ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ଵର : ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ଏକାଦଶ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ନନ୍ଦିଘୋଷ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସମାଜରେ ବିଭିନ୍ନତା ମଧ୍ୟରେ ଭାଗ ଭାଗ ହେଉଥିବା ସମସ୍ତଙ୍କୁ ସାହିତ୍ୟ ଏକାଠି କରି ଯୋଡ଼ିଥାଏ । ସର୍ବକାଳୀନ ସମୂହ ହିତ ପାଇଁ ସାହିତ୍ୟ ଆହ୍ଵାନ ଦିଏ । ଓଡ଼ିଶାରେ ସବୁ ଘର ସାହିତ୍ୟଘର ହୋଇଯିବା ପାଇଁ ଏହା ଏକ ସଫଳ ପରିକଳ୍ପନା । ଓଡ଼ିଶାର ଭାଷାସାହିତ୍ୟ, ସଂସ୍କୃତି ଜଗତର ହିତ ଉଦ୍ଦେଶ୍ୟରେ ‘ସମ୍ବାଦ ସାହିତ୍ୟଘର’ର ୩୭୨ ଟି ଶାଖାରେ ହଜାର ହଜାର ସଂଖ୍ୟାରେ କବି, କବୟତ୍ରୀ, ସାହିତ୍ୟିକ ଓ ଭାଷାପ୍ରେମୀ ସାହିତ୍ୟ ମାଧ୍ୟମରେ ଯୋଡ଼ି ହୋଇ ପାରିଛନ୍ତି । ଯୁବପିଢି ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ଯୋଡ଼ି ହେବା ସହ ସାହିତ୍ୟିକ, କବିମାନଙ୍କର ଭଲମନ୍ଦର ସ୍ପଷ୍ଟ ମତ ରହିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ମୁଖ୍ୟବକ୍ତା ସ୍ତମ୍ଭକାର ତଥା ସାହିତ୍ୟିକ ଦାଶ ବେନହୁର କହିଲେ ଯେ ସାହିତ୍ୟକୁ ନେଇ କିଛି ସ୍ୱାର୍ଥ ନଥାଏ । ସାହିତ୍ୟ ଚିରନ୍ତନ ମୂଲ୍ୟବୋଧର ଉପାସକ । ଯେଉଁଠି ଚିରନ୍ତନ ମୂଲ୍ୟବୋଧ ଅଛି ସେଠି ସାହିତ୍ୟର ପ୍ରସାର ଘଟିଛି । ସାହିତ୍ୟର ପ୍ରସାର ଘଟିଲେ ସମାଜରେ ଶୃଙ୍ଖଳା ଓ ଆନନ୍ଦ ଆସିବ । ଅନ୍ୟତମ ଅତିଥି ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ତାଙ୍କ ବକ୍ତବ୍ୟରେ ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବର୍ଷସାରା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଉତ୍ସାହର ସହିତ କରୁଥିବାରୁ ପ୍ରଶଂସା କରିଥିଲେ । ‘ସମ୍ବାଦ ସାହିତ୍ୟଘର’ ଭାଷା ଓ ସାହିତ୍ୟ ବାଣ୍ଟିବା ପାଇଁ ଏକାଠି ହେବା ସହିତ ସୁସ୍ଥ ସମାଜ ପାଇଁ ନିଶା ନିବାରଣ, ସୁସ୍ଥ ପରିବେଶ ପାଇଁ ଉତ୍ତର ପିଢିକୁ ଏକ ସବୁଜ ବଳୟର ଉପହାର ଦେବା ପାଇଁ ବୃକ୍ଷରୋପଣ ଜାରି ରଖିଚି । ଏହାମଧ୍ୟରେ ରାଜ୍ୟରେ ୭ ଲକ୍ଷରୁ ଅଧିକ ବୃକ୍ଷରୋପଣ କରଗଲାଣି । ଆମ ଭାଷା ଓ ସାହିତ୍ୟକୁ ଅଧିକ ବ୍ୟାପ୍ତ କରିବା ଲକ୍ଷ୍ୟ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟ ‘ସମ୍ବାଦ ସାହିତ୍ୟଘର’ ଶାଖା କାର୍ଯ୍ୟ କରୁଛି ବୋଲି ସେ କହିଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଐତିହାସିକ ରବୀନ୍ଦ୍ର ପରିଡ଼ା, ନନ୍ଦିଘୋଷର ଉପସଭାପତି ହରିବନ୍ଧୁ ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ ଏକାଦଶ ବାର୍ଷିକ ମୁଖପତ୍ର ‘ସମ୍ଭାବନା’ ଓ ‘ଇନ୍ଦ୍ରଧନୁ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *