ସତ୍ୟନାରାୟଣ ଗନ୍ତାୟତ

ମୂଳରୁ କହି ରଖୁଛୁ ଯେ ଏଠେଇଁ ଆସ୍ଥା କଥା ଉଠିଛି । କୃପା ବହି ଏହାର ଆଦ୍ୟ ଅକ୍ଷର ‘ଅ’ ପଛରେ ‘ନା’ ଶବ୍ଦଟି ଆଉ ଯୋଡ଼ି ପକାନ୍ତୁନି ! ଫେର୍ ତହିଁରେ ବି ସନ୍ତୁଷ୍ଟ ନହୋଇ ସେଇ ନୂଆ ଶବ୍ଦଟି ପଛରେ “ପ୍ରସ୍ତାବ” ଶବ୍ଦଟି ବି ଯଦି ଯୋଡ଼ି ପକାଇବେ ବୋଇଲେ ତହିଁରୁ ଉଦ୍ଭବ ହୋଇଯିବ “ଅନାସ୍ଥା ପ୍ରସ୍ତାବ” ଭଳି ଏକ ପ୍ରଚଣ୍ଡ ଶବ୍ଦ !

ତେଣିକି ‘ମାଛ କାହାର ନଖାଇ ବି ଜଗତ ଜନଙ୍କ ବଇରୀ” ଜାତୀୟ ଆମ ପରିକା ସୁଧାର ସାମାଜିକ ପ୍ରଣୀଟି ତଥା ଚର୍ଚ୍ଚିତ ରାଜନୀତି ଭିତରେ ସାଇତା ପଲିଟିକ୍ସ ନାମଧେୟ ଚିଡ଼ିଆଟି ସହ ଅଯଥାରେ ଯୋଡ଼ି ହୋଇଯିବ !

ଅବଶ୍ୟ ସଦା ନମସ୍ୟ ଆରିଷ୍ଟୋଟଲ ମହୋଦୟ ଏକ ମହତ୍ତର ଚିନ୍ତନ ଦ୍ୱାରା ଚାଳିତ ହୋଇ ଆମ ଭଳି ଦି’ ଗୋଡ଼ିଆ ଜୀବଙ୍କୁ “ସାମାଜିକ ପ୍ରାଣୀ” ବୋଲି ନାମିତ କରିବା ପରେ ତଥା ନାମିତ ସାମାଜିକ ପ୍ରାଣୀଙ୍କୁ ବି ସମତାଳରେ ଏକ “ରାଜନୈତିକ ପ୍ରାଣୀ” ବୋଲି ସୂଚାଇ ଯାଇଛନ୍ତି । ସମ୍ଭବତଃ ମହୋଦୟ ଠିକ୍ ଠଉରାଇ ଥିଲେ ଯେ ମଣିଷ ସମାଜରେ ରହିବାନ୍ତେ ଯାହା ଯାହା କରିବ ସେସବୁ ନିଶ୍ଚେ ରାଜନୈତିକ ହେବ ଇ’ ହେବ !

ଏମିତିରେ ରାଜନୀତି କିଛି ନାକରା କଥା ନୁହଁଇ । କହୁ ନାହାନ୍ତି “ଯୋଗ” ଆଗରେ “ରାଜ” ଆସି ଲାଖିଗଲେ ପରା ଏକାନଟେ “ରାଜଯୋଗ” ହୋଇଯାଏ !! ଆଉ ‘ରାଜଯୋଗ’ ପଡ଼ିଲେ କେମନ୍ତ ସକଳ ମହାର୍ଘ ହୋଇ ନଯାଏ ? ସେମନ୍ତ ଶାସ୍ତ୍ରୀୟ ମତରେ ‘ନୀତି’ ଆଗରେ ‘ରାଜ’ ଲାଗିଥିବାରୁ କୁଆଡ଼େ ‘ରାଜନୀତି’ ବୋଇଲେ ନୀତିମାନଙ୍କ ମଧ୍ୟରେ ଶ୍ରେଷ୍ଠନୀତି !!

ତେବେ ଜାଣିଥିବେ ତ ଯେତେ ଭଲ ଚିଜ ହୋଇଥିଲେ ହେଁ କୌଣସି ନା କୌଣସି କାରଣରୁ ତା’ ଭିତରର ସାରବତ୍ତା ଅବିକଳ ଭାବେ ରହେନି ଓ ଶଂସିତ ଚିଜଟି ସମୟକ୍ରମେ କେମିତି ଅସାର ପାଲଟି ଯାଏ ଓ ଗୁଣ ହଜିଯାଏ । ଖୁଣମାନେ ଘୁଣ ବନି ତା’ ଭିତର ସାରା ସାଲୁବାଲୁ ହୋଇ ଲୀଳାଖେଳା ସୁରୁ କରି ଚାଲନ୍ତି ।

ରାଜନୀତି ବା ଏଥିରୁ ବାଦ୍ ପଡ଼ନ୍ତା କେମିତି ଯେ ? ସୁତରାଂ ବିଧାତାଙ୍କ ଶ୍ରେଷ୍ଠ ସୃଷ୍ଟି ମାନବ ରାଜନୀତି ମାଧ୍ୟମରେ ଆପଣା ଶ୍ରେଷ୍ଠତ୍ୱକୁ ମାଜିମୁତି ଆହୁରି ଚକଚକୈ ଦେବୋପମ ପ୍ରତେ ହେବା ଦୂରେ ଥାଉ, ନିଜ କୃତ ନାନାଦି ଲଣ୍ଡଭଣ୍ଡ କାଣ୍ଡମାନଙ୍କ ସୁଦୟାରୁ ରାଜନୀତିକୁ ବେଳୁବେଳ ପ୍ରଦୂଷିତ କରି ପକାଏ । ରାଜନୀତିରେ ଇଚ୍ଛାକୃତ ଭାବେ ଉପୁଜା ଯାଉଥିବା ଏମନ୍ତ ଦୁଃସ୍ଥିତି ଜନିତ ଅବାଞ୍ଛିତାବସ୍ଥାକୁ “ରାଜନୀତିରେ ପଲିଟିକ୍ସ ପଶି ଯାଇଛି” ବୋଲା ଯାଇଥାଏ ।
ଏହି କ୍ରମରେ କୁଆଡ଼େ ବ୍ୟବସ୍ଥା ଛାଏଁ ବିଗିଡ଼ିବାକୁ ବାଧ୍ୟ । ସକଳ ଚେଷ୍ଟା ଓ ଅପଚେଷ୍ଟା ସତ୍ତ୍ୱେ ନବିଗିଡ଼ିଲେ ଅବସ୍ଥାକୁ ଦୁରବସ୍ଥାରେ ପରିଣତ କରତଃ ବ୍ୟବସ୍ଥାକୁ ବିଗାଡ଼ି ଅଚିରେ ହୈଚୈ ହଲଚଲ ଜାତୀୟ ହରକତ ସୃଷ୍ଟି କରାଯାଇଥାଏ ! ଏଥକୁ ଅସ୍ତ୍ର ରୂପୀ “ଅନାସ୍ଥା ପ୍ରସ୍ତାବ”ର ଆବଶ୍ୟକତା ହୋଇଥାଏ ।

ତ’ ଜାଣିବା ହେଉନ୍ତୁ ଯେ ଏଡ଼େ ଘାଏଁ ଘାଣ୍ଟଚକଟକୁ ଆମ୍ଭେ ଅଭାଜନ । ତେଣୁ ହିଁ ଆପଣଙ୍କ ଉପରେ ଆସ୍ଥା ରଖିଲୁ ଯେ ଆପଣ ଆମକୁ ଠିକ୍ ବୁଝିବେ ।ତେବେ ଆପଣଙ୍କ ଉପରେ ଆମର ଆସ୍ଥା ରହିଛି : ଏହାର ଅର୍ଥ କଣ କହିଲେ ?

