ଶୁଭ ନାରାୟଣ ସ୍ଵାଇଁ

ଗତ ସପ୍ତାହରେ ମୁଁ ଫେରୁଥାଏ ପୁଣେରୁ ରାଉରକେଲାକୁ । ଟ୍ରେନ ଆରମ୍ଭରୁ ଛଅ ଘଣ୍ଟା ବିଳମ୍ବରେ ଚାଲୁଥାଏ । ସମୟ ନିର୍ଘଣ୍ଟ ଅନୁସାରେ ୨୫ ଘଣ୍ଟାର ଯାତ୍ରାକୁ ୩୫ ଘଣ୍ଟାରେ ସାରିବା ପାଇଁ ମାନସିକ ଭାବରେ ନିଜକୁ ପ୍ରସ୍ତୁତ କରି ମୁଁ ବସିଲି ଟ୍ରେନରେ । ରେଳଗାଡ଼ି ଛୁକ୍ ଛୁକ୍ କରି ଆଗକୁ ବଢୁଥିଲା । ପଛରେ ରହି ଯାଇଥିଲା ପୁଣେ, ବେଲାପୁର ଓ କପରଗାଁ ପରି ସହର । ପଛରେ ରହି ଯାଇଥିଲା ଖୁବ୍ ଅଳ୍ପଦିନ ପାଇଁ ମୋର ହୋଇ ରହିଥିବା ମୋର ସେଇ ଭଡ଼ା ଘର ବାଲକୋନୀ ଉପରେ ବସି ଜହ୍ନ ଆଲୁଅରେ କାନିଫନାଥ୍ ପାର୍କର ଧାଡ଼ିଧାଡ଼ିକା ନଡ଼ିଆ ଗଛକୁ ଦେଖିବାର ଅନୁଭବ । ପଛରେ ରହି ଯାଇଥିଲା ଭାଜି ଗୁମ୍ଫା, ଲୁଣାଭାଲା ଓ ଖଣ୍ଡାଲାରେ ବିତାଇଥିବା ସବୁତକ ସୁଖଦ ମୁହୂର୍ତ୍ତ । ଆଗରେ ଥିଲା କେବଳ ଓଡ଼ିଶାକୁ ଫେରି ଆସିବାର ଆବେଗ ଓ ପାଖରେ ଥିଲା ଗଲା ଚାରି ମାସ ଭିତରେ ମୁଁ ଜମାରୁ ପଢି ପାରିନଥିବା କିଛି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକ । ଝରକାର ନୀଳ ପରଦାକୁ ଟିକେ ଆଡ଼େଇ ଦେଇ ଦେଖିଲି ବାହାରେ ଶୀତ ଦିନର ଖରାଟା ବି କମ୍ବଳ ଘୋଡ଼େଇ ହୋଇ ଆସିଲା ପରି ଆସିଛି ।
ପାଗଟା ମେଘୁଆ ଅଛି ଆଉ ଭିତରେ ଆଇ ଆର୍ ଟି ସି ଭେଣ୍ଡର୍ ମାନଙ୍କ ମୁହଁରୁ ଶୁଭୁଛି ପାଓ ଭାଜି, ବଡ଼ା ପାଓ, ବଡ଼ା ପାଓ….
ପାଖରେ ପଢ଼ିବା ପାଇଁ ଗପ କି ଉପନ୍ୟାସ ବହିଟେ ଥିଲେ ମୋତେ କେବେବି ଯନ୍ତ୍ରଣାଦାୟକ ଲାଗେନି କୈୗଣସି ବି ରେଳଯାତ୍ରା । ଭାବିଲି ବ୍ୟାଗ୍ ଭିତରୁ ବହିଟେ କାଢ଼ି ପଢ଼ିବି । କାଢ଼ିଲି ଡାକ୍ତର ସୁଷମା ଚୈୗଧୁରୀଙ୍କ “ଅଲୋଡ଼ା ରତ୍ନ ଓ ଅନ୍ୟାନ୍ୟ ଗଳ୍ପ” ।
ଶୀର୍ଷକ ଗଳ୍ପ “ଅଲୋଡ଼ା ରତ୍ନ” ରେ ଗାଳ୍ପିକା ଏମିତି ଗୋଟିଏ ଭିନ୍ନକ୍ଷମ ଝିଅର କଥା କହିଛନ୍ତି ଯିଏକି ନିଜେ ଜାଣେନି ତାକୁ ତାଆ ମାଆ ଅଲୋଡ଼ା ଭାବି ଛାଡ଼ି ଯାଇଥିଲା ରାସ୍ତା କଡ଼ରେ । ସେହି ରାସ୍ତା କଡ଼ରୁ ଆଣି ପାଳିପୋଷି ତାକୁ ବଡ଼ କଲେ କଳିକା ଆଉ ବେଦାନ୍ତ । ସେହି ଝିଅ ଆଜି ମହାମହିମ ରାଷ୍ଟ୍ରପତିଙ୍କଠାରୁ ପାଇଛି “ଅନନ୍ୟା” ପୁରସ୍କାର । ମିଳିତ ଜାତିସଂଘରୁ ତାକୁ ମିଳିଛି ନିମନ୍ତ୍ରଣ ସେଠି ପରିବେଷଣ କରିବାକୁ ତା’ର ନୃତ୍ୟ । ଏପରି ଏକ ଖୁସିର ସମୟରେ ଯେତେବେଳ କେହିଜଣେ ଅଜଣା ମହିଳା ଆସି କହୁଛି ସେ ଝିଅର ମାଆ ସିଏ ବୋଲି ସେତେବେଳେ କଳିକାଙ୍କ ପାଦତଳୁ ଖସି ଯାଉଛି ମାଟି । ଅବଶ୍ୟ ଫେରିଯାଉଛି ତା’ ଜନ୍ମ କଲା ମାଆ, କହିଯାଉଛି ତା’ ବିବଶପଣର କଥା । ତା’ପରେ କଣ ହୋଇଛି ଘଟଣା ସେକଥା ପଢ଼ିଲେ ଜାଣିପାରିବେ ଆପଣ । ଭଲ ହୋଇଛି ଗପଟି । ଖୁବ୍ ସହଜ ଓ ସରଳିଆ ଭାଷାରେ ଲେଖା ହୋଇଥିବା ଏ ଗପଟିରେ ରହିଛି ଗୋଟିଏ ଭଲ ସାମାଜିକ ବାର୍ତ୍ତା । ଅବଶ୍ୟ ଗଠନ ଦୃଷ୍ଟିରୁ ଦେଖିଲେ ଗୋଟିଏ ଯାଗାରେ ପୃଷ୍ଠା ସଂଖ୍ୟା ୨୮ରେ ଯେଉଁଠି ଗାଳ୍ପିକା ଲେଖିଛନ୍ତି “ବେଦାନ୍ତ ଫୋନ୍ ରଖି ଗେହ୍ଲାରେ ଝିଅର ମୁଣ୍ଡ ଆଉଁଶି ଦେଲେ” ସେଇଠି ରହିଯାଇଛି ଟିକିଏ କନେକ୍ଟିଭ୍ ଏରୋର୍ । ସେତିକିକୁ ବାଦ୍ ଦେଲେ, ଖୁବ୍ ଭଲ ହୋଇଛି ଗପଟି ।
‘ପରିଶୋଧ’, ‘ସମ୍ବଲପୁରୀ ପାଟ’, ‘ଗୁରୁ ଦକ୍ଷିଣା’, ‘ଲିସା ଅପା’, ‘ମ୍ୟାଡ଼ମ୍ ମାଆ ପଳାତକ’, ‘ଗୋପ ମଉସା’ ଆଦି ଗପଗୁଡ଼ିକ ଭିତରେ ବି ମୁଁ ଦେଖିଲି ସବୁଠି ରହିଛି ଗୋଟିଏ ଗୋଟିଏ ବିବଶ ଚରିତ୍ରର କଥା, ସବୁଠି ଅଛି ଗୋଟିଏ ଗୋଟିଏ ସାମାଜିକ ବାର୍ତ୍ତା । ବ୍ୟକ୍ତିଗତ ଭାବରେ ମୋର ଯାହା ଅନୁଭବ ହେଲା, ଏ ସଂକଳନଟିରେ ସ୍ଥାନିତ ପ୍ରତ୍ୟେକଟି ଗପ ଗୋଟିଏ ଗୋଟିଏ ଥିମ୍ ବେସ୍ଡ ଗଳ୍ପ । ପ୍ରତ୍ୟେକ ଗଳ୍ପର ପ୍ଲଟ୍ ଗୋଟିଏ ଗୋଟିଏ ସାମାଜିକ ଦୃଶ୍ୟ ଏବଂ ଗୋଟିଏ ଗୋଟିଏ ତିକ୍ତ ଅନୁଭବ ।
ବାରଟି ଯାକ ଗପ ଭିତରୁ ମୋତେ ସବୁଠୁ ଅଧିକ ଛୁଇଁଲା “ପଳାତକ” ଗପ । ଏ ଗପଟିର ଗଠନ ଶୈଳୀ ଓ କାହାଣୀର ପ୍ରବାହମାନତା ଅନ୍ୟ ଏଗାରଟି ଯାକ ଗପଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ସେଦିନ ଗୈୗତମ ଯେମିତି ବୋଧିସତ୍ତ୍ଵ ପ୍ରାପ୍ତି ପାଇଁ ଛାଡ଼ି ଚାଲି ଯାଇଥିଲେ ଘର, ପରିବାର ଓ ଯଶୋଧାରାଙ୍କୁ ଠିକ୍ ସେମିତି ୨୦ ବର୍ଷ ତଳେ କେଉଁ ଗୋଟିଏ ଗୁରୁଙ୍କଠାରୁ ଦୀକ୍ଷା ନେଇ ଘର, ପରିବାର ଓ ସ୍ତ୍ରୀକୁ ଛାଡ଼ି ଚାଲି ଯାଇଥିଲା ମିଶ୍ର ଅବଧାନେଙ୍କ ପୁଅ ବିଘ୍ନେଶ । ଏମାନଙ୍କୁ ପଳାତକ କୁହାଯିବନି ତ ଆଉ କଣ କୁହାଯିବ ! ହୁଏତ ଯଶୋଧାରା କ୍ଷମା କରି ଦେଇଥିବେ ଗୈୗତମଙ୍କୁ । ସେ ମହାନ୍, ସେ ମହୀୟସୀ । ଚିତ୍ରା କିନ୍ତୁ ଜମାରୁ କ୍ଷମା କରି ପାରିବନି ବାବା ବିଘ୍ନେଶକୁ । ସେ ନିଜେ ସେହି ଗୁରୁକୁ ଦକ୍ଷିଣା ହିସାବରେ ଦେଇ ଦେବ ନିଜ ସ୍ଵାମୀକୁ ଯେଉଁ ଗୁରୁର ଶିଷ୍ୟ ହୋଇ ଦିନେ ଘର ଛାଡ଼ି ଥିଲା ତାଆ ସ୍ଵାମୀ ବିଘ୍ନେଶ । ଖୁବ୍ ଭଲ ହୋଇଛି ଗପଟି । ମୋର ବ୍ୟକ୍ତିଗତ ଭାବରେ ଅନୁଭବ ହୁଏ ଏହି ଗପଟିର ଶୀର୍ଷକକୁ ବହିର ଶିରୋନାମା କରା ଯାଇଥିଲେ ଖୁବ୍ ଭଲ ହୋଇଥାନ୍ତା ।
ଅନ୍ୟାନ୍ୟ ଗପଗୁଡ଼ିକ ଭିତରେ ଖୁବ୍ ଭଲ ହୋଇଛି “ମଦର୍ସ ଡେ” ରେ ଗାଳ୍ପିକାଙ୍କ ଆଖି ଆଗରେ ନାଚି ଉଠିଥିବା ଚାରୋଟି ଯାକ ଦୃଶ୍ୟ । ସତରେ ଭାବିବାକୁ ପଡ଼ିବ ଯେଉଁ ବୋହୂଟି ନିଜ ବାପ ଘରକୁ ଯାଇ ନିଜ ମାଆ ପାଇଁ ପାଳିପାରେ ମଦର୍ସ ଡ଼େ’ ସେ କେମିତି ଯେ ଭୁଲିଯାଏ ତା’ ଶାଶୂ ବି ଗୋଟିଏ ମାଆ ବୋଲି । ଭାବିବାକୁ ପଡ଼ିବ ନିଜ କୁନି ଝିଅଟିକୁ ନିଜ କୁଡ଼ିଆ ଘରେ ଛାଡ଼ି ପର ଘରେ ବାସନ ମାଜୁଥିବା ମାଆଟି ବି ଗୋଟିଏ ମାଆ । ଗାଳ୍ପିକା ତ ଭାବୁଛନ୍ତି ଏ ସମ୍ପର୍କରେ, ହେଲେ ଆମେ କଣ କେବେ ଭାବିଛେ ଏ ସମ୍ପର୍କରେ, ଏହା ହିଁ ଭାବିବାର କଥା ।
“ଗୋପ ମଉସା ” ଗପରେ ଗପର ମୁଖ୍ୟ ଚରିତ୍ର ହେଉଛନ୍ତି ଗୋପ ମଉସା । ସେ ସବୁବେଳେ ଡାକ୍ତରଖାନା ଭିତରେ ରୁହନ୍ତି । ରାତିରେ ଗାମୁଛା ପାରି କେତେବେଳେ କେଉଁ ୱାର୍ଡ଼ରେ ଶୋଇପଡ଼ନ୍ତି । କେତେବେଳେ କାହା ପାଇଁ ରକ୍ତ ଯୋଗାଡ଼ କରି ଦିଅନ୍ତି ତ କେତେବେଳେ କାହା ପାଇଁ ଆଣିଦିଅନ୍ତି ଚା’ ଜଳଖିଆ, ୱଷଧପତ୍ର । କେତେବେଳେ କେଉଁ ରୋଗୀ ପାଖରେ ତା’ର ଆଟେଣ୍ଡାଣ୍ଟ ହୋଇଯାଆନ୍ତି ତ କେତେବେଳେ ଡାକ୍ତର ଓ ନର୍ସଙ୍କ ସହାୟକ ହୋଇ ରହିଯାଆନ୍ତି । ସେ ଡାକ୍ତରର ଶୁଣନ୍ତି ରୋଗୀର ଶୁଣନ୍ତି, ନର୍ସର ଶୁଣନ୍ତି ଓ ଶୁଣନ୍ତି ବି ରୋଗୀଙ୍କ ପରିବାରର ଲୋକଙ୍କ କଥା । ସବୁବେଳେ ଚେଷ୍ଟା କରନ୍ତି ରୋଗୀଟେ ସୁସ୍ଥ ହୋଇଯାଉ, ମରଣ ମୁହଁରେ ପଡ଼ିଥିବା ଲୋକଟି ବଞ୍ଚିଯାଉ । ସେ ଗୋପ ମଉସା କିନ୍ତୁ, ବଞ୍ଚାଇ ପାରି ନଥିଲେ ନିଜ ସ୍ତ୍ରୀକୁ । ସେ କଣ, ଡାକ୍ତର ଶୁଶ୍ରୁତ ବି ବଞ୍ଚାଇ ପାରି ନଥିଲେ ଗୋପ ମଉସାଙ୍କ ସ୍ତ୍ରୀଙ୍କୁ । ଡାକ୍ତର ଶୁଶ୍ରୁତଙ୍କ ସ୍ଵୀକାରୋକ୍ତି ଅନୁସାରେ ସେ ନିଜେ ହିଁ ମାଉସୀଙ୍କ ମୁହଁରୁ କାଢ଼ି ଦେଇଥିଲେ ଜୀବନ ରକ୍ଷାକାରୀ ଯନ୍ତ୍ରଟିକୁ । ହେଲେ ସେ ଏମିତି କାହିଁକି କଲେ, ସେକଥା କୁହେ ଗପର ପରିଣତି । ଏଠି ଡାକ୍ତର ଶୁଶ୍ରୁତ ଗପରେ ଗୋଟିଏ ଗୈୗଣ ଚରିତ୍ର ହେଲେ ହେଁ ଗପର କ୍ଲାଇମ୍ୟାକ୍ସରେ ତାଙ୍କ ବିବଶତା ଭାରି ହୋଇଯାଇଛି ପୁରାଟା କାହାଣୀ ଉପରେ ।
ଠିକ୍ ସେମିତି “ଲିସା ଅପା ” ଗପରେ ଲିସା ଅପାବି ଗୋଟିଏ ଡାକ୍ତର, ଗୋଟିଏ ଚରିତ୍ର । ସମସ୍ତେ ଦେଖନ୍ତି ସେ ଗୋଟିଏ ଖୋଲା ମିଜାଜ୍ ର ଝିଅ । ସେ କ୍ଲବ୍ କୁ ଯାଆନ୍ତି, ଡ୍ରିଙ୍କ୍ କରନ୍ତି, କେତେବେଳେ ନିଜ ଠାରୁ କମ୍ ବୟସର ପିଲାମାନଙ୍କ ସହିତ ସମ୍ପର୍କ ରଖନ୍ତି ତ, କେତେବେଳେ ନିଜଠାରୁ ଅଧିକ ବୟସର ଲୋକଙ୍କ ସହିତ ସମ୍ପର୍କ ରଖନ୍ତି । ଏକଥା ସମସ୍ତଙ୍କ ଆଖିକୁ ଦିଶେ । ସମସ୍ତେ ଆଙ୍ଗୁଠି ଦେଖାନ୍ତି ତାଙ୍କ ଚରିତ୍ରକୁ । ହେଲେ କେହି କେବେ ଦେଖିବାକୁ ଚେଷ୍ଟା କରିଛନ୍ତି କି ତାଙ୍କ ବିବଶତାକୁ ? କେହି କେବେ ବୁଝିବାକୁ ଚେଷ୍ଟା କରିଛନ୍ତିକି ଜଣେ ସଂରକ୍ଷିତ ଘରର ଝିଅଟେର ଘରେ ଭଲରେ ଖାଇବାକୁ କିଛି ଭଲ ଖାଦ୍ୟ ନଥିଲା କି ପିନ୍ଧିବାକୁ ଭଲ କପଡ଼ା ନଥିଲା ? ସେତେବେଳେ ସେ କେମିତି ସଂଘର୍ଷ କରି ପାଠ ପଢ଼ି ଡାକ୍ତର ହେଲେ ! କେହି କେବେ ବୁଝିବାକୁ ଚେଷ୍ଟା କରିଛନ୍ତିକି ବାପା ମାଆ ଚାଲିଯିବା ପରେ ଘରର ବଡ଼ ଝିଅ ହିସାବରେ ନିଜ ସାନ ଭାଇ ଓ ଭଉଣୀମାନଙ୍କୁ ମଣିଷ କରିବା ପାଇଁ ସେ କେମିତି ପର ଘରେ କାମ କରି ସେମାନଙ୍କୁ ପାଠ ପଢାଇଥିଲେ ? ପରେ ନିଜେ ଡାକ୍ତର ହେବାପରେ ସେମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ଚାକିରିବାକିରି କରାଇ ବାହାସାହା କରାଇବା ଭିତରେ ନିଜ ଯୈୗବନକୁ କେମିତି ଭୁଲି ଯାଇଥିଲେ ! ବୟସ ଗଡ଼ିଗଲା । ସେମିତିରେ ବି ସେ ସୁନ୍ଦରୀ ହୋଇ ଜନ୍ମି ନଥିଲେ । ଘରେ ବଡ଼ ହୋଇ ଜନ୍ମ ହେବାଟା କଣ ତାଙ୍କର ଭୁଲ୍ ଥିଲା ! ତାଙ୍କର ବି ମନରେ ଥିଲା ତାଙ୍କ ପାଇଁ କିଏ ଭଲ ବରଟିଏ ଭଲ ଘରଟିଏ ଖୋଜିଦେବ ବୋଲି । ହେଲେ ନିଜ ଲୋକମାନେ ସେଟେଲ୍ ହୋଇସାରିବା ପରେ ତାଙ୍କୁ ଯେତେବେଳ ପର କରିଦେଲେ ସେତେବେଳେ ନିଜ ନିଃସଙ୍ଗତାକୁ ଭୁଲାଇବା ପାଇଁ ଯଦି ସେ କାହା ସହିତ ସମ୍ପର୍କ ରଖିଲେ ତାହେଲେ ଏମିତି କଣଟା ଭାସିଗଲା ଯେ !! ସବୁ ହେଉଛି ନିଜ ନିଜ ଦେଖିବାର ଦୃଷ୍ଟିକୋଣର କଥା । ଖୁବ୍ ସୁନ୍ଦର ଓ ପାଥେଟିକ୍ ହୋଇଛି କାହାଣୀଟି ।
ମୋଟାମୋଟି ଭାବେ ଦେଖିବାକୁ ଗଲେ ସଂକଳନଟିର ପ୍ରତ୍ୟେକ ଗଳ୍ପରେ ଗୋଟିଏ ଲେଖାଏଁ ସାମାଜିକ ବାର୍ତ୍ତା ରହିଛି । ପ୍ରତ୍ୟେକଟି ଗଳ୍ପ ଅତ୍ୟନ୍ତ ସହଜ ଓ ସରଳ ଶବ୍ଦରେ କହିଛି ସ୍ଥୁଳ ଚରିତ୍ର ଓ ଚରିତ୍ରାନୁଭବର କଥା । ଏ ଗପ ଗୁଡ଼ିକରେ ଆପଣ ବୈୗଦ୍ଧିକତା ଖୋଜିଲେ ବୈୗଦ୍ଧିକତା ମିଳିବନି, ବରଂ ମିଳିବ କିଛି ସ୍ଥୁଳ ଅନୁଭବ ଏବଂ ମିଳିବ ଗୋଟିଏ ଗୋଟିଏ ସକରାତ୍ମକ ସାମାଜିକ ବାର୍ତ୍ତା । ନିଜ ଡାକ୍ତରୀ ପେଷା ଭିତରୁ ସମୟ କାଢି ସେ ଏମିତି ଲେଖୁଛନ୍ତି, ଏହା ନିଶ୍ଚିତ ଭାବରେ ଆମ ଓଡ଼ିଆ ସାହିତ୍ୟ ପାଇଁ ଗୋଟିଏ ଭଲ କଥା ।
ବହି : ଅଲୋଡ଼ା ରତ୍ନ ଓ ଅନ୍ୟାନ୍ୟ
ଗାଳ୍ପିକା : ଡାକ୍ତର ସୁଷମା ଚୈୗଧୁରୀ
ପ୍ରକାଶକ : ପଶ୍ଚିମା ପ୍ରକାଶନୀ
ପ୍ରଥମ ପ୍ରକାଶ : ୨୦୨୪
ପୃଷ୍ଠା ସଂଖ୍ୟା : ୧୨୮
ମୂଲ୍ୟ : ୧୬୯ ଟଙ୍କା ମାତ୍ର
କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨
ଲେଖକ ପରିଚୟ
କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ, ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।
