ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦର କାର୍ଯକ୍ରମ ‘ସଂପର୍କର ନଦୀତୀରେ’ ଅନୁଷ୍ଠିତ

ଭୁବନେଶ୍ଵର : ଗତକାଲି ପୁଣ୍ୟତୋୟା ବ୍ରାହ୍ମଣୀ ସନ୍ନିକଟ ନାଧରା ସ୍ଥିତ ମା’ ରାମଚଣ୍ଡୀ ପୀଠଠାରେ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ଢେଙ୍କାନାଳର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ ‘ସମ୍ପର୍କର ନଦୀତୀରେ’ କାର୍ଯକ୍ରମ ସଭାପତି କବିଜ୍ୟୋତି ନିରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍ସବକୁ ମଧୁମୟ ଓ ଭାବମୟ କରିବା ପାଇଁ ରଶ୍ମିତା ରାଉତ ଓ ଲୀଳାବତୀ ପରିଡ଼ା, ଦେବୀ ପ୍ରସାଦ ନାୟକ, ପୁରୁଷୋତ୍ତମ ସିଂହ ସାମନ୍ତଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ କବି କବୟିତ୍ରୀମାନେ ଯୋଗ ଦେଇ ସ୍ଵରଚିତ କବିତା ପାଠ କରିବା ସହ ଏକ ନିଆରା ଭକ୍ତିମୟ ପରିବେଶ ସୃଷ୍ଟି କରିଥଲେ । ଯାହାକୁ ବରିଷ୍ଠ କବି ବିନୟ କୁମାର ସାମଲ ଅତି ଚମତ୍କାର ଢଙ୍ଗରେ ସମୀକ୍ଷା କରିଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ସମ୍ମାନ ଜଣାଇ ସମ୍ପାଦକ ରାହାସ କୁମାର ବେହେରା ସ୍ୱାଗତ ସମ୍ବର୍ଦ୍ଧନା ଓ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବରେ ପ୍ରଫେସର ଶାନ୍ତନୁ କୁମାର ସର ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସ୍ଵୀୟ ଅଭିଭାଷଣ ଦେବା ସହ ‘ବେଶୀ ପଢ଼ିବା ଓ କମ୍ ଲେଖିବାକୁ’ ଆହ୍ଵାନ କରିଥଲେ ।

ସେହିପରି ମୁଖ୍ୟବକ୍ତା ଡଃ ସଦାନନ୍ଦ ପରିଡ଼ା, ଓଡ଼ିଆ ସାହିତ୍ୟ ଓ ମାତୃଶକ୍ତି ଶୀର୍ଷକ ପ୍ରସଙ୍ଗକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଥିବାବେଳେ ଉପଦେଷ୍ଟା ପଣ୍ଡିତ ବିପିନ ବିହାରୀ ଶତପଥୀ, ଭୀମନଗରୀ ରାମଚଣ୍ଡୀଙ୍କ ମହିମା ଗାନ, ସମ୍ମାନୀତ ଅତିଥି ଶଙ୍କର୍ଷଣ ଶତପଥୀ ‘କଲମ ମୁନ ଜାତିର ଜୀବନ’ ବୋଲି ଉପସ୍ଥାପନ କରିଥଲେ । ଅନୁରୂପ ଭାବେ ପ୍ରଧ୍ୟାପକ୍ ରମେଶ ଚନ୍ଦ୍ର ସାହୁ ଜଗନ୍ନାଥ ସଂସ୍କୃତିର ରୂପରେଖ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏତବ୍ ବ୍ୟତୀତ କବି ଦେବୀପ୍ରାସାଦ ନାୟଙ୍କ ‘ସେଲୁନ୍ ପାଖେ ବେଲୁନ୍ ବାଲା’ ଓ ଶ୍ରଦ୍ଧାଞ୍ଜଳୀ ନାୟକଙ୍କ ‘ସିଲଟ’ କବିତା ପୁସ୍ତକ ଲୋକାର୍ପଣ ହୋଇଥଲା । ପରିଶେଷରେ ସ୍ତମ୍ବକାର ପ୍ରେମାନନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *