ସତ୍ୟନାରାୟଣ ଗନ୍ତାୟତ

ଏମିତିରେ ବର୍ଷକର ବାର ମାସରେ ଆମେ କୁଆଡ଼େ ତେର ପର୍ବ ପାଳନ କରିଥାଉ। ଏଥିରୁ ସ୍ପଷ୍ଟ ଯେ ସତରେ ଆମେ କେତେ ଧର୍ମପ୍ରାଣ ! ତଥାପି ମାସଙ୍କ ଭିତରେ କାର୍ତ୍ତିକ ମାସ ହିଁ ପୁଣ୍ୟ ମାସ ଭାବେ ସର୍ବଜନ ଗୃହୀତ । କୁହାଯାଏ କାର୍ତ୍ତିକ ଭଳି ମାସ ନାହିଁ, ସତ୍ୟଯୁଗ ସଦୃଶ୍ୟ ଯୁଗ ନାହିଁ, ବେଦ ତୁଲ୍ୟ ଶାସ୍ତ୍ର ନାହିଁ । ବି ନାହିଁ ଗଙ୍ଗା ଭଳି ତୀର୍ଥ !
ଆଉ ଏହି ମହାନ ମାସକୁ ଆମ ମାଆ ମାଉସୀ ଅପା ନାନୀମାନେ ଅପେକ୍ଷା କରିଥାନ୍ତି । କେମିତି ଅଶିଣ ସରିବ ଓ କାର୍ତ୍ତିକ ଆରମ୍ଭ ହେବ ! କାରଣ ଏହି କାର୍ତ୍ତିକ ମାସ ଏତେ ପବିତ୍ର ଯେ ଅନେକ ଏହି ମାସରେ ହିଁ ଧାର୍ମିକ ପୂଜାୟୋଜନମାନ ସମ୍ପନ୍ନ କରିବାକୁ ସ୍ଥିର କରିଥାନ୍ତି । ଏହି ମାସରେ ଧର୍ମକାର୍ଯ୍ୟ ଆରମ୍ଭ କରିବା ଅର୍ଥ ତୀର୍ଥାଟନ ଲବ୍ଧ ପୁଣ୍ୟ ଅର୍ଜନ କରିବା ସହ ତୁଳନୀୟ ବୋଲି ବିବେଚନା କରାଯାଏ ।
ଘରର ବୟସ୍କାଏ ତ ନିଶ୍ଚିତ ଭାବେ ସବୁ ବର୍ଷ ବ୍ରତ ପାଳନ କରନ୍ତି । ସ୍ୱାସ୍ଥ୍ୟ ସହଯୋଗ କରୁଥିଲେ ଅନେକ ପୁରୀ ଚାଲିଯାନ୍ତି ପବିତ୍ର ଶ୍ରୀକ୍ଷେତ୍ରରେ ଅବସ୍ଥାନ ପୂର୍ବକ ଶ୍ରୀଜୀଉମାନଙ୍କର କୃପାଧନ୍ୟ ହୋଇ ପାଳନ କରିବାକୁ । ସେମାନେ ହବିଷ୍ୟାଳି ଭାବେ ସଭିଙ୍କ ସମ୍ମାନ ଲାଭ କରିଥାନ୍ତି ।
ତେବେ ଯେଉଁମାନେ ଘରେ ରହି ପାଳନ କରନ୍ତି ସେମାନଙ୍କ ଯୋଗୁଁ ଘରର ପରିବେଶ ଆପଣା ଛାଏଁ ବଦଳିଯାଏ । ଘରର ଏହି ବୟସ୍କାଏ ପାହାନ୍ତାରୁ ଉଠି ସ୍ନାନାଦି ସମାପନ କରିଥାନ୍ତି, ଯାହା ପ୍ରକାରାନ୍ତରେ ଘରର ଅନ୍ୟ ସଦସ୍ୟଙ୍କ ଡେରିରେ ଉଠିବା ଅଭ୍ୟାସକୁ ପ୍ରଭାବିତ କରେ । ଫଳତଃ ଧୀରେଧୀରେ ସଭିଏଁ ଶୀଘ୍ର ଉଠି ନିଜନିଜ ନିତ୍ୟକର୍ମ ସମାପନ କରିବା ଦେଖାଯାଏ ।
ପ୍ରତି ସୋମବାରରେ ଭଗବାନଙ୍କ ଶିବରୂପ ଦର୍ଶନ ହୁଏ । ପ୍ରତିଦିନ ଭଗବାନଙ୍କ ଦାମୋଦର ରୂପ ସହ ମାତା ରାଧିକାଙ୍କୁ ରାଈ ରୁପେ ସଜାଇ ଯୁଗଳ ମୂର୍ତ୍ତି ରାଈ ଦାମୋଦରଙ୍କ ନିଷ୍ଠାପର ପୂଜନାର୍ଥେ ପ୍ରାତଃ ସ୍ନାନ, ତୁଳସୀ ପୂଜନ, ପୁରାଣ ପଠନ ଓ ଶ୍ରବଣ, ଜପ ତପ ଓ ଧ୍ୟାନାଦି ସହ ଦିବସର ମଧାହ୍ନରେ ଥରେମାତ୍ର ହବିଷ୍ୟାନ୍ନ ଭୋଜନ ପୂର୍ବକ ସନ୍ଧ୍ୟାରେ ଦୀପଦାନ କରାଯାଏ । ଏହି ଭୋଜନାଭ୍ୟାସ ବି ବେଶ୍ ପରିବର୍ତ୍ତନ ଆଣିଥାଏ ଘରେଘରେ ।
ହବିଷ୍ୟାଳୀଏ ତୁଳସୀ ଚଉରା ମୂଳେ ପଞ୍ଚବର୍ଣ୍ଣି ମୁରୂଜରେ ବିଭିନ୍ନ ରୂପ ଅଙ୍କନ ପୂର୍ବକ ରାଈ ଦାମୋଦରଙ୍କୁ ପୂଜିବାରେ ମଗ୍ନ ହୋଇଯାନ୍ତି । କାର୍ତ୍ତିକ ମାସ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ମାସ । ସୁତରାଂ ତୁଳସୀ ବୃକ୍ଷ ବି ଏହି ମାସରେ ପୂଜା ପାଆନ୍ତି ।
ପୁଣ୍ୟମାସ କାର୍ତ୍ତିକ ଅନେକ ପୂଜା ଓ ପାର୍ବଣ ପାଳନ ମାଧ୍ୟମରେ ପୁଣ୍ୟାର୍ଜନର ଅବକାଶ ଆଣିଥାଏ । ଏହି ମାସର କୃଷ୍ଣପକ୍ଷରେ ଦ୍ୱାଦଶୀ, ଧନଦା ତ୍ରୟୋଦଶୀ, ନରକ ଚତୁର୍ଦ୍ଦଶୀ ପାଳନ ସହ କାଳୀପୂଜାବସରରେ ଅମାବାସ୍ୟା ତିଥିରେ ପୟାଶ୍ରାଦ୍ଧାର୍ପଣ ସହ ଦୀପଦାନ କରାଯାଇଥାଏ । ଅନୁରୂପ ଭାବରେ ଶୁକ୍ଳପକ୍ଷ ପ୍ରତିପଦା ଦିନ ଗିରିଗୋବର୍ଦ୍ଧନ ପୂଜା, ଦ୍ୱିତୀୟାରେ ଯମ ଦ୍ୱିତୀୟା, ଅଷ୍ଟମୀରେ ଗୋଷ୍ଠାଷ୍ଟମୀ, ନବମୀ ତିଥିରେ ଅଁଳା ନବମୀ, ତଥା ଏକାଦଶୀ ତିଥିକୁ ଦେବ ଉତ୍ଥାପନ ଏକାଦଶୀ ଭାବରେ ପାଳନ କରାଯାଇଥାଏ । ଗରୁଡ଼ ଦ୍ୱାଦଶୀରେ ବାମନ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ଧରଣାନ୍ତେ ବୈକୁଣ୍ଠ ଚତୁର୍ଦ୍ଦଶୀରେ ପ୍ରଭୁ ଲକ୍ଷ୍ମୀନୃସିଂହ ଭାବରେ ପୂଜା ପାଆନ୍ତି । ଅବଶେଷେ ଆସେ ପୁଣ୍ୟମାସ କାର୍ତ୍ତିକର ମହାକର୍ଷଣ ଭାବେ ସର୍ବଜନାଦୃତ କାର୍ତ୍ତିକ ପୂର୍ଣ୍ଣିମା ! ଏହି ଦିନ ଭକ୍ତଜନେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରି ବିମୋହିତ ହୁଅନ୍ତି ।
ଏମିତି ନିତ୍ୟ ପୂଜନରେ ପରିପୁଷ୍ଟ ପବିତ୍ର ପରିବେଶ ମଧ୍ୟରେ ସରିଯାଏ ପୁଣ୍ୟମାସ କାର୍ତ୍ତିକ । ତେବେ ତାପରେ ପରେ ଯଦିଓ ଅନ୍ୟତମ ଶ୍ରେଷ୍ଠ ମାସ ମାର୍ଗଶୀର ମାଆ ଲକ୍ଷ୍ମୀଙ୍କ ଗୁରୁବାର ପାଳନ ଓ ପବିତ୍ର ପ୍ରଥମାଷ୍ଟମୀ ଆଦି ସାଥିରେ ନେଇ ଆସେ, ତଥାପି ପୁଣ୍ୟମାସର ଅନ୍ତିମ ଦିନରୁ ହିଁ ଯେଭଳି ଢଙ୍ଗରେ ତଥାଚର୍ଚ୍ଚିତ ଛାଡ଼ଖାଇ ପାଳନ ପାଇଁ ସଭିଏଁ ଉଚ୍ଚାଟ ହୋଇଉଠନ୍ତି । ଏହା ସ୍ପଷ୍ଟ ଜଣାଇଦିଏ ଯେ ସତରେ କେତେ ଫମ୍ପା ଓ ସୁଦ୍ଦୁ ଦେଖାଣିଆ କିସମର ହୋଇଥିଲା ଏମାନଙ୍କ ପୁଣ୍ୟମାସ ପାଳନ ।
ହବିଷ୍ୟାଳିଏ ମାସ ସାରା ଦିନକୁ ଓଳିଏ ମାତ୍ର ନିର୍ଦ୍ଦିଷ୍ଟ କେତୋଟି ଫଳମୂଳ ଓ ପରିବାଦି ବ୍ୟବହାର କରତଃ ପବିତ୍ର ଭାବେ ପ୍ରସ୍ତୁତ ହବିଷ୍ୟାନ୍ନ ଭୋଜନ କରି ଅହର୍ନିଶ ଦିବ୍ୟ ଚେତନାଧୀନ ହୋଇ ବିତାଇଥାନ୍ତି । ଫଳତଃ ସେମାନଙ୍କ ବ୍ରତର ସମାପନାନ୍ତେ ସେମାନେ ବ୍ରତୋତ୍ତର ପବିତ୍ର ଅନୁଭବ ନେଇ ପୁଣି ସ୍ୱାଭାବିକ ହୋଇ ଛାଡ଼ିଥିବା ଫଳ, ପରିବା ଓ ଖାଦ୍ୟପେୟ ଗ୍ରହଣ ସହ ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରକୁ ପ୍ରବେଶ କରନ୍ତି । ଏହି ମହତ୍ତର ଭାବନା ସନ୍ନିହିତ ଥିବା ଛାଡ଼ଖାଇ କିନ୍ତୁ ମତ୍ସ୍ୟ, ମାଂସ ଓ ଅଣ୍ଡାଦି ଆମିଷ ଭକ୍ଷଣ ମାଧ୍ୟମରେ ଉଦବାର୍ଯ୍ୟ ହେବାର କୁତ୍ସିତ ଓ ଜାନ୍ତବ ଇଚ୍ଛା ସୃଷ୍ଟ ତୁଚ୍ଛା ଜିହ୍ଵା ଲାଳସା ଦ୍ଵାରା ଚାଳିତ ହୋଇ ଅସଲରେ ହାଡ଼ଖାଇ ପାଲଟି ଯାଏ । ବାସ୍, କଥାରେ କହିବା ଭଳି ମାସକର ତପସ୍ୟା ଆମିଷ ଖିଆରେ ଇ’ ହୋଇଯାଏ ଶେଷ !
ହଁ, ପ୍ରକୃତ ପୁଣ୍ୟବନ୍ତ ଜନେ ଏସବୁଠୁ ବହୁଦୂରେ ରହୁଥିଲେ ହେଁ ସେମାନେ ଯେ ନିହାତି ସଂଖ୍ୟାରେ ନ୍ୟୂନ ଏକଥା ମାନିବାକୁ ହେବ । ଆଉ ମାସ ସରୁସରୁ ଯଥା ପୂର୍ବଂ ତଥା ପରଂ ହୋଇ ସମୟ ପୂର୍ବବତ ପ୍ରତି ପରିବାରରେ ରହିଥିବା ପୁଣ୍ୟମାସର ପରିବେଶକୁ ଛାଏଁ ବଦଳାଇ ଦିଏ । ସେଇସେଇ ଡେରିରେ ଉଠା, ଇଚ୍ଛା ହେଲା ତ ପୂଜା ଘରେ ଘଣ୍ଟି ବାଜିଲା, ସଂଧ୍ୟାବେଳ ଗଡ଼ିଗଲା ତ ଦୀପ କଥା ବି ଗଲା, ଏମିତିକା ଜୀବନ ଭିତରେ ପୂଜାବିଧି ତିଥିବାର ସବୁ ଭୁଲି ହୋଇ ଯାଏ ବା ମନେଥିଲେ ବି ସମୟ ସୁବିଧା ଓ ସୁଯୋଗ ମିଳିଲେ ହିଁ କରାଯାଇ ଧର୍ମକର୍ମ ଓ ନୀତି ନିୟମଙ୍କୁ ଗୁରୁତ୍ୱ ନଦେଇ ଅନାୟାସରେ ଦୂରେଇ ଦିଆଯାଏ ।
ସୁତରାଂ ପୁଣ୍ୟମାସ ସରୁସରୁ ସ୍ୱାଭାବିକ ଭାବେ ଆଜିକାଲି ଏମନ୍ତ ଚିନ୍ତା ମନକୁ ଆସେ ଯେ ବର୍ଷ ତମାମ ପ୍ରତି ମାସ ପୁଣ୍ୟମାସ ହୋଇଯାନ୍ତାନି ? କିନ୍ତୁ ନା ସେମନ୍ତ ହୁଏନି । କାରଣ “ମଣିଷ ଦେହେ ଦିବ୍ୟଜ୍ଞାନ” ଦେଖି ସନ୍ତୋଷ ଲଭିବାର ସୌଭାଗ୍ୟ ସମ୍ଭବତଃ ଖୋଦ୍ ଭଗବାନଙ୍କ କପାଳରେ ବୋଧହୁଏ ଲେଖା ହୋଇନାହିଁ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନମଗ୍ନ ।
