ବିକାଶ ପ୍ରକାଶ ଯୋଶୀ

ଲେଖିଛନ୍ତି: ବିକାଶ ପ୍ରକାଶ ଯୋଶୀ

ଅନୁବାଦିତ: ଆଲାକାନନ୍ଦ ପଟ୍ଟନାୟକ ଏବଂ ଅଶ୍ୱର୍ଯ୍ୟା ପଟ୍ଟନାୟକ

ଆଲାକାନନ୍ଦ ପଟ୍ଟନାୟ

ଶିକ୍ଷକ ଯେତେବେଳେ ଶ୍ରେଣୀରୁ ଦୀର୍ଘ ସମୟ ପାଇଁ ବାହାରକୁ ଚାଲିଯାନ୍ତି, ପିଲାମାନେ ସେତେବେଳେ ମନକୁ ମନ ଗୁଣୁ ଗୁଣୁ ହୋଇ ଗୀତ ବୋଲନ୍ତି ଓ କେହି କେହି ଥଟ୍ଟା ମଜା ଆରମ୍ଭ କରନ୍ତି | ଏହା ହେଉଛି ନିଉଟନଙ୍କ ପଞ୍ଚମ ନିୟମ ଯାହା କି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପ୍ରସିଦ୍ଧ |

କୋରେଗାଁଓ ପାର୍କର ଡାଇମଣ୍ଡ ଅନ୍ତର୍ଜାତୀୟ ବିଦ୍ୟାଳୟରେ, ପଞ୍ଚମ ଶ୍ରେଣୀର ଛାତ୍ରମାନଙ୍କ ମଧ୍ୟରେ ଭି ଏଭଳି ଘଟଣା ଘଟିଆସୁଛି |

ରୋ‌ଶନ୍ ପରାଞ୍ଜପେ, ହାତରେ ଗୋଟେ ଲୁହାର ଲମ୍ବା ସ୍କେଲ ଧରି ଶ୍ରେଣୀ ଗୃହ ସାମ୍ନାରେ ଠିଆ ହୋଇଥିଲା | ଯେମିତି କୌଣସି ଗାୟକ ମାଇକ୍ ଧରି ସଂଗୀତ ପରିବେଷଣ କରନ୍ତି | ଶ୍ରେଣୀର ଅନ୍ୟ ପିଲାମାନେ ତା ସାଙ୍ଗରେ ମିଶି “ଲକଡୀ କି କାଠି” ଗୀତଟି ଗାଇବା ଆରମ୍ଭ କରି ଦେଇଥିଲେ | ବାନ୍ଧବୀ ପଲ୍ଲବୀ ମଧ୍ୟ ସଂଗୀତ ଗାଇବାରେ ସହଯୋଗ କରିଥିଲେ | “ପରିବେଶ ବିଜ୍ଞାନ” କ୍ଲାସରେ ଅବକାଶ ସମୟ ଥିଲା | ଯେତେବେଳେ ଗୀତଟିରେ ଘୋଡା ଦୌଡିବାକୁ ଆରମ୍ଭ କଲା, ପରିବେଶ ବିଜ୍ଞାନ ଶିକ୍ଷୟତ୍ରୀ ମିସେସ୍ ଅରୋରା ଶ୍ରେଣୀ ଗୃହରେ ପ୍ରବେଶ କଲେ |

“ନିଜ ନିଜ ସ୍ଥାନ ଗ୍ରହଣ କର ରୋ‌ଶନ୍ ଓ ପଲ୍ଲବୀ | ବର୍ତ୍ତମାନ ପାଠ ପଢା ଆରମ୍ଭ କରିବା |”

ଯେତେବେଳେ କ୍ଲାସ୍ ସମାପ୍ତ ହେଲା, ଛାତ୍ରମାନେ ଶ୍ରେଣୀଗୃହରୁ ବିଶୃଙ୍ଖଳା ଭାବରେ ବିଦାୟ ନେଲେ |

“ରୋ‌ଶନ୍ !”

ମ୍ୟାଡମଙ୍କ ସମ୍ବୋଧନରେ ପ୍ରକୃତିସ୍ଥ ହେଲା ରୋ‌ଶନ୍ |

“ଆଜ୍ଞା!”

“ତୁମେ କୋଉଠି ରହୁଛ?”

“କୋରେଗାଁଓ ପାର୍କରେ ମ୍ୟାଡମ୍ |”

“ଆରେ ବାଃ! ତୁମେ ଗୀତ ଗାଇବାକୁ ଭଲପାଅ?”

ଚେନାଏ ହସ ଖେଳିଗଲା ରୋ‌ଶନ୍ ମୁହଁରେ | ଆଖି ଦୁଇଟି ମୁକ୍ତାଭଳି ଟିକ୍ ଟିକ୍ ଦିଶିଲା |

“ମୁଁ … ମୁଁ … ହଁ ମ୍ୟାଡମ୍ ! ମୁଁ ଗୀତ ଗାଇବାକୁ ବହୁତ ଭଲ ପାଏ |”

“ତୁମେ ଜାଣିଛ, ତୁମ ସ୍ୱର ଏତେ ସୁନ୍ଦର, ମୁମ୍ବାଇରେ ସ୍ୱୟଂ ଗୁଲଜାର ତାଙ୍କ ସ୍ୱରଚିତ ଏଇ ଗୀତ ତୁମଠୁ ଶୁଣିଲେ ବହୁତ ଖୁସି ହେବେ |”

“ଆଛା … ପ୍ରକୃତରେ ମ୍ୟାଡମ୍ ?”

ଆଶ୍ଚର୍ଯ୍ୟ ଓ ଖୁସିରେ ତା’ର ଆଖି ଦୁଇଟି ବଡ ବଡ ହୋଇଗଲା | ଏତେ ବଡ ପ୍ରଶଂସା ଜୀବନରେ ପ୍ରଥମ ଥର ପାଇଁ ଶୁଣୁଥିଲା ସେ | ଆନନ୍ଦରେ ମୁହଁ ନାଲି ହୋଇଗଲା ତାର | ମ୍ୟାଡମଙ୍କ ପ୍ରଶଂସାରେ ଆଉ କଣ ବା ପ୍ରତିକ୍ରିୟା ହୋଇଥାନ୍ତା, ଜାଣି ପାରୁନଥିଲା ସେ |

“ଧନ୍ୟବାଦ ମ୍ୟାଡମ୍ |”

“ଆଉ ଗୋଟେ କଥା ପଚାରିବି ରୋ‌ଶନ୍ ? ସମସ୍ତେ କାହିଁକି ତୁମକୁ ସିନାମନ୍ (ଡାଲଚିନି) ଡାକୁଛନ୍ତି ?”

“ଓଃ! ମୋ ବାପା ଓ ମା ଡାଲଚିନିକୁ ପ୍ରତି ରୋଷେଇରେ ବ୍ୟବହାର କରନ୍ତି, ମାନେ ଚା’, କେକ୍, ପେଷ୍ଟ୍ରି, ରୋଲ… ସବୁ ଥିରେ | ମୁଁ ଏହାକୁ ଠିକ ଭାବରେ ଉଚ୍ଚାରଣ କରିପାରେନି… ସିନାମମ କିମ୍ବା ସିନାନମ କହିଦିଏ | କିନ୍ତୁ ଏବେ ମତେ ଏଇ ନାଁ ଆଉ ଭଲ ଲାଗୁନି |” ତା’ ମୁହଁରେ ବିଷାଦର ଛାୟା ଟିଏ ଢାଙ୍କି ଦେଲା |

“ଆଛା… ବାପା ଓ ମା କଣ ଗୀତ ପସନ୍ଦ କରନ୍ତି ?”

“ନା ମ୍ୟାଡମ୍ ! ମାନେ ପସନ୍ଦ କରନ୍ତି କିନ୍ତୁ ବେଶୀ ନୁଁହେ |” ହାତରେ ଇସାରା କଲା ରୋ‌ଶନ୍ |

ରୋ‌ଶନର ଚପଳ କଥାରେ ସ୍ମିତ ହସିଲେ ମିସେସ୍ ଅରୋରା |

କହିଚାଲିଥାଏ ରୋ‌ଶନ୍ – ” ଗୀତ ଗାଇବାକୁ ମୁଁ ବହୁତ ଭଲ ପାଏ | ବୋଧେ, ଯେଉଁ ମା’ ମତେ ଜନ୍ମ ଦେଇଛନ୍ତି ତାଙ୍କର ଗୀତ ଗାଇବା ପସନ୍ଦ ଥିବ |”

“ଜନ୍ମ ଦେବା ମା ?” ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲେ ମିସେସ ଅରୋରା |

“ଆଜ୍ଞା | ମୋ ବାପା ମା ମତେ ପୁଅ କରି ଆଣିଛନ୍ତି |” ଆଖି ତଳକୁ କଲା ରୋ‌ଶନ୍ |

ମିସେସ ଅରୋରା ନିଜ କାନରେ ପିନ୍ଧିଥିବା ରିଙ୍ଗକୁ ହାତରେ ଏପଟ ସେପଟ କରୁଥିଲେ | ବୋଧହୁଏ ଏହାର କଣ ଉତ୍ତର ଦେବେ ଜାଣି ପାରୁନଥିଲେ | କିଛି ସମୟ ପରେ, ସ୍ମିତ ହସି କହିଲେ, “ଆଚ୍ଛା ଠିକ୍ ଅଛି | ଗୀତ ଗାଇବା କେବେ ଛାଡିବ ନାହିଁ | ହଉ ଯାଅ|”

ବାପା ଆଉ ମା କେବେ ରୋଶନକୁ କୌଣସି କଥା ଲୁଚାଉନଥିଲେ | କେମିତି ସେ ତାକୁ ପୁଅ କରି ଘରକୁ ଆଣିଛନ୍ତି ସେ କଥା ବି | ରୋଶନ ବି ଏହି କଥାକୁ ନିଜ ଜୀବନର ଗୋଟେ ଅଂଶ ଭାବେ ଗ୍ରହଣ କରି ନେଇଥିଲା | ତାର କହରା ଆଖି ଓ ଲମ୍ବା ଲମ୍ବା ଗୋଡ଼ ବି ବାଦ ପଡିନଥିଲା |

ଯେତେବେଳେ ତାକୁ 2 ବର୍ଷ ହୋଇଥିଲା, ମା ତାକୁ ପାଖରେ ବସେଇ ଗୋଟେ ଗପ କହିଥିଲେ | ବୋଧେ କୋଉ ବଙ୍ଗାଳି ବହିର ହୋଇଥିବ | ବାପାଙ୍କ ସାଙ୍ଗରେ ଖଟ ଉପରେ ବସି ମା’ଙ୍କ କଥାକୁ ଅପଲକ ନୟନରେ ଉପଭୋଗ କରୁଥାଏ ସେ |

“ପୁରୁଣା କାଳର କଥା | ଦିଲ୍ଲୀ ପାଖରେ ମଥୁରା ନଗରରେ ବାସୁଦେବ ଓ ଦେଵକୀଙ୍କର ଅଷ୍ଟମ ଗର୍ଭରୁ ଯେଉଁ ସନ୍ତାନ ଜନ୍ମ ନେଇଥିଲେ ସେ ଥିଲେ – କୃଷ୍ଣ | ମଧ୍ୟ ରାତ୍ରି ସମୟ | ସେହି ସମୟରେ ତାଙ୍କର ଜନ୍ମ ହୋଇଥିଲା | ଭୀଷଣ ବର୍ଷ ହେଉଥିଲା | ବାସୁଦେବ ଗୋଟିଏ ବାଉଁଶ ଟୋକେଇରେ ଶିଶୁ କୃଷ୍ଣକୁ ନେଇ ନନ୍ଦଙ୍କ ଘରେ ଛାଡିଦେଲେ | ନନ୍ଦ ଜଣେ ଗୋ’ପାଳକ |

କୃଷ୍ଣଙ୍କ ଜୀବନ ରକ୍ଷା ପାଇଁ ଏହା କରିବା ଅନିବାର୍ଯ୍ୟ ଥିଲା | ଭଗବାନ କୃଷ୍ଣ ସେଠାରେ ନିଜ ପାଳିତ ପିତା ମାତାଙ୍କ ପାଖରେ ଚନ୍ଦ୍ରକଳା ପରି ବଢିଲେ |”

ବାପାବି ତାପରେ ଗୋଟେ ମରାଠୀ ଗପ କହିଲେ, “ସେବି ପୁରୁଣା କାଳର କଥା | ଜଣେ ସାରଥୀ ନଦୀରୁ ଟୋକେଇରେ ଭାସୁଥିବା ଶିଶୁଟିଏ ପାଇଲେ | ସାରଥିଙ୍କ ନା ଅଧିରଥ | ସେ ଓ ତାଙ୍କ ପତ୍ନୀ ନିଃସନ୍ତାନ ଥିଲେ | ସେମାନେ ଜାଣିବାକୁ ପାଇଲେ ଶିଶୁଟି ରାଜକୁମାରୀ କୁନ୍ତୀ ଓ ସୂର୍ଯ୍ୟଦେବଙ୍କର ସନ୍ତାନ | ସେମାନେ ଶିଶୁଟିର ନା ଦେଲେ କର୍ଣ୍ଣ ଯେକି ଆଗକୁ ଯାଇ ଜଣେ ବିଖ୍ୟାତ ଯୋଦ୍ଧା ଭାବେ ପରିଚିତ ହେଲେ |”

“ତେଣୁ ସିନାମନ୍ ଜାଣିରଖ, ଏହିପରି କେତେ ଜଣ ଶିଶୁ ଏମିତି ବିଭିନ୍ନ ଉପାୟରେ ସଂସାରକୁ ଆସିଥାନ୍ତି, ଯେଉଁମାନେ “ବିଶେଷ ସନ୍ତାନ” ଭାବେ ପରିଗଣିତ ହୋଇଥାନ୍ତି |” ମା’ ତାଙ୍କ କଥା ଶେଷ କଲେ|

ବାପା କହୁଥିଲେ ଯେତେବେଳେ ତାକୁ ଆଣିବା ପାଇଁ ସେ ଏଜେନ୍ସିକୁ ଯାଇଥିଲେ, ସେତେବେଳେ ସେମାନେ କହିଲେ, “ଏହି ଶିଶୁଟି ଅନ୍ୟ ଶିଶୁମାନଙ୍କଠୁ ଅଲଗା ଦେଖାଯାଉଛି ସିନା, କିନ୍ତୁ ଏହାର କିଛି ଅସୁବିଧା ନାହିଁ |” ବୋଧେ ତା’ର କହରା ଆଖି, ଲମ୍ବା ଚେହେରା ଦେଖି କଣ ଭାବୁଥିବେ ବାପା ବୋଲି |

ଯେତେବେଳେ ତାକୁ 4 ବର୍ଷ ହେଲା ବାପା ମା’ ତାକୁ ପୁନେର କୁଶଲକର ରୋଡରେ ଥିବା ଡାକ୍ତରଖାନାକୁ ନେଇଯାଇଥିଲେ, ଆଉ ସେଇଠିକୁ ବି, ଯୋଉଠୁ ପୁଅ କରି ଘରକୁ ନେଇ ଆସିଥିଲେ |

ବାପା କହନ୍ତି, ଯୋଉଦିନ ସିନାମନକୁ ଘରକୁ ଆଣିଲେ ସେଦିନକୁ ସେ କେବେ ବି ଭୁଲି ପାରିବେନି | ମା’ ମଧ୍ୟ ଠିକ ସେଇ କଥା କୁହନ୍ତି | ଜେଜେମା’, ଜେଜେବାପା, ଭାଇ, ଅପା, ସମସ୍ତେ ସେଇ ଗୋଟିଏ କଥା କୁହନ୍ତି | ସେତେବେଳେ ଆମର ମାରୁତି ଜେନ ଥିଲା | ସମସ୍ତଙ୍କୁ ସେଥିରେ ଜାଗା ହେବନି ବୋଲି ଦୁଇଟା ଅଟୋ ରିକ୍ସାବି ଯାଇଥିଲା | କହିଲା ବେଳେ ଖୁସିରେ ଆଖି ଚିକ ଚିକ ହେଉଥିଲା ବାବାଙ୍କର | ତପୂର୍ବ ଦିନ ବହୁତ ବର୍ଷ ହେଇଥିଲା | ଗୋଟିଏ ଛୋଟ ହଲରେ ତା’ର ସ୍ୱାଗତ ଉପଲକ୍ଷେ ଭୋଜିର ଆୟୋଜନ ହୋଇଥିଲା | କିନ୍ତୁ ବହୁତ ଲୋକ ଆସିଲେ ବୋଲି ବାପା ବାଧ୍ୟ ହୋଇ ବଡ ହଲ ଟିଏ ନେଇ ଭୋଜିର ଆୟୋଜନ କଲେ |

ଏହି କଥା ବାପା ସବୁବେଳେ ବାରମ୍ବାର ଅଲଗା ଅଲଗା ଢଙ୍ଗରେ କହୁଥିଲେ | ଆଉ ସିନାମନ୍ ଶୁଣୁଥିଲା କ୍ଲାନ୍ତ ନ ହୋଇ |

ସିନାମନ୍ କ୍ରମେ ବଡ ହେଉଥିଲା | ବାଥରୁମରେ ଥିବା ଆଇନାରେ ନିଜକୁ ନିରେଖି ଦେଖୁଥିଲା | ଭାବୁଥିଲା ସେ କାହା ପରି ? ବାପା ନା ମା’ ? ତା’ର ଶ୍ୟାମଳ ରଙ୍ଗ ଆକର୍ଷଣୀୟ ଚେହେରା, ଲମ୍ବା ଶରୀର ଓ ତୀକ୍ଷ୍ଣ ନାସିକା, କଣ ବାପାଙ୍କ ପରି ? ଚମତ୍କାର ସ୍ୱର ଓ ହସ କଣ ମାଙ୍କ ପରି ? କୋଉଠି ସେମାନେ ? କଣ କରୁଛନ୍ତି ଏବେ ? ଯୁଆଡେ ଯାଉଥିଲା ଜନ ଗହଳି ଭିତରେ ସବୁବେଳେ ତା’ର ଆଖି ସେମାନଙ୍କୁ ହିଁ ଖୋଜୁଥିଲା |

ବାପା ଆଉ ମା’ (ପାଳିତ) ପରିବାର ଭିତରେ ସମସ୍ତଙ୍କୁ ତା’ ବିଷୟରେ ଜଣାଇ ଦେଇଥିଲେ| ବନ୍ଧୁ ସମାଜରେ ବି କାହାକୁ ଅଛପା ନଥିଲା | ଯାହା ହେଉ ଏସବୁ ଦୃଷ୍ଟିରୁ ରୋ‌ଶନ୍ ପ୍ରତିକ୍ରିୟା ମୁକ୍ତ ଥିଲା |

6 ବର୍ଷ ବୟସରେ ସେ ନିଜ ପାଳିତ ବାପା ମା ଙ୍କୁ ପ୍ରଶ୍ନ କଲା, “ବାପା! ଯଦି ମୋ ନିଜ ମା ମତେ ନେବାକୁ ଆସନ୍ତି ତେବେ ତୁମେ କଣ କରିବ?”

“ଜାଣିନୁ ପୁଅ, ସେ ଏବେ କୋଉଠି ଅଛନ୍ତି | ତୁ ବି ଏଠାରେ ଅଛୁ ସେ ବି କେମିତି ଜାଣିବେ ? ଏହା କେବେ ବି ଘଟିବ ନାହିଁ | ତତେ ଆମେ ବହୁତ ଭଲ ପାଉ | ଯିବାକୁ ଦେବୁ ନାହିଁ |” ବାପା ମା’ ତା’ର ମୁଣ୍ଡ ଆଉଁସି କହିଲେ|

7 ବର୍ଷ ବୟସରେ ସେ ପୁଣି ପ୍ରଶ୍ନ କଲା, “ମୋ ନିଜ ବାପା ମା’ କେମିତି ଦେଖା ଯାନ୍ତି ? ସେମାନେ କଣ ମୋ ପରି ଡେଙ୍ଗା?”

“ଜାଣିନୁ” ଧୀର ସ୍ୱରରେ ବାପା କୁହନ୍ତି |

“କେମିତି ?”

“କେବେ ତାଙ୍କ ସାଙ୍ଗରେ ଦେଖା ହୋଇନି ଆମର |”

“ମତେ ସେମାନେ କାହିଁକି ଛାଡିଦେଲେ ? କେମିତି ଏହା କରିପାରିଲେ ?”ଆଖି ଦୁଇଟି ଲୁହରେ କଳମଲ ହେଲା ତା’ର |

ବାପା ମା’ ଦୁହେଁ ଜଡାଇ ଧରିଲେ ତାକୁ | ଚୁମ୍ବନରେ ଛାଇଦେଲେ ତା’ର ଲୁହ ଧୁଆ ମୁହଁକୁ | “ଆମର କଣ ଭୁଲ ହେଲାକି ପୁଅ ?”

ସେମାନେ ଚାଡ଼ିନାହାନ୍ତି | ତୋର ବି କିଛି ଭୁଲ ନାହିଁ | ବୋଧହୁଏ ଭଗବାନଙ୍କର ଏଇଆ ଇଚ୍ଛା ଥିଲା | ଆମେ କେମିତି ତତେ ପାଇଥାନ୍ତୁ ? କିଛି ଗୋଟେ କାରଣ ଥିବା ଯୋଉଁଥିପାଇଁ ସେମାନେ ଏହା କରିବାକୁ ବାଧ୍ୟ ହେଲେ |”

ମନ ବୁଝେନା ସିନାମନର | ସେ ଗୋଟିଏ କଥା ତା’ ମନକୁ ଆନ୍ଦୋଳିତ କରେ | “…. କାହିଁକି ଛାଡିଦେଲେ ତାକୁ ….”

ଯତୀନ ଅଙ୍କଲ ଓ ନିବେଦିତା ଆଣ୍ଟି ଉପର ମହଲାରେ ରହନ୍ତି | ସବୁଦିନ ସକାଳୁ ବାପାଙ୍କ ସଂଗେ ଏକାଠି ଜଗିଂ କରନ୍ତି ଓ ଫେରନ୍ତି ଏକାଠି ଝାଳ ନାଳ ହୋଇ | ଦୁହେଁ ଭାରି ଭଲ ଲାଗନ୍ତି ତାକୁ | ହସ ହସ ମୁହଁ ସବୁ ବେଳେ | ବାପାଙ୍କ ବିଭିନ୍ନ କଥାରେ ଯୋଗ ଦିଅନ୍ତି ଓ ଆଗ୍ରହ କରନ୍ତି |

ବ୍ରେକଫାଷ୍ଟ ଟେବୁଲ ରେ ମା’ ଦିନେ ହସି ହସି ବାପାଙ୍କୁ କହିଲେ – “ତୁମେ ଜାଣିଛ, ନିବେଦିତା ଗର୍ଭବତୀ |”

ବାପା ହସରେ ଉଡେଇଦେଲେ – “ଏତେ ଶୀଘ୍ର |”

ସିନାମନ୍ ଏସବୁ ସୁନୀଲା | ଗର୍ଭବତୀର ଅର୍ଥ କିଛି ବୁଝି ପାରିନଥିଲା କିନ୍ତୁ ସେ ଲକ୍ଷ କରୁଥିଲା, ଆଣ୍ଟିଙ୍କ ପେଟ ବଢୁଛି ଧୀରେ ଧୀରେ | ଏ ସବୁ ଭଲ ଲାଗିଲାନି ତାକୁ | ତାକୁ ଭଲ ଲାଗିବା ନ ଲାଗିବା ଏସବୁ କେହି ଗୁରୁତ୍ୱ ଦେଉନଥିଲେ ବରଂ ନିବେଦିତା ଆଣ୍ଟିଙ୍କ ପେଟରେ ହାତ ମାରି ଖୁସି ହେଉଥିଲେ |

ମା’ଙ୍କୁ ପଚାରିଲା ସେ – “ମା’ ! ଆଣ୍ଟିଙ୍କ କଣ ହୋଇଛି ? ସେ କିଛି କରୁନାହାନ୍ତି କାହିଁକି ? ତାଙ୍କ ପେଟ ଫାଟିଯିବନି ତ ?”

ମା’ ହସି ହସି କହିଲେ – “ନା ପୁଅ ସେ ଖୁବ୍ ଶୀଘ୍ର କିଛି କରିବେ |”

ଦିନେ ନିବେଦିତା ଆଣ୍ଟି ଅଙ୍କଲଙ୍କ ସହ ହଠାତ କୁଆଡେ ଉଭାନ ହୋଇଗଲେ | ତାଙ୍କ ଘର ବି ବନ୍ଦ ଥିଲା | ଗୋଟେ ସପ୍ତାହ ଏମିତି ଚାଲିଗଲା | ଦିନେ କଲିଂ ବେଲର ଶବ୍ଦରେ ମା’ କବାଟ ଖୋଲି ଦେଖନ୍ତି ତ ଯତୀନ ଅଙ୍କଲ ହାତରେ ଗୋଲଡେନ କେଶରୀ ପେଡ ପାକେଟ ଧରି ଦଣ୍ଡାୟମାନ | ତାଙ୍କ ମୁହଁ ଖୁସିରେ ଚିକ ଚିକ କରୁଥିଲା, ଯେମିତି ସେ କୌନ ବନେଗା କାରୋଡ଼ପତି ଶୋରେ ଜିତି କୋଟିପତି ଵନିଯାଇଛନ୍ତି ବା ଭାରତର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି |

“ବହୁତ ଅଭିନନ୍ଦନ ତୁମକୁ |” ଆଲିଙ୍ଗନ କଲେ ମା ଅଙ୍କଲଙ୍କୁ | ବାପା ବି |

“କଣ ଝିଅର ନାଁ?”

“ଅନ୍ୱି”

“ଖୁବ ସୁନ୍ଦର | ସ୍ୱାଗତମ !” ମରାଠୀରେ କହିଲେ ବାପା |

ସିନାମନ୍ କିଛି ବୁଝି ପାରୁନଥିଲା | କାହିଁକି ବାପା ଓ ମା ଅଙ୍କଲଙ୍କୁ ଅଭିନନ୍ଦନ ଜଣାଉଛନ୍ତି | ଏଥିପାଇଁ ଯେ, ଅନ୍ୱି ନିବେଦିତା ଆଣ୍ଟିଙ୍କ ପେଟରୁ ଜନ୍ମ ନେଇଛି | ଆଶ୍ଚର୍ଯ୍ୟ ବି ଲାଗୁଥିଲା ତାକୁ |

ପ୍ରାୟ ରବିବାର ଗୁଡିକରେ ମା’ ତା’ର ମୁଣ୍ଡରେ ଶୋରିଷ ତେଲରେ ମାଲିସ କରନ୍ତି | ବାପା କହନ୍ତି, ନଡ଼ିଆ ତେଲରେ ମାଲିସ କରିବାକୁ | ଶୋରିଷ ତେଲର କଡା ବାସ୍ନା ଭଲ ଲାଗେନି ତାକୁ | କିନ୍ତୁ ମାଲିସ ପରେ ଭଲ ଲାଗେ | ତାଜା ଲାଗେ | ପୁରୁଣା ଖବର କାଗଜ ବିଛେଇ ସେ ଚଟାଣରେ ବସି ଯାଏ ମାଲିସ ହେବାକୁ | ମା’ କହନ୍ତି ତେଲ ମାଲିସ ହେଲେ ରକ୍ତ ସଂଚାଳନ ଭଲ ହୁଏ ଓ ପିଲାମାନେ ବୁଦ୍ଧିମାନ ହୁଅନ୍ତି | ତୋର ଅଜା ଓ ଆଇ ଆମ ମାନଙ୍କ ମୁଣ୍ଡରେ ଜଡ଼ା ତେଲ ମାଲିସ କରୁଥିଲେ ଯାହା ବଡ ହେଲା ପରେ ଆମେ ଅନୁଭବ କଲୁ | ପିଲାମାନଙ୍କ ପାଇଁ ମାଲିସ ନିହାତି ଦରକାର|

ସିନାମନ୍ କଥାର ମୋଡ଼ ବଦଳେଇଲା | “ମା’ ଗୋଟେ ପ୍ରଶ୍ନ ପଚାରିବି?”

“ହଁ କହ|”

“ଅନ୍ୱି କଣ ନିବେଦିତା ଆଣ୍ଟିଙ୍କର ପେଟରୁ ବାହାରିଛି ? ଅନ୍ୟ ପିଲାମାନେ ବି ସେହି ପରି ତାଙ୍କ ମାଙ୍କ ପେଟରୁ ବାହାରନ୍ତି ? ତମେ ଓ ବାବା, ଆଇ ଓ ଜେଜେମାଙ୍କ ପେଟରୁ ?”

“ହଁ କଣ ହେଲା ?”

“କିନ୍ତୁ ମୁଁ ତ ଆସିନି….”

ତାର ପ୍ରଶ୍ନିଳ ଆଖି ମା’ଙ୍କ ପେଟ ଉପରକୁ ଚାଲିଗଲା | ହାତ ଭି ଉଠିଗଲା ସେଠାକୁ ଯନ୍ତ୍ର ଚାଳିତ ଭଳି | “ମୁଁ ତ ଏଠି ନଥିଲି|”

“ହଁ ପୁଅ | କଣ ହେଲା ସେଠୁ | ମୋ ପେଟରୁ ଜନ୍ମ ନହେଲେ କଣ ହେଲା, ତୁ ମୋ ମନରୁ ଜନ୍ମ ନେଇଛୁ | ତୁ ମୋ ମନରେ ଥିଲୁ ଓ ସବୁଦିନ ପାଇଁ ରହିବୁ | ତୁ ମୋର ମାନସ ପୁତ୍ର | ବଙ୍ଗାଳୀ ଭାଷାରେ ଟାଗୋରଙ୍କ ପଂକ୍ତି ଉଚ୍ଚାରଣ କଲେ ମା’|

“ତାହେଲେ ମୁ କାହା ପେଟରୁ ବାହାରିଛି?”

“ତୋ ନିଜ ମା’ଙ୍କର |” ମା ହସିଲେ|

ସିନାମନ୍ ନିଜ ପେଟକୁ ଚାହିଁଲା କିଛି ସମୟ| ଅନୁଭବ କଲା, ଶିଶୁ ଟିଏ ଅଛି ସେଠାରେ | ହାତ ଗୋଡ ହଲାଉଛି | “ଛି ……. ” ଘୃଣାରେ ବିକୃତ ହେଲା ମୁହଁ ତା’ର | “ମା’ ବହୁତ କଷ୍ଟ ହୁଏ ନା?” ହାଲ୍କା ଚିତ୍କାର କଲା ସେ |

“ହଁ ପୁଅ | ବହୁତ କଷ୍ଟ ହୁଏ | କିନ୍ତୁ ଶିଶୁଟିଏ ଜନ୍ମ ହେଲା ପରେ, ସେ କଷ୍ଟ ଗାଏବ ହେଇଯାଏ |”

କିଛି ସମୟ ଚୁପ ରହିଲା ସେ | ତାପରେ କହିଲା “ତୁମେ ଭାବିଲ ଦେଖି ମା ! ମୁଁ କେତେ ଭଲ…. ମୁଁ ଆସିଛି ତୁମ ପାଖକୁ ତୁମକୁ କୌଣସି କଷ୍ଟ ନ ଦେଇ |”

ସିନାମନର ନିରୀହ ଉତ୍ତରରେ ମା’ ତା’

ସିନାମନର ନିରୀହ ଉତ୍ତରରେ ମା’ ତାର ଗାଲକୁ ସ୍ନେହରେ ଚିପିଦେଲେ ଓ ପୁଣି ମୁଣ୍ଡରେ ତେଲ ମାଲିସ କରିବାରେ ଲାଗିଲେ |

ର ଗାଲକୁ ସ୍ନେହରେ ଚିପିଦେଲେ ଓ ପୁଣି ମୁଣ୍ଡରେ ତେଲ ମାଲିସ କରିବାରେ ଲାଗିଲେ |


ବିକାଶ ଯୋଶୀ ଜଣେ ଲେଖକ ଓ କମୁନିକେଶନସ୍ ପ୍ରଫେସନାଲ୍ । ଏଥିରେ ତାଙ୍କର ଆଠ ବର୍ଷର ଅଭିଜ୍ଞତା ରହିଛି । ବହୁତ କମ୍ ବୟସରୁ ସେ ଲେଖାଲେଖିରେ ଆଗ୍ରହ ଦେଖାଇ ଥିଲେ । ତାଙ୍କ ପ୍ରଥମ ଲେଖା ସେ ବିଦ୍ୟାଳୟରେ ଥିବା ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା । ପରେ ଲେଖାଗୁଡିକ ସହର, ରାଜ୍ୟ ଓ ଅନ୍ତର୍ରାଷ୍ଟୀୟ ସ୍ତରରେ ପ୍ରକାଶିତ ହେଇଥିଲା ଓ ସେ ସେଥିପାଇଁ ପୁରସ୍କୃତ ମଧ୍ୟ ହୋଇଥିଲେ । ତାଙ୍କ ଗଳ୍ପ ଗୁଡିକ ଅଠରଟି ଭାଷା ଓ ଚଉଦଟି ଦେଶରେ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *