ପଣତ କାନିରେ ଘର : ଏକ ପ୍ରେମ ଓ ପ୍ରତ୍ୟୟର ସଂସାର

ଶୁଭ ନାରାୟଣ ସ୍ଵାଇଁ

ପଣତ କାନିରେ ଘର : ଏକ ପ୍ରେମ ଓ ପ୍ରତ୍ୟୟର ସଂସାର

————————————-

ଅଷ୍ଟମ ଶ୍ରେଣୀର ପାଠପଢା ବେଳଠୁ ଗପ ଲେଖା ଆରମ୍ଭ କରିଥିବା ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ ‘ଖୁଡ଼ି’ ଗଳ୍ପଠୁ ଆରମ୍ଭ କରି ‘ପଣତ କାନିରେ ଘର’ ଯାଏ ଲେଖି ସାରିଲେଣି ଅନେକ ଗପ । ‘ଆଲୋକିତ ଅନ୍ଧାର’ ଠାରୁ ଆରମ୍ଭ କରି ‘ପଣତ କାନିର ଘର’ ଯାଏ ପ୍ରାୟ ୧୫ଟି ଗଳ୍ପ ସଂକଳନ ସେ ଭେଟି ଦେଇ ସାରିଲେଣି ଓଡ଼ିଆ ସାହିତ୍ୟକୁ । ୨୦୦୫ ରେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଶିକ୍ଷିକା ସମ୍ମାନ ପାଇ ସାରିବା ପରେ ୨୦୧୭ ରେ ତାଙ୍କ ପୁସ୍ତକ ‘ଇଟା ଭାଟିର ଶିଳ୍ପୀ’  ପାଇଥିଲା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ।

ଗାଳ୍ପିକା ଗାୟତ୍ରୀ ସରାଫଙ୍କ ଗଳ୍ପର ଵିଶେଷତ୍ଵ ହେଲା ଛଳନା ବିହୀନ ଜୀବନ । ଅର୍ଥାତ୍ ତାଙ୍କ ଗପର ଚରିତ୍ର ଭିତରେ ସେ ପ୍ରଥମେ ହଜାଇ ଦିଅନ୍ତି ନିଜକୁ ଏବଂ ଚରିତ୍ରର ଭୋଗିବା ପଣକୁ ପ୍ରଥମେ ସେ ଭୋଗନ୍ତି ନିଜେ । ତେଣୁ ତାଙ୍କ ଗପଗୁଡ଼ିକ ସବୁବେଳେ ଜୀବନ୍ତ ଓ ପାରିବାରିକ ପରି ମନେହୁଏ । ତାଙ୍କ ଗପଗୁଡ଼ିକ ମୁଖ୍ୟତଃ ନାରୀ ଜୀବନ, ପ୍ରେମ, ଭ୍ରୁଣ ହତ୍ୟା, ଦାଦନ, ପରଦେଶୀ ବନ୍ଧୁ, ବିଶ୍ଵାସ ଭିତରେ ଅବିଶ୍ଵାସ ଓ ଦୁଃଖ ଭିତରେ ସୁଖର ସମ୍ଭାବନା କଥା କୁହେ । ତାଙ୍କ ଗପ ପ୍ରତୀକ ଅପେକ୍ଷା ପ୍ରତ୍ୟକ୍ଷ କଥାକୁ ଅଧିକ ଗୁରୁତ୍ଵ ଦିଏ ।

ଗତକାଲି ପଢି ଶେଷ କଲି ଗାଳ୍ପିକାଙ୍କ ସଦ୍ୟ ପ୍ରକାଶିତ ଗଳ୍ପ ସଂକଳନ “ପଣତ କାନିରେ ଘର” । ସଂକଳନଟିରେ ସମୁଦାୟ ୧୪ଟି ଗପ ଅଛି ଏବଂ ସେଥିରୁ ଅଧିକାଂଶ ଗଳ୍ପ ନାରୀ ଜୀବନର ଭିନ୍ନ ଭିନ୍ନ ଅନୁଭବର କଥା କହିଛି । ସମୁଦାୟ ଗଳ୍ପକୁ ଯଦି ମୁଁ ଦୁଇ ଭାଗରେ ବିଭକ୍ତ କରିଦିଏ, ତେବେ ସାତ ଗୋଟି ଗଳ୍ପ ସେହି ନାରୀମାନଙ୍କ ବାସ୍ତବ ଜୀବନର କଥା କହିଛି ଯାହାର ବୟସ ପ୍ରାୟତଃ ପଚାଶ କି ଷାଠିଏରୁ ଉର୍ଦ୍ଧ ହେବ ବା ଯେଉଁମାନେ ଚାକିରିରୁ ଅବସର ନେବାପରେ ବା ପିଲାମାନଙ୍କୁ ବାହା କରାଇ ସାରିବା ପରେ ନିଜେ ଭୋଗୁଛନ୍ତି ଏକାକୀତ୍ଵର ପୀଡ଼ା ବା ଆତ୍ମୀୟଙ୍କ ଯାତନା ।

‘ଏଇତ ଉଡ଼ାଣ’ ଗପର ଶୋଭନା, ‘ହସ ନୀଡ଼ର ସନ୍ଧାନରେ’ ଥିବା ବାଷଠି ବର୍ଷିୟା ଅପର୍ଣ୍ଣା, ‘ସମୟର ଟିକିଟିକି ତାରାଫୁଲ’ ଗପରେ ଅଶ୍ରୁମାଳା, ‘ଘୁଞ୍ଚି ଯାଉଥିବା ଦିଗନ୍ତ’ର ସୁଚରିତା, ‘ପଣତ କାନିର ଘର’ ଗପର ମାଉସୀ, ‘ନୂଆ ଠିକଣା’ ରେ ଚିନ୍ମୟୀ ଏବଂ ‘ଉଜ୍ଜ୍ୱଳ ସୁରୁଜଟିଏ’ ଗପରେ ପରମେଶଙ୍କ ପତ୍ନୀ ପୂରବୀ ଏହି କଥାର ସାକ୍ଷୀ ଦିଅନ୍ତି ।

ଅନ୍ୟ ସାତଟି ଗପ ମଧ୍ୟରୁ ପାଞ୍ଚଟି ଗପ ସେହି ନାରୀ ମନର କଥା କହୁଥିଲେ ବି ପ୍ରତ୍ୟେକ ଚରିତ୍ରର ସ୍ଥାନ, କାଳ, ପାତ୍ର ଓ କାହାଣୀ ଭିନ୍ନ ଭିନ୍ନ । ଶ୍ରାବଣର ତାତି ଓ ତଲ୍ଲୀନପଣରେ କୁଠିଆ ଭଳି ଦୁଇଟି ଭିନ୍ନ ପ୍ରଜାତିର ଗଳ୍ପ ମଧ୍ୟ ରହିଛି ସଂକଳନଟିରେ, ଯେଉଁଠି କାହାଣୀ ଆଗକୁ ବଢିଛି ଗୋଟିଏ ପୁରୁଷ ପିଲାର ଭିନ୍ନ ମାନସିକତାକୁ ଧରି ।

ଶ୍ରାବଣର ତାତି ଗପରେ କୁମ୍ଭ ମେଳାର ଦୁର୍ଘଟଣାରେ ଅଳ୍ପକେ ବଞ୍ଚି ଯାଇଛନ୍ତି ରାଧାଦେବୀ ଏବଂ ତାଙ୍କୁ ସାଥିରେ ଧରି ଫେରୁଛି ତାଙ୍କ ପୁଅ ଶ୍ରାବଣ କୁମାର । ଅଥଚ ଶ୍ରାବଣ କୁମାର ଭିତରେ ଭିତରେ ତାତି ଉଠୁଛି କାହିଁକି ବଞ୍ଚିଗଲେ ତା’ ମାଆ । ମରି ଯାଇଥିଲେ ଅନ୍ତତଃ କ୍ଷତିପୂରଣ ବାବଦରେ ସରକାରଙ୍କ ତରଫରୁ ସେ ପାଇ ପାରିଥାଆନ୍ତା ପାଞ୍ଚ ଲକ୍ଷ ଟଙ୍କା । ଏମିତିକା ମାନସିକତା ଅନେକ ଯାଗାରେ ଦେଖିବାକୁ ମିଳେ । ସେହି କଥାକୁ ଗପ ଭିତରେ ଅତି ସୁନ୍ଦର ଭାବରେ କହିଛନ୍ତି ଗାଳ୍ପିକା ।

ସଂକଳନଟିର ମୁଖ୍ୟ ଗଳ୍ପ

‘ପଣତ କାନିରେ ଘର’ ଗପରେ ଗାଳ୍ପିକା ଏକ ସାଧାରଣ ସାମାଜିକ ଦୃଶ୍ୟକୁ ଚିତ୍ରିତ କରିଛନ୍ତି ଖୁବ୍ ଅସାଧାରଣ ଢଙ୍ଗରେ । ଗପଟିକୁ ପଢିଲେ ଆଖି ଲୁହ ଛଳଛଳ ହୋଇଯିବ ନିଶ୍ଚୟ । କହିବାବାହୁଲ୍ୟ ଯେ, ନାରୀଟିଏ ବୟସର ଅପରାହ୍ନରେ ପହଁଞ୍ଚିଲାବେଳକୁ ପାଖରେ ଯଦି ସ୍ଵାମୀ, ପୁଅ, ବୋହୂ, ନାତି ନାତୁଣୀ, ଝିଅ ଜ୍ଵାଇଁ ଅବା ଆପଣାର ବୋଲି କେହି ନଥିଵେ ସେତବେଳେ ମଣିଷ ବାଧ୍ୟ ହୋଇଥାଏ ଏକାକୀତ୍ଵର ଜୀବନ ଜିଇଁବାକୁ । ସେତେବେଳେ ସେ ଅନୁଭବ କରେ ଅନ୍ତତଃ କେହିଜଣେ ତା’ ପାଖରେ ଥାଆନ୍ତା କି, ଆହାଃ ବୋଲି କହିବାକୁ । ସେତେବେଳେ ସେ ଅନୁଭବ କରେ ଜୀବର ଜୀଇଁବା ପାଇଁ ସତରେ କେତେ ଜରୁରୀ ସମ୍ପର୍କ ଓ ସମ୍ପର୍କୀୟମାନେ !

କିନ୍ତୁ ଆଜି ଦେଖାଯାଉଛି ଏହିଭଳି ଲୋକମାନଙ୍କୁ ଟ୍ରାପ୍ କରୁଛନ୍ତି ତାଙ୍କ ନିକଟ ସମ୍ପର୍କୀୟମାନେ ଏବଂ ସାହାଯ୍ୟ ଓ ସହାନୁଭୂତିର ଆଳରେ ସେମାନେ ଲୁଟି ନେଉଛନ୍ତି ବୃଦ୍ଧ ଦମ୍ପତ୍ତିଙ୍କ ଘରବାଡି, କୋଠା, ସମ୍ପତି ଇତ୍ୟାଦି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଗାଳ୍ପିକା ଥୋଇଛନ୍ତି ତାଙ୍କର ଏହି ଗପରେ । ଏମିତି ଏକ ଭୋଗିବାପଣକୁ ଭୋଗିଛନ୍ତି ଗଳ୍ପର ମୁଖ୍ୟ ଚରିତ୍ର ମାଉସୀ । ପ୍ରଥମେ ମାଉସୀର ରୋଷେଇ ଘର ଓ ପରେ ଶୋଇବାଘରକୁ ଦଖଲ କଲାପରେ ପୁରାଟା ଦୁଇମହଲା କୋଠାକୁ ଦଖଲ କରିନେବା ପାଇଁ ଚେଷ୍ଟା କରିଛି ତାଙ୍କ ପୁତୁରା ସୁଜିତ୍ ଓ ପୁତୁରା ବୋହୂ ସୁରଭି । ନିର୍ଯ୍ୟାତନା ପାଇଛନ୍ତି ମାଉସୀ । ତଥାପି ସୁଯୋଗ ଦେଖି ଘରୁ ଲୁଚି ଚାଲି ଆସିଛନ୍ତି ସେ ଏବଂ ଗପର ଶେଷ ଦୃଶ୍ୟ ଲେଖାହେଲା ବେଳକୁ ସେହି ପୁତୁରା ଓ ପୁତୁରା ବୋହୂଙ୍କୁ ଟାଣିନେଉଛି ପୋଲିସ ହାଜତର ନର୍କ କୁଣ୍ଡକୁ । ମାଉସୀ ଏବେ ଆସି ନିଜ ଘରକୁ ନିଜେ ସଜାଇଲା ବେଳକୁ ଖବର ଆସୁଛି ଆମେରିକାରେ ରହୁଥିବା ତାଙ୍କ ଜ୍ଵାଇଁ ଆସୁଛି ତାଙ୍କୁ ଦେଖା କରିବାକୁ । ମାଉସୀ ମନରେ ପୁଣି ଭୟ ତାର ସେହି ଦୁଇମହଲା କୋଠା ପାଇଁ । ଏଣୁ “ତାଙ୍କ ଦି’ମହଲା କୋଠା ଘର ଢାଙ୍କି ରଖିବାକୁ ମାଉସୀ ପ୍ରସାରିତ କରି ଚାଲିଥିଲେ ତାଙ୍କ ପଣତ କାନି ।”

            (ପୃଷ୍ଠା ସଂଖ୍ୟା – ୧୦୫)

ଅନ୍ୟ ଏକ ଗଳ୍ପ ‘ଏଇତ ଉଡ଼ାଣ’ ରେ ଗାଳ୍ପିକା କହିଛନ୍ତି କେମିତି ସାମ୍ନା କରିବାକୁ ହୁଏ ବ୍ୟଭିଚାରୀ ପୁରୁଷକୁ, କେମିତି ପଛକୁ ପଛରେ ପକାଇ ଆରମ୍ଭ କରିବାକୁ ହୁଏ ଉଡ଼ାଣ । ଏଣୁ ସେ କୁହନ୍ତି “ଝିଅ ବାହାଘର ପରେ ତାଙ୍କ ପଣତ କାନିରେ ବନ୍ଧା କେବଳ ତାଙ୍କ ନିଜ ପୃଥିବୀ । ଗତକାଲିରେ ସେ ବଞ୍ଚନ୍ତି ନାଇଁ । ବଞ୍ଚନ୍ତି ‘ଆଜି’ରେ । ଖୁସି ହୁଅନ୍ତି ଛୋଟଛୋଟ କାମରେ ।”

           (ପୃଷ୍ଠା ସଂଖ୍ୟା – ୧୦)

ସଂକଳନସ୍ଥ ଶେଷ ଗଳ୍ପ ‘ଉଜ୍ଵଳ ସୂରୁଜଟିଏ’ ରେ ଗାଳ୍ପିକା ଚିନ୍ତା ପ୍ରକଟ କରିଛନ୍ତି ବିବାହ ପରେ ଝିଅମାନଙ୍କର ବଦଳି ଯାଉଥିବା ବ୍ୟବହାରକୁ ନେଇ । ଝିଅମାନେ ତାଙ୍କୁ ନୁହେଁ, ଚାହାନ୍ତି ତାଙ୍କ ସମ୍ପତିର ଭାଗ । ଏହି କଥା ଜାଣିବା ପରେ ଖୁବ ଦୁଃଖୀ ହୋଇଯାଆନ୍ତି ପରମେଶ୍ଵର ଓ ତାଙ୍କ ପତ୍ନୀ ପୂରବୀ । ଦୁଃଖୀ ହୋଇ ଯାଆନ୍ତି ଗାଳ୍ପିକା । ଏଣୁ ଏଠୁ ଦୂରକୁ ଯାଇ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସେ ବାହାରି ପଡ଼ନ୍ତି “ହସ ନୀଡ଼ର ସନ୍ଧାନରେ” ।

ଏ ଗପଟିର ଆରମ୍ଭ ଭିନ୍ନ ପ୍ରକାରର ହୋଇଥିଲେ ହେଁ ଗପର ଶେଷ ଦୃଶ୍ୟରେ ଜଣା ପଡ଼ିବ ଏହା ଏକ ପ୍ରେମ ଗପ ବ୍ୟତିରକେ ଅନ୍ୟ କିଛି ନୁହଁ । ଗପରେ ଦେଖି ହେବ ପୁରା ବଲାଙ୍ଗୀର ସହରର ସବୁତକ ଚିତ୍ରକୁ ।

‘ମେଘ ବର୍ଣ୍ଣା’ ଗପରେ, ଗାଳ୍ପିକା ଦେଖାଇବାକୁ ଚେଷ୍ଟା କରିଛନ୍ତି ପ୍ରକୃତରେ ସ୍ଵାମୀ ସ୍ତ୍ରୀ ଓ ପୁଅ ଝିଅଙ୍କ ଭିତରେ ସମ୍ପର୍କଟା କେତେ ପାଖ କେତେ ଦୂର । ଧନପିପାସୁ ସ୍ଵାମୀର ବ୍ୟବହାରରେ କ୍ଷୁବ୍ଧ ହୋଇ ଶୁଭ୍ରା ଧରି ନେଇଥିଲା ପିଲାଗୁଡ଼ାକ ବି ତା’ ବାପା ପରି ନିଶ୍ଚୟ । ଏଣୁ ପିଲାମାନଙ୍କଠୁ ବି ସେ ହେଉଥିଲା ଦୂର୍ ଦୁର୍ । ହେଲେ ଏ କ’ଣ,  ତାକୁ ଛାଡ଼ି ସ୍ଵାମୀ ଵିଦେଶ ଚାଲି ଯିବାପରେ ଏବେ ସେଇ ପୁଅ କହୁଛି,  “ତୁମେ ବ୍ୟସ୍ତ ହୁଅନି । ମୁଁ ଅଛି ତୁମର ପୁଅ । ମୁଁ ଚଳେଇବି ଘର । ତୁମେ ପରିବାରର ମୁରବି । ମୁଁ ତୁମ ଦାୟାଦ । ଚାଲ ଲଢିବା ଜୀବନ ସହ” ।

        (ପୃଷ୍ଠା ସଂଖ୍ୟା – ୫୯)

ଶୁଭ୍ରା ଆଖି ଲୁହ ଛଳଛଳ । ବହୁତ ଦିନ ପରେ ତାର ଭ୍ରାନ୍ତ ଧାରଣାରୁ ମୁକୁଳି ଆସିଲା ଶୁଭ୍ରା । ଅନ୍ୟ ଏକ ଗଳ୍ପ ‘ଭାଙ୍ଗି ଯାଇଥିବା ବରଫ’ରେ ମଧ୍ୟ ଏମିତି ଏକ ଭ୍ରାନ୍ତ ଧାରଣାରୁ ବାହାରି ଆସିଛି ଗୋଟିଏ ବାପ । ପୁଅବୋହୂଙ୍କ ପ୍ରତି ବଦଳିଯାଇଛି ତାଙ୍କ ମନୋଭାବ ।

‘ନବ ଜନ୍ମ ପରେ’ ଏକ ଭିନ୍ନ ଧରଣର ଗଳ୍ପ । ଏଠି ଗାଳ୍ପିକା ଏକ ପ୍ରକାରର ପରୀକ୍ଷାନିରୀକ୍ଷା କରିଛନ୍ତି ପୋଷ୍ୟପୁତ୍ର ଭଳି ପୋଷ୍ୟ ପିତା ମାତାଙ୍କର ଥିମ୍ ଉପରେ । କିନ୍ତୁ ଏହାକୁ ସମାଜ କିଭଳି ଭାବରେ ସ୍ଵୀକାର କରିବ ସେକଥା ସମୟ ହିଁ କହିବ ।  

‘ଏକ ଅସହାୟ ସତ୍ୟ’ ଗପରେ ଗାଳ୍ପିକା, ଝିଅଟିକୁ ବାହା କରାଇ ପାରୁନଥିବା ଅଳ୍ପ ରୋଜଗାରିଆ ବାପର ବିବଶତାର କଥା କହୁଥିବାବେଳେ “ଘୁଞ୍ଚି ଯାଉଥିବା ଦିଗନ୍ତ” ଗପରେ ସହର ଭିତରକୁ ପଶି ଆସୁଥିବା ହାତୀ ଓ ମଣିଷର ଶତ୍ରୁତା କଥା କହିଛନ୍ତି । କାହାଣୀର ଆରମ୍ଭ ହସଖୁସିରୁ ଆରମ୍ଭ କରି ଆଖିର ଲୁହରେ ଶେଷ କରିଛନ୍ତି । ଆମେରିକାରୁ ତା’ ସ୍ଵାମୀକୁ ଧରି ଆସିଥିବା ରିକା ଶେଷରେ ମରିଯାଇଛି ହାତୀ ପାଦତଳେ ଚାପି ହୋଇ । ତା’ ସହିତ ମରିଯାଇଛି ତା’ ପେଟରେ ବଢୁଥିବା ପିଲା । ଗାଳ୍ପିକା ଚିନ୍ତାପ୍ରକଟ କରିଛନ୍ତି ଯେଭଳି ଭାବରେ ଜଙ୍ଗଲ କଟାଯାଉଛି ଓ ଯେଭଳି ଭାବରେ ହାତୀ ସହରମୁହାଁ ହେଉଛି, ହୁଏତ ଦିନ ଆସିବ ମଣିଷ ଓ ହାତୀର ଶତ୍ରୁତା ଭିତରେ ଡାଇନୋସର ପରି ହାତୀର ବଂଶ ମଧ୍ୟ ଲୋପ ପାଇଯିବ ।

ଅନ୍ୟ ଏକ ଗଳ୍ପ, ‘ସମୟର ଟିକି ଟିକି ତାରା ଫୁଲ’ ଗପରେ ଗପରେ ଗାଳ୍ପିକ ଅଙ୍ଗଦାନର କଥା କହିଥିବାବେଳେ ‘ଫୋନ୍ ଆସେନା’ ଗପରେ କହିଛନ୍ତି ଆଜିକା ଦିନରେ ଫୋନ୍ କୁ ଛାଡ଼ି ଛଅ ଦିନ ବିତାଇବା କେତେବା କଷ୍ଟ । ଆଉ ବିଶେଷ କରି ଜଣେ ପ୍ରେମିକା ପାଇଁ ସେହି ସମୟଟା କେତେ ଯେ ଯନ୍ତ୍ରଣାଦାୟକ ।

ଜୀବନରେ ଦୁଃଖ ରହିବ, ଯନ୍ତ୍ରଣା ରହିବ, ଅଭାବ ରହିବ, ଅସହାୟତା ବି ରହିବ । ତଥାପି ବଞ୍ଚିବାକୁ ହେବ, ହସିବାକୁ ହେବ, ଖୋଜିବାକୁ ହେବ ନୂଆ ଏକ ଠିକଣା ଜୀବନ ଜିଇଁବା ପାଇଁ । ଏମିତି କିଛି କହୁଛି ଗପ “ନୂଆ ଏକ ଠିକଣା” ।

ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏଠି ପୁରାଟା ସଂକଳନରେ ପ୍ରତ୍ୟେକ କାହାଣୀ ଭିତରେ ଗୋଟିଏ ପରିବାର ଅଛି, ଗୋଟିଏ ଅବହେଳିତ ସମ୍ପର୍କ ଅଛି, ଗୋଟିଏ ନାରୀ ମନର ଦୁଃଖ ଓ ସ୍ଵପ୍ନ ଅଛି, ଟିକିଏ ସମସ୍ୟା ଅଛି ଓ ସମାଧାନର ବାଟ ବି । ବହିଟିର ଅଧିକାଂଶ ଗଳ୍ପ ମୋ ମନକୁ ଛୁଇଁଛି । ପଢିଲେ, ଆପଣଙ୍କ ମନକୁ ବି ଛୁଇଁବ ନିଶ୍ଚୟ ।

ବହି  : ପଣତ କାନିରେ ଘର
ସ୍ରଷ୍ଟା : ଗାୟତ୍ରୀ ସରାଫ
ପ୍ରକାଶକ : ବ୍ଲାକ୍ ଇଗଲ୍
ପ୍ରଥମ ପ୍ରକାଶ : ୨୦୨୦
ପୃଷ୍ଠା ସଂଖ୍ୟା : ୧୬୨

ଶୁଭ ନାରାୟଣ ସ୍ଵାଇଁ, ଜନ୍ମ : ୧୨ ଫେବୃଆରୀ ୧୯୮୧, କୋରାପୁଟ୍, ମୋବାଇଲ – ୮୪୮୦୧୯୬୫୩୨

ଲେଖକ ପରିଚୟ

କବିତା ଓ ଉପନ୍ୟାସ ଲେଖା ସହ ଭଲ ବହିକୁ ପଢି ନିଜର ମତାମତ ବାଢିବା ମୋର ନିଶା । ୨୦ ବର୍ଷ ତଳୁ ଲେଖା ଲେଖି ଆରମ୍ଭ କରିଥିଲି । ମୋର ପ୍ରକାଶିତ ପୁସ୍ତକଗୁଡ଼ିକ ଭିତରେ ୭ ଟି କବିତା ପୁସ୍ତକ, ୨ ଟି ଉପନ୍ୟାସ,  ୨ ଟି ଅନୁବାଦ ପୁସ୍ତକ ଏବଂ ଗୋଟିଏ ଆଲୋଚନାମୂଳକ ପୁସ୍ତକ ରହିଛି ।

Related Posts

Leave a Reply

Your email address will not be published. Required fields are marked *