ସତ୍ୟନାରାୟଣ ଗନ୍ତାୟତ

ଦୁଆର କଥା ଉଠିଲେ ପହିଲେ ମନକୁ ଆସିଯାଏ ଘରଟିଏ ! ଘର ମାନେ ତା’ ଭିତରେ ବଖରା ପରେ ବଖରା ଥାଇ ଚାରି ଦିଗରେ ଥିବା ଚାରି କାନ୍ଥଙ୍କ ଏକ ଘେର, ଯାହା ଲୋକଙ୍କ ରହଣି ପାଇଁ ଉଦ୍ଦିଷ୍ଟ ।

ଘରର ଲୋକ ଘରେ ଥାଆନ୍ତି । ବେଳେବେଳେ ବାହାରେ ଥାଆନ୍ତି । ବାହାରେ ଥିବା ଲୋକ ନିଶ୍ଚେ ଘରକୁ ଫେରିଥାନ୍ତି । ଠିକ୍ ସେମିତି ଘର ଭିତରେ ଥିବା ଲୋକ ବି ବାହାରକୁ ଯିବା ଲୋଡ଼ା ପଡ଼ିଥାଏ ।

ଏହି ଉଭୟ କାମ ପାଇଁ ଘର ଆଗରେ ଯାହା ଥାଏ ତାହା ଦୁଆର । ମାନେ ଦୁଆର ଖୋଲା ହେଲେ ହିଁ ଭିତରର ଲୋକ ବାହାରକୁ ଯିବା ସମ୍ଭବ ଓ ବାହାରେ ଥିବା ଲୋକ ଘରକୁ ଆସିବା ସମ୍ଭବ । ସୁତରାଂ ଦୁଆର ଖୋଲା ଅଛି ମାନେ ଆତଯାତ ଚାଲିଛି, ଘରର ପରିବେଶ ଚଳଚଞ୍ଚଳ ଅଛି ବୋଲିବାକୁ ହେବ । ବି ଅଛି ଘର ଭିତରେ ଏକ ନିର୍ଭେଜାଲ ଆପଣାପଣ !

ପ୍ରାୟତଃ ଅନେକ ଦୁଆର କଡ଼ରେ ସରସ ବଦନଧାରିଣୀ ମହିଳାଟିଏ ଦୁଇ ହାତ ଯୋଡ଼ି ସ୍ୱାଗତଂ ମୁଦ୍ରା ଘେନି ଥିବା ଫଟୋ ସୂଚାଇ ଥାଏ ଯେ ଦୁଆର ଖୋଲା ଅଛି, ଆସିବା ହୁଅନ୍ତୁ ! ଦୁଆର ଖୋଲା ଥିବା ଅର୍ଥ ବେଫିକର ଆଗମନ କରିହେବ ।

କେବଳ ଅତିଥି ହିଁ ନୁହଁନ୍ତି, ଖୋଲା ଦୁଆର ଥିଲେ ଖୋଲା ପବନ ଓ ଆଲୋକ ବି ପ୍ରାକୃତିକ ଭାବେ ଘର ଭିତରକୁ ପ୍ରବେଶି ଘର ଭିତରେ ଆପେଆପେ ବିଚ୍ଛୁରିତ ହୋଇଯାଏ ଏକ ଅନୁପମ ତାଜାପଣ, ଯାହା ଅନ୍ୟଥା ଦୁର୍ଲଭ ଏକ ବନ୍ଧନଘେରା ପରିବେଶରେ ।

ଦୁଆର ଖୋଲା ରହି ଏମନ୍ତ ଆମନ୍ତ୍ରି ଆଣି ଘରେ ପହଞ୍ଚାଇଥାଏ ଉଭୟ ଚିହ୍ନା ଓ ଅଚିହ୍ନା ଜନଙ୍କୁ । ସଭିଏଁ ଅତିଥି ହୋଇ ଯାଆନ୍ତି, ସ୍ୱତଃ ।

ଅପର ପକ୍ଷେ ଦୁଆର ଖୋଲା ନାହିଁ ବା ଖୋଲିବାର ଆଶା ନାହିଁ ମାନେ ନିରାଶା ସହ ସଂଶୟ ଓ ନାହିଁ ନଥିବା ଦୁଃଶ୍ଚିନ୍ତା ମାଡ଼ି ବସନ୍ତି । ଦୁଆର ବନ୍ଦ ଥିବ ଓ ଦୁଆର ପାଖ ନାମ ଫଳକରେ ବି ଘରର ମାଲିକ ଘରେ ଥିବା ସୂଚନା ଥିବ, ଅଥଚ କଲିଂ ବେଲ୍ ଟିପିଲେ ବା ସଜୋର ଡାକ ପକାଇଲେ ସୁଦ୍ଧା ଯେବେ ସେ ଆସୁ ନଥିବେ, ଏମନ୍ତ ସ୍ଥିତି ସୂଚାଇ ଦିଏ ଯେ ସେ ବି କେମିତି କାହା ଆଗମ ନେଇ ଅପେକ୍ଷମାଣ, ଯିଏ ନିହାତି ଆବଶ୍ୟକ ପଡ଼ିବାରୁ ହୁଏତ ଦୁଆର ବନ୍ଦ କରି ତାଙ୍କ ଭଳି ଚଳତ ଶକ୍ତି ରହିତ ମଣିଷଟାକୁ ଅନିଚ୍ଛାକୃତ ଭାବେ ଏକ୍ଲାପଣ ସହ ସମଝୋତା କରି କିଛି ସମୟ ରହିବାକୁ ଛାଡ଼ି ବାହାରକୁ ଯାଇଛନ୍ତି ।

ସକାଳୁ ସକାଳୁ ଦୁଆର ଖୋଲା ରହି ଦିନଟିଏକୁ ଏକ ଅସ୍ତିସୂଚକ ସ୍ୱାଗତ କରିଥାଏ । ଦୁଆର ସାମନା ଝାଡୁ କରି ତା’ପରେ ଗୋବର ପାଣି ଲେପା ସହ ଝୋଟି ଦେବା ମାଧ୍ୟମରେ ଘରର ପାଖ ପଡ଼ୋଶୀ ମହିଳାଏ ପାରସ୍ପରିକ ସଦ୍ଭାବନା ବିତରଣ ପୂର୍ବକ ଦିନଟିର ଶୁଭାରମ୍ଭ କରନ୍ତି ।

ତେଣୁ ନିତି ପ୍ରତି ଭେଟ ହେଉଥିବା ସତ୍ତ୍ୱେ ଦିନ ଭିତରେ କାହା ଘରେ କିଏ କେତେଥର ପ୍ରବେଶି ଦୁନିଆଯାକର ଗପ କରିସାରିବା ପରେବି ଫେରିବାବେଳେ ପୁନଃ ପୁନଃ “ଯାଉଛି” “ଯାଉଛି” କହିକହି ଦୁଆର ମୁହଁରେ ପୁଣି ଆହୁରି ଗପ ପେଡ଼ି ମେଲା ହୋଇ ଚାଲିଥାଏ ଯେ ଚାଲିଥାଏ । ଏସବୁ ଦୁଆର ଖୋଲା ଥାଏ ବୋଲି ସିନା !!

ଖୋଲା ଦୁଆର ଖୋଲା ମନ ପରି, ସତେଜ କରିବା ପାଇଁ ହସଖୁସିରେ ଆପଣାଇ ଥାଏ । ଏଭଳି ସମ୍ପର୍କ ସୃଷ୍ଟି କରି ତାକୁ ମଧୁର କରାଏ । ଦୁଆର ବନ୍ଦ ଅର୍ଥ ନିଜ ଭିତରେ ନିଜେ ରହିବା ପରି ନିରସ ଓ ନିସ୍ପନ୍ଦ ମନେ ହୋଇଥାଏ ।

ଦୁଆର ଖୋଲିବା ପରି ଚାହିଁଲେ ମନ ଓ ହୃଦୟକୁ ବି ଖୋଲିହେବ ବୋଲି କୁହାଯାଏ । ସତରେ ସେଭଳି କରିପାରିଲେ ଆମ ଅଭ୍ୟନ୍ତରେ ଏକାନ୍ତରେ ପଡ଼ି ରହିଥିବା ଅଳିନ୍ଦମାନ ଆପଣାଛାଏଁ ଖୋଲା ହୋଇଯିବେ । ସେଯାବତ ପ୍ରତେ ହୋଇ ଆସୁଥିବା ଘଷରା ଜୀବନରେ ନୂଆ ଆଶା, ନୂଆ ସମ୍ଭାବନା ଓ ନୂଆ ନୂଆ ଚିନ୍ତନାର୍ଥେ ଏଯାବତ ଅନନୁଭୂତ ଏକ ଅଦ୍ଭୁତ ଉଦ୍ଦୀପନା ସବୁ କିଛିକୁ ସୁନ୍ଦର କରି ଆମ ଭିତରେ ସାମାହିତ କରିଦେବ ।

ସୁତରାଂ ଆମ ଘରର ଖୋଲା ଦୁଆର ସହ ସମ ତାଳରେ ଆମ ମନର ଆମ ହୃଦୟର ବନ୍ଦ ଦୁଆରଟିମାନ ବି ଖୋଲା ହୋଇଗଲେ ତ ମନେହେବ ରୁଦ୍ଧ ଦୁନିଆଟା ବି ଧୀରେଧୀରେ ମୁକ୍ତ ହୋଇଯାଉଛି !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *