ପ୍ରିୟଦର୍ଶିନୀ ସ୍ଵାଇଁ ଓ ଲାଲଟେନ୍ଦୁ କବି

ଭାଗ-୧

କବିତା :

ବର୍ଣ୍ଣ ଓ ଅକ୍ଷରର ଶୃଙ୍ଖଳାରେ ବାରମ୍ବାର ସମାନ ଶୈଳୀରେ ଉଚ୍ଚାରଣ ଯୋଗ୍ୟ କୁଶଳ ରଚନାକୁ କବିତା କୁହାଯାଏ । ଏକାପ୍ରକାର ବର୍ଣ୍ଣ ବିନ୍ୟାସରୁ ବୃତ୍ତ ବା ଚକ୍ର ପରି ପୁନଃପୁନଃ ଏକାପ୍ରକାର ଧ୍ଵନି ନିଷ୍ପନ୍ନ ହେଉଥିବାରୁ କବିତା ପଠନକୁ ଆବୃତ୍ତି ମଧ୍ୟ କୁହାଯାଏ ।

(ତଥାକଥିତ ‘ଗଦ୍ୟ କବିତା’ର ରଚନାରେ ଶୃଙ୍ଖଳିତ ପଦ କି କୌଣସି ଏକା ପ୍ରକାର ଧ୍ଵନିର ପୁନରାବୃତ୍ତି ପ୍ରତି ଧ୍ୟାନ ଦିଆ ଯାଇନଥିବାରୁ ଏ ଗୁଡ଼ିକର ପଠନରେ ଆବୃତ୍ତି ଅସମ୍ଭଵ । ଅଜ୍ଞ “ଆଧୁନିକ କବି”ମାନେ ଶବ୍ଦାର୍ଥ ଜାଣି ନ ଥିବାରୁ ‘ଗଦ୍ୟ କବିତା’ ପଠନକୁ ବି ‘ଆବୃତ୍ତି’ କହି ଦେଉଛନ୍ତି ।)

୧- ତୁମକୁ ମୁଁ ବ୍ୟଥିତ ହୃଦୟରେ ବହୁତ ଖୋଜିଛି ।

୨- କିନ୍ତୁ ତୁମର ଦେଖାର ତ କଥା ଛାଡ଼, ଅଵସ୍ଥିତି ମଧ୍ୟ ଜାଣିହେଲା ନାହିଁ‌ ।

ଉପରୋକ୍ତ ଦୁଇଟି ବାକ୍ୟରେ ବର୍ଣ୍ଣବିନ୍ୟାସର କୌଣସି ସମାନତା କି ତାଳମେଳ ନାହିଁ । ଏହା କବିତା ନୁହେଁ, ଗଦ୍ୟ । ଏହି ନ୍ୟାୟରେ ଆଜି ଗଦ୍ୟ କବିତା ନାମରେ ପରିଚିତ ଲେଖାରୁ ପ୍ରାୟ କୌଣସିଟି କବିତା ପଦବାଚ୍ୟ ନୁହେଁ, ଏଗୁଡ଼ିକୁ ଖଣ୍ଡଗଦ୍ୟ କି କ’ଣ କୁହାଯାଇପାରେ ।

ଛନ୍ଦ :

ଯେଉଁ ରଚନାରେ ମାତ୍ରା ଓ ବର୍ଣ୍ଣସମୂହର ଵିଶେଷ ବ୍ୟବସ୍ଥା ଦ୍ଵାରା ସଂଗୀତାତ୍ମକ ଲୟ ଓ ଗତିର ଯୋଜନା ରହିଥାଏ, ତାକୁ ଛନ୍ଦ କହନ୍ତି । ଆଚାର୍ଯ୍ୟ ପିଙ୍ଗଳଙ୍କ ‘ଛନ୍ଦସୂତ୍ର’ ହେଲା ଛନ୍ଦ ବିଜ୍ଞାନର‌ ଆଦିଗ୍ରନ୍ଥ । ତେଣୁ ଛନ୍ଦ ଶାସ୍ତ୍ରକୁ ପିଙ୍ଗଳ ଶାସ୍ତ୍ର ମଧ୍ୟ କହାଯାଏ । ନିମ୍ନସ୍ଥ ୮ଟି ବିଷୟ ଛନ୍ଦର ସଂଘଟକ ତତ୍ତ୍ଵ ଅଟନ୍ତି ।

ସମ ଓ ବିଷମ –

ପ୍ରତ୍ୟେକ ଛନ୍ଦରେ କିଛି ପଂକ୍ତି ଥାଏ ଓ ଏ ସବୁରେ ସମାନ ବର୍ଣ୍ଣ ଓ ମାତ୍ରା ଥାଏ ।

ଚରଣ ବା ପାଦ –

ଏହି ପଂକ୍ତିଗୁଡିକୁ ଛନ୍ଦର ଚରଣ ବା ପାଦ କୁହାଯାଏ । ଏଥିରୁ ପ୍ରଥମ ଓ ତୃତୀୟ ଚରଣକୁ ବିଷମ ତଥା ଦ୍ଵିତୀୟ ଓ ଚତୁର୍ଥ ଚରଣକୁ ସମ କହନ୍ତି ।

ବର୍ଣ୍ଣ ଓ ବର୍ଣ୍ଣମାଳା –

ଧ୍ଵନିର ମୂଳ ଏକକକୁ ବର୍ଣ୍ଣ ଓ ବର୍ଣ୍ଣଗୁଡିକର ସୁବ୍ୟବସ୍ଥିତ ସମୂହକୁ ବର୍ଣ୍ଣମାଳା କୁହାଯାଏ । ଛନ୍ଦ ଶାସ୍ତ୍ରରେ ଏହି ବର୍ଣ୍ଣ ୨ ପ୍ରକାରର,

ଯଥା ଲଘୁ ଓ ଗୁରୁ ।

ମାତ୍ରା –

ଅକ୍ଷରଗୁଡିକୁ ଉଚ୍ଚାରଣ କରିବାରେ ଯେଉଁ ସମୟ ଲାଗେ ତାକୁ ମାତ୍ରା କୁହାଯାଏ । ହ୍ରସ୍ଵ ସ୍ଵରର ଏକ ଓ‌ ଦୀର୍ଘ ସ୍ଵରର ମାତ୍ରା ଦୁଇ ଧରା ଯାଏ ।

କ୍ରମ –

ବର୍ଣ୍ଣ ବା ମାତ୍ରାଗୁଡିକର ବ୍ୟବସ୍ଥାକୁ କ୍ରମ କୁହାଯାଏ ‌। କ୍ରମ ଭାଙ୍ଗି ଦେଲେ ବିଭ୍ରାଟ ହୁଏ । ଯେ‌ ପରି କି ‘ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ’କୁ ‘ସଞ୍ଜୟ ମାମକାଃ ଚ ଏବ ପିଣ୍ଡବାଃ ଆକୁର୍ବତ କିମ୍’ କରି ଦେଲେ ବ୍ୟବସ୍ଥିତ ବର୍ଣ୍ଣଗୁଡିକ ଇତସ୍ତତଃ ହେଇ କ୍ରମ ନଷ୍ଟ ହେବ ଓ ପଠନରେ ବହୁ ସମସ୍ୟା ହେଇ ଯିବ ।

ଯତି –

ଛନ୍ଦର ପଠନବେଳେ ମଧ୍ୟେ ମଧ୍ୟେ କିଛି କିଛି ବିରତି ବା ବିରାମ ନେବାକୁ ପଡ଼େ । ଏହି ବିରାମ ସ୍ଥଳଗୁଡିକର ନାମ ଯତି । ପ୍ରତି ଚରଣର ଅନ୍ତରେ ନିଶ୍ଚିତ ଯତି ବ୍ୟତୀତ ଅନ୍ୟତ୍ର ମଧ୍ୟ କେତେକ ଛନ୍ଦରେ ଯତି ନିର୍ଦ୍ଧାରିତ ଥାଏ । ଯତିପାତ କୌଣସି ଶବ୍ଦ ଉପରେ ନପଡିବାକୁ ଦୃଷ୍ଟିରେ ରଖି କବିତା ଲେଖିବାକୁ ହେବ ।

ଗତି –

ଛନ୍ଦ ପଠନ କାଳରେ ମାତ୍ରାଗୁଡିକ ନାତିଦୀର୍ଘ ଅଥବା ଦୀର୍ଘ ହେବା ହେତୁ ଯେଉଁ ବିଶେଷ ଲହରୀ ବି ପ୍ରବାହ ଉତ୍ପନ୍ନ ହୁଏ ତାହାର ନାମ ଗତି ବା ଲୟ ।

ଆନ୍ତ୍ୟ ମିଳନ (ମିତ୍ରାକ୍ଷର ଓ ଉପଧା) –

ପ୍ରତ୍ୟେକ ପାଦ ଶେଷସ୍ଥ ଅକ୍ଷରର ବ୍ୟଞ୍ଜନ ତଥା ସ୍ଵର ବର୍ଣ୍ଣର ସମତା ଥିଲେ ଛନ୍ଦ ମିତ୍ରାକ୍ଷର ହୁଏ । ଶେଷ ଅକ୍ଷରର ପୂର୍ବସ୍ଥ ଅକ୍ଷରର ସ୍ଵରବର୍ଣ୍ଣରେ ସମାନତାର ନାମ ଉପଧା ।‌ ଉଦାହରଣ:-

“କରି କରାଉ ଥାଏ ମୁହିଁ     ମୋ ବିନୁ ଆନ ଗତି ନାହିଁ ।”  ଓ

“ପ୍ରଭୁଙ୍କ ନାମ ଉଚ୍ଚାରଣ      କର ହେ ନରନାରୀ ଗଣ ।”

ଏ ଉଭୟ ପଦରେ ଉଭୟ ପାଦର ଶେଷ ଅକ୍ଷରର ବ୍ୟଞ୍ଜନ ତଥା ସ୍ଵର ବର୍ଣ୍ଣରେ ମେଳ ଥିବାରୁ ଉଭୟ ପଦ ମିତ୍ରାକ୍ଷର । ତେବେ ପ୍ରଥମଟିରେ : ମୁହିଁ’ର ‘ମୁଁ’ରେ ‘ଉ’ ଏଵଂ ‘ନାହିଁ’ର ‘ନା’ରେ ଆ ଥିବାରୁ ଏଥିରେ ଉପଧା ମିଳନ ହେଇନାହିଁ । ଦ୍ଵିତୀୟ ପଦଟିର ‘ଉଚ୍ଚାରଣ’ର ର ଓ ‘ଗଣ’ର ‘ଗ’ରେ ସମାନ ସ୍ଵରବର୍ଣ୍ଣ ‘ଅ’ ଥିବା ହେତୁ ଏଥିରେ ଉପଧା ମିଳନ ମଧ୍ୟ ଘଟିଛି । ଆନ୍ତ୍ୟ ମିଳନକୁ ହିନ୍ଦୀରେ ‘ତୁକ’ କହୁଛନ୍ତି ।  

ଲଘୁ ଓ ଗୁରୁ ବର୍ଣ୍ଣ –

ବର୍ଣ୍ଣ ବିଚାରରେ ସ୍ଵରବର୍ଣ୍ଣ ଗୁଡ଼ିକୁ ଲଘୁ ବା ଗୁରୁ କହାଯାଏ ।

ଉଚ୍ଚାରଣ କାଳ ଏକ ଏକକ (one unit) ହେଇଥିଲେ ଲଘୁବର୍ଣ୍ଣ ଓ ଦୁଇ ଏକକ ହୋଇଥିଲେ ଗୁରୁବର୍ଣ୍ଣ  କହାଯାଏ ।

