ରାଜେଶ କୁମାର ତ୍ରିପାଠୀ

ଯୁଦ୍ଧ ଆମ ଦେଶରେ ଅବା ଯୁଦ୍ଧମୁହାଁ ଦେଶରେ ଆମେ
ପ୍ରଶ୍ନ କଲା ବୁଢ଼ୀମା’, ଟିଭିରେ ଯୁଦ୍ଧ ଖବର ଶୁଣିଛି ଏବେ
କହିଲି ଦୁଇଟି ଯାକ ପ୍ରସଙ୍ଗ ସମାନ ଆମ ପାଇଁ ଲୋ ବୋଉ
ଅପେକ୍ଷିତ ମିସାଇଲ ମାଗିବନି ନାଗରିକ ପ୍ରମାଣ ପତ୍ର ॥

ଗୁଳି, ବାରୁଦ ଆଉ ବନ୍ଧୁକ ମୁନ…..ଏସବୁ ପା ସ୍ଥିତପ୍ରଜ୍ଞ
ତୁ ବରଂ ଆସ, ଶେଷଥର ପାଖରେ ବସିବା ଆଉ କାନ୍ଦିବା
ବୁଢ଼ୀମା କୁହେ, ବାବୁ ! ଛୁଆ ସ୍କୁଲରେ, ବୋହୂ ବଜାର ଯାଇଛି ଯେ
ମୁଁ କହିଲି, ବାପାଙ୍କ କଥା କହିଲୁନି ସିଏ ବି ବାହାରେ ପା’ ॥

ଗୁମ ହୋଇଗଲୁ ଉଭୟ ..କିଏ କାହାକୁ ଝୁରୁଥିଲା କେଜାଣି
କିଏ ଫେରିବ, ଆଉ ଏଠି କିଏ ଥିବ- ଆଉ କିଏ କେମିତି ଫେରିବ
କିଏ କାହିଁକି ଫେରିବ, ଫେରିଲେ କାହାକୁ ଦେଖିବ-ଆଉ କିଏ ଦେଖା ଦେବ
ରକ୍ତାକ୍ତ ହୋଇ ବାପା, ସର୍ବସ୍ୱ ହରାଇ ସ୍ତ୍ରୀ, ନା ଛେଉଣ୍ଡ ହୋଇ ଛୁଆ ॥

ଧ୍ଵଂସ ପାଉଁଶ ଉପରେ ବୋଉର ପୋଡ଼ି ଯାଇଥିବା ମାଂସ ଖୋଜୁଥିଲି ମୁଁ
ମୋ ଅଙ୍ଗବିହୀନ ରକ୍ତ ଶରୀର ବିଳାପ କରୁଥିଲା ଯୁଦ୍ଧ ଭୂଇଁରେ
ବୁଢା ବାପା ,ସ୍ତ୍ରୀ, ଛୁଆ – ପୋଡ଼ି ଯାଇଥିବେ ସ୍କୁଲରେ ନହେଲେ ବଜାରରେ
କଞ୍ଚା ମାଂସ ସଂଗ୍ରହ କରିବାକୁ ଆସିଥିବା କଂସେଇ ହାବୁଡ଼ିଗଲେ କି ତାଙ୍କୁ ॥

ଯୁଦ୍ଧରେ ପଙ୍ଗୁ କରିବେ ନହେଲେ ହତ୍ୟା, ଲୁଣ୍ଠିବେ ନହେଲେ ଭୋଗିବେ
ବିଜୟର ତୂରୀ ସହିତ, ବିଭତ୍ସ ଦୃଶ୍ୟ ପ୍ରସନ୍ନ କରିବ ତାଙ୍କୁ
କଟା ଅଙ୍ଗ, ମହିଳା ଏବଂ ଶିଶୁମାନଙ୍କଠାରୁ ରକ୍ତସ୍ରାବ;
ଏହା ହିଁ ତ ଲକ୍ଷ୍ୟ ଥିବ ତାଙ୍କର, ଦେଶ ଯାହାର ଆଉ ଯିଏ ଦେଶର !!!

ଭଦ୍ରକ, ଓଡ଼ିଶା, ଦୂରାଭାଷ : ୯୬୯୨୩୩୩୦୩୧

ଲେଖକ ପରିଚୟ

ଓଡ଼ିଆ ସାହିତ୍ୟ ଜଗତ ସହ ନିଜକୁ ଯୋଡ଼ି ରଖି ଖୁସି ହେଉଥିବା ମଣିଷମାନଙ୍କ ଭିତରେ ରାଜେଶ କୁମାର ତ୍ରିପାଠୀ ଜଣେ ସମାଜମନସ୍କ ଓ ସମ୍ବେଦନଶୀଳ ଲେଖକ ।

Related Posts

Leave a Reply

Your email address will not be published. Required fields are marked *