ସତ୍ୟନାରାୟଣ ଗନ୍ତାୟତ

ତଥାପି ସେମାନଙ୍କ କଥା ପଚାରୁଛ ?
ହେଲେ ସେମାନେ ପରା ଆଉ ନାହାଁନ୍ତି । ଗଲେଣି । ଗଲେଣି ବୋଇଲେ ଆମେ ଇ ବିଦା କରିଦେଲୁ ପରା ? “ଗଲାଣି ତ ଗଲା କଥାରେ ସଙ୍ଗୀତ” ବୋଲି ତୁନି ନରହି ଫେର୍ ସେମାନଙ୍କ କଥା ଉଠାଉଛ ?
ତେବେ କ’ଣ ଏଇଆ ସମଝିବା ଯେ ସେମାନେ ଛାଡ଼ି ଯାଇଥିଲେ ବି ସେମାନଙ୍କ ସହ ଥିବା ସମ୍ପର୍କର ଛିଡ଼ା ଡୋର ଖଣ୍ଡକ ତଥାପି ଆମକୁ ପକଡ଼ିବାକୁ ଛାଡ଼ି ଯାଇଛନ୍ତି ? ଓଃ ତେଣୁ ଏଇନେ ଭାଳେ ମନ, ସେମାନଙ୍କ କଥା ଘନଘନ ?? ତେବେ ‘ସେମାନେ’ ବିଦା ହେବା ପରେ ପରା ‘ଏମାନେ’ ଯାବତ ଅଉଲ ନମ୍ବରିଆ କଥା ମାନ କହିକହି ଅଇଲେ । ଅମୁକ କରିଦବୁ ସମୁକ କରିଦବୁ, ତୁଚ୍ଛା କ୍ଷୀର ମହୁ ଇ ନୁହଁ, ଏକାନଟେ ପଞ୍ଚାମୃତରେ ଇ ଭସାଇଦେବୁ ଯେ ଗୋଟାପଣେ କ୍ଷୀରସମୁଦ୍ରରେ ଉବୁଟୁବୁ ହୋଇଯିବ : ଏମନ୍ତ ବଚନିକା ମାନ ଆସିବା ଆଗରୁ ଉଚ୍ଚ ସ୍ୱରରେ ଭାଷି ନଥିଲେ ?
ତେଣୁ ଏମାନଙ୍କ କାମ କଥା କହୁନାହାଁନ୍ତି ?
ଦେଖୁଥିବ ତ ଆସୁଆସୁ ମରୁଡ଼ିଗ୍ରସ୍ତ ଭୋକିଲାଏ ଚରିଯିବା ପ୍ରାୟେ ଲାଗିପଡ଼ି ଢେର ବସାଉଠା, ଖିଆପିଆ, ଗାନାଟାନା, ଘୁରାଫେରାଦିରେ ମାତି ଯାଇ କେମିତି ତାଜା ମଉଜ ମନାଉଛନ୍ତି !! ଏସବୁ ନେଇ କଣ କିଛି କହିବାର ନାହିଁ ?
ପୁଣି ଖୋଷଣି ଫିଟାଇ ଗଣିଗଣି ଏମିତି ଦେବୁ ଯେ ଗଣିଗଣି ଥେଇଆ ହୋଇଯିବ କହି ଦେଖାଇଥିବା ଦି’ପହରିଆ ସପନ କଥା ମନେଥିବ ତ ନିଶ୍ଚୟ । ସେକଥା ଉଠାଉନା ?
ଏଁ, ଏଁ, ଇଏ କଣ, ତମ ଝିଅଟାକୁ କଲେଜ ଯିବାକୁ ମନା କରୁଛ କାହିଁକି ? କହୁଛ କଣ ନା, ସେ କୋର୍ସ ପଢା ନହେଲେ ନାହିଁ, ଘରେ ବସି ଡିଷ୍ଟାନ୍ସରେ ଯାହା ପଢିବୁ ପଢ । ତୋତେ ସେ କଲେଜକୁ ଛାଡ଼ି ମୋ ଗେଟେ ବୋଲି ଝିଅକୁ ହରାଇବିନି ।
ମାମଲା ଯେବେ ଏଡ଼େ ଘାଏଁ ହେଲାଣି, ତେବେ ତ ଏମାନଙ୍କୁ ନେଇ ଢେର୍ କଥା ଉଠାଇବାର ଅଛି । ବରଂ ଏମାନଙ୍କ ଭଳିକି ଭଳି ଅବିଗୁଣ ଓ କାଣ୍ଡ କାରଖାନା ମାନ ହାଟରେ ବାଟରେ ଘାଟରେ ସବୁଠି ପକାଇ ଗଡ଼ଗଡ଼ାଇବାର ଅଛି ! ତା କରୁନା ?
ଆମ କଥା ଶୁଣି କ’ଣ କହୁଛ ଯେ ଆମକୁ କୁଆଡ଼େ ସବୁ ଜଣା । ଆମେ କୁଆଡ଼େ ସବୁ ଜାଣିଶୁଣି, ସବୁ ଦେଖିଚାହିଁ ଏସବୁ କଥା ଫେର୍ ପଚାରୁଛୁ। ଆଉ ଆମେ ‘ଏମାନଙ୍କ’ କଥା ଉଠାଇଲେ ‘ଏମାନେ’ ପରା ‘ସେମାନଙ୍କ’ ସେଇ ସେଇ କଥାମାନ ଉଠାଇବେ ଓ ପୁଣି ଆମକୁ ପୂର୍ବବତ ଭକୁଆ ବନାଇ ଏଣୁତେଣୁ ଗାଲୁ ଗପଗୁଡ଼ା ଶୁଣାଇ ଆମ ଭିତରେ ‘ଲୁଚିଲୁଚିକା ଛପିଛପିକା ମତେ ଛୁ ଖେଳରେ ମାତିଥିବା’ କାଳିଗାଈ ମାନଙ୍କୁ ପୁଣି ଠାବ କରି ସେମାନଙ୍କ ମୁହଁରେ ବିରିପାଣିରୁ ହାଣ୍ଡିଏ ହାଣ୍ଡିଏ ଥୋଇ ଦେଇ ସେମାନଙ୍କ ରଡ଼ି ବନ୍ଦ କରି ଦେବେନି ?
କସ୍ମରୀ ନଗର, ରାୟଗଡା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।
ବହୁତ ବଢିଆ, ଗଭୀର ସମ୍ମାନ ଦାଦାଙ୍କୁ