ପୁସ୍ତକ: ୧୨୩୨କିଲୋମିଟର: ଦି ଲଙ୍ଗ୍ ଜର୍ଣ୍ଣିଂ ହୋମ
ସମ୍ପାଦକ: ବିନୋଦ କାପ୍ରି
ପ୍ରକାଶକ: ହାରପର-କୋଲିନ୍ସ
ପୃଷ୍ଠା: ୨୩୨, ମୂଲ୍ୟ : ୩୯୯
କରୋନା ମହାମାରୀର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରେ ଦେଶରେ ପ୍ରଥମ ଲକ୍ଡାଉନ ଆରମ୍ଭ କରାଗଲା । ଯାତାୟାତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା । ଅଫିସ କଚେରି ସ୍କୁଲ କଲେଜ,କଳକାରଖାନା ସବୁ ବନ୍ଦ କରାଗଲା । ଏଥିରେ ସବୁଠୁଁ ଅଧିକ କ୍ଷତିଗ୍ରସ୍ତ ହେଲେ ପ୍ରବାସୀ ଶ୍ରମିକମାନେ । ଦିଓଳି ଅନ୍ନ ଜୁଟେଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଲା । ଅନ୍ନ ଚିନ୍ତା, କରୋନାର ଭୟ ଏବଂ ପରିବାର ପରିଜନଙ୍କ ପାଖକୁ ଯିବାର ଇଚ୍ଛା- ସେମାନଙ୍କୁ ଯେକୌଣସି ଉପାୟରେ ନିଜ ଗାଁକୁ ଫେରିବାକୁ ପ୍ରେରିତ କଲା ।
ଲକ୍ଡାଉନ୍ ଆରମ୍ଭ ହେବାର ମାସେ ପରେ ଦିଲ୍ଲୀ ପାଖ ଗାଜିଆବାଦରୁ ୭ଜଣ ପ୍ରବାସୀ ଶ୍ରମିକ (ରିତେଶ, ଆଶିଷ, ରାମବାବୁ, ସୋନୁ, କ୍ରିଷ୍ଣା, ସନ୍ଦୀପ, ଆଉ ମୁକେଶ) ଗାଜିଆବାଦରୁ ତାଙ୍କ ଗାଁକୁ ସାଇକେଲରେ ଫେରିଥିଲେ । ସେମାନଙ୍କ ଗାଁ ହେଉଛି ବିହାରର ସହରସାରେ । ଦୂରତା ଥିଲା ୧୨୩୨ କିଲୋମିଟର । ସମୟ ଥିଲା ଏପ୍ରିଲ ମାସ । ଉତ୍ତର ଭାରତରେ ଏ ସମୟରେ ତୀବ୍ର ଗ୍ରୀଷ୍ମ ।
ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ ବିନୋଦ କାପ୍ରି କାର୍ରେ ସେମାନଙ୍କୁ ଅନୁସରଣ କରି ଏ ଯାତ୍ରାକୁ ସେ ଭିଡିଓ-ରେକର୍ଡ କରିଥିଲେ । ଏ ଯାତ୍ରା ସମ୍ପର୍କରେ ସେ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ‘ଡିଜ୍ନୀ ହଟଷ୍ଟାର’ରେ ତାହା ମୁକ୍ତିଲାଭ କରିସାରିଛି । ଏ ବହିଟି ହେଲା ସେଇ ଯାତ୍ରାର କାହାଣୀ । ଅନେକଟା ଡାଏରୀ ଶୈଳୀରେ ଲେଖାଯାଇଛି ଏ ବହିଟି ।
ଏପ୍ରିଲ ମାସର ପ୍ରଖର ଖରାରେ ସାତ ଜଣ ପ୍ରବାସୀ ଶ୍ରମିକ ସାଇକଲରେ ୧୨୩୨ କିଲୋମିଟର ଯାତ୍ରାର କାହାଣୀ ଥିଲା ବଡ଼ ନିଦାରୁଣ । ସେମାନଙ୍କ ପାଖରେ ଖାଇବା ପାଇଁ ଯଥେଷ୍ଟ ଅର୍ଥ ନ ଥିଲା । ସାଇକଲ ଗୁଡ଼ିକ ଥିଲା ପୁରୁଣା । ତେଣୁ ମଝି ମଝିରେ ଖରାପ ହୋଇ ଯାଉଥିଲା । ଆଉ ସେତେବେଳେ ସାରା ଦେଶର ପରିସ୍ଥିତି ଥିଲା କରୋନା-ଆତଙ୍କର ।
ଏ ବହିରେ ସେମାନଙ୍କର ବିଭିନ୍ନ ପ୍ରକାର ଅଭିଜ୍ଞତାର ବର୍ଣ୍ଣନା ରହିଛି । ଗଡ଼ ମୁକ୍ତେଶ୍ୱରରେ ଲାଠିଧାରୀ ପୁଲିସମାନେ ସାଇକେଲ ଚଳାଳିମାନଙ୍କୁ ସେ ରାସ୍ତାରେ ଯିବା ପାଇଁ ଅନୁମତି ଦେଲେ ନାହିଁ । ହେଲେ ସୀତାପୁରରେ ସେଠିକାର ଜିଲ୍ଲା ପୁଲିସ ସେମାନଙ୍କୁ ଖାଦ୍ୟ ଦେଲେ, ପାଣି ଦେଲେ ବାଟରେ ଖାଇବା ପାଇଁ ବିସ୍କୁଟ ଦେଲେ । ଗୋଟେ ସମୟରେ କିଛି ଗ୍ରାମବାସୀମାନେ ଏମାନଙ୍କୁ ତାଙ୍କର ନଳକୂଅରୁ ପାଣି ପିଇବା ପାଇଁ ମଧ୍ୟ ଅନୁମତି ଦେଲେ ନାହିଁ । ଏହାର କିଛି ଘଣ୍ଟା ପରେ ଜଣେ ସାଇକେଲ ଦୋକାନୀ ଲକ୍ଡାଉନ ସତ୍ତ୍ୱେ ଦୋକାନ ଖୋଲି ତାଙ୍କର ସାଇକେଲକୁ ସଜାଡି଼ ଦେଲେ ଏବଂ ସଜାଡି଼ବା ପାଇଁ କିଛି ପାରିଶ୍ରମିକ ମଧ୍ୟ ନେଲେ ନାହିଁ । ଗୋଟେ ଜଳଖିଆ ଦୋକାନୀ ତା ଦୋକାନ ବନ୍ଦ କରିଦେଇଥିଲା, ତଥାପି ଦୋକାନ ଖୋଲି ସେମାନଙ୍କ ପାଇଁ ଜଳଖିଆ ତିଆରି କରିଦେଲେ । ଆଉ ଗୋଟେ ଜିଲ୍ଲାରେ, ସେଠାକାର ଜିଲ୍ଲାପାଳ ପ୍ରବାସୀ ଶ୍ରମିକଙ୍କୁ ନେବା ପାଇଁ ଟ୍ରକ୍ର ବ୍ୟବସ୍ଥା କରିଥିଲେ । କିନ୍ତୁ ବିହାରର ଗୋଟେ ଜିଲ୍ଲାରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପ୍ରବାସୀ ଶ୍ରମିକଙ୍କ ପ୍ରତି ଅତ୍ୟନ୍ତ ଖରାପ ବ୍ୟବହାର କରିଥିଲେ ।
ମୋଟାମୋଟି ଭାବେ କହିଲେ ଏ ଦୀର୍ଘ ଯାତ୍ରା କାଳରେ ଭଲ-ମନ୍ଦ ମିଶା ଅଭିଜ୍ଞତା ହୋଇଥିଲା ସେମାନଙ୍କର । ଘରକୁ ଫେରିବାର ଜିଦ୍ ଏବଂ ଘରେ ପହଞ୍ଚିବୁ ନିଶ୍ଚୟ- ଏ ଆଶାରେ ସେମାନେ ଦିନ ଦିନ ଧରି ସାଇକଲ୍ ଚଲେଇଥିଲେ ।
ଏ ବହିଟି କେବଳ ସାତ ଜଣ ପ୍ରବାସୀ ଶ୍ରମିକଙ୍କ ଅଭିଜ୍ଞତାର କାହାଣୀ ନୁହଁ । ତାଠୁଁ ବଡ଼ କଥା ହେଉଛି ଏ ବହି କେତେକ ବୁନିଆଦି ପ୍ରଶ୍ନ ପଚାରେ । ଏ ବହି ପ୍ରଶ୍ନ କରେ: ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରବାସୀ ଶ୍ରମିକଙ୍କ ସାମାଜିକ ସୁରକ୍ଷାର କ’ଣ ବ୍ୟବସ୍ଥା ରହିଛି? କାହିଁକି ସ୍ୱାଧୀନତାର ଏତେ ବର୍ଷ ପରେ ବି ପ୍ରବାସୀ ଶ୍ରମିକମାନଙ୍କୁ ଜୀବନଧାରଣାର ନ୍ୟୁନତମ ବ୍ୟବସ୍ଥା, ଆମେ ଯୋଗେଇ ଦେବା ପାଇଁ ସକ୍ଷମ ହୋଇନାହାନ୍ତି କାହିଁକି?
ଏ ଦୁନିଆଦି ପ୍ରଶ୍ନଗୁଡ଼ିକ ପାଇଁ ଏ ବହିଟି ଅବଶ୍ୟ ପାଠ୍ୟ ।
+++