରେ ଧରାଇ ଦେଇ ସତେ ଅବା କହୁଛି : “ନେ, ଯାହା ତୁ ଭାବୁଛୁ ଯାହା ତୁ ଚିନ୍ତୁଛୁ ସବୁ ମୁଁ ଜାଣଇ ! ଏବେ ଜାଣିବା ତୋ ପାଳି !”

ଏଥିରୁ ଜାଣ ଯେ ଏଇନେ ଏହି ସୁଯୋଗାକ୍ରାନ୍ତ ସଭିଏଁ ! ତଥାଚର୍ଚ୍ଚିତ ଗୁଗୁଲ ଗୁରୁଙ୍କ ଅପାର କରୁଣାରୁ ହେଉ ବା ହ୍ୱ।ଟସ ଆପ ୟୁନିଭର୍ସିଟିର ନିଷ୍ଠାପର ଛାତ୍ର ଭାବେ ହେଉ, ସକାଳୁ ରାତି ବା ରାତିରୁ ସକାଳ ବ୍ୟାପୀ ନାନାଜାତି କଥାମାନ ଜାଣିବା ଚୁଟକି ମାରିବା ପ୍ରାୟେ ମାମୁଲି ହୋଇଗଲାଣି । କେଉଁ ବାରରେ କ’ଣ କେବେ କରାଯିବା ଚାହି, ବଖୁରିଆ ଘରଟେ ଭିତରେ ବି କେମିତି ଗାଡ଼ିଏ ଜିନିଷ ସଜାଇ ରଖିହେବ, କେଉଁ ରୋଗ ପାଇଁ କେଉଁ ସହଜ ଚିକିତ୍ସା ଘରେ ହିଁ କରି ହେବ, କୁଣ୍ଡରେ ଲାଗିଥିବା ଅଢେଇ ଫୁଟିଆ ପଣସ ଗଛ କେମିତି କେଇ ମାସ ଭିତରେ ପଣସରେ ଭରି ଯିବ ଇତ୍ୟାଦିଇତ୍ୟାଦି ସବୁ କିଛି ଅତି ଅନାୟାସେ ଜାଣିବା କଣ କମ୍ କଥା ହୋଇଛି ? ଏସବୁ ବହୁ ଡେରିରେ ଅଚାନକ ଦେଖି ନେଇ ଜିଭ ଖଲଖଲ ହୁଅନ୍ତେ ଆପଣ ଆର ଜଣକୁ ଏନେଇ ପଦିଏ କହି ଦେଖନ୍ତୁ ତ, ସେ ତକ୍ଷଣି କହି ଉଠିବ : “ମୁଁ ଏସବୁ କୋଉ କାଳୁ ଜାଣେ !!”

ଆଉ ରହିଲା ଗାଁଗହଳି ହେଉ ବା ସହର ବଜାରର ଚା ଷ୍ଟଲ ବା ପାନ ଦୋକାନ ମାନ ତ ଜାଣ ଏକଏକ ତତ୍ତ୍ୱ ଓ ତଥ୍ୟର ପ୍ରାଣକେନ୍ଦ୍ର ! ଏ ଗ୍ରହରେ ଗ୍ରହଶାନ୍ତିର ବିଧି ବିଧାନଠୁ ଗ୍ରହାନ୍ତରରେ ମଣିଷ ବସବାସ କରିବା ନେଇ ଆକଳନ, କଳ୍ପିତ ବିଶ୍ୱ ଯୁଦ୍ଧର ପୂର୍ବାନୁମାନ ସହ କେଉଁ ରାଷ୍ଟ୍ର ମୁଖ୍ୟଙ୍କ ଭାଉ କମୁଛି ଓ କାହାର ବଢୁଛି, କେଉଁ ଫିଲ୍ମ ଷ୍ଟାରଙ୍କ ରୋଜଗାର କେତେ ଓ କେଉଁ କ୍ରିକେଟର ଅବସର ଘୋଷଣା କରିଦେବା ଚାହି ଏ ସକଳ କଥା ଏହି ମହାନ ଖଟି, ସରି ଆଡ୍ଡା, ସରି, ଆଲୋଚନା କେନ୍ଦ୍ରମାନଙ୍କର ନିତ୍ୟ ନୈମିତ୍ତିକ ଆଲୋଚ୍ୟ ବିଷୟ ପାଲଟି ଯାଇଥାଏ ।

ତେବେ ଏସବୁ ମଧ୍ୟ ଦେଇ ବା ଏସବୁ ଭିତରେ ଏକରକମ ଡୁବି ରହିଥିବା ଜନଙ୍କୁ ଭୁଲରେ କେଉଁ ବିଷୟରେ ବି କିଛି ପଚାରି ଦେବେ ତ ପହିଲେ ଦୃପ୍ତ କଣ୍ଠରେ ସେ ନିଶ୍ଚେ କହିବେ ଯେ ସେ ଏହା ଜାଣନ୍ତି । ଏଭଳି “ମୁଁ ସବୁ ଜାଣେ” କହି ହେବା ଧୀରେଧୀରେ ବଦଭ୍ୟାସରୁ ରୋଗ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଗଲାଣି । ତେଣୁ ତ’ କିଛି ହେଉହେଉ ଏଭଳି ସର୍ବଜ୍ଞ ମାନେ “ମୁଁ ଜାଣିଥିଲି ପରା” ବୋଲି ଏମିତି କହନ୍ତି ଯେ ତାହା ଅନ୍ୟଥା ଟାଉଟରୀୟ ବଖାଣ ପ୍ରାୟେ ଶୁଭୁଥିବା ନେଇ ଆଦୌ ସଚେତନ ନଥାନ୍ତି ।

ବଡ଼ କଥା ହେଲା ଏସବୁ କଥାମାନ ଅନ୍ୟକୁ ନେଇ ଇ’ । ଅର୍ଥାତ ସୁଦୁ ପରଚର୍ଚ୍ଚା ଅଟଇ । ଏ ଦିଗରେ ଊଣାଅଧିକେ ସଭିଏଁ ଆଗ୍ରହୀ । ଖାସ୍ କିଛି ଆୟ ନଥାଇ କାହାର ଚାଳ ଘର କେମନ୍ତ ତ୍ରିତଳ ହର୍ମ୍ୟ ହେଲା, କାହା ଝିଅ କାହା ପୁଅ ସହ ନାରେନାରେ ହେଉଛି, କାହା ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରର ଝଗଡ଼ା କେମନ୍ତ ଖୁବ୍ ଶୀଘ୍ର ଡିଭୋର୍ସ ଆଡ଼କୁ ମୁହାଁଇବାକୁ ଯାଉଛି ଆଦି ପରର ନାନା କଥା ନାନା ବ୍ୟଥା ନଖ ଦର୍ପଣରେ ଦୃଶ୍ୟମାନ ହେଉଥିବା ଭଳି ଉଗାଳି ଚାଲୁଥିବା ଏମନ୍ତ ସର୍ବଜ୍ଞ ମହାଜନମାନଙ୍କୁ ତାଙ୍କ ନିଜ ଘରର ଡିଟୋଡିଟୋ ପ୍ରସଙ୍ଗ ନେଇ ଥରେ ପୁଚ୍ଛି ଦେଖନ୍ତୁ ତ’, କେମନ୍ତ ସେମାନଙ୍କ ପାଟି ଖନି ମାରିଯିବନି !

ସୁତରାଂ କେହି ବି ସବୁ ଜାଣିବା ସତତ ଅସମ୍ଭବ ବ୍ୟାପାର । ପୁନଶ୍ଚ ମେଧା ଜ୍ଞାନ ଓ ସୂଚନା ସାଧାରଣତଃ ଏକାଭଳି ପ୍ରତେ ହେଉଥିଲେ ହେଁ ଭିନ୍ନ ଅଟନ୍ତି । ଏହି ସବ୍ ଜାନତା ମାନେ ଅତି ବେଶୀରେ ଦେଖାଶିଖା ବା ଆଧୁନିକ କପି ପେଷ୍ଟ ମାଧ୍ୟମରେ ଅତି ବେଶୀରେ କିଛି ସୂଚନା ପାଇ ଯାଇଥାନ୍ତି । ତହିଁକି ବେଳୁବେଳ ମାମୁଲି ଜନ ଅଧ୍ୟୁଷିତ ହୋଇ ଚାଲିଥିବା ସମ କାଳରେ ସୂଚନାର ଭାଉ ବି ରହିଥିବାରୁ ଏମାନେ ତାହାରି ବଳରେ ଆପଣାକୁ ସର୍ବେସର୍ବା ମଣିଥାନ୍ତି । ଅସଲରେ କିନ୍ତୁ ମେଧା ପ୍ରାପ୍ତି ତ ଦିବ୍ୟ କରୁଣାର ଫଳଶ୍ରୁତି । ଯଥାର୍ଥ ଜ୍ଞାନ ଆହରଣ ସତତ ଏକ ନିରନ୍ତର ପ୍ରକ୍ରିୟା, ଯାହାର ଅନ୍ତ ନାହିଁ ।

ତେଣୁ ତ କେଉଁ ଜ୍ଞାନୀଜନ “ମୁଁ ଜ୍ଞାନର ମହାସାଗର କୂଳରୁ ଉପଳ ଖଣ୍ଡ ମାତ୍ର ସଂଗ୍ରହ କରିପାରିଛି” ବୋଲି ବିନମ୍ର ଘୋଷଣା କରିବାବେଳେ ଆଉକେହି “ମୁଁ ଏ ବିଷୟରେ କିଛି ବି ଜାଣେ ନାହିଁ” କହି ସେ କେମିତି ଜ୍ଞାନ ଆହରଣରେ ସଦା ନିମଗ୍ନ ଜଣାଇ ଦେଇଥାନ୍ତି । ଅନ୍ୟଥା “ମୁଁ ସବୁ ଜାଣିଛି” ବୋଲି କହି ହେଉଥିବା “ଅଳ୍ପ ବିଦ୍ୟା ଭୟଙ୍କରୀ” ଜାତୀୟ ସିନା ! ଏମନ୍ତ ସବ ଜାନତାଙ୍କ ଉଦ୍ଦେଶ୍ୟରେ ହିଁ ସମ୍ଭବତଃ କୋଉ କାଳୁ ସୂକ୍ତି କ୍ରମରେ କୁହାଯାଇଛି :

“ଅଗାଧ ଜଳ ସଞ୍ଚାରୀ ରୋହିତ ନୈବ ଗର୍ବିତ, ଗଣ୍ଡୁଷ ଜଳ ମାତ୍ରେଣ ସର୍ଫରି ଫର୍ଫରାୟତେ !”

ଅର୍ଥାତ ଗଭୀର ଜଳରେ ପହଁରୁଥିବା ରୋହି ମାଛ ଧୀର ହୋଇଥିବା ବେଳେ ପାପୁଲିଏ ପାଣିରେ ବି ଫଡ଼ଫଡ଼ ହୋଇଥାଏ ଦଣ୍ଡିକିରି ମାଛ, ହେଃ ହେଃ ହେଃ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

Leave a Reply

Your email address will not be published. Required fields are marked *