ଆରମ୍ଭ ହେଲା ପନ୍ଦର ଦିନିଆ ‘ସମ୍ବାଦ ସାହିତ୍ୟ ପକ୍ଷ’

ଭୁବନେଶ୍ଵର : ‘ସମ୍ବାଦ’ ଆୟୋଜିତ ୧୫ ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ‘ସମ୍ବାଦ ସାହିତ୍ୟ ପକ୍ଷ’ ମାର୍ଚ୍ଚ ୧ ତାରିଖ ଦିନ ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ‘ଆମ ଓଡ଼ିଶା କାର୍ଯ୍ୟାଳୟ’ ପରିସରରେ ଆୟୋଜିତ ଏହି ମହାସମାରୋହରେ ସାରା ଓଡ଼ିଶାରୁ ଆସିଥିବା ବିଭିନ୍ନ ବର୍ଗ ଓ ବିଭାଗର ଲେଖକ ଲେଖିକାମାନଙ୍କର ଏକ ଭବ୍ୟ ମିଳନ ଘଟିଥିଲା ।

ପ୍ରଥମ ଦିନ ଅନୁଷ୍ଠିତ ହୋଇଥିବା ‘କବି ଓ କବିତା’ କାର୍ଯ୍ୟକ୍ରମର ମଞ୍ଚକୁ ମାଟିର ମହାକବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଉତ୍ସର୍ଗ କରାଯାଇଥିଲା । ଅଭିନବ ଶୈଳୀରେ ଗଛରେ ଜଳ ଦାନ କରି ତଥା ଆଲୋଚନାକୁ ଆରମ୍ଭ କରି ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ‘ସମ୍ବାଦ’ ସବୁବେଳେ ଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ବିଭିନ୍ନ ଭାବରେ ସମ୍ପୃକ୍ତ । ସମ୍ବାଦ ସାହିତ୍ୟ ପକ୍ଷକୁ ଆଶୀର୍ବାଦ ପ୍ରଦାନ କରି ସେ ଏହାକୁ ସୁନ୍ଦର ଓ ନୂଆ ଧରଣର ବୋଲି ପ୍ରଶଂସା କରିଥିଲେ । ସ୍ଵାଗତ ଅବିଭାଷଣ ଦେଇ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ ଯେ ଆରମ୍ଭରୁ ସମ୍ବାଦ ସହିତ ସହିତ ରହି ଆସିଛି ଓ ମାଆ, ମାଟି ଓ ମାତୃଭାଷାର କଥା କହି ଆସିଛି । ଭାଷା ବଞ୍ଚିଲେ ଖବରକାଗଜ, ଟେଲିଭିଜନ, ରେଡ଼ିଓ ବଞ୍ଚିବ । ବଞ୍ଚିବ ବି ଓଡ଼ିଆ ଅସ୍ମିତା । ଏହାବ୍ୟତୀତ ସାହିତ୍ୟର ପ୍ରତିଟି ପାଖୁଡ଼ାକୁ ମଞ୍ଚ ଦେବାକୁ ‘ସମ୍ବାଦ ସାହିତ୍ୟ ପକ୍ଷ’ ଦୀର୍ଘ ୧୫ ଦିନ ଧରି ପାଳନ କରାଯିବ । ଏଥିରେ ୧୫୦ରୁ ଉର୍ଦ୍ଧ୍ଵ ସାହିତ୍ୟିକଙ୍କୁ ମଞ୍ଚକୁ ଆଣିବାକୁ ପ୍ରୟାସ କରାଯିବ । ଯୁବପିଢିକୁ ସାହିତ୍ୟ ସହିତ ଯୋଡ଼ିବା ହିଁ ‘ସମ୍ବାଦ ସାହିତ୍ୟ ପକ୍ଷ’ର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

‘କବି ଓ କବିତା’ ମଞ୍ଚରେ ପ୍ରଥମେ ବିଶିଷ୍ଠ କବି ଆଶୁତୋଷ ପରିଡ଼ାଙ୍କ ସହିତ ଚିରଶ୍ରୀ ଇନ୍ଦ୍ରସିଂ କବିତାକୁ ନେଇ ଆଳାପ କରିଥିଲେ । ପରେପରେ ‘ଆଲୋଚନା’ ଅଧିବେଶନରେ କବି ଈପ୍ସିତା ଷଡ଼ଙ୍ଗୀଙ୍କ ସଂଚାଳନାରେ ଅନୁଷ୍ଠିତ ଆଲୋଚନାର ବିଷୟବସ୍ତୁ ଥିଲା ‘ସମକାଳର କବିତା: ପ୍ରତିକ୍ରିୟା ନା ପ୍ରତିଫଳନ’ । ଏଥିରେ ଅଂଶଗ୍ରହଣ କରି କବି ଅମରେଶ ପଟ୍ଟନାୟକ କହିଥିଲେ ଯେ କବିର ଚରିତ୍ର ଇଗଲ ପରି, ଯିଏ ଝଡ଼ ଉପରେ ଉଡ଼ି ପାରେ । ସେହିପରି କବି ବିପିନ ନାୟକ କହିଲେ, ପ୍ରତିଟି ସୃଜନର ମୂଳରେ ଥାଏ ଏକ ଦର୍ପଣ । କିନ୍ତୁ ସେଥିରେ ଅବିକଳ ପ୍ରତିଫଳନ ନଥାଏ ହେଲେ ପ୍ରକ୍ରିୟା ସେଇଠୁ ଆରମ୍ଭ ହୁଏ । କବି ଅପର୍ଣ୍ଣା ମହାନ୍ତିଙ୍କ କହିବାନୁସାରେ ସତ୍ୟ ଓ ସାହସ ତାଙ୍କ କବିତାକୁ ଦମ୍ଭ ଦେଇଥାଏ । କବିତା ପ୍ରଶ୍ନ ତିଆରି କରିପାରିଲେ ତଥା ଅନ୍ୟକୁ ପ୍ରଶ୍ନ ପଚାରିବାକୁ ବାଧ୍ୟ କରିପାରିଲେ ତାହା ସଫଳ କବିତା ବୋଲି କହିହେବ ।

ଏହି ଅବସରରେ ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ପର୍ଶୁରାମ ଦ୍ୱିବେଦୀ ଓ କେଦାରନାଥ ଗବେଷଣା ପ୍ରତିଷ୍ଠାନକୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ କନକ ନ୍ୟୁଜର ସିଇଓ ରତିକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଆର. ଜେ. ଅନିଲ ସାହିତ୍ୟକୁ ନେଇ ଆକର୍ଷଣୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମିଲନ ଘଟୁଆରୀ ସଂଯୋଜନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *