ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ । ସେ ସାହିତ୍ୟ, ସାମ୍ବାଦିକତା, ରାଜନୀତିର ଶ୍ରେଷ୍ଠ ସମନ୍ଵିତ ସାଧକ ଥିଲେ । ଅର୍ଦ୍ଧ ଶତାଦ୍ଦୀ ଧରି ସେ ଗଦ୍ୟ ସାହିତ୍ୟର ସମସ୍ତ ବିଭାଗରେ ଅବିରତ ଲେଖନୀ ଚାଳନା କରି ଅନନ୍ୟ ସାରସ୍ଵତ ପ୍ରତିଭାର ପରିଚୟ ଦେଇଥିଲେ । ଆଲଙ୍କାରିକ ଶବ୍ଦ ସଂଯୋଜନା ଓ ଭାବର ଅପୂର୍ବ ବିନ୍ୟାସ ତାଙ୍କର ପ୍ରତିଟି ସୃଷ୍ଟିକୁ କରିଛି ବଳିଷ୍ଠ ଏବଂ ହୃଦୟସ୍ପର୍ଶୀ । ସୁରେନ୍ଦ୍ର ମହାନ୍ତି ଜୁନ ୨୧, ୧୯୨୨ ମସିହାରେ କଟକ ଜିଲ୍ଲାର ସାଲେପୁର ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କ ପରେ ଯଦି କାହାର ନାମ ଆସେ, ସେ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି । ଓଡ଼ିଆ ଭାଷା ସାହିତ୍ୟର ସେ ଥିଲେ ଅଦ୍ଵିତୀୟ କଥାକାର । ଏହାଛଡ଼ା ଜୀବନୀ, ଆତ୍ମଜୀବନୀ, ଭ୍ରମଣକାହାଣୀ, ନାଟକର ଲେଖକ ଭାବରେ ତାଙ୍କର ଅବଦାନ ସ୍ମରଣୀୟ । ମଣିଷର ବିଭିନ୍ନ ପ୍ରକାର ଚିନ୍ତା ଓ ଚେତନାକୁ ସେ ତାଙ୍କ ଲେଖନୀ ମାଧ୍ୟମରେ ସଫଳ ଭାବେ ପ୍ରୟୋଗ କରିପାରିଥିଲେ । ବିଶେଷ କରି ମଣିଷର କାମନା-ବାସନା, ପାଶବ ପ୍ରବୃତ୍ତି, ମନ ଗହନର ରହସ୍ୟ, ସାମାଜିକ ବ୍ଯକ୍ତିର ନୈତିକ ସ୍ଖଳନ ଓ ଅସହାୟତା ମଧ୍ୟରେ ଜୀବନର ମୂଲ୍ୟବୋଧ ଅନୁସନ୍ଧାନ କରିବାରେ ସେ ଥିଲେ ଜଣେ ସିଦ୍ଧହସ୍ତ ।
ଅପ୍ରଚଳିତ ଶବ୍ଦର ବ୍ୟବହାର, ପରିବେଶ ଚିତ୍ରଣ ଓ ମନୋବିଶ୍ଳେଷଣ କ୍ଷେତ୍ରରେ ସୁରେନ୍ଦ୍ରଙ୍କ ରଚନାର ଥିଲା ଅନ୍ୟତମ ସ୍ଵତନ୍ତ୍ରତା । ଇମୋସନ ବା ଆବେଗ ଥିଲା ସୁରେନ୍ଦ୍ରଙ୍କ ଲେଖାର ଭିତ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ମତରେ ‘ଲେଖକ ଏ ଯୁଗର ମହାମୌନ ତପସ୍ଵୀ ଓ ଲେଖା ତାର ତପସ୍ୟା । ସତ୍ୟର ସନ୍ଧାନ ପାଇଁ ଓ ନୂତନ ମୂଲ୍ୟବୋଧର ପରିଚୟ ପାଇଁ ତପଶ୍ଚରଣ ମଧ୍ୟରେ ଯେତିକି, ସ୍ଖଳନ ମଧ୍ୟରେ ସେତିକି ।’ ସ୍ଵାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଥିଲେ । ଶବ୍ଦ ସମ୍ଭାର ମଧ୍ୟରେ ଜାତକ କାହାଣୀକୁ ଗପରେ ରୂପ ଦେବାରେ ସେ ଥିଲେ ଧୁରନ୍ଧର । ସାଲେପୁର ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ପାଠ ପଢିଲାବେଳରୁ ସୁରେନ୍ଦ୍ରଙ୍କର ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ୧୯୩୮ରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ତାଙ୍କର ପ୍ରଥମ ଗଳ୍ପ ‘ବନ୍ଦୀ’ ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ ନାଟକ ‘ପୃଥ୍ୱୀବଲ୍ଲଭ’, ପ୍ରଥମ କବିତା ‘ବୁଲା ଷଣ୍ଢ’ ଏବଂ ପ୍ରଥମ ପ୍ରକାଶିତ ଉପନ୍ୟାସ ‘କଲେଜ ବୟ’ । ‘ନୀଳାଶୈଳ’, ‘କାଳାନ୍ତର’, ‘ବଧୂ ଓ ପ୍ରିୟା’, ‘ଅନ୍ଧ ଦିଗନ୍ତ’, ‘ନେତି ନେତି’, ‘ଶତାଦ୍ଦୀର ସୂର୍ଯ୍ୟ’ ଆଦି ତାଙ୍କର ଲୋକପ୍ରିୟ ଉପନ୍ୟାସ । ୧୯୫୨-୫୬ ମଧ୍ୟରେ ସେ ରାଜ୍ୟସଭା ସାଂସଦ ଥିଲେ । ୧୯୫୬ ଓ ୧୯୭୧ ରେ ସେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ତେବେ ରାଜନୀତିରେ ରହିବି ସେ ସାମ୍ବାଦିକତା ଓ ସାହିତ୍ୟକୁ ଛାଡ଼ି ପାରିନଥିଲେ । ୧୯୮୧ ରୁ ୧୯୮୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଆସନ ଅଳଙ୍କୃତ କରିଥିଲେ । ‘କୁଳବୃଦ୍ଧ’ ନିମନ୍ତେ ତାଙ୍କୁ ଶାରଳା ପୁରସ୍କାର ଓ ‘ନୀଳଶୈଳ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମଧ୍ୟ ସେ ପାଇଥିଲେ । ତାଙ୍କର ବହୁ ଚର୍ଚ୍ଚିତ ଗପଗୁଡ଼ିକ ହେଉଛି କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ସବୁଜପତ୍ର ଓ ଧୂସର ଗୋଲାପ, ମହାନିର୍ବାଣ, ମାଂସର କୋଣାର୍କ । ୧୯୯୦ ମସିହା ଆଜିର ଦିନରେ ତାଙ୍କର ପରଲୋକ ଘଟିଥିଲା । ଏହି କାଳଜୟୀ ସ୍ରଷ୍ଟାଙ୍କୁ ତାଙ୍କ ପୂଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ।