ସତ୍ୟନାରାୟଣ ଗନ୍ତାୟତ

ଆଜିକାଲି ଶବ୍ଦଟି ଉଚ୍ଚାରିବା ମାତ୍ରେ ସାମନାକୁ ଆସିଯାଆନ୍ତି ଆଜି ଓ କାଲି । ଆପଣାକୁ ମାଜିମୁଜି ଚକଚକ କରି ଆମ ଆଗରେ ହାଜର ହୋଇଥାଏ ଆଜି । କାଲି କିନ୍ତୁ ଆମ ମଗଜ ମୁଣିରେ ତଥାପି ସଜ ହୋଇ ରହିଥାଏ ।

ତେବେ ଅର୍ଖ ନୂଆ ଆଜିଟେ ଆସି ଯାଇଛି ମାନେ କାଲି ଧୀରେଧୀରେ ତା ‘ ତାଜାପଣ ହରାଇବାକୁ ବାଧ୍ୟ ହୁଏ !!
ସୁତରାଂ ଆଜି ମାନେ ଆଜି : ଏବେ, ଏ ବେଳେ ବା ଏଇ ମୂହୁର୍ତ୍ତରେ ଅଥବା ଆଜିର ଦିନରେ ! ଆମ ମନ ସଦା ଛନଛନ ହେଉଥାଏ ଆଜି ଅନେକ କିଛି ନୂଆନୂଆ ଚିଜ ଓ ନୂଆନୂଆ ଅନୁଭବ ପାଇବା ପାଇଁ ! ତେବେ ସେସବୁ କେତେ ମିଳେ କେତେ ମିଳେନା ତା ଅବଶ୍ୟ ବିଚାରର ବିଷୟ ହୋଇଥିବାବେଳେ ଯାହା କିନ୍ତୁ ସଭିଙ୍କୁ ନିଶ୍ଚିତ ଭାବେ ନୂଆ ହୋଇ ମିଳିଥାଏ ତାହା ହେଲା, ଦିନଟିଏ ‘ଆଜି’ ରୂପରେ !
ବାସ୍, ଚବିଶ ଘଣ୍ଟା ଆପଣାକୁ ସମ୍ଭାଳି ନିଅ ଓ ତା’ପରେ ଅନୁଭବିବ କେମିତି ତୁମ ଆଗରେ ନୂଆପଣ ନେଇ ଆସି ହାବୁଡ଼ି ଯାଇଚି ଆଜି !

ତ’ ଏଣିକି ଆଜି କେମିତି କଣ ବିତାଇବା ସେନେଇ ବିଚାର ଓ ଯୋଜନାଦି କରି କାମ କରିବା ଆରମ୍ଭ ହେବା ଚାହି । ଏଥକୁ ଠିକେଠିକେ ପରା କୁହାଯାଇଛି ଯେ ତୁମେ ଯଦି ଭଲ କରି ଆରମ୍ଭ କରିବ ମାନେ ଅଧା ସଫଳ ହୋଇଗଲ ବୋଲି ଜାଣ । ନୋହିଲେ କରିବି କରିବି ବୋଲି ତୁଚ୍ଛା ଭାଳେଣି କରିଚାଲିଲେ ଭାବନାର ଜାଲରେ ଛନ୍ଦି ହୋଇ ରହିଯିବା ଇ’ ସାର ହେବ ! ପଛନ୍ତେ ଧନ୍ଦି ହେବା ଥୟ ।

ତେବେ ସେପରି ଧନ୍ଦିହେବାରୁ ମୁକୁଳିବାର ଏକମାତ୍ର ସହଜ ଓ ସରଳ ଏକପଦୀ ସୂତ୍ର କୁଆଡ଼େ ସମାହିତ ହୋଇ ରହିଥାଏ “କର” ଶବ୍ଦଟି ଭିତରେ ! ଅର୍ଥାତ କରିବି କରିବି ବୋଲି ପାଞ୍ଚିବା ବଦଳରେ ସେ କାମଟି ତୁରିତେ କରି ପକାଅ ।

କରିବ ମାନେ କେବେ ? ଉତ୍ତର ହେଲା ଆଜି । କୁହାଯାଏ ପରା ଯାହା କାଲିକି କରିବି ବୋଲି ଭାବିଥିବ ତାହା ଆଜି କର ଓ ଯାହା ଆଜି ଆସୁଆସୁ କରିବି ବୋଲି ଯୋଜନା କରିଛ ତାହା ତ ଏବେ, ଏକ୍ଷଣି ! ବୋଇଲା ଶୁଭସ୍ୟ ଶୀଘ୍ରଂ !!

ଅତଃ କାମ କରିଯିବା ବେଳେ କାଲିର କଥା ମନକୁ ଆସିବ ଇ’ ଆସିବ । କାରଣ କାଲି ରାତିରେ ଶୋଇବାବେଳେ ନିଶ୍ଚେ ମନେମନେ ହେଜିଥିବ ନକରି ପାରିଥିବା ସେଦିନର କାମ ମାନ । ସେସବୁ ଆଜି ସାରିବ ତ ସାରିପାର । ତେବେ ଆଜିର କାମ କିନ୍ତୁ ଗତକାଲି ପରି ଆସନ୍ତାକାଲି ପାଇଁ ଯେମିତି ନରହେ, ସେଥକୁ ହେଜ ରଖିବ ବୋଇଲେ ଦିନାନ୍ତେ ଶାନ୍ତିରେ ରାତିକ ଶୋଇପାରିବ । ତେଣିକି ଅର୍ଖ ନୂଆ ଆସନ୍ତା କାଲିଟିଏକୁ ଆଜି ରୂପେ ସ୍ୱାଗତ କରିପାରିବ ସିନା !
ଥୋକେ “ଗତସ୍ୟ ଶୋଚନା ନାସ୍ତି”, “ଗଲାଣି ତ ଗଲା କଥାରେ ସଙ୍ଗାତ” ଆଦି ଏକରକମ ଗାଇ ଯାଆନ୍ତି । ପୁଣି କହନ୍ତି ଯେ ଗତକାଲି ଗୋଟେ ଭଙ୍ଗା ହୋଇ ସାରିଥିବା ବ୍ୟାଙ୍କ ଚେକ୍ ହୋଇଥିବାବେଳେ ଆଜିଟି କିନ୍ତୁ ନଗଦ ଅର୍ଥ ସଦୃଶ । ସୁତରାଂ ଆଜିର ଫି’ ମୂହୁର୍ତ୍ତଙ୍କ ସଦ୍ ବ୍ୟବହାର କରିବାକୁ ପରାମର୍ଶ ଦିଆ ଯାଇଥାଏ ।

ହଁ, ଆମେ ସଭିଏଁ ପଢିଥିବା “ତିନୋଟି ପ୍ରଶ୍ନ” ଶୀର୍ଷକ ସେଇ କଥନିକାଟିରେ ରାଜାଙ୍କ ତିନୋଟି ମହାର୍ଘ ପ୍ରଶ୍ନଙ୍କୁ ବାସ୍ତବ କ୍ଷେତ୍ରରେ କର୍ମ ସମ୍ପାଦନ ମାଧ୍ୟମରେ ସମାଧାନ କରିଥିବା ବନସ୍ତ ନିବାସୀ ସାଧୁ ଜଣକ କ’ଣ କାଲିକି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କି ? ନା, ବରଂ ଆଜି,ଏଇ ମୂହୁର୍ତ୍ତରେ ସାମନାରେ ଥିବା ଲୋକ ଓ ସେଇ କ୍ଷଣରେ ଉପଗତ କର୍ମ କରତଃ ରାଜାଙ୍କ ସଂଶୟ ମୋଚନ କରି ଯୁଗଯୁଗ ପାଇଁ ଆଜି ଓ ତାତ୍କାଳିକତାକୁ ସଦା ଧ୍ୟେୟ କରି ଯାଇଛନ୍ତି ନିଶ୍ଚୟ !
ଏସବୁ ଜଣାଶୁଣା କଥାମାନ ହୋଇଥିଲେ ହେଁ ଏସବୁ ହେଜିବା ସହ ଆଜିକ ଏମିତି ବିତାଇବା କଥା ଯେମିତି କାଲି ଆସୁଆସୁ ତାକୁ ସହର୍ଷ ଆପଣାଇ ହେବ, ଆଜିର ବଳକା କାଲିକି ରଖି, ବାକି ଅଛି କାଲିର ନିରାଶା ଜାତୀୟ ଘୋଷା ମନେମନେ ଭାଳି ଆମ ସୁନ୍ଦରିଆ ମୁହଁଟିମାନଙ୍କୁ ଆମ୍ବିଳା ନକରି !!

କସ୍ମରୀ ନଗର, ରାୟଗଡା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *