ଭୁବନେଶ୍ୱର : ଓଡ଼ିଶାର ବିଶିଷ୍ଟ କବି, ଔପନାସିକ ତଥା ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି । ପ୍ରତିଥଯଶା ଓଡ଼ିଆ କବି ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନରେ ଦେହ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ଅନ୍ତିମ ସମୟରେ ଦୁଇ ଝିଅ, ଜ୍ଵାଇଁ, ନାତି ଉପସ୍ଥିତ ଥିଲେ । ପୂର୍ବରୁ କବି ରାଜେନ୍ଦ୍ରଙ୍କ ଶରୀର ଦାନ ହୋଇଥିବାରୁ ପରିବାର ଲୋକେ ତାଙ୍କ ମରଶରୀରକୁ ଏମ୍ସକୁ ହସ୍ତାନ୍ତର କରିଛନ୍ତି । ତାଙ୍କ ବିୟୋଗରେ ସାରା ସାହିତ୍ୟ ଜଗତ ସହିତ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
ସୂଚନାଥାଉ ଯେ ଗତ ମାସରେ ଅସୁସ୍ଥତା କାରଣରୁ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତ ପାଞ୍ଚ ତାରିଖ ଦିନ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଅତ୍ୟଧିକ ଦୁର୍ବଳ ଓ ନିଷ୍କ୍ରିୟ ହୋଇପଡ଼ିଥିଲେ । ଅଳ୍ପ ଚଲାବୁଲା କରୁଥିଲେ । ବିଶେଷ ଖିଆପିଆ କରୁନଥିଲେ । ତରଳ ଖାଦ୍ୟରେ ବଞ୍ଚିଥିଲେ । ମାତ୍ର ଶୁକ୍ରବାର ଦିନ ସବୁଦିନ ପାଇଁ ସେ ଆଖି ବୁଜିଦେଲେ ।
ଝାରସୁଗୁଡ଼ା ଜିଲ୍ଲା ବତଲଗା ଗାଆଁରେ ୧୯୪୪, ଜୁନ ୨୪ ତାରିଖରେ ଜନ୍ମ ହୋଇଥିଲେ କବି ରାଜେନ୍ଦ୍ର । ୧୬ ଟି କବିତା ସଂକଳନ ସହିତ ଦୁଇଟି ଉପନ୍ୟାସ ଲେଖିଥିବା ବେଳେ ତାଙ୍କ ଲିଖିତ ‘ଶୈଳକଳ୍ପ’ ପାଇଁ ୧୯୮୫ ରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ଏହାବ୍ୟତୀତ ୨୦୦୪ ରେ ବିଷୁବ ପୁରସ୍କାର, ୨୦୧୨ ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୨୧ ରେ ଶାରଳା ସମ୍ମାନ ଆଦି ଅନେକ ପୁରସ୍କାରରେ ସେ ବିମଣ୍ଡିତ ଥିଲେ । ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ ମସିହାରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ ।
