ମନୋରମା ସାହୁ
ଏଇ ଟିକେ ଆଗରୁ କୋଳାହଳରେ ଫାଟି ପଡୁଥିବା ଘରଟି ଏବେ ଶୂନଶାନ୍ । ମଝିରେ କେବଳ ବୋଉର ସୁଁସୁଁ କାନ୍ଦଣା ଓ ବାପାଙ୍କର ଦୀର୍ଘନିଃଶ୍ଵାସ ଶୁଭୁଛି ଯାହା । ସେତକ ନଶୁଭୁଥିଲେ ଘରେ କେହି ମଣିଷ ଅଛନ୍ତି ବୋଲି ଆଦୌ ଜଣା ପଡନ୍ତାନାହିଁ । ବନ୍ଧୁବାନ୍ଧବ, କୁଣିଆମୈତ୍ରମାନେ ଧୀରେଧୀରେ ପେଡିପୁଟୁଳି ବାନ୍ଧି ଖସିବାରେ ବ୍ୟସ୍ତ । ସମସ୍ତଙ୍କର ତ ପୁଣି ମାନ ଇଜ୍ଜତ ଅଛି । ସମସ୍ତେ ତ ପୁଣି ପିଲାଛୁଆ ଧରି ଘର କରୁଛନ୍ତି । ଏମିତିଆ କଥାଟେ ଶୁଣିବା ପରେ କିଏବା ଆଉ ଏ ଘରେ ରହିବାକୁ ମନ କରନ୍ତା ?
ଭାଇ କାହାକୁ କିଛି ନକହି ବଜାର ଆଡ଼େ ପଳେଇଲେଣି । ଭାଉଜ ଖାଲି ଏଠିକି ସେଠିକି ହେଉଛନ୍ତି । ତାଙ୍କର ଭାବଭଙ୍ଗୀ ଠିକ୍ ଜଣା ପଡୁନାହିଁ । ସେହି ଘଟଣା ପରଠୁ ବାପା ବାରିଦୁଆର କାନ୍ଥକୁ ଆଉଜି ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୋଉ ତିନି ଚାରିଥର ଚେତା ବୁଡ଼ିବା ପରେ ଏବେ ବସି ସୁଁ ସୁଁ ହେଉଛି । ସାହିର ସ୍ତ୍ରୀ ଲୋକମାନଙ୍କ ଭିତରୁ କିଏ କଣେଇ କଣେଇ ଚାହୁଁଛି ତ କିଏ ସିଧା ଚାହିଁ ଟୁପୁରୁଟାପର ହେଉଛନ୍ତି ।
ମାଳତୀ ବୋଉକୁ କିନ୍ତୁ ଏମିତିକା ଚୁପୁଚୁପୁ କଥା ଆଦୌ ଭଲ ଲାଗେନା । ଯାହା କହେ ମୁହେଁ ମୁହେଁ ବଡ଼ ପାଟିରେ । ନିଆଁ ଉପରେ କୁଟା ଛିଞ୍ଚିବା ତାର ଅଭ୍ୟାସ । ଦି’ଦି’ଟା ଗେରସ୍ତଙ୍କୁ ଛାଡ଼ି ସେ ତାର ଗୋଟିଏ ବୋଲି ଝିଅ ମାଳତୀକୁ ଧରି ସାହିର ଶେଷ ମୁଣ୍ଡରେ ରହୁଛି । ତା’ର ଏଇ ଟାଉଁଟାଉଁଆ ନାରଦ ସ୍ୱଭାବ ଯୋଗୁଁ ପ୍ରଥମ ସ୍ୱାମୀ ତାକୁ ଛାଡ଼ପତ୍ର ଦେଲା । ତିନି ବରଷର ଝିଅ ମାଳତୀକୁ ଧରି ଚାଲିଆସି ଆଉ ଜଣକୁ ଦୁତୀଅ ହେଲା । ହେଲେ ତା ପାଖରେ ବି ବେଶୀ ଦିନ ଚଳିପାରିଲା ନାହିଁ । ଶେଷକୁ ଆସି ଏଇ ସାହିରେ ଅଛି ।
ସେଇ ରାହାବଳୀ ମାଳତୀ ବୋଉ ଧୂଳିଗୁଣ୍ଡି ଦିଆ ପାନଟିକୁ ପାଟି ଭିତରକୁ ଠେଲି ଦେଇ ଅଣ୍ଟାରେ ହାତ ଦେଇ ଏତେ ବଡ଼ ପାଟିରେ ସମସ୍ତଙ୍କୁ ଶୁଣେଇ ଶୁଣେଇ କହିଲା, “ଇଏ କି ଅଭିଲା କଥାଲୋ ମା’ । ଖୁଡଖାଡ୍ କିଛି ନାହିଁ, ହୁ ପରା ପରି ବେଦୀରୁ ଉଠି ପଡ଼ିଲା ବର । ଇଆଡ଼େ ଶ୍ୱଶୁର କହୁଛି ଆମେ ଏ ଝିଅକୁ ବୋହୂ କରିବୁନୁ । ଇଏ ଆଗରୁ କୋଉଠି ବାହା ହୋଇଛି । ହ, ମନକୁ କ’ଣ କହିଦେଲେ । ସେମିତିକା କି କଥାଟେ ହେଇଥିବ ନା ! ମଉନମୁହିଁଙ୍କ ଠି ତ ଭାରି ଗୁଣ । ହେଲା ଯେ,ଏବେ ମଙ୍ଗୁଳା ଝିଅଟା କରିବ କ’ଣ ? କିଏ ଆଉ ତାକୁ ବାହା ହେବ ? ବୋଝଟାଏ ହେଇ ରହିଲା ଯାହା ।” ପାନପିକ ଗୁଡ଼ାକ ଥୁ ଥୁ କରି ପକେଇ ଦେଇ ଦୁମଦୁମ୍ ହୋଇ ଚାଲିଗଲା ମାଳତୀ ବୋଉ ।
ଶୋଇବା ଘର ଖଟ ଉପରେ ପଡ଼ି ଅଳକା ଶୁଣିଯାଉଛି ତାକୁ ଲକ୍ଷ୍ୟ କରି କୁହା ଯାଉଥିବା ସମସ୍ତ ଆକ୍ଷେପ ପୂର୍ଣ୍ଣ କଥାଗୁଡ଼ାକୁ । ପାଟିଖୋଲି କିଛି କହିବାର ବା ପ୍ରତିରୋଧ କରିବାର ଯୁ ନାହିଁ । ସବୁ ସହିଯିବାକୁ ହେବ ଚୁପଚାପ୍ । କପାଳ ଉପରୁ ଝାଳଗୁଡ଼ାକ ଧାରଧାର ହୋଇ ମୁହଁ ଉପରେ ବହି ଯାଉଛି । ତା’ସହିତ ବହିଯାଉଛି ଅଳ୍ପ ସମୟ ପୂର୍ବରୁ ଅତି ଯତ୍ନରେ ଅଙ୍କା ଯାଇଥିବା ଚନ୍ଦନ, କୁଙ୍କୁମ ଟୋପିଗୁଡ଼ିକ ।
କେତେ ଆନନ୍ଦ ଲାଗି ରହିଥିଲା ଏ ଘରେ । ସାହିର ସମବୟସୀ ଝିଅଗୁଡ଼ିକ ତା’ ଚାରିପଟେ ବେଢିଯାଇ କିଏ ମୁଣ୍ଡ ବାନ୍ଧି ଦେଉଥିଲା ତ କିଏ ଖୋସା ଉପରେ ଫୁଲମାଳ ଗୁଡ଼େଇ ଆଣୁଥିଲା । କିଏ ଶାଢୀ ପିନ୍ଧାଇ ଦେଉଥିଲା ତ କିଏ ଚନ୍ଦନ ଟୋପି କରି ସଜେଇ ଦେଉଥିଲା । ଟାହିଟାପରା କରି କିଏ ତାକୁ ଚିମୁଟି ଦେଉଥିଲା ତ କିଏ ଇଆଡୁସିଆଡୁ କହି ସମସ୍ତଙ୍କୁ ହସଉଥିଲା ।
ପନ୍ଦର ଦିନ ଆଗରୁ ସାହିର ମାଇପିମାନେ ଆସି ପିଠା, ଉଖୁଡା, ଗଜା ଇତ୍ୟାଦି ଭାର ଜିନିଷଗୁଡ଼ିକୁ ସଜେଇବାରେ ଲାଗିଥିଲେ ।
ଅଳକାର ଠିକ୍ ମନେ ଅଛି ସେଦିନ ଦି’ପହରେ ଅଗଣାର ବଡ଼ଚୁଲି ପାଖରେ ବସି ଆରିସା ପିଠା ଛାଣୁଛାଣୁ ନେତ ଖୁଡ଼ି ବୋଉକୁ ପଚାରିଲେ, “ଅପା, ଏତେ ସବୁ କଥା କରୁଛ ଯେ, ଅଳିଙ୍କର ଏଥିରେ ମନ ଅଛିଟି ? ଝିଅଟାର ଯଦି ଏ ବାହାଘରରେ ଇଚ୍ଛା ନଥିବ । ନାଇଁ କ’ଣ କହୁଥିଲିକି ଅଳି କାହିଁକି ବେଶୀ ବେଶୀ ଶୁଖିଲା ଦିଶୁଛନ୍ତି ।”
ଭାଉଜ ମୁହଁ ଛିଞ୍ଚାଡ଼ି କହିଲେ, “ନଥିଲେ ନଥାଉ ଇଚ୍ଛା । ତାଙ୍କ ଇଚ୍ଛାରେ ତ ଆଉ ସବୁକିଛି ହେବ ନାହିଁ । ସେମିତି ତ ନିଜ ଇଚ୍ଛାରେ କାମଟାଏ କରିଦେଲେ ଯେ ଏବେ ଫଳ ଭୋଗୁଛନ୍ତି । ଆମେ ବି ନିନ୍ଦାରେ ମୁହଁ ଉଠେଇ ପାରୁନୁ । ଏଇନେ ଆଉ ବାହା ନହୋଇ କରିବେ କ’ଣ । ଇଚ୍ଛା ଥିଲେ ସେଇଠି, ନଥିଲେ ବି ସେଇଠି ।”
ଦି’ପହରର ସେଇ ଚାଇଁଚାଇଁଆ ଖରାଟା ଆହୁରି ଝାଇଁଝାଇଁଆ କରି ଦେଇଥିଲା ଅଳକାକୁ ।
ବାହାଘର ଦିନଟା ଯେତିକି ଯେତିକି ପାଖେଇ ଆସୁଥାଏ, ଅଳକାର ହୃଦୟର କ୍ଷତରୁ ସେତିକି ସେତିକି ରକ୍ତ କ୍ଷରିତ ହେଉଥାଏ ।
ଆଃ ! ଏ ବାହାଘରଟା ଭାଙ୍ଗି ଯାଆନ୍ତା କି ! କୌଣସି କାରଣରୁ ସେମାନେ ନାହିଁ କରି ଦିଅନ୍ତେ କି । ନା, ସେମିତି କିଛି ଘଟିଲାନି । ବାଣ, ରୋଷଣିରେ ଦିଗ, ବିଦିଗ ପ୍ରକମ୍ପିତ କରି ବର ଆସିଲା । ବର ଆସି ଛକମୁଣ୍ଡରେ ହେଲାବେଳକୁ ସାହିର ସ୍ତ୍ରୀଲୋକମାନେ ତାକୁ ବାଡୁଅ ପାଣି ଗାଧେଇ ଦେଲେ । ବରକୁ ବରଣ କରି ଅଣାଗଲା । ଘରେ ଲୋକ ଥାଟପଟାଳି ବରକୁ ଦେଖିବା ପାଇଁ ।
ମଙ୍ଗୁଳା ହୋଇସାରି ବେଦୀକୁ ଗଲା ଅଳକା । ନାଲି ପାଟଟିଏ ପିନ୍ଧି, ହଳଦିଆ ଜରିପକା ନାଲି ଓଢଣିଟିକୁ ମୁଣ୍ଡ ଉପରେ ଲମ୍ବେଇ ନଇଁନଇଁ ବେଦିରେ ବସିଲା ସେ ।
ବ୍ରାହ୍ମଣ ମନ୍ତ୍ର ପଢି ହାତଗଣ୍ଠି ପକେଇବାକୁ ଗଲାବେଳକୁ ବରର ବଡ଼ବାପା ପୁଅ ଧଇଁସଇଁ ହୋଇ ଆସି ବରପିତା ହାତକୁ ବଢାଇଦେଲା ଖଣ୍ଡିଏ ଚିଠି । ଚିଠିଟିକୁ ପଢି ରାଗରେ ଅଗ୍ନିଶର୍ମା ହୋଇଗଲେ ବରପିତା । ଆଖି ପିଛୁଳାକେ ପୁଅର ହାତଧରି ଟାଣିନେଲେ ବେଦୀରୁ । ତା’ପରେ ପାଟି କରି ଉଠିଲେ ।” ଆମେ ଏ ଝିଅକୁ ଆଦୌ ବୋହୂ କରିବୁନୁ । ମୋ ପୁଅ ସେମିତି ଶିଶୁପାଳ ହୋଇ ଫେରିବ ପଛେ, କିନ୍ତୁ ଏଠି ବିବାହ ଏକବାରେ ଅସମ୍ଭବ ।”
ବାପା ନେହୁରା ହୋଇ ତାଙ୍କର ହାତ ଧରି ପକାଇଲେ । ଏମିତି କାହିଁକି କହୁଛ ସମୁଦି ? ତୁମ ହାତ ଧରୁଛି । ନେହୁରା ହେଉଛି । ପୁଅକୁ ବେଦୀରେ ବସାଅ । ବାହାଘର ବନ୍ଦ କରନି । ମୁଁ ମଙ୍ଗୁଳା ଝିଅଟାକୁ ନେଇ କୁଆଡ଼େ ଯିବି ?
ଚିହିଙ୍କି ଉଠିଲେ ବରପିତା । ତାତ୍ସଲ୍ୟରେ କହିଲେ, “ହୁଁ ସମୁଦି ! କିହୋ କି ସମୁଦି ? ଝିଅକୁ ତ ଅନ୍ୟଆଡ଼େ ବାହା କରାଇ ମୋ ସାଙ୍ଗରେ ବେଶ୍ ଖେଳଟାଏ ଖେଳିଲ । କହିଲେ କଣ ନା ପୁଅକୁ ବେଦୀରେ ବସାଅ । ଆଉପୁଣି କି ଖେଳ ଖେଳିବ ?”
ଚମକି ଉଠିଲେ ବାପା । ଝିଅକୁ ମୁଁ ଅନ୍ୟଆଡ଼େ ବାହା କରେଇଛି !” କରିନ ? କିଓ ନକରିଛ ଯଦି ଏ ଚିଠିଟା ଆସିଲା କୁଆଡୁ ? ଚିଠିରେ ପୁଣି କି ଧମକ ! ଲେଖା ହୋଇଛି କ’ଣ ନା ‘ମୋ ସ୍ତ୍ରୀ କି ତମେ ଯଦି ବୋହୂ କର, ପରିଣାମଟା ଭୟଙ୍କର ହେବ ।’
ହେଲା ବାବା । ଆମର ଏମିତି ଝିଅକୁ ବୋହୂ କରିବା ଦରକାର ନାହିଁ କି ପରିଣାମ ଭୋଗିବା ଦରକାର ନାହିଁ । କି ଅଭଦ୍ର ଲୋକ ହାବୁଡ଼େ ମଣିଷ ପଡ଼ିଲା । ମାନସମ୍ମାନ ସବୁ ଗଲା । ଯାଏ, ତେଣେ ଆଉ ଗୋଟାଏ କନ୍ୟା କୋଉଠୁ ଯୋଗାଡ଼ କରିବାକୁ ପଡ଼ିବ । ସମସ୍ତଙ୍କୁ ବିସ୍ମୟ ଓ ସନ୍ଦେହ ଭିତରେ ଛାଡ଼ିଦେଇ ବରଯାତ୍ରୀଙ୍କ ସହ ବାହୁଡ଼ି ଯାଇଥିଲେ ବରପିତା ।
ଚିଠିଟିକୁ ପଢି ଅବାକ ହୋଇ ଯାଇଥିଲେ ବାପା । ନଥ୍ କରି ବସି ପଡ଼ିଲେ ସେଇଠି । ଭାଇ ଚିଠିଟାକୁ ପଢି ରାଗରେ ଥରି ଉଠିଲେ । କ୍ଷୀପ୍ର ଗତିରେ ବେଦୀ ପାଖକୁ ଚାଲିଆସି ଚଢା ସ୍ୱରରେ ପଚାରିଲେ, “ସତ କହ ଅଳି, କାହାକୁ ତ ବାହା ହେଇଛୁ ? କିଏ ସେ ବଦମାସ୍ ଯିଏକି ଏମିତିଆ ପରିସ୍ଥିତିରେ ଏଭଳି ଚିଠିଟାଏ ଦେବାକୁ ସାହସ କରିପାରିଲା ? କହ ଅଳି, ମୁଁ ତାକୁ ନିଶ୍ଚୟ ଖୋଜି ଆଣିବି । ତାରି ସହିତ ହିଁ ତୋର ବିବାହ ହେବ । ଖାଲି ତୁ କହିଦେ ସେ କିଏ ?”
‘ଜାଣି ନାହିଁ’ ବୋଲି କହିବାକୁ ପାଟି ଖୋଲିଲା ନାହିଁ । ରାଗରେ ହିତାହିତ ଜ୍ଞାନ ଭୁଲି ଠାଏକିନା କଷି ଦେଲେ ଭାଇ । ଜ୍ଞାନଶୂନ୍ୟ ହୋଇ ସେଇଠି ଟଳିପଡ଼ିଲା ଅଳକା ।
ଚେତା ଫେରିବାବେଳକୁ ସେ ଶୋଇଥିଲା ତା ବେଡ଼ରୁମ୍ ର ଖଟ ଉପରେ । ପାଖରେ ବସି ଆଉଁଶି ଦେଉଥିଲା ବୋଉ ।
ଅଳକାକୁ ଆଖି ଖୋଲିବାର ଦେଖି ସେ ଆସ୍ତେଆସ୍ତେ ପଚାରିଲେ, “ମା ଅଳି, ମୁଁ ଏଗୁଡ଼ କିଛି ହେଲେ ବୁଝିପାରୁ ନାହିଁ । ତୁ କହିଲୁ ମା, ଘଟଣା କ’ଣ ?”
ବିରକ୍ତିରେ ପାଟି କରି ଉଠିଲା ଅଳକା ।” ତମେ ସବୁ କ’ଣ ଶାନ୍ତିରେ ମତେ ଟିକେ ନିଃଶ୍ୱାସ ମାରିବାକୁ ବି ଦେବ ନାହିଁ ? ଯୋଉ କଥା ମୁଁ ନିଜେ ବୁଝି ପାରୁନାହିଁ, ତୁମକୁ ସବୁ ବୁଝାଇବି କେମିତି ?”
କ୍ରମଶଃ ….
ସରକାରୀ ଉ.ପ୍ରା. ବିଦ୍ୟାଳୟ, ପାରିଓରଡ଼, ଖୋର୍ଦ୍ଧା
ଲେଖକ ପରିଚୟ
ଶିକ୍ଷୟିତ୍ରୀ ଓ ଲେଖିକା । ଏଯାବତ୍ ୧୦ ଖଣ୍ଡ ପୁସ୍ତକ ପ୍ରକାଶିତ । ଗଳ୍ପ, କବିତା(ଆଧୁନିକ, ଛନ୍ଦ ଓ ଶିଶୁ କବିତା), ପ୍ରବନ୍ଧ, ଏକାଙ୍କିକା ଓ ଉପନ୍ୟାସ ଇତ୍ୟାଦି ବିଭାଗରେ ଲେଖନୀ ଚାଳନା କରେ ।