ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ଏବଂ ଓଡ଼ିଆ ଜାତୀୟ ଅଭ୍ୟୁତ୍ଥାନର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀରମୋହନ ସେନାପତି । ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ତାଙ୍କର ଅଗ୍ରଣୀ ଭୂମିକା ଓଡ଼ିଆ ଜାତି ପକ୍ଷରେ ଚିରସ୍ମରଣୀୟ । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ବାଲେଶ୍ୱରର ମଲ୍ଲିକାଶପୁରଠାରେ ଫକୀରମୋହନ ଜନ୍ମ ହୋଇଥିଲେ । ଦେଢ଼ ବର୍ଷ ବୟସର ହୋଇଥିବା ବେଳେ ପିତାଙ୍କୁ ହରାଇଥିଲେ । କିଛି ଦିନ ପରେ ତାଙ୍କ ମାଆଙ୍କର ମଧ୍ୟ ପରଲୋକ ହୋଇଥିଲା । ଜେଜେମାଙ୍କ ନିକଟରେ ସେ ବଡ଼ ହୋଇଥିଲେ । ଆଠ ବର୍ଷ ବୟସ ପର୍ଯ୍ୟନ୍ତ ଫକୀରମୋହନ ବିଭିନ୍ନ ରୋଗରେ ଶଯ୍ୟାଶାୟୀ ଥିଲେ, ତେଣୁ ତାଙ୍କର ପାଠପଢ଼ା ବିଳମ୍ବରେ ଆରମ୍ଭ ହୋଇଥିଲା । ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚଳନ ପାଇଁ ଷଡ଼ଯନ୍ତ୍ର ଚାଲିଥିବାବେଳେ ଫକୀରମୋହନ ଅଣ୍ଟା ଭିଡ଼ି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାରେ ସଫଳ ହୋଇଥିଲେ । ଓଡ଼ିଆରେ ସରଳ ବ୍ୟାକରଣ, ଅଙ୍କମାଳା, ଭାରତବର୍ଷର ଇତିହାସ ଇତ୍ୟାଦି ଲେଖିଥିଲେ । ବାଲେଶ୍ୱରରେ ଛାପାଖାନା ବସାଇଥିଲେ । ସେ ଓଡ଼ିଆ ଗଳ୍ପର ଆଦିସ୍ରଷ୍ଟା ଭାବେ ପରିଚିତ । ଫକୀରମୋହନଙ୍କ ଲେଖାଗୁଡ଼ିକ ସ୍କୁଲରେ ପ୍ରଚଳିତ ହେବା ପରେ ଓଡ଼ିଆ ଭାଷା-ସାହିତ୍ୟ ଏକ ବିରାଟ ସଙ୍କଟରୁ ରକ୍ଷା ପାଇଥିଲା । ସେ ସମୟରେ ପ୍ରଚଳିତ ସଂସ୍କୃତାନୁରାଗୀ ଭାଷା ଶୈଳୀ ପରିତ୍ୟାଗ କରି ଫକୀରମୋହନ ଲୋକ-କଥିତ ସରଳ ଭାଷାରେ ବାସ୍ତବଧର୍ମୀ ଲେଖା ରଚନା କରିଥିଲେ । ତାଙ୍କଠାରୁ ନୂଆ ଗଦ୍ୟ ଶୈଳୀ ଏବଂ ଓଡ଼ିଆ ଉପନ୍ୟାସର ବିକାଶ ପର୍ବ ଆରମ୍ଭ ହୋଇଥିଲା । ସାହିତ୍ୟରେ ହାସ୍ୟରସ ସୃଷ୍ଟି ଓ ବ୍ୟଙ୍ଗାତ୍ମକ ରୀତିର ସେ ମୌଳିକ ସ୍ରଷ୍ଟା । ‘ଛ’ ମାଣ ଆଠଗୁଣ୍ଠ’, ‘ଲଛମା’, ‘ମାମୁଁ’ ଓ ‘ପ୍ରାୟଶ୍ଚିତ’ ତାଙ୍କର ପ୍ରସିଦ୍ଧ ଉପନ୍ୟାସ । ସେ ଓଡ଼ିଆ ଭାଷାର ପ୍ରଥମ ଆତ୍ମଜୀବନୀ ପୁସ୍ତକ- ‘ଆତ୍ମ-ଜୀବନ ଚରିତ’ ରଚନା କରିଥିଲେ । ଫକୀରମୋହନଙ୍କ ରଚିତ ବହୁ ଲୋକପ୍ରିୟ ଗଳ୍ପ ମଧ୍ୟରୁ ‘ରେବତୀ’, ‘ଡାକମୁନସୀ’, ‘ପେଟେଣ୍ଟ୍ ମେଡିସିନ’, ‘ରାଣ୍ଡୀ ପୁଅ ଅନନ୍ତା’, ‘ସୁନାବୋହୂ’, ‘ପାଠୋଇବୋହୂ’ ପ୍ରମୁଖ ଅନ୍ୟତମ । ଫକୀରମୋହନ ସଂସ୍କୃତ ରାମାୟଣ ଓ ମହାଭାରତର ପଦ୍ୟାନୁବାଦ କରିଥିଲେ । ତତ୍କାଳୀନ ସମାଜରେ ଦେଖାଦେଉଥିବା ଅନ୍ୟାୟ, ଅତ୍ୟାଚାର, ଅନ୍ଧବିଶ୍ୱାସ ଏବଂ ନାରୀ ଶିକ୍ଷା ପ୍ରତି ନକାରାତ୍ମକ ମନୋଭାବ ବିରୋଧରେ ସେ ଅନେକ ଲେଖା ରଚନା କରିଯାଇଛନ୍ତି । ୧୯୧୮ ଜୁନ୍ ୧୪ ତାରିଖରେ କାଳଜୟୀ କଥାସମ୍ରାଟ ଫକୀରମୋହନ ସେନାପତି ଇହଜଗତ୍ ତ୍ୟାଗ କରିଥିଲେ ।