ସାତ ଆଠ ଥର ଚେଷ୍ଟା କଲାପରେ ରାଜି ହୋଇଥିଲେ ବାପା !
ମା’ ତ ଆଗରୁ ରାଜି ହୋଇ ସାରିଥିଲେ ଏଣୁ ଆଉ କୌଣସି ପ୍ରତିବନ୍ଧକ ନ ଥିଲା ! ବହୁତ ଖୁସି ଥିଲା ଅନୁଭବ !
ସକାଳୁ ସକାଳୁ ବାହାରିଥିଲେ ସେମାନେ !
ନିଜର ଫ୍ଲାଟ, ସେ ଫ୍ଲାଟରୁ ଦେଖା ଯାଉଥିବା ସମୁଦ୍ର,ସେଇ ସମୁଦ୍ରରୁ ଭାସି ଆସୁଥିବା ଥଣ୍ଡା ଥଣ୍ଡା ପବନ ଆଉ ସେ ପବନରେ ଭରି ରହିଥିବା ଔଷଧୀୟ ଗୁଣ ବିଷୟରେ ବର୍ଣନା କରୁ କରୁ ଗାଡି ଚଳାଉଥିଲା ସେ !
ଚୁପଚାପ ଶୁଣୁଥିଲେ ବାପା ! ପ୍ରାୟତଃ ଗମ୍ଭୀର ରହୁଥିଲେ ସେ ହେଲେ ମା’ ତାଙ୍କୁ ଚିମୁଟି ଦେଇ ଗୋଟିଏ ରକମର ହସିବା ପାଇଁ ଯେମିତି ବାଧ୍ୟ୍ୟ କରୁଥିଲା ! ମଝିରେ ମଝିରେ ହସି ଦେଉଥିଲେ ସେ । ହେଲେ ଭାରି ଉତ୍ସାହିତ ଥିଲେ ମା’ !
ବାରମ୍ବାର ପଚାରୁଥିଲେ,
“ଘରଠୁ ମନ୍ଦିର କେତେଦୂର ବାବୁ ! ସକାଳ ସଞ୍ଜ ଆରତି ହୁଏ ତ ?
ହଁ ମା’, ଆଉ କେତେ କେତେ ଲୋକ ଜମା ହୁଅନ୍ତି ଚାଲ ଦେଖିବୁ ଚାଲ “ଖୁସିରେ କହୁଥିଲା ଅନୁଭବ !
ଗାଡି ସହରକୁ ଛୁଇଁ ସାରିଥିଲା !
ଅନୁଭବର ଉତ୍ସାହ ବି ସେମିତି ବଢ଼ି ଚାଲିଥିଲା ! ରାସ୍ତା କଡ଼କୁ ଲାଗିଥିବା ପାର୍କକୁ ଦେଖେଇ କହୁଥିଲା
“ବାପା, ତୁମେ ଏଇଠିକୁ ଆସିବ ! ବହୁତ ସିନିଅର ଲୋକ ଆସନ୍ତି ! ଏଇ ପାଖରେ ଚା ଦୋକାନ ବି ଅଛି !
ଏକ ବିରାଟ ଚାରି ମହଲାବିଶିଷ୍ଟ ଘର ସାମ୍ନାରେ ଅଟକିଥିଲା ଗାଡି ! ଏମାନଂକୁ ସେଇଠି ଆଗରୁ ଅପେକ୍ଷା କରିଥିଲା ବୋହୁ ଅର୍ଚନା ! ଭାରି ଗହଗହ ହୋଇ ଘରକୁ ପାଛୋଟି ନେଇଥିଲେ ସେମାନେ !
ଜାଣି ଜାଣି ପଛେଇ ଯାଇ ଘରକୁ ଭଲରୂପେ ନିରୀକ୍ଷଣ କରୁଥିଲେ ବାପା ! ଉତଫୁଲିତ ମା’ ବି ସାମାନ୍ୟ ପଛେଇ ଯାଇ କହିଥିଲେ
କଣ ଏମିତି ହେଉଛ? ସାତ ବର୍ଷପରେ ପଛେ ହେଉ ପୁଅ ଘରକୁ ଫେରିଲା! ଆମକୁ କେତେ ଆଦରରେ ଡାକି ଆଣିଲା ! ଆଉ କଣ ଦରକାର ତୁମକୁ ?
-ଭଗବାନ କରନ୍ତୁ ଯାହା ଦେଖା ଯାଉଛି ସବୁ ସତ ଥାଉ !
ଅଳ୍ପ ହସିଦେଇ କହିଥିଲେ ବାପା ଶଶାଙ୍କ ବାବୁ ହେଲେ ତାଙ୍କ ଉତ୍ତର ଯେମିତି ଉତ୍ତେଜିତ କରିଦେଉଥିଲା ! ସାମାନ୍ୟ ରାଗିଯାଇ ମା’ କହିଥିଲେ
“ତୁମେ ସବୁବେଳେ ଖରାପ ଚିନ୍ତା କର ବୋଲି ତୁମସହ ସବୁ ଖରାପ ହିଁ ହୁଏ ! ମୋତେ ତ ଏବେ ଲାଗୁଛି ଏ ବାପପୁଅ ଝଗଡାରେ ସବୁ୍ଦୋଷ ତୁମର ହିଁ ଥାଏ !
ଯେମିତି ଅଶୁଣା ହୋଇଯାଇଥିଲା କଥା ସବୁ ! ନୀରବ ରହିଥିଲେ ଶଶାଙ୍କବାବୁ !
ସବୁକିଛି ସାମାନ୍ୟ ଥିଲା !,ପ୍ରତିଦିନ ସକାଳୁ ସକାଳୁ ଆସିଯାଉଥିଲା ଅନୁଭବ ! ବାପାଙ୍କ ସହ ବାଲକୋନୀରେ ବସି ଚା’ ପିଉଥିଲା ସେ ! ତିନିଦିନ ମାତ୍ର ହୋଇଥିଲା ! ଆଉ ଏଇ ତିନିଦିନରେ ତିରିଶ ଥର କହିଥିଲା
“ବାପା, ଏଇ ତଳ ଫ୍ଲାଟଟା ଖାଲି ଅଛି ! ଆମେ ଭାବୁଛୁ ତାକୁ ନେଇଯିବା ପାଇଁ ! ! ଏଇ ଉପରଟାକୁ ଭଡାରେ ଦେଇ ଆମେ ତଳକୁ ଚାଲିଯିବା ! ଗାଁରେ ଆଉ କ’ଣ ଅଛି ?
ତଳଟା ନେଲେ ସାମ୍ନାରେ କିଛି ଜାଗା ମିଳିଯିବ ! ଏକ ଛୋଟ ବଗିଚା ହୋଇପାରିବ ! ଗଛପତ୍ର ଅର୍ଚନାର ଭାରି ପସନ୍ଦ ତ !
ହଁ, ହଁ କହୁଥିଲେ ଶଶାଙ୍କବାବୁ ! ଖୁସି ହେଉଥିଲା ଅନୁଭବ କିନ୍ତୁ ହଠାତ କ’ଣ ହେଲା କେଜାଣି ମାତ୍ର ଚାରିଦିନ ପରେ ବାପା ଜିଦ କଲେ ଗାଁକୁ ଫେରିଯିବା ପାଇଁ ! ଜିଦ୍ କଲେ ମାନେ ରୀତିମତ ନିଷ୍ପତ୍ତି ଶୁଣାଇ ଦେଲେ ସେ ! ସବୁ ବୁଝାସୁଝା ବେକାର ହୋଇଥିଲା ! ନିରୁପାୟ ହୋଇ ରାଜି ହୋଇଥିଲେ ମା’ !
କିଂକର୍ତ୍ତବ୍ୟବିମୁଢ଼ ହୋଇ ରାଜି ହୋଇଥିଲା ଅନୁଭବ !
ଗାଁରେ ପହଞ୍ଚିଲା ପରେ ଯାଇ ଶାନ୍ତିରେ ନିଶ୍ୱାସ ମାରିଥିଲେ ବାପା ! ଯାଇକି ବସି ପଡିଲେ ପିଣ୍ଡାରେ ପଡ଼ିଥିବା ଚୌକିରେ !
ମାଆଙ୍କ ବାରମ୍ବାର ଅନୁରୋଧ ପରେ ବି ଘରେ ଖାଇକି ଯିବାକୁ ରାଜି ହୋଇ ନଥିଲା ଅନୁଭବ !
ଫେରୁଥିଲା ସେ ! ବାପାଙ୍କୁ ନମସ୍କାରଟିଏ କରିବା ପାଇଁ ବି ବୋଧେ ଇଛା ହେଉ ନଥିଲା ତାର !
ବ୍ୟସ୍ତ ହେଉଥିଲେ ମାଆ ହେଲେ ମୁରୁକି ହସା ଦେଉଥିଲେ ବାପା ! ଅନୁଭବକୁ ପାଖକୁ ଡାକି କହିଥିଲେ
“ବାବୁ ମୁଁ ତୋତେ ସ୍ୱପ୍ନ ଦେଖିବାକୁ ଯୋଗ୍ୟ କରିଛି ! ଏଣୁ ତୁ ସ୍ୱପ୍ନ ଦେଖ ! ମନା ନାହିଁ ହେଲେ ତୋ ସ୍ୱପ୍ନରେ ମୋତେ ଭାଗିଦାର କରନି !
ଏଇ ସାତବର୍ଷରେ ଆମେ ସ୍ୱପ୍ନ ଦେଖିବା ଭୁଲି ସାରିଲୁଣି !ବିନା ସ୍ୱପ୍ନରେ ବଞ୍ଚିବା ଆମର ଅଭ୍ୟାସ ହୋଇଗଲାଣି ! ଆମକୁ ସେମିତି ବଞ୍ଚିବାକୁ ଦେ !
ତୋ ପାଇଁ ସିନା ଏଇଠି କିଛି ନାହିଁ କିନ୍ତୁ ଆମ ପାଇଁ ଅଛି!ସେଇଥିପାଇଁ ତ ବଂଚିରହିଛୁ ଆମେ !
ଚୁପଚାପ ଶୁଣୁଥିଲା ଅନୁଭବ ! ସେଇଠୁ ହାତ ଯୋଡିଦେଇ ଗାଡ଼ିରେ ବସିଗଲା ସେ !
ଗାଡି ଚାଲିଯାଉଥିଲା ! ଶାଢ଼ୀକାନି ଭିଜି ଚାଲିଥିଲା କିନ୍ତୁ ଲୁହକୁ ଜୋର ଜବରଦସ୍ତ ଅଟକାଇ ଶଶାଙ୍କବାବୁ ଚାହିଁରହିଥିଲେ ଗାଡିର ଯିବାବାଟକୁ ଯେମିତି ମନେ ମନେ କହୁଥିଲେ
“ତୁ ଯାହା ହେଲେ ବି ପୁଅ ଆଉ ମୁଁ ତୋ ବାପା “”
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!