ଗୁରୁବର୍ଣ୍ଣ –

ସମସ୍ତ ଦୀର୍ଘସ୍ୱର ସର୍ବଦା ଗୁରୁବର୍ଣ୍ଣ । ଯଥା:- ଆ,ଈ,ଊ,ୠ,ଏ,ଐ,ଓ,ଔ (ମୋଟ ୮ଟି) ।

ଲଘୁବର୍ଣ୍ଣ –

ଅ,ଇ,ଉ,ଋ ଏବଂ ଌ – ଏହି ହର୍ଷ ସ୍ଵରଗୁଡିକ (ମୋଟ ୫ଟି) ମୂଳତଃ ଓ ସାଧାରଣତଃ ଲଘୁବର୍ଣ୍ଣ ‌।

କିନ୍ତୁ ହର୍ଷ ସ୍ୱର ମଧ୍ୟ ଗୁରୁବର୍ଣ୍ଣରେ ଗଣ୍ୟ ହୁଏ ଯେତେବେଳେ କି –

୧) ଏଥିରେ ବିସର୍ଗ କିମ୍ବା ଅନୁସ୍ଵାର ଯୋଗ ହୁଏ ବା

୨) ଏହାର ପରବର୍ତ୍ତୀ ବର୍ଣ୍ଣ ଯୁକ୍ତାକ୍ଷର ହୋଇଥାଏ ।

ସ୍ମରଣଯୋଗ୍ୟ – ବ୍ୟଞ୍ଜନବର୍ଣ୍ଣର ମାତ୍ରା ନ ଥାଏ ।

ସଂକେତରେ ଲେଖିଲା ବେଳେ ଲଘୁ ବର୍ଣ୍ଣ ପାଇଁ ୧ ଓ ଗୁରୁ ବର୍ଣ୍ଣ ପାଇଁ ୨ ଲେଖା ହୁଏ ।

ବାର୍ଣ୍ଣିକ ଛନ୍ଦ –

ବାର୍ଣ୍ଣିକ ଛନ୍ଦ କାବ୍ୟର ପ୍ରତ୍ୟେକ ପାଦର ଲଘୁ ଓ ଗୁରୁବର୍ଣ୍ଣ କ୍ରମ ବା ସ୍ଥାନ ପୂର୍ବରୁ ନିର୍ଦ୍ଧାରିତ (pre-defined) ଥାଏ । ତେବେ ପାଦର ଶେଷକୁ ଗୁରୁ ବର୍ଣ୍ଣ ସ୍ଥାନରେ ଲଘୁ ବର୍ଣ୍ଣ ଲେଖି ଦେଲେ ତାକୁ ଗୁରୁ ବର୍ଣ୍ଣ ବୋଲି ଗ୍ରହଣ କରା ଯାଇପାରିବ ।

ମାତ୍ରିକ ଛନ୍ଦ –

ମାତ୍ରିକ ଛନ୍ଦର ବର୍ଣ୍ଣ ଶୃଙ୍ଖଳାରେ କିଛି ଉଦାରତା ଅଛି । କିନ୍ତୁ ଏଥିରେ ମଧ୍ୟ ପ୍ରତ୍ୟେକ ପାଦର ମୋଟ ମାତ୍ରା ସଂଖ୍ୟା  ଓ ଯତି, ଗତି ବିଚାର ଆଦି ମାନିବାକୁ ପଡେ ।

ଗଣ:-

ଗଣ କହିଲେ ୩ଟି ଲେଖା ଅକ୍ଷରର ସମାହାରକୁ ବୁଝାଏ । ଯେହେତୁ ଵର୍ଣ୍ଣ ମାତ୍ର ୨ ପ୍ରକାର, ଲଘୁ ଓ ଗୁରୁ,  ତେଣୁ ଗଣ ମୋଟ ୮ ପ୍ରକାର ସମ୍ଭଵ ଓ ଏଗୁଡିକର ନାମକରଣ ହେଇଛି । ଏହି ୮ଟି ଗଣ ହେଲା:-

ଗଣନାମ  ‌ ବର୍ଣ୍ଣକ୍ରମ

ନଗଣ       ୧୧୧

ସଗଣ       ୧୧୨

ଜଗଣ       ୧୨୧

ୟଗଣ       ୧୨୨

ଭଗଣ       ୨୧୧

ରଗଣ       ୨୧୨

ତଗଣ       ୨୨୧

ମଗଣ       ୨୨୨

ଏଗଡିକୁ [।] ଦେଇ ଲଘୁ ଓ [s] ଚିହ୍ନ ଦେଇ ଗୁରୁବର୍ଣ୍ଣ  ବୋଲି ମଧ୍ୟ ଦର୍ଶେଇ ଦେବାର ପରମ୍ପରା ଅଛି । ଏବେ ଏବେ ଲାଟିନ୍ ଲିପିରେ S ଲେଖି ଲଘୁ (short) ଏଵଂ L ଲେଖି ଗୁରୁ (long) ବୋଲି ମଧ୍ୟ ଦର୍ଶା ଯାଉଛି ‌।

ପ୍ରିୟଦର୍ଶିନୀ ସ୍ଵାଇଁ, ନେମ୍ବରା, କେନ୍ଦ୍ରାପଡ଼ା,ମୋ- ୭୭୩୫୪୨୨୭୨୫, ଇ-ମେଲ୍-priyadarshiniswain2001@gmail.com

ଲାଲଟେନ୍ଦୁ କବି, ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରୀ ହେବା ପରଠାରୁ (ପ୍ରାୟ ତିନି ବର୍ଷ ତଳେ) ମୋ ମନରେ ଓଡ଼ିଆ ସାହିତ୍ୟକୁ ନେଇ ଅହେତୁକ ପ୍ରେମ ଜାଗ୍ରତ ହୁଏ । ଅନେକ ଲେଖକ/ଲେଖିକା, କବି, ସମାଲୋଚକଙ୍କ ରଚନା ଅଧ୍ୟୟନ କରି ମୋର ମନେହୁଏ ଯେ,  ଓଡ଼ିଆ ସାହିତ୍ୟର ବହୁତ କଥା ଅଛି ଯାହା କି ଏବେ ଲୋକଲୋଚନକୁ ଆସିପାରି ନାହିଁ । ଏହି ଅଧ୍ୟୟନ ହିଁ ମୋତେ ପ୍ରେରଣା ଦିଏ ୨୦୧୯ରେ ପ୍ରଥମେ ଲେଖିବାକୁ । ଏଯାବତ୍ ୩ଟି କବିତା, ଏକ କ୍ଷୁଦ୍ରଗଳ୍ପ ଏବଂ ଦୁଇଟି ପ୍ରବନ୍ଧ ଲେଖିଛି । ମୋ ମହାବିଦ୍ୟାଳୟ ବାର୍ଷିକ “ଶାଶ୍ୱତ” ପତ୍ରିକାରେ ଏକ କବିତା ଓ  କ୍ଷୁଦ୍ରଗଳ୍ପ ଏବଂ ଦୈନିକ “ସକାଳ” ସମ୍ବାଦପତ୍ରରେ ଏକ ପ୍ରବନ୍ଧ ପ୍ରକାଶିତ ମଧ୍ୟ ହୋଇଛି । ( ପ୍ରିୟଦର୍ଶିନୀ ସ୍ଵାଇଁ )

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ । ( ଲାଲଟେନ୍ଦୁ କବି )

Related Posts

Leave a Reply

Your email address will not be published. Required fields are marked *