ଏହାର ଅର୍ଥ ହେଲା : ଆପଣଙ୍କ ଉପରେ ଆମର ଭରସା ରହିଛି । ବିଶ୍ୱାସ ଅଛି ଯେ ଆପଣଙ୍କର ସଫା ମନରେ ଆମ ମନକଥା ବୁଝି ପାରିବାର ଶକ୍ତି ରହିଛି । ଏହି ଶକ୍ତି ଉପରେ ଆସ୍ଥା ରଖି ଆମେ ନିଜ ନୀତି ଓ ଆଦର୍ଶାନୁସାରୀ ହୋଇ ସକଳ କର୍ମ ସମ୍ପାଦନ କରିପାରିବୁ । ଜୀବନ ପଥରେ ଆଗୁସାର ହେବା ପାଇଁ ଲୋଡ଼ା ପଡ଼ିଥାଏ ପ୍ରତ୍ୟୟ, ଯାହା ଆସ୍ଥା ପ୍ରଦାନ କରେ । ଆସ୍ଥା ବିହୀନ ହେଲେ ଦିଶେ ଅନ୍ଧକାର, ଆସ୍ଥା ହିଁ ଆଲୋକ ବର୍ତ୍ତିକା ଜୀବନର ! ଏପରିକି “ଦୃଢେ ତରନ୍ତି” ବୋଲି ଯେଉଁ କଥାଏ କୁହାଯାଇଛି ତାହା ପ୍ରକାରାନ୍ତରେ ସୂଚାଏ ଯେ ଆସ୍ଥା କେତେ ଭରସା ଦାୟୀ, ସମାଜର ସକଳ ବର୍ଗଙ୍କ ଜୀବନ ନିର୍ବାହ ପାଇଁ ।

ହଁ, ଆପଣ ନିଶ୍ଚେ ଭାବୁଥିବେ ଯେ ଆସ୍ଥା ବିଷୟକ ଆମର ଏ ବକ୍ତବ୍ୟ ଶେଷରେ ଆମେ ସତରେ କ’ଣ କହିବାକୁ ଚାହୁଁ ? ବେଶୀ କିଛି ନୁହେଁ ଆଜ୍ଞା, ଆପଣଙ୍କ ଉପରେ ଆସ୍ଥା ରଖିବା ନେଇ ଆମେ କେବଳ ଆପଣଙ୍କଠୁ କିଞ୍ଚିତ ନିଃସର୍ତ୍ତ ଭଲପାଇବା, ଟିକିଏ ନିରୁତା ବିଶ୍ୱାସ ଓ ପୋଷେ ଐକାନ୍ତିକ ଭରସା ହିଁ ଚାହୁଁ । ଆମେ ଜାଣୁ, ଆସ୍ଥାରେ ଆଶା ରହିବା ସ୍ୱାଭାବିକ । ସେ ଆଶା କେବେକେବେ ପୂରଣ ନହେବା ବି ସ୍ୱାଭାବିକ । କିନ୍ତୁ ଆସ୍ଥା ଓ ଭ୍ରମ ଏକାକାର ହୋଇଗଲେ ପଛନ୍ତେ ତାହା ହିଁ ଅନାସ୍ଥା ସୃଷ୍ଟି କରିଥାଏ । ସ୍ୱାର୍ଥାର୍ଥେ ସମ୍ପର୍କିତ ହେବା ଆଦୌ ଆସ୍ଥା ନୁହେଁ । ସେଭଳି ସମ୍ପର୍କ ନିରାଶା ଦ୍ୟୋତକ ସାବ୍ୟସ୍ତ ହୋଇଥାଏ ।

ସଂଶୟ ମୁକ୍ତ ସତ୍ୟବଦ୍ଧ ଭରସା ହିଁ ଆସ୍ଥା, ଯାହା ସର୍ବାଦୌ କାମ୍ୟ ଅନୀତି ଅନାସ୍ଥା ଓ ଅବ୍ୟବସ୍ଥା ଭିତରେ ଅହର୍ନିଶ ସନ୍ତୁଳି ହେଉଥିବା ସମକାଳରେ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *