ବେବିନା ରଥ

ତା ସହ ଭେଟ ହେବାର କଥା ଥିଲା
କିନ୍ତୁ କଥା ରହିଗଲା କଥାରେ ।

ସେ ମୋ ପାଖୁ ଡାକରେ ପଠାଇଥିଲା
ପଲେ ଚଢେଇ, ଗୋଟେ ଗୀତର ଝରଣା
ପବନରେ ଚଗଲା କେଶକୁ ବାନ୍ଧିବା ପାଇଁ
କୁରେଇ ଫୁଲର ଗୋଟେ କ୍ଲିପ୍
ଯାହାକୁ ମୁଁ ରଖି ଦେଇଥିଲି
ମୋ ଅନ୍ୟମନସ୍କତାର କାନ୍ଥକୁରାରେ

ଗୋଟେ ଚିଠି ବି ଲେଖିଥିଲା
ଯାହାର ଅକ୍ଷର ସବୁ ବଦଳି ଯାଉଥିଲେ ନିତି ।

ସେ ଜାଣେନି ମୋତେ ନିତି ନିତି
କେତେ କାମ କରିବାକୁ ହୁଏ
ବାଞ୍ଝ ଗାଈ ଭଳି ସଂସାର
ଖିର ଦିଏନି ଆହାର ଖାଏ ।
ସାରା ଆକାଶର ତାରାମାନେ
ବୁଝି ନହେଉଥିବା ଭଳି କବିତା ଶୁଣାନ୍ତି
ବୋର କରନ୍ତି ।
ଦିନରେ ଗୁଳୁଗୁଳି ରାତିରେ ଚୋରଭୟ ।
ନିଜ ଭିତରେ ଅଥୟ ଭାବେ ଥୟ ମୁଁ
ଯିବି କେତେବେଳେ ?

ତାକୁ ଭେଟିବାର କଥା ଦେଇଥିଲି ।
ସେ ବି ଅପେକ୍ଷା କରିଥିଲା
ନଈର କୋଉ ଘାଟରେ ମୁଁ ଜାଣେନା
ମୋର ତ କଣା ଡଙ୍ଗାକୁ
ଭଙ୍ଗା ଆହୁଲା ।
ପବନ ଯୁଆଡ଼େ ନେଲେ ନେଲା
ଘାଟକୁ ନିଘା କରୁ କରୁ ଯଦି ଡଙ୍ଗା ବୁଡିଲା ?

କୋଉଠି ତା ଠିକଣା ?
ମୋତେ ନେବାକୁ ଆସିଥିବା ଚଢେଇମାନେ
ଏବେ କାନ୍ଥକୁରାରେ ସଂସାର ପାତି ଅଣ୍ଡା ଦେଲେଣି
ଗୀତ ଗାଉଥିବା ନଈ ଏବେ ଦୀର୍ଘଶ୍ୱାସର ଲୁହ
ଶ୍ରମର ଝାଳ ହୋଇ ବହୁଛି ।
ଚିଠିର ଅକ୍ଷର କହୁଛି
ଏହେ, ଯେଉଁ ଘାଟକୁ ଛାଡ଼ି ଆସିଲ
ସେଇ ଘାଟରେ ସେ ରହେ ।

କଥା ଥିଲା ଦିନେ ଭେଟ ହେବ
ହେଲାନି ।

ଭି.ଏସ୍. ଏସ୍. ନଗର, ଭୁବନେଶ୍ୱର

ଲେଖକ ପରିଚୟ

ସ୍କୁଲରେ ପଢିଲା ବେଳଠୁ ଲେଖାଲେଖି ଆରମ୍ଭ । କିନ୍ତୁ ବାହାଘର ପରେ କିଛି ବର୍ଷ ପାଇଁ ସ୍ଥଗିତ ରହିଲା ଓ ପୁଣି ଏଇ ପ୍ରାୟ ୧୦ ବର୍ଷ ହେବ ଆରମ୍ଭ ହେଲା ଲେଖାଲେଖି । କିନ୍ତୁ ସକ୍ରିୟତା ମାତ୍ର ଚାରି ପାଞ୍ଚର । ବର୍ତ୍ତମାନ “ଖରାର ବୟସ ଯେବେ କମି କମି ଆସେ” ଶୀର୍ଷକରେ କବିତା ସଂକଳନଟିଏ ପ୍ରକାଶିତ ହେବା ଅପେକ୍ଷାରେ ।  

Related Posts

